ଭାଇସରାୟଙ୍କ ଘର ଏବଂ ଏକ ଅଭିଶାପର କଥା

ଭାଇସରାୟଙ୍କ ଘର ଏବଂ  ଏକ ଅଭିଶାପର କଥା

ଏକ

ଏଇ ଲେଖାରେ ଗୋଟିଏ ଅଭିଶାପ ର କଥା ରହିଛି। ସେହି ଅଭିଶାପର କଥାକୁ ଟିକିଏ ପୂର୍ବାପର ସଂଗତି ସହ ବୁଝିବା ପାଇଁ
ବିଶିଷ୍ଟ ଐତିହାସିକ ଉଇଲିଅମ୍ ଡାର୍ଲିମ୍ପଲ୍ ଙ୍କ ଏକ ଚର୍ଚ୍ଚିତ ପୁସ୍ତକ "ଦି ସିଟି ଅଫ୍ ଜିନସ୍" ର 
ଗୋଟିଏ ବିଶେଷ ଅଂଶକୁ ଆଗ ପଢାଯାଉ।

ଦୁଇ

ଉଇଲିଅମ୍ ଡାର୍ଲିମ୍ପଲ୍ "ଦି ସିଟି ଅଫ୍ ଜିନସ୍"ରେ ଏହି ଭଳି ଲେଖିଛନ୍ତି :

"ସେ ମୋ ମାଆଙ୍କୁ ଦେଖି ଭାରି ଖୁସି ହୋଇଗଲେ।କାରଣ ମୋ ବାପାଙ୍କ ଡାକ ନାଆଁ ଥିଲା ମଣ୍ଟି,ସେ ମାଆକୁ ଡାକୁଥିଲେ କାର୍ଲୋ।ଏହା କହିବାକୁ ଗଲେ ସବୁ ଲୁଟିଆନ୍ ମାନଙ୍କର ବିଶେଷତ୍ୱ।ସବୁବେଳେ ପିଲାଳିଆ ଥଟ୍ଟାମଜା।

"ସେ ମୋତେ ସାଥିରେ ଧରି ଭାଇସରୟଙ୍କ ଘର ର ଚାରିପଟ ବୁଲାଇଥିଲେ,ସେଇଟି ସେତେବେଳକୁ ଉଚ୍ଚାରେ ଦୁଇଫୁଟ କି ତିନିଫୁଟ ହୋଇଥିବ।ମୁଁ ସବୁବେଳେ ଏଇ କଥାକୁ ମନେ ରଖିବି ଯେ ଏଇଟି ଗୋଟିଏ ବଡ ଷ୍ଟାଫ୍ ବଙ୍ଗଳା ହେବାକୁ ଯାଉଛି।ସେ କହିଲେ,ଦେଖ୍ ମୁଁ ଏହାକୁ ଏମିତି ପ୍ଲାନ କରିଛି,ଠିକ୍ ମଝିରେ ରହିବ ଗୋଟିଏ ବଡ ସେଣ୍ଟ୍ରାଲ୍ ସ୍ପେସ୍ ଆଉ ତାହାର ରହିବ  ଆଠଟି ସଂଯୁକ୍ତ ଦ୍ୱାର । ସେଥିରୁ କିଛି ଦ୍ୱାର ସିଧା ପରିଚାରିକାର କପବୋର୍ଡ ଯାଏଁ ରହିବ। ମୋର ମନେ ହେଉଛି ଏଇଟି ଭାରି ମଜାର ଘର ହେବ"।ବୃଦ୍ଧ ଲୁଟିଆନ୍ ତାହାପରେ କହିଥିଲେ- ଆଉ ସେମିତି କହିଲା ବେଳକୁ ସେ ଖୁବ୍ ଉତ୍ସାହିତ ଥିଲେ,"ଯଦି କେହି ଏଇଠି ଗୋଟିଏ ବଡ ପାର୍ଟିର ଆୟୋଜନ କରନ୍ତି,ସେମାନେ ଏଇଠି ବେଶ୍ ଆରାମରେ ବସିପାରିବେ ଆଉ ଜମା ଜାଣିପାରିବେ ନାହିଁ ଯେ କେଉଁଟି ହେଉଛି ସେମାନଙ୍କର ଯିବା ଆସିବାର ବାଟ। ଦେଖିବୁ, ସେମାନେ ସିଧା ଯାଇ ପହଂଚିଯିବେ ପରିଚାରିକାର କପବୋର୍ଡ ନିକଟରେ।"

ଆଇରିଶ ମୁହଁଗଂଭୀର।" ଲୋକ ହିସାବରେ ଲୁଟିଆନ୍ ଭାରି ସରଳ ଆଉ ବୋକା।ମାତ୍ର ମୁଁ ତାଙ୍କ କାମର ବଡ ପ୍ରଶଂସିକା।ମୁଁ ନୂଆଦିଲ୍ଲୀ କୁ ଭଲପାଏ।ମୋତେ ଲାଗେ ଏହା ଯେମିତି ୱାସିଙ୍ଗଟନ୍ ଠାରୁ ଢେର୍ ଭଲ।ଆଉ ତମେ ହୁଏତ ଜାଣ,ଲୋକେ ଭୁଲି ଯାଇଛନ୍ତି ଯେ ଏଇ ବିଶାଳ ଆଉ ଅଦ୍ଭୁତ ଦିଲ୍ଲୀ ସହର ଗୋଟିଏ ଅବିଶ୍ୱାସକର ହାଲୁକା ଆଧାର ଉପରେ ,ଲୋକ କୁହ କି  ମେଟେରିଆଲ୍ କୁହ,ନିର୍ମାଣ କରାଯାଇଛି।ଏଠାରେ ଉପଯୁକ୍ତ ମଂଚା ବାନ୍ଧି କାମ କରାଯାଇନାହିଁ କି ଉପଯୁକ୍ତ ମେଟେରିଆଲ୍ ର ବ୍ୟବହାର କରାଯାଇନାହିଁ;ଭାରି ଜିନିଷକୁ ତଳୁ ଉପରକୁ ଉଠାଇବା ପାଇଁ କ୍ରେନ୍ କି କେଉଁ ବୈଷୟିକ ସହାୟତା ନିଆଯାଇ ନାହିଁ।ମୋର ମନେ ଅଛି ଲୋକେ ନିଜ ମୁଣ୍ଡରେ ଇଟା ଆଉ ବଡ ବସ୍ତା ସିମେଣ୍ଟ ବୋହି ନେଉଥିଲେ।ସେମାନେ ସବୁ ପତଳା ବାଉଁଶର ସିଡି ଯାହା ଦଉଡି ରେ ବାଉଁଶକୁ ବାନ୍ଧି  ତିଆରି ହୋଇଥିଲା ସେଥିରେ ଉପରକୁ ଚଢୁଥିଲେ,ବଡ ବିପଦ କାମ..

"ଯଦିଓ ,ମୋ ବାପାଙ୍କ ସମୟର ଲୋକେ ଏଇ ଭଳି ସବୁକଥାକୁ ଭାରି ଘୃଣା କରୁଥିଲେ। ମୋ ବାପା ଆଉ ଅଙ୍କଲ ହାରକୋଟ ସବୁବେଳେ ମନେକରୁଥିଲେ ଯେମିତି ଏହା ଭୟଙ୍କର ଭାବରେ ଏକ ବିଳାସିତାର ଅପବ୍ୟୟ ଆଉ ଏହି ଲକ୍ଷଲକ୍ଷ ଟଙ୍କା ଯେମିତି ଅନ୍ୟ କୌଣସି ସତ୍ କାର୍ଯ୍ୟରେ ବିନିଯୋଗ ହୋଇପାରିଥାନ୍ତା।ଏହାଛଡା ସେମାନେ ସେହି ଭବିଷ୍ୟତବାଣୀରେ ବିଶ୍ୱାସ କରୁଥିଲେ-ଯିଏ ଦିଲ୍ଲୀରେ ନୂଆ ସହର ତିଆରି କରିବ ସେ ଏଇଠୁ ବିତାଡିତ ହେବ-ତାହା ଯେମିତି ଅକ୍ଷରେ ଅକ୍ଷରେ ନିଶ୍ଚୟ ଫଳିବ।ଯିଏ ଯେତେବେଳେ ଏଇ କଥା ଉଠାଏ ମୋ ବାପା ଅତ୍ୟନ୍ତ ବିଷାଦ ସ୍ୱରରେ ସେହି ପାରସିକ ଦୋହାଟିକୁ ଆବୃତ୍ତି କରିଥାନ୍ତି।ଆଉ ପ୍ରକୃତରେ ଏହା ଫଳିଛି।ଯିଏ ଦିଲ୍ଲୀରେ କିଛି ନୂତନ ନିର୍ମାଣ କରିଛି ସେ ଦିଲ୍ଲୀକୁ ହାରିଛି।ସବୁବେଳେ।ପାଣ୍ଡବ ପାଞ୍ଚଭାଇ,ପୃଥ୍ୱୀରାଜ ଚୌହାନ,ଫିରୋଜ ଶାହ ତୁଗଲକ,ଶାହଜାହାନ।ଏମାନେ ସମସ୍ତେ ଦିଲ୍ଲୀରେ ନୂତନ ନିର୍ମାଣ କରିଛନ୍ତି ଆଉ ପରାସ୍ତ ହୋଇଛନ୍ତି,ଆମେ ବି ବାଦ୍ ଯାଇନାହୁଁ।"

ମୁଁ ଦେଖିଲି ଆଇରିଶ୍ ବେଶ୍ କ୍ଳାନ୍ତ । ବାହାରେ ଅଂଧାର ଘନେଇ ଆସିଲାଣି ।ମୋତେ ଏଥର ଏଇଠୁ ଯିବାକୁ ହେବ।ଯିବା ପୂର୍ବରୁ ମୁଁ ତାହାକୁ ଶେଷ ପ୍ରଶ୍ନ ପଚାରିଥିଲି:

"ଏବେ ଟିକିଏ ପଛୁଆ ଭାବରେ ଦେଖିଲେ,"ମୁଁ ପଚାରିଥିଲି," ତମର କ'ଣ ମନେ ହେଉଛି ବ୍ରିଟିଶ ଶାସନ କ'ଣ ଠିକ୍  ?"

ଏଇ ପ୍ରଶ୍ନ ଉପରେ  ଉତ୍ତର ଦେବା ଆଗରୁ କିଛି ସମୟ ନିଜକୁ ନିବିଷ୍ଟ କରିଥିଲା ଆଇରିଶ୍।

"କହିବାକୁ ଗଲେ ସତରେ,ସେ ସମୟରେ ଆମେ ନିଜକୁ ଅସତ୍ ଉପନିବେଶବାଦୀ ବୋଲି ଆଦୌ ଭାବୁ ନଥିଲୁ।ଜମା ନୁହଁ।ମାତ୍ର ତମେ ଦେଖିବ,ଯଦିଓ ମୋ ପ୍ରଜନ୍ମର ଲୋକମାନେ ଗାନ୍ଧୀଜୀ ଆଉ ଭାରତର ସ୍ୱାଧୀନତା ସଂଗ୍ରାମ ବିଷୟରେ ବେଶ୍ ଆଗ୍ରହୀ,ମାତ୍ର ଆମେମାନେ ଅନେକ ପରିମାଣରେ ଉତ୍ସୃଙ୍ଖଳ।ସେ ଦେଶ ବା ସେଇ ଦେଶର ଲୋକମାନଙ୍କ ସହିତ ଆମେ କ'ଣ ବ୍ୟବହାର କରିଛୁ ତାହା ବିଷୟରେ ଆମର ସେମିତି କୌଣସି ଭାବନା ନାହିଁ।

"ଏତିକି କହିବା ପରେ ପୁଣି କହିବି ,ମୁଁ ସେଇ "ଅସତ"ଉପନିବେଶକାରୀମାନଙ୍କର  ଶହ ଶହ ବର୍ଷ ଧରି  ଆତ୍ମତ୍ୟାଗକୁ ଭୁଲିପାରିବି ନାହିଁ,ଯେଉଁମାନେ ବେଶ୍ ତରୁଣ ବୟସରେ ସେଇଠି କବରମାନଙ୍କରେ ସମାହିତ ହୋଇଛନ୍ତି,ଅନେକ ମୋର ବନ୍ଧୁ,ସେମାନଙ୍କ ଭିତରୁ ଅନେକେ ଲୋକ ହିସାବରେ ଭାରି ଭଦ୍ର ଥିଲେ।

"ସେ ଯାହା ହେଉ ନିରପେକ୍ଷ ଭାବରେ ଏଥର କହିବି,ମୋ ବିଚାରରେ ତମେ କୌଣସି ଲୋକମାନଙ୍କ ଠାରୁ ସେମାନଙ୍କର ଦେଶକୁ କେବେ ବି ଛଡେଇନେବା  ଉଚିତ ନୁହଁ।ଲୋକଙ୍କ ଭିତରେ  ନିଜ ଦେଶକୁ ନେଇ ଗୋଟିଏ ଅଦ୍ଭୁତ ରହସ୍ୟବୋଧ ଥାଏ।ତମେ ସେଠିକି ଯାଇପାର,କିଛି କିଛି ନିର୍ଦ୍ଦେଶ ବି ଦେଇପାର,କିଛି ନୂଆ ଅବଧାରଣା ସେମାନଙ୍କୁ ଦେଇପାର,ନୂଆ କିଛି କୋଠାବାଡି ନିର୍ମାଣ କରିପାର,ମାତ୍ର ଶେଷରେ ତମକୁ ନିଜ ଦେଶ କୁ ଫେରିବାକୁ ହେବ,ମରିବାକୁ ହେବ ସେଇ ଚେଲଟନହାମ୍ ରେ" ଟିକିଏ ଲମ୍ବା ଦୀର୍ଘଶ୍ୱାସ ପରେ ଆଇରିଶ୍  କହିଥିଲା,"ଠିକ୍ ସେଇ କଥା ହିଁ ଆମେ କାର୍ଯ୍ୟକାରୀ କରିଛୁ।"

ତିନି

ଏଇ ଉଦ୍ଧୃତାଂଶଟି ଏବେ ଚର୍ଚ୍ଚାରେ । ସମସାମୟିକ କାରଣରୁ।

ବିଶିଷ୍ଟ ଲେଖକ ଉଇଲିୟମ ଡାର୍ଲିମ୍ପଲ୍ ସାଧାରଣତଃ ଇତିହାସକୁ ଅତି ସରଳ ଗବେଷଣାତ୍ମକ ଭାଷାରୁ ମୁକ୍ତ କରି  ଅତି ସହଜ ଭାବରେ  ଉପନ୍ୟାସାତ୍ମକ ଭାଷାରେ  ଗୋଟିଏ ସମୟ ଆଉ ଘଟଣା କୁ ପରିବେଷଣ କରିଥାନ୍ତି। ତାଙ୍କର ଏକ ଚର୍ଚ୍ଚିତ ପୁସ୍ତକ "ଦି ସିଟି ଅଫ୍ ଜିନସ୍"ର ଏକ ବିଶେଷ ଅଂଶ ଟିକିଏ ଆଗରୁ ଏଇଠି ରଖାଯାଇଛି। ଏହାକୁ ପଢିବା ପରେ ଏହି ବହିଟି କହିବାକୁ ଗଲେ ଯେ ଦିଲ୍ଲୀର ଏକ ଚରିତ-ଇତିହାସ,ଏକଥା ର ଉଲ୍ଲେଖ କରିବା ଅତିବାହୁଲ୍ୟ ହେବ।

ସେ ଯାହା ହେଉ ୧୯୯୩ ମସିହାରେ ଏଇ ବହିଟିର ପ୍ରଥମ ପ୍ରକାଶ ହୋଇଥିଲା ।

ଆପଣ ପଢିଥିବା ଏହି ଉଦ୍ଧୃତାଂଶରେ ଲେଖକ ଡାର୍ଲିମ୍ପଲ୍ ବିଶେଷ ଭାବରେ ଜଣେ ବ୍ରିଟିଶ ମହିଳା ଯାହାଙ୍କର ନାଆଁ ହେଉଛି  ଆଇରିଶ ପୋରଟାଲ୍ ତାଙ୍କ ସହ ଭାରତରେ ସେତେବେଳର "ଭାଇସରାୟ ହାଉସ୍" ଯାହାକୁ ଆଜିର ରାଷ୍ଟ୍ରପତି ଭବନ ବୋଲି କୁହାଯାଏ ତାହାର ନିର୍ମାଣକର୍ତ୍ତା ଅର୍ଥାତ୍ ଏଡୱିନ୍ ଲୁଟିଆନ୍ ଙ୍କ ବିଷୟରେ କିଛି ଅନ୍ତରଂଗ ଆଳାପ  କରୁଛନ୍ତି। ଆଇରିଶ୍ ପୋରଟାଲ୍ ୧୯୦୫ ରେ ସିମଲା ରେ ଜନ୍ମଗ୍ରହଣ କରିଥିଲେ ଆଉ ତାଙ୍କର ବେଶ୍ କିଛି ସମୟ ଦିଲ୍ଲୀରେ ବିତିଥିଲା।ତେଣୁ ଦିଲ୍ଲୀ ଉପରେ କିଛି ସଂସ୍ମରଣାତ୍ମକ ତଥ୍ୟ ପାଇଁ ଲେଖକ ଡାର୍ଲିମ୍ପଲ୍ ପରିଣତ ବୟସର ମହିଳା ଆଇରିଶଙ୍କୁ ସାକ୍ଷାତ୍ କରିଥିଲେ।ଆଇରିଶ୍ ହେଉଛନ୍ତି ଲେଖକ ଡାର୍ଲିମ୍ପଲ୍ ଙ୍କ ଜେଜେମାଙ୍କର ବନ୍ଧୁ। ସେଇ ସୂତ୍ରରେ ଏଇ ପରିଚୟ ଆଉ ଏଇ  ସାକ୍ଷାତକାର।

ଏଇ ଉଦ୍ଧୃତାଂଶରେ ସେତେବେଳର ଭାଇସରାୟ ହାଉସ୍ ଯେତେବେଳେ ମାତ୍ର ଦୁଇ ତିନିଫୁଟ୍ ଗଢା ହୋଇଛି ସେତେବେଳେ ତାହାର ସ୍ଥପତି ଏଡୱିନ୍ ଲୁଟିୟେନ୍ ଆଇରିଶ୍ ଙ୍କୁ ନିର୍ମାଣ ସ୍ଥଳୀର ଚାରିଆଡ ବୁଲାଇ ଦେଖାଇଥିବାର ପ୍ରସଂଗ ରହିଛି।

ଆପଣ ଜାଣନ୍ତି ସେତେବେଳର ଭାଇସରାୟ ହାଉସ୍ ତଥା ଆଜିର ରାଷ୍ଟ୍ରପତି ଭବନ ର ବିର୍ମାଣ ୧୯୧୨ ମସିହାରେ ଆରମ୍ଭ ହୋଇଥିଲା।ଠିକ୍ ତାହାର ବର୍ଷେ ଆଗରୁ ଅର୍ଥାତ୍ ୧୯୧୧ରେ ବ୍ରିଟିଶ୍ ମାନେ ଭାରତର ରାଜଧାନୀ କୁ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ  କରିଥିଲେ।ଟିକିଏ ଅପ୍ରାସଙ୍ଗିକ ହେଲେ ମଧ୍ୟ କହିବାକୁ ଚାହିଁବି ୧୯୧୧ ଆଉ ଗୋଟିଏ କାରଣରୁ ମହତ୍ତ୍ୱପୂର୍ଣ୍ଣ ।ସେହି ବର୍ଷ ଡିସେମ୍ବର ମାସରେ କଲିକତାରେ ଭାରତୀୟ ଜାତୀୟ କଂଗ୍ରେସ ର ଅଧିବେଶନ ବସିଥିଲା କଲିକତାରେ ଆଉ ତାହାର ଉଦବୋଧନୀ ସଂଗୀତ ହିସାବରେ ଯାହା ଗାନ କରାଯାଇଥିଲା ତାହାର ପ୍ରଥମାଂଶ ଟି ଆଜି ଆମର ଜାତୀୟ ସଂଗୀତ,ଜନ ଗଣ ମନ ଅଧିନାୟକ ଜୟ ହେ।

ସେ ଯାହା ହେଉ ଭାଇସରାୟ ହାଉସ୍  ୧୯୧୨ ରେ ଆରମ୍ଭ ହୋଇ ୧୯୩୧ ରେ ଶେଷ ହେଲା ।ଆଉ ତାହାର ଷୋହଳ ବର୍ଷ ପରେ ବ୍ରିଟିଶ୍ ମାନେ ଭାରତରୁ ବିତାଡିତ ହେଲେ।

ଆଇରିଶ୍ ପୋର୍ଟାଲ୍ ସେଇ ବିଶେଷ କଥାକୁ ଉଲ୍ଲେଖ କରିଛନ୍ତି। ଭାଇସରାୟ ହାଉସ୍ ର ନିର୍ମାଣ ବେଳରେ ଚାରିଆଡେ ଖେଳିବୁଲୁଥିବା ଗୋଟିଏ  ବିଶେଷ   ଆଶଙ୍କାର କଥା ହିଁ କହିଛନ୍ତି। ସେଇ ଆଶଙ୍କା ଟି ହେଉଛି ଏକ ଅଭିଶାପ।ସେହି ମହାନ ଅଭିଶାପ ର ବାଣୀ ଏହିପରି :

"ଯିଏ ଦିଲ୍ଲୀ ସହରରେ କିଛି ନୂତନ ନିର୍ମାଣ କରିବ  ସେ ଦିଲ୍ଲୀରୁ ପରାସ୍ତ ହେବ।"

କହିବାକୁ ଗଲେ ଏହି ଅଭିଶାପ ର ଉତ୍ପତ୍ତି ୧୩୨୦ ମସିହାରୁ। ଦିଲ୍ଲୀର ସମ୍ରାଟ ହେଲେ ସେତେବେଳେ ତୁଘଲକ ବଂଶର ପ୍ରତିଷ୍ଠାତା ଗିୟାସୁଦ୍ଦିନ ତୁଘଲକ୍। ସମ୍ରାଟ ହେଲା ପରେ ସମସ୍ତଙ୍କର ପ୍ରାଥମିକ ଅହଙ୍କାର ଥାଏ କେଉଁ ଭଳି ନିଜର ରାଜ ଉଆସ କୁ ଅଧିକ ସୁଦୃଢ୍ୟ ଆଉ ଭବ୍ୟତାର ଏକ ଚିରକାଳୀନ ପ୍ରଦର୍ଶନ ସ୍ଥଳ କରି ନିଜକୁ ତଥା ନିଜର କ୍ଷମତାକୁ ଅନ୍ୟମାନଙ୍କ ଆଖିରେ ପ୍ରଦର୍ଶିତ କରାଯାଇପାରିବ ।ଆମର ଇତିହାସ ରେ ସେଇ ରାଜା ସବୁଠୁ ଶକ୍ତିଶାଳୀ ଯିଏ ନିଜର ଅଧିନସ୍ଥ ପ୍ରଜାଙ୍କ ଠାରୁ ନିଜର ଦୂରତ୍ୱ କୁ ଅଧିକ  ସୁଦୃଢ କରିଥାଏ।ଅବଶ୍ୟ ଆଜି ଭଳି ସେତେବେଳେ ବି ଜଣାଣ ଲେଖକ ମାନେ ଅତ୍ୟନ୍ତ ସୁନ୍ଦର ଶବ୍ଦରେ ପ୍ରଜାନୁରଞ୍ଜକ ମହାନ ବୋଲି ସ୍ତବପାଠ କରୁଥିଲେ।ସେଇ କାରଣରୁ ଗିୟାସୁଦ୍ଦିନ ତୁଘଲକ୍ ଦିଲ୍ଲୀରେ ଏକ ନୂତନ ସହର ନିର୍ମାଣ କରିଥିଲେ ଯାହାର ନାଆଁ ଥିଲା ତୁଘଲକାବାଦ୍।ସେହି ସହର ନିର୍ମାଣ କାଳରେ ସାଧାରଣ ଲୋକଙ୍କର ଅନେକ ଅସୁବିଧା ହୋଇଥିଲା ।ସାଧାରଣ ଲୋକଙ୍କର ଅସୁବିଧାକୁ ଆଖି ଆଗକୁ ନେଇ ସେତେବେଳର ମହାନ ସୂଫି ସନ୍ଥ ହଜରତ୍ ନିଜାମୁଦ୍ଦିନ ଆଉଲିଆ ଅଭିଶାପ ଦେଲା ଭଳି କହିଥିଲେ,"ୟେ ବସେ ଗୁଜର,ୟା ରହେ ଉଜ୍ଜର" ।ଏହାର ଅର୍ଥ ହେଉଛି" ଏଇଠି ଯାଯାବର ମାନେ ରହିବେ,ଅଥବା ଏହା ଜନମାନବ ଶୂନ୍ୟ ମରୁଭୂମି ହୋଇଯିବ"। ତାହା ପରଠାରୁ ଏହି ପ୍ରସିଦ୍ଧ ସୁଫି ସନ୍ଥଙ୍କର ଏହି ଅଭିଶାପ ବାଣୀ ଟି ପାରସିକ ଭାଷାରେ ମୁହଁକୁ ମୁହଁ ସାମାନ୍ୟ ପରିବର୍ତ୍ତନ ହୋଇ ଏଯାଏଁ ଘୁରିବୁଲୁଛି,"ଯିଏ ଦିଲ୍ଲୀ ସହରରେ କିଛି ନୂତନ ନିର୍ମାଣ କରିବ ସେ ଦିଲ୍ଲୀରୁ ପରାସ୍ତ ହେବ।"

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହା ସବୁସମୟରେ ହିଁ ଫଳବତୀ ହୋଇ ଆସିଛି।

ଅହଙ୍କାର ଆଉ ନିର୍ଦ୍ଦୟତା ର ଶିଖରରେ ଥିବା ଜଣେ ରାଜାର ଭବିତବ୍ୟକୁ ଜଣେ ସାଧାରଣ ଜନତା ଜଣେ ସାତଶହ ବର୍ଷ ତଳର ଜଣେ ସୁଫି ସନ୍ଥର ଅଭିଶାପ ରେ ଦେଖିବାରେ କୌଣସି ଅସ୍ୱାଭାବିକତା ନାହିଁ।ଏହା ଅସହାୟତାର  ଏକ ପ୍ରକାର ଆର୍ତ୍ତି ର ପ୍ରକାଶ।

" ଦିଲ୍ଲୀରେ ଯିଏ କିଛି ନୂତନ ନିର୍ମାଣ କରିବ ସେ ଦିଲ୍ଲୀରୁ ପରାସ୍ତ ହେବ " ଜଣେ ସୁଫି ସନ୍ଥର ଏଇ ଭଳି ଗୋଟିଏ ଅଭିଶାପ କୁ ଭିନ୍ନ ପ୍ରକାରରେ ବିବେଚନା କରାଯାଇ ପାରେ ।

ଦିଲ୍ଲୀରେ କିଛି ନିର୍ମାଣ କରିବାର ଅର୍ଥ ନିଜର ଅହଙ୍କାର ଆଉ ଆଡମ୍ବରର ଶ୍ରେଷ୍ଠତ୍ୱକୁ ପରିଭାଷିତ କରିବା । ଯଦି ସେହି ନିର୍ମାଣଟି ଗଣପରକ ହୋଇଥାଏ ତାହାହେଲେ ତାହା ସଂପୂର୍ଣ୍ଣ ଭିନ୍ନ କଥା। ନିର୍ମାଣ କାଳରେ ସାଧୁ ସନ୍ଥ ,ହୋମ ,ଯଜ୍ଞାନୁଷ୍ଠାନ ରେ କୌଣସି ଗଣପକ୍ଷ ଯେ ପ୍ରତିଷ୍ଠିତ ହୋଇଥାଏ ଏକଥା ଆଦୌ ନୁହଁ। ସାଧୁ ସନ୍ଥ,ହୋମ ଯଜ୍ଞ ଆଦି ଗୃହପ୍ରତିଷ୍ଠା ର ସମସ୍ତ ଭବ୍ୟତା ଆଉ ଦିବ୍ୟତା ହେଉଛି ଅସଲରେ ଗୋଟିଏ ଗୋଟିଏ ପ୍ରତୀକ। "ଅୟମାରମ୍ଭ ଶୁଭାୟ" ଏହି ଉଦ୍ଦେଶ୍ୟ ରେ ଏଇ ପ୍ରତୀକ ମାନଙ୍କର ଆୟୋଜନ ସାଧାରଣତଃ ସମସ୍ତ ପ୍ରତିକୂଳ ବିଘ୍ନ ମାନଙ୍କୁ ଅପସାରଣ କରିବା ଉଦ୍ଦେଶ୍ୟରେ ଆୟୋଜିତ  ହୋଇଥାଏ। ତେଣୁ ଏଇଠି ଯେଉଁ ସବୁ ପ୍ରତୀକର ସୁବିନ୍ୟାସ କରାଯାଇଥାଏ ତାହା ବସ୍ତୁତଃ ନିର୍ଦ୍ଧାରଣ କରିଥାଏ ,ସେଇଠି ବ୍ୟକ୍ତି ର ଉପସ୍ଥିତି  କେତେ ଆଉ ଗଣର ଉପସ୍ଥିତି  କେତେ । କାହାର ନିର୍ଦ୍ଦେଶରେ ଏଇ ଭବ୍ୟତା ଆଉ ଦିବ୍ୟତାର ପ୍ରତୀକ ନିର୍ମାଣ ହୋଇଛି ? କୌଣସି ଗଣତାନ୍ତ୍ରିକ ପରିଚର୍ଚ୍ଚା ଏହା ପଛରେ ରହିଛି ନା ଜଣେ କିଛି ଠିକାଦାରଙ୍କ ମାର୍ଫତ୍ ରେ ନିଜର ସୁପ୍ତ ଅଭିଳାଷକୁ ପୂର୍ଣ୍ଣ ରୂପ ଦେଇଛି ? ଗୋଟିଏ ଉଦାହାରଣ ଦିଆଯାଇପାରେ । ଆମର ସଂବିଧାନ ରଚନା କାଳରେ ଅତ୍ୟନ୍ତ ବିସ୍ତାରରେ  ଏକ ବ୍ୟାପକ ପରିଚର୍ଚ୍ଚା ପରେ ଆମର ଗଣତାନ୍ତ୍ରିକ ପ୍ରତୀକ ମାନଙ୍କୁ ନିର୍ଦ୍ଧାରଣ କରାଯାଇଥିଲା । ଜଣେ ଦୁଇଜଣ ବିଦ୍ୱାନଙ୍କ ଦ୍ୱାରା ଏହି ସଂବିଧାନ ରଚନା ତଥା ଗଣତାନ୍ତ୍ରିକ ପ୍ରତୀକମାନଙ୍କ ଉପସ୍ଥାପନା କରାଯାଇପାରିଥାନ୍ତା।ମାତ୍ର ସେପରି ନହୋଇ ବ୍ୟାପକ ପରିଚର୍ଚ୍ଚା କାରଣରୁ ଆମର ସଂବିଧାନ ତଥା ଆମର ଗଣତାନ୍ତ୍ରିକ ପ୍ରତୀକ ମାନ ଗଣପକ୍ଷଧର ହୋଇଅଛି ,ବ୍ୟକ୍ତିପକ୍ଷଧର ନୁହଁ। ତେଣୁ ଗଣପରକ ନିର୍ମାଣ ପଛରେ ଗଣର ସଂଲଗ୍ନତା ରହିବା ଏକାନ୍ତ ଆବଶ୍ୟକ ,କୌଣସି ବଶମ୍ବଦ  ଠିକାଦାର ମାଧ୍ୟମରେ ସଂପାଦିତ  ବ୍ୟକ୍ତିପରକ ରୂପାନ୍ୱେଷ ନୁହଁ।

ସେଦୃଷ୍ଟିରୁ ଦିଲ୍ଲୀରେ ଯେଉଁ ବ୍ୟକ୍ତିପରକ ନିର୍ମାଣ ହୋଇଥାଏ ତାହା କହିବାକୁ ଗଲେ ଜଣକର ଶ୍ରେଷ୍ଠତ୍ୱର ନିଦ୍ଦର୍ଶନ। ଦିଲ୍ଲୀ ଜଣକ ଶ୍ରେଷ୍ଠତ୍ୱର ଚୂଡାନ୍ତ ରୂପ।  ଆଉ ନିଜର ଶ୍ରେଷ୍ଠତ୍ୱ ସହ ସଂଘର୍ଷରେ କେହି କେବେ ଦୀର୍ଘକାଳ ଅବିଜିତ ହୋଇ  ରହିପାରି ନାହିଁ ।

ତେଣୁ ସନ୍ଥବାଣୀ ସବୁବେଳେ ନିରାଟ ସତ ହୋଇଛି ।

ଦିଲ୍ଲୀରେ ନିର୍ମାଣ ମାନେ ତମେ ଦିଲ୍ଲୀରୁ ପରାସ୍ତ !

ଶେଷରେ ଆଉ ପଦେ ।

ଉଇଲିଅମ୍ ଡାର୍ଲିମ୍ପଲ୍ ଙ୍କର ଏଇ ବହିଟି ର ପ୍ରଥମ ପ୍ରକାଶ ୧୯୯୩ ମସିହାରେ ହୋଇଥିଲା।ଏଇ ବହିର ଅଗ୍ରଲେଖରେ ଲେଖକ ଡାର୍ଲିମ୍ପଲ୍ ନିଜର ଅନେକ ପ୍ରିୟ ବନ୍ଧୁଙ୍କୁ  ଏଇ ବହିର ପାଣ୍ଡୁଲିପିକୁ ପଢିବାକୁ ଦେଇ ସେମାନଙ୍କର ମତାମତ ଲୋଡିଥିଲେ।ଲେଖକ ଉଇଲିଅମ ଡାର୍ଲିମ୍ପଲ୍ ଙ୍କ ସେଇ ସୀମିତ ନିର୍ଦ୍ଧାରିତ ପାଠ ପଢୁଆ ବନ୍ଧୁ ମାନଙ୍କର ତାଲିକାରେ ରହିଥିବା ଗୋଟିଏ ନାଆଁ ଆପଣଙ୍କର ପରିଚିତ।

ସେଇ ନାଆଁଟି ହେଉଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ,ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ।ଶ୍ରୀଯୁକ୍ତ ପଟ୍ଟନାୟକ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସର ସ୍ନାତକ ତାହା ଆପଣ ମାନେ ଜାଣନ୍ତି।