ଟ୍ଵିଟରର ମତ ଓ ସତ୍ୟବାଦୀ ଭାରତ ସରକାର !!

ଟ୍ଵିଟରର ମତ ଓ ସତ୍ୟବାଦୀ ଭାରତ ସରକାର !!

ମୋଦୀ ସରକାର ଦେଶର କୃଷି କ୍ଷେତ୍ରରେ କର୍ପୋରେଟ ବଜାରକୁ ଅନୁପ୍ରବେଶ କରାଇବା ପାଇଁ ଯେଉଁ କୃଷି ଆଇନ ତିଆରି କରିଥିଲେ, ତା ବିରୋଧରେ ଦେଶର ସବୁଠୁ ବଡ କୃଷକ ଆନ୍ଦୋଳନ ଗଢି ଉଠିଥିଲା । ପ୍ରାୟ ବର୍ଷେ ଦେଶର କୃଷକମାନେ ମୋଦୀ ସରକାରକୁ ବିରୋଧ କରି ରାସ୍ତାରେ ଆନ୍ଦୋଳନ କରିଥିଲେ ଏହି ଆନ୍ଦୋଳନରେ ୭୦୦ରୁ ଅଧିକ କୃଷକଙ୍କର ପ୍ରାଣହାନି ଘଟିଥିଲା କୃଷକଙ୍କର ଏହି ବିଶାଳ ଆନ୍ଦୋଳନ ଆଗରେ ମୋଦୀ ସରକାର ପରାଜୟ ସ୍ଵୀକାର କରିଥିଲେ ଓ ପରିଶେଷରେ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ । ତେବେ କୃଷକ ଆନ୍ଦୋଳନ ସମୟରେ ଏହାକୁ ଭାଙ୍ଗିବା ଲାଗି ସରକାର ନିଜର ସବୁ ଶକ୍ତି ଓ ସାମର୍ଥ୍ୟ ପ୍ରୟୋଗ କରିବାକୁ ପଛାଇ ନଥିଲେ ଦେଶର ଗଣମାଧ୍ୟମ ଦେଶର ସବୁଠୁ ବଡ ଜନ ଆନ୍ଦୋଳନ ବିରୋଧରେ ସବୁଠୁ ଅଧିକ ଅପପ୍ରଚାର କରୁଥିଲା । ଏହି ଆନ୍ଦୋଳନ ବିରୋଧରେ ଦେଶର ମୁଖ୍ୟଧାରାର ଗଣମାଧ୍ୟମ ଖୋଲାଖୋଲି ସରକାର ସହଯୋଗୀ ଭାବରେ କାମ କରୁଥିବା ବେଳେ ସୋସିଆଲ ମିଡିଆରେ ଯେମିତି ଏହାର ପ୍ରଭାବ ନପଡେ ସେଥିଲାଗି କେନ୍ଦ୍ର ସରକାର ଯାବତୀୟ କଳ, ବଳ ଓ କୌଶଳ ପ୍ରୟୋଗ କରୁଥିଲେ । ସେହି କ୍ରମରେ ଆନ୍ତର୍ଜାତିକ ମାଇକ୍ରୋ ବ୍ଲଗିଙ୍ଗ ସଂସ୍ଥା ଟ୍ବିଟରରେ କୃଷକ ଆନ୍ଦୋଳନକୁ ନେଇ ଲେଖୁଥିବା ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ ସ୍ଵର ଚାପି ଦେବାକୁ ଭାରତ ସରକାର ଚାପ ପକାଇଥିଲେ ସେତେବେଳେ ଏ କଥା ସମସ୍ତେ ଜାଣିଥିଲେ ।

ଏହାର ଠିକ ଦୁଇ ବର୍ଷ ପରେ ଟ୍ବିଟରର ପ୍ରତିଷ୍ଠାତା ସିଇଓ ଜ୍ୟାକ ଡୋର୍ସି ଏକ ଟେଲିଭିଜନ କାର୍ୟକ୍ରମରେ ଭାରତ ସରକାରଙ୍କ ଚାପ ବିଷୟରେ ସ୍ପଷ୍ଟ ମତ ରଖିଛନ୍ତି ଯଦି କୃଷକ ଆନ୍ଦୋଳନ ସପକ୍ଷବାଦୀଙ୍କ ସ୍ଵର ଟ୍ବିଟରରେ ଜାଗା ପାଏ ତା ହେଲେ ଟ୍ବିଟରକୁ ବନ୍ଦ କରିଦେବାକୁ ଭାରତ ସରକାର ଧମକ ଦେଉଥିଲେ ଆଜି ଜ୍ୟାକ ଡୋର୍ସି ଯାହା କହୁଛନ୍ତି, ସେତେବେଳେ ତାହା ଜଳ ଜଳ ଦେଖା ଯାଉଥିଲା ତତ୍କାଳୀନ ଟେଲି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସର୍ବ ସାଧାରଣରେ ଟ୍ବିଟରକୁ ସମାଲୋଚନା କରୁଥିଲେ ବିଜେପି ମୁଖପାତ୍ର ସଂବିତ ପାତ୍ର କଂଗ୍ରେସ ସମ୍ପର୍କରେ ଜାଲ କାଗଜ ଟ୍ବିଟରରେ ଦେବାପରେ, ଏହାକୁ ଜାଲ ବୋଲି କୁହାଯାଇଥିଲା ତା ପରଠୁ ଟ୍ବିଟର ଉପରେ ବିଜେପି ଏବଂ ମୋଦୀ ସରକାରର ଚାପ ବଢିବା ଆରମ୍ଭ କରିଥିଲା

ଜ୍ୟାକ ଡୋର୍ସି ଯାହା କହିଛନ୍ତି, ତାହା ମିଛ ବୋଲି ବିଜେପି ସମର୍ଥକଙ୍କ ଛଡା ଆଉ କେହି କହିପାରିବେ ନାଇଁ ତେବେ ଭାରତ ସରକାରଙ୍କ ଆଇଟି ବିଭାଗର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏ ପ୍ରସଙ୍ଗରେ  ଜ୍ୟାକ ଡୋର୍ସି ଡାହା ମିଛ କହୁଛନ୍ତି ବୋଲି କହିଛନ୍ତି ଟ୍ବିଟର ୨୦୨୦ ରୁ ୨୦୨୨ମଧ୍ୟରେ ଭାରତୀୟ ଆଇନ ବିରୋଧରେ କାମ କରୁଥିଲା ବୋଲି ମନ୍ତ୍ରୀ କହୁଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଯଦି ଟ୍ବିଟର ଭାରତୀୟ ଆଇନ ବିରୋଧରେ କାମ କରୁଥିଲା, ତାହେଲେ ଭାରତ ସରକାର ତା ବିରୋଧରେ କି କାର୍ୟାନୁଷ୍ଠାନ ନେଇଛନ୍ତି । ଆଇନର ଡର ଦେଖାଇ ଟ୍ଵିଟରକୁ ଭାରତ ସରକାର ନିଜ ସ୍ଵାର୍ଥରେ ବ୍ୟବହାର କରୁଥିଲେ କି ? ଜ୍ୟାକ ଡୋର୍ସିଙ୍କୁ ମିଛୁଆ ବୋଲି କହିବାକୁ ଯାଇ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ବିଜେପି ନେତାମାନେ ଏବେ ଏମିତି କଥା କହୁଛନ୍ତି, ଯାହା ଆହୁରି ସାଂଘାତିକ

ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ବଡ ଅଭିଯୋଗ ଆଣି କହିଛନ୍ତି ଯେ ଜ୍ୟାକ ଡୋର୍ସି ଭାରତର ସାର୍ବଭୌମତ୍ଵ ବିରୋଧରେ କାମ କରୁଥିଲେ ଯଦି ତାହା ସତ, ତା ହେଲେ ତାଙ୍କ ବିରୋଧରେ କିଛି କାର୍ୟାନୁଷ୍ଠାନ ନିଆ ହୋଇନି କାହିଁକି ? ଜ୍ୟାକ ଡୋର୍ସିଙ୍କ ବିରୋଧରେ ଆମେରିକାରେ ଭାରତ ସରକାର ମାମଲା କରିବାର ସାହସ ରଖିଛନ୍ତି କି?

 ଜ୍ୟାକ ଡୋର୍ସିଙ୍କୁ ମିଛୁଆ କହିଦେଲେ ଭାରତ ସରକାରଙ୍କ ଦାୟିତ୍ଵ ସରିଗଲା ବୋଲି ଭାବନ୍ତୁ ନାଇଁ ଜ୍ୟାକ ଡୋର୍ସି ଙ୍କ ମତ ସ୍ପଷ୍ଟ କରୁଛି ଯେ ନାଗରିକଙ୍କୁ ଆମ ସମ୍ବିଧାନ ଦେଇଥିବା ବାକ ସ୍ଵାଧୀନତାର ଅପହରଣ ଦୋଷରେ ଭାରତ ସରକାର ଦୋଷୀ

ନିଜେ ନିଜକୁ ସତ୍ୟବାଦୀ ବୋଲି କହି ଢୋଲ ପିଟିଳେ ମିଛ କେବେ ସତ୍ୟ ହୋଇଯିବ ନାଇଁ ।