ହର୍ହେ ଲୁଇସ୍ ବର୍ହେସ

ହର୍ହେ ଲୁଇସ୍ ବର୍ହେସ

ହୋର୍ହେ ଲୁଇସ୍ ବୋର୍ହେସ ୧୮୯୯ ମସିହା ୨୪ ଅଗଷ୍ଟ ରେ ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରିଥିଲେ। ବିଂଶ ଶତାବ୍ଦୀର ଅନ୍ୟତମ ପ୍ରଭାବଶାଳୀ କଥାକାର ଏବଂ କବି ବୋର୍ହେସ୍ ଙ୍କର ପ୍ରଥମ ଲେଖାଟି ଥିଲା ଓସ୍କାର ୱାଇଲ୍ଡଙ୍କ ଚର୍ଚ୍ଚିତ ଗଳ୍ପ " ଦି ହାପି ପ୍ରିନ୍ସ" ର ସ୍ପେନୀୟ ଭାଷାରେ ଅନୁବାଦ। ଉପସ୍ଥିତ ଲେଖକର ଗ୍ରାଜୁଏସନ୍ ସମୟରେ ଏହି ଗଳ୍ପଟି ତାହାର ପାଠ୍ୟକ୍ରମରେ ଥିଲା। ଏଇ କଥା କହିବାର ଉଦ୍ଦେଶ୍ୟ ହେଉଛି ଯେ,ଏଇ ଗଳ୍ପକୁ ନିଜର ଭାଷାରେ ଅନୁବାଦ କରିବା ବେଳକୁ ବୋର୍ହେସ୍ ଙ୍କର ବୟସ ଥିଲା ମାତ୍ର ନଅ ବର୍ଷ। ବୋର୍ହେସ୍ ଯାହାକୁ ମାତ୍ର ନଅ ବର୍ଷରେ ପଢିଥିଲେ ବା ଜାଣିଥିଲେ ଆମ ଭଳି ଅକିଞ୍ଚନ କୁ ତାହା ଜାଣିବା ପାଇଁ କୋଡିଏ ବର୍ଷ ବୟସରେ ପହଞ୍ଚିବାକୁ ହୋଇଥିଲା। ସେ ଯାହାହେଉ ବୋର୍ହେସ ଏଇ ଗପଟିକୁ ଗୋଟିଏ ସ୍ପେନୀୟ ଦୈନିକ ପାଇଁ ଅନୁବାଦ କରିଥିଲେ। 

ଏଇଠି ଆଉ ଗୋଟିଏ କଥା ଉଲ୍ଲେଖଯୋଗ୍ୟ। ନିଜ ଜୀବନର ଏଇ ପ୍ରଥମ ଲେଖାଟି ଲେଖିବା ବେଳକୁ ବୋର୍ହେସ୍ ସ୍କୁଲକୁ ଯାଇ କୌଣସି ଆନୁଷ୍ଠାନିକ ଶିକ୍ଷା ଲାଭ କରି ନଥିଲେ। ଦଶ ବର୍ଷ ବୟସର ହେବା ପରେ  ସେ ସ୍କୁଲକୁ ଯାଇଥିଲେ । ନିଜର ଆତ୍ମଜୀବନୀରେ ସେ ଠାଏ ଲେଖିଛନ୍ତି "ଯଦି ମୋତେ କେବେ କେହି ପଚାରିବସେ,ତମର ଜୀବନର ସବୂଠୁ ବଡ ପ୍ରାପ୍ତି କ'ଣ,ତେବେ ମୋର ଉତ୍ତର ହେବ ,ମୋ ବାପାଙ୍କ ଲାଇବ୍ରେରୀ ।"

ଦୀର୍ଘ କର୍ମମୟ ଜୀବନରେ ଯେତେବେଳେ ତାଙ୍କର ବୟସ ଷାଠିଏ ସେତେବେଳେ ସେ ତାଙ୍କର ଜଣେ ପ୍ରିୟତମ ପୂର୍ବସୁରୀ ବ୍ୟକ୍ତିତ୍ୱର ମୃତ୍ୟୁବାଣୀରେ ଯାହା ଲେଖିଥିଲେ ତାହାକୁ ଆମର ପଢିବା ଊଚିତ୍।

ବୋର୍ହେସ୍ ଲେଖିଥିଲେ : ଜୀବନରେ କେତେ ପରିମାଣର ଆତ୍ମକରୁଣା କରିବାକୁ ହେବ ସେଇକଥା କାହାର ଆଗରୁ ଜାଣିବା ଉଚିତ ନୁହଁ,ଅଥବା ସ୍ରଷ୍ଟାର ଏଇ ଅମୋଘ ବିଧାନର ନିନ୍ଦା କରିବା ବି ଉଚିତ ନୁହଁ ; ଯାହାର ଏଇ ଧରଣର ଅଦ୍ଭୁତ ବୈପରିତ୍ୟ ଅଛି,ସେ ଯେମିତି ଏକାସାଙ୍ଗରେ ମୋତେ ଦେଇ ଯାଏ ଜ୍ଞାନରାଜ୍ୟ ଆଉ ଅନ୍ଧତ୍ୱ।" 

ଅଦ୍ଭୁତର କଥା ଏଇ ଭଳି ଲେଖିବାର କିଛି ଦିନ ପରେ ସେ ହରାଇ ବସନ୍ତି ନିଜର ଦୃଷ୍ଟିଶକ୍ତି ।

ନିଜର ଅନ୍ଧତ୍ୱ ବିଷୟରେ ସେ ଲେଖିଛନ୍ତି :

"ଯେତେବେଳେ ମୁଁ ଭାବେ ଯେ ମୁଁ କ'ଣ କ'ଣ ହରାଇଛି ,ସେତେବେଳେ ନିଜକୁ ପ୍ରଶ୍ନ କରେ ଏ ବିଷୟରେ ଜଣେ ଅନ୍ଧ ବ୍ୟକ୍ତିର ତୁଳନାରେ ଆଉ କିଏ ଅଧିକ କଥା ମନେ ରଖି ପାରିବ ଯେ ?"

ଆଲୋଚକମାନେ କହନ୍ତି ,ବୋର୍ହେସଙ୍କର ଏଇ ଭଳି କ୍ରମଶଃ ଅନ୍ଧତ୍ୱ ଆଡକୁ ଆଗେଇ ଯିବା ତାଙ୍କର କଳ୍ପନାଶକ୍ତିକୁ ବୃହତ୍ତର ଆଉ ଉଚ୍ଚତର ଦିଗରେ ବିକଶିତ କରି ତାଙ୍କୁ  ନୂତନ ସାହିତ୍ୟ-ପ୍ରତୀକ ବ୍ୟବହାରରେ  ଉଦବୁଦ୍ଧ କରିପାରିଛି।

୧୯୮୬ ମସିହାର ୧୪ ଜୁନ୍ ରେ ବୋର୍ହେସ୍ ସୁଇଜରଲାଣ୍ଡ ଠାରେ ଙ୍କର ଦେହାବସାନ ଘଟେ ଆଉ ସେଇଠି ତାଙ୍କୁ ଭୂସମାହିତ କରାଯାଏ ।

ବିଶ୍ୱର କଥାସାହିତ୍ୟ ସଂପ୍ରତି ଦୁଇଟି ପ୍ରମୁଖ ଆଧାରରେ ସୃଷ୍ଟି ହୋଇଚାଲିଛି ଆଉ ଏହାର ଆଗାମୀ ର ଗତି ଏଇ ଭଳି ନିରବଛିନ୍ନ ହେବା ନିଶ୍ଚିତ । 

ବିଶ୍ୱର ସଂପ୍ରତି କଥାସାହିତ୍ୟର ସେଇ ଦୁଇଟି ପ୍ରମୁଖ ଆଧାର ଭିତରୁ ଜଣେ ହେଉଛନ୍ତି ଫ୍ରାଞ୍ଜ କାଫକା ଆଉ ଆର ଜଣକ ହୋର୍ହେ ଲୁଇସ୍ ବୋର୍ହେସ ।

ତାଙ୍କର ପୁଣ୍ୟତିଥିରେ ଏଇ କଥା ଆମର ସ୍ମରଣରେ ରହିବା ଆବଶ୍ୟକ ।

ଜଣେ କିଏ

ଲୋକ ଜଣେ ସମୟ ତାହାକୁ ଝରାଇ ଦେଇଥାଏ,
ଲୋକ ଜଣେ ଯିଏ କେବେ ଅପେକ୍ଷା କରେନାହିଁ 
ଅତିଥି ଭଳି କେବେ ଆସିବ ମରଣ
(ମରଣର ପ୍ରମାଣ କେବଳ ନିଚ୍ଛକ ହିସାବ,
ଆଉ ସଭିଏଁ ଗୋଟିଏ ଝୁଙ୍କରେ ଆପଣାକୁ
ସାମିଲ୍ କରିଥାନ୍ତି ସେମିତିକା ଦୌଡରେ
ଜିତିଯାଇହେବ କେମିତି ଅମର ହେବାର ପ୍ରଥମ ଗୌରବ ),
ଲୋକ ଜଣେ ଯିଏ ଧନ୍ୟବାଦ ଦେବାକୁ ଶିଖିଗଲାଣି 
ସାଧାରଣ ମୁଠିଏ ଭିକ୍ଷାକୁ ଦିନକର :
ନିଦ,ଧରାବନ୍ଧା ରୁଟିନ୍,ଜଳର ସ୍ୱାଦ,
ଅଭାବିତ ଶବ୍ଦାର୍ଥମଞ୍ଜରୀ ଗୋଟିଏ ,
ପ୍ରାଚୀନ କାଳର ସାମୁହିକ ପଦ୍ୟ,
ଯେଉଁ ନାରୀ ଜଣକ ବାଟଭାଙ୍ଗି ଯାଇଛି 
ତାହାର ସ୍ମୃତି 
ଆଜିଠାରୁ ତିରିଶ ବର୍ଷ ତଳର ସେ କଥା
ଏବେ ସେ ଯାହାକୁ ମନେ ପକାଇପାରେ ବିନା ତିକ୍ତତାରେ
ଲୋକ ଜଣେ ଯିଏ ଜାଣେ ଏଇ ବର୍ତମାନ
ହେଉଛି ଭବିଷ୍ୟତ ଓ ବିସ୍ମୃତି,
ଜଣେ ଲୋକ ଯିଏ କେବେ ଛଳ କରିଥିଲା
ଆଜି ଏବେ ଛଳନାର ପାଶରେ ପଡିଛି,
ଏମିତି ଭାବନା ଆସେ ଅକସ୍ମାତ
ଯେତେବେଳେ ସେ ସହରରେ ରାସ୍ତା ପାର ହେଉଥାଏ ,
ଅଦ୍ଭୁତ ସନ୍ତୋଷ ଏକ ରହସ୍ୟରେ ଭରା
ଆସିନାହିଁ ସେପାରିର ଆଶା ବନସ୍ତରୁ,
ହେଲେ ନିଷ୍କଳୁଷ ପ୍ରାଚୀନ ନୀରିହତାର ଭିତରୁ,
ନିଜର ମୂଳାଧାରରୁ ଅଥବା ଦେବପ୍ରତିମାରୁ
ଆସୁଥାଏ ତାହା ।

ସେ ଭଲଭାବରେ ଜାଣେ କେଉଁଭଳି ଏହାକୁ 
ନିରେଖି ଦେଖି ହେବ,
ଶ୍ୱାପଦ ସମ ଭୟଙ୍କର କାରଣ ମାନ ରହିଛି
ଯାହା ତାହାର ଆଗରେ ସତତ ପ୍ରମାଣ କରେ
ସମସ୍ତ ନିରର୍ଥକ ସୁଖ ଆମର କାମର
ସେ କିନ୍ତୁ ହାତପାତି ନେଇଥାଏ 
ସମସ୍ତ ସଂଭ୍ରମ,ନିଜର ଚକମକ ରୂପ।

ହୁଏତ ମରଣରେ,ଧୂଳି ଯେତେବେଳେ 
କେବଳ ଧୂଳି,ଆମେ ସେଇଠି ଥିବୁ 
ଚେରଗହଳିରେ ଯାହାକୁ ଏଯାଏଁ 
ଉଦ୍ଧାର କରାଯାଇପାରିଲା ନାହିଁ ଭାଷାରେ,
ସେଇଠୁ ହିଁ ଜନ୍ମନେଇଥାଏ ଚିରକାଳ,
ପବିତ୍ର ସୁନ୍ଦର ଅଥବା ଭୟଙ୍କର,
ସ୍ୱର୍ଗ ଅବା ନର୍କ,ଆମର ନିଜର ନିବିଡ ଗୋପନ।