ଅଧିକାର

ଅଧିକାର

ଅଧିକାର ମାଗୁଛ ?

ନିଅ ଖୋଲିଦେଲି ହାତ 
ଯାହା ଖସିଗଲା ତୁମର
ନ ଖସିଥିବା କିଛି ଅଭାଗା ହାତରେଖା  
କେବଳ ମୋର 
ନିଅ ତୁମ ଅଧିକାର ।

ଗୋଟିଏ ଅନ୍ତୁଡି
ଗୋଟିଏ ମଶାଣି 
ମୁଁ ରଖିଦେଲି ମୋ ପାଇଁ 
ଛାଡ଼ିଦେଲି ସବୁ ଇନ୍ଦ୍ରଭୁବନ , 
ଦେଇଦେଲି ଯେତିକି ସାଇତା ସପନ
ମୋ ନିମନ୍ତେ ବଳକା ମନ ।

ଆୟୁଷ ବି ତୁମର , ବିଶ୍ୱାସ ବି ତୁମର
ଯେତିକି ଲୋଡା ବଞ୍ଚିବାକୁ 
ତାଠୁ ଅଧିକ ଲୋଡା ନାହିଁ ଅଧିକାର
କେବଳ ଶେଷ ନିଃଶ୍ୱାସ ମୋର 
ନିଅ ଖୋଲିଦେଲି ହାତ 
ଯାହା ଖସିଗଲା ତୁମର
ନ ଖାଇଥିବା କିଛି ଅଭାଗା ହାତରେଖା  
କେବଳ ମୋର
ନିଅ ତୁମ ଅଧିକାର ।

ପାଦର ମାଟି , ମଥାର ଆକାଶ
ସବୁ ସମର୍ପି ଦେଲି ଯେତେ ଅପାର ସମ୍ଭାର
ଶିଖେଇଲି ସବୁ କଳା ବଞ୍ଚିବାର
ଛାଡ଼ିଦେଲି  ଗଭୀରତା ସମୁଦ୍ରର
ଅଧିକାର ବୋଲି ତ କହିବିନି
କେବଳ ଆବଶ୍ୟକ ପରିଚୟ ପାଇଁ ନାମ ଛାର ।