ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୯

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୯

ଭାଗ-୯

ବଡ଼ବିଲ ସହରରେ ଗାଡ଼ି ମଟର ବୃଦ୍ଧି ପାଇଛି। ତା ସାଙ୍ଗକୁ ଲୁହାପଥର ଗୁଣ୍ଡ ପାଇଁ ଏଠି ସତେ ଯେମିତି ମଣିଷ ଜୀବନ ଦୁର୍ବିସହ ହୋଇପଡୁଛି। ବାଲକୋନୀରେ ବହଳବହଳ ଧୂଳି। କୁଣ୍ଡରେ ଲାଗିଥିବା ଗଛରେ ଜମାଟ ବାନ୍ଧିଛି କଳା ଧୂଳିର ଆସ୍ତରଣ। ପଲ୍ୟୁସନ ଉପରେ ଅନେକ ଷ୍ଟୋରି କରିଛି ବରେଣ୍ୟ, ଏଠାକାର ରିପୋର୍ଟରକୁ କହି। କିନ୍ତୁ କିଛି ଲାଭ ମିଳିନାହିଁ। ଏଇଟା ବରେଣ୍ୟର ଜନ୍ମମାଟି। ସେ ଏଇଠି ଜନ୍ମ ହୋଇଛି। ଆଉ ଏଇଠି ସେ ମାଆଙ୍କ ହାତରେ ଗଢି ହୋଇଛି। କିନ୍ତୁ ମଝି ନଈରେ ମାଆ ତାଙ୍କ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି ଆରପାରିକୁ। ବେଶୀ ନୁହେଁ ଏଇ ଚାରିପାଞ୍ଚ ବର୍ଷ ତଳେ ଦେହାନ୍ତ ହେଲା ତାଙ୍କର ଏକ ଅଜଣା ରୋଗରେ।

 ବରେଣ୍ୟ କହିଲା- "ବାପା, ଭୁବନେଶ୍ୱର ପଳେଇ ଆସନ୍ତୁ। ସେଠି ମିଳିମିଶି ଆରାମରେ ରହିବା। ଚାହିଁଲେ ଆପଣ ବେଳେବେଳେ ପୁରୀ ଯାଇ ବୁଲି ଆସିବେ।' ସେଠି ବରେଣ୍ୟର ବଡ଼ ଭଉଣୀ ଶାଳିନୀର ଘର।

 -"କିନ୍ତୁ କହୁଥିବା କଥାଟା ପାଳନ କରିବା ସବୁବେଳେ ସହଜ ନୁହେଁ।' କହିଲେ ଶାନ୍ତନୁବାବୁ।

 ଚାକିରି କରିବାକୁ ସେ ଯେତେବେଳେ ଆସିଥିଲେ କେନ୍ଦୁଝର ଗଡ଼, ସେତେବେଳେ ବଡ଼ବିଲ ସଂପୂର୍ଣ୍ଣ ବଣ ଜଙ୍ଗଲରେ ଘେରା। ଅନେକ ସମୟରେ ତାଙ୍କୁ ଚାକିରି କାମରେ ବଡ଼ବିଲ ଆସିବାକୁ ପଡେ଼। ଆଉ ପରେ ପରେ ସେ ପ୍ରାଇଭେଟ‌୍‍ ଚାକିରି ଛାଡି ଆସିଗଲେ ସରକାରଙ୍କ ଅଧୀନକୁ। ଅର୍ଥାତ ପାଇଲେ ଖଣ୍ଡେ ସରକାରୀ ଚାକିରି। ଆଉ ପ୍ରମୋଶନ ପାଇ ପାଇ, ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ଏ ଜାଗାରୁ ସେ ଜାଗା ବୁଲିବୁଲି, ଶେଷରେ ଆସି ପହଞ୍ଚିଲେ ବଡ଼ବିଲ ସହରରେ। ଆଉ ଶେଷରେ ଏଇଠି ବିଡ଼ିଓ ଭାବେ ରିଟାୟାର୍ଡ଼ କଲେ। ଏଇଠି ଘରଖଣ୍ଡେ କରି ରହିଗଲେ ମଧ୍ୟ। ଝିଅ ଶାଳିନୀ ଓ ପୁଅ ବରେଣ୍ୟ ଜନ୍ମ ହୋଇଛନ୍ତି ଏଇଠି। କେବେଠାରୁ ଜନ୍ମମାଟି ଯାଜପୁରକୁ ଭୁଲି ଗଲେଣି ଶାନ୍ତନୁ ବାବୁ।

 -‘କିନ୍ତୁ ସେଠି ଆପଣଙ୍କର ଅସୁବିଧା କ’ଣ? ଏତେ ଦୂରରେ ଆମେ ରହିବୁ। ଆପଣ ଏଠି ରହିବେ, ହାତରେ ରୋଷେଇ କରି ଖାଇବେ, ମତେ ଆଦୌ ଭଲ ଲାଗୁନାହିଁ। ଅପା ବି ବ୍ୟସ୍ତ ହେଉଛି ସବୁବେଳେ। ବାକି ରହିଲା ମୋ ବାହାଘର କଥା। କାଲି ରାତିରେ ତ ମୁଁ ତମକୁ ପ୍ରୀତି ବିଷୟରେ କହିସାରିଛି।’

ଏଇ ସମୟରେ ଆସି ପହଞ୍ଚିଲା ରବୀନ୍ଦ୍ର ଅଗ୍ରୱାଲ। ବରେଣ୍ୟର ସ୍କୁଲ ଫ୍ରେଣ୍ଡ। ଶାନ୍ତନୁ ବାବୁ ରବୀନ୍ଦ୍ରକୁ ସ୍ୱାଗତ କଲେ ଜଣେ ସାଙ୍ଗ ପରି- ‘ହାଏ ରବି... ହାଓ ଆର‌୍‍ ୟୁ ୟାର‌୍‍... ତମକୁ ଡକେଇଥିଲି ଗୋଟେ ଖାସ‌୍‍ କାମ ପାଇଁ’...

 -‘ମୁଁ ସବୁ ଜାଣିଛି ମଉସା। ବରେଣ୍ୟ ଫୋନ‌୍‍ରେ ମତେ ସବୁ ବ୍ରିଫ‌୍‍ କରିଦେଇଛି।’

ଚେୟାର ଗୋଟେ ଟାଣି ଆଣି ବାଲକୋନୀରେ ବସୁ ବସୁ କହିଲା ରବି ଓରଫ ରବୀନ୍ଦ୍ର। ସ୍ୱଭାବରେ ଅତି ମଡର୍ଣ୍ଣ ପ୍ରକୃତିର ହେଉଛନ୍ତି ଶାନ୍ତନୁ ବାବୁ। ପୁଅ ବରେଣ୍ୟ ସହ ସେ ଯେମିତି ସାଙ୍ଗପରି ମିଶିଛନ୍ତି, ତା ବନ୍ଧୁମାନଙ୍କ ସହ ମଧ୍ୟ ସେଇମିତି। ପତ୍ନୀଙ୍କ ଦେହାନ୍ତ ପରେ ସେ ପିଲାମାନଙ୍କୁ ପାଳିଛନ୍ତି ନିଜ ହାତରେ। ସେମାନଙ୍କୁ ଦେଇଛନ୍ତି ଏକ ଖୋଲା ଜୀବନ। ଶିଖାଇଛନ୍ତି ସ୍ୱାଧୀନ ପ୍ରକୃତିର ହୋଇ ରହିବାକୁ। ଚିନ୍ତା ଚେତନାରେ ସେ ଯେମିତି ଖୋଲା, ତାଙ୍କ ପିଲାମାନେ ବି ସେମିତି। ସବୁକଥା ପିଲାଙ୍କ ସହ ଆଲୋଚନା କରିବାରେ ସେ କୁଣ୍ଠା କରନ୍ତି ନାହିଁ।

 ବଡ଼ ଝିଅ ଶାଳିନୀର ବାହାଘର ସେ କରିଛନ୍ତି ତା ପ୍ରେମିକ ନୀତିଶ ସହ। ନୀତିଶ ଅଣଓଡ଼ିଆ। କିନ୍ତୁ ଝିଅର ପସନ୍ଦକୁ ସେ କେବେ ଅସ୍ୱୀକାର କରିନାହାନ୍ତି। ଆଉ ତାଙ୍କର ସେଇ ସ୍ୱାଧୀନ ପ୍ରକୃତିର ପ୍ରଭାବରେ ଏବେ ପୁଅ ବରେଣ୍ୟ ଘରକୁ ଆଣିଛି ଆଉଏକ ସମସ୍ୟା। ବିଧବା ତଥା ଗୋଟିଏ ପିଲାର ମାଆ ପ୍ରୀତିକୁ ବାହାହେବାକୁ ସେ ପୁଅକୁ ସିଧାସଳଖ ହଁ ବୋଲି କହିପାରୁ ନାହାଁନ୍ତି। ଏଥିପାଇଁ ପୁଅର ମଧ୍ୟ ବେଶ‌୍‍ କିଛି ଯୁକ୍ତି ଅଛି। କିନ୍ତୁ କଞ୍ଚା ବୟସରେ ସବୁକିଛି ଭାବିଚିନ୍ତି ନିଷ୍ପତ୍ତି ନେବା ସମ୍ଭବ ନୁହେଁ ବୋଲି ଭଲ କରି ଜାଣିଛନ୍ତି ଶାନ୍ତନୁବାବୁ।

 -‘ତମେ ଟିକେ ରବି ବୁଝାଅ ବରେଣ୍ୟକୁ। ମୁଁ ତା' କଥାରେ ଅରାଜି ନୁହେଁ, କିନ୍ତୁ ଜୀବନ ଏମିତି କିଛି ସହଜ ନୁହେଁ। ବେଳେବେଳେ ଖୁବ‌୍‍ କମ‌୍‍ ସମୟ ମଧ୍ୟରେ କ୍ଷଣିକ ଆବେଗରେ ନେଇଥିବା ନିଷ୍ପତ୍ତି ପାଇଁ ପରେ ବହୁତ ପସ୍ତେଇବାକୁ ପଡେ। ସେତେବେଳେ ମଣିଷ ଚିନ୍ତାକରେ "ହଠାତ‌୍‍ ଠିକ‌୍‍ ଲାଗୁଥିବା ଗୋଟେ ନିଷ୍ପତ୍ତି କେମିତି ଦିନ କେଇଟା ଭିତରେ ଏତେ ଓଲଟା ଲାଗିଲା !'

 -"କିନ୍ତୁ ଜଣେ ବିଧବା ତ ଅଛୁଆଁ ନୁହେଁ? ତା’ର ବି ମନ ଅଛି। ତା’ର ବି ଶରୀର ଅଛି। ବାହାଘର କ’ଣ କେବଳ ଦୁଇଟି ଶରୀରର ମିଳନ ବାପା?' ନିଜର ଯୁକ୍ତି ଉପସ୍ଥାପନ କରୁକରୁ ଭାବପ୍ରବଣ ହୋଇ ପଡୁଥିଲା ବରେଣ୍ୟ।

 ଶାନ୍ତନୁ ବାବୁ ଅତି ଶାନ୍ତ ଓ ବିଚାରବନ୍ତ ମଣିଷ। ସାମ୍ନାରେ ବସିଥିବା ଲୋକଟି କିଏ ସେ କଥା ସେ ଖୁବ‌୍‍ କମ‌୍‍ ଚିନ୍ତା କରନ୍ତି। ବିଚାର କରି ଖୁବ‌୍‍ ମୂଳ କଥାଟି କହିବାକୁ ସେ ଚେଷ୍ଟା କରନ୍ତି। ତାହା ଅଫିସ‌୍‍ରେ ଉପରିସ୍ଥ ଅଫିସରଙ୍କ ଆଗରେ ହେଉ କି ହେଉ ତାଙ୍କ ନିଜ ଘରେ ପିଲାମାନଙ୍କ ଆଗରେ।

 -"ନା, ବାହାଘର କେବଳ ଦୁଇଟି ଶରୀରର ମିଳନ ନୁହେଁ, ସେଇଥିପାଇଁ ତ ମୁଁ ତତେ ବୁଝେଇବାକୁ ଚେଷ୍ଟା କରୁଛି। ବାହାଘର ପରେ ପୁଅଟିଏ ଝିଅଟିଏ ସାଙ୍ଗ ପରି ରହିବା ଉଚିତ‌୍‍। ଆମମାନଙ୍କ ସମୟରେ ଥିଲା ଅନେକ ସାମାଜିକ କାଇଦା କଟକଣା। ତେଣୁ ସବୁବେଳେ ଓ ସବୁ ସମୟରେ ନିଜ ମନର ସମସ୍ୟାକୁ ଉପସ୍ଥାପନ କରାଯିବା ସମ୍ଭବ ନଥିଲା। ଭଲ ହେଉ କି ମନ୍ଦ, ମାଡ଼ିଯାକି ହୋଇ ପରିବାରର ଏକ ଶୃଙ୍ଖଳ ଭିତରେ ଚାପି ହୋଇ ରହୁଥିଲା। ଏକପ୍ରକାର ତାହା ଥିଲା ସମାଜ ପାଇଁ ଶୁଭ ବ୍ୟବସ୍ଥା।

 ଦେଖାଯାଏ ପୂର୍ବରୁ ବିବାହ ବିଚ୍ଛେଦ ଖୁବ‌୍‍ କମ‌୍‍ ହେଉଥିଲା। ଗାଁ ଗହଳିରେ ଏପରି ଖବର ଶୁଣାଯାଉ ନଥିଲା। ପାରିବାରିକ ମନୋମାଳିନ୍ୟ ପାଇଁ କୌଣସି ସ୍ଥାନରେ ସ୍ୱାମୀ ସ୍ତ୍ରୀ ଅଲଗା ରହୁଥିବା ଘଟଣା ଥିଲା ଖୁବ‌୍‍ କମ‌୍‍। ଏବେ ପରିସ୍ଥିତି ଓ ପରିବେଶ ବଦଳି ଯାଇଛି ବରେଣ୍ୟ। ଏବେ ସ୍ୱାମୀ ଓ ସ୍ତ୍ରୀ ଉଭୟ ସ୍ୱାଧୀନ ଆକାଶର ପକ୍ଷୀ ପରି। ଦୁହେଁ ଦୁଇଜଣ ବ୍ୟକ୍ତି। ଦୁହେଁ ନିଜ ନିଜ ଯୁକ୍ତି ଉପସ୍ଥାପନ କରିବାର ଅଧିକାର ଖୋଜୁଛନ୍ତି। ଆଉ ଏହାର ପରିଣାମ ହେଉଛି ମତାନ୍ତର। ଦୁଇଜଣଙ୍କ ଭିତରେ ବର୍ଷବର୍ଷ ଧରି ଗୋଟିଏ ମତ ରହିବା ସମ୍ଭବ ହୋଇପାରୁ ନାହିଁ। ଆଉ ଶେଷରେ ବିବାହ ବିଚ୍ଛେଦ ପରି ସାମାଜିକ ସମସ୍ୟା ଆସୁଛି।'

 -"ଏତେ ଭାଷଣ ନଦେଇ ମଉସା ଆପଣ ଦୟାକରି କହିବେ କି ପ୍ରୀତି ଓ ବରେଣ୍ୟ ମଧ୍ୟରେ କି ସମସ୍ୟା ସୃଷ୍ଟି ହୋଇପାରେ?' ହସି ହସି କହିଲା ରବି। ଅଧିକ କଥା ଶୁଣିବାର ଧୈର୍ଯ୍ୟ ନଥାଏ ରବି ଅଗ୍ରୱାଲର। ଆଉ ସେ ମଧ୍ୟ ବେଶୀ ଭାଷଣବାଜି କରେନାହିଁ।  ବେପାରୀ ଘରର ଛୁଆ, ସବୁବେଳେ ମତଲବରେ ତା’ର କାମ।

 ରବିର କଥାରେ ନିଜ କଥାର ମୋଡ଼ ବଦଳାଇଲେ ଶାନ୍ତନୁବାବୁ- "ପ୍ରୀତି ବିବାହିତ ଜୀବନ ବିତେଇ ସାରିଛି। ପିଲାର ମାଆ ମଧ୍ୟ ହୋଇସାରିଛି। ତେଣୁ ତା’ପାଇଁ ଉଭୟ ଶାରୀରିକ ସଂପର୍କ ଓ ମା’ ହେବାର ସୁଖ ନୂଆ ନୁହେଁ। ଆଉ ବରେଣ୍ୟର ହିସାବ ଅନୁଯାୟୀ ସେ ୟା’ଠାରୁ ବର୍ଷଟିଏ ବଡ଼ ମଧ୍ୟ ହୋଇପାରେ। ତେଣୁ ସାମାଜିକ ବିଚାର ବୁଦ୍ଧି ଦୃଷ୍ଟିରୁ ସେ ସଂପୂର୍ଣ୍ଣ ଭାବେ ପରିପକ୍ୱ। ଆଉ ଏପଟେ ବରେଣ୍ୟ ଅତ୍ୟନ୍ତ ଫିକିଲ‌୍‍ ପ୍ରକୃତିର ପିଲା। ତେଣୁ ଏପରି ଦୁଇଟି ବିପରୀତଧର୍ମୀ ଚରିତ୍ରର ମିଳନ ନିଶ୍ଚିତ ଭାବରେ ଏକ ଅପୂର୍ବ ଘଟଣା ସୃଷ୍ଟି କରିବ।

 ତେବେ ଏହାକୁ ମଧ୍ୟ ଅସ୍ୱୀକାର କରାଯାଇ ନପାରେ ଯେ, ଏ ଦୁହିଁଙ୍କ ସଂପର୍କ ଅତି ମଧୁର ହୋଇଯାଇ ପାରେ। ଯେହେତୁ ପରସ୍ପରକୁ ବେଶ‌୍‍ ଭଲଭାବେ ଜାଣିଛନ୍ତି ଦୁହେଁ। ତେବେ ମୋ କଥା ଅଲଗା। ମୁଁ କେବଳ ପରାମର୍ଶ ଦେଲି। କିନ୍ତୁ ସବୁ ନିଷ୍ପତ୍ତି ତା’ ନିଜର। କାରଣ ମାଚ୍ୟୋର୍ଡ ପିଲାଙ୍କ ବିଚାର ଉପରେ ହସ୍ତକ୍ଷେପ କରିବାକୁ ମୁଁ ଭଲପାଏ ନାହିଁ।'

 ଶାନ୍ତନୁ ଭାବୁ ଖୁବ‌୍‍ ସ୍ପଷ୍ଟଭାବେ ନିଜ ବିଚାର ଉପସ୍ଥାପନ କଲେ ବରେଣ୍ୟ ଓ ରବି ଆଗରେ। ବାପାଙ୍କ କଥାକୁ ଧ୍ୟାନମଗ୍ନ ଭାବେ ଶୁଣୁଥିଲା ବରେଣ୍ୟ। ଦୃଷ୍ଟି ତା’ର ନିବଦ୍ଧ ଥିଲା ମାଆଙ୍କ ଫଟୋ ଉପରେ। ଭାବୁଥିଲା, ମାଆ ଥିଲେ ହୁଏତ ତାକୁ ଆଉକିଛି ବୁଦ୍ଧି ଦେଇଥାନ୍ତେ ଏଇ ସମୟରେ। ଆଉ ସାହସ ମଧ୍ୟ ଦେଇଥାନ୍ତେ। ବାପାଙ୍କ କଥାରେ ସେ ରାଜି ହୋଇଥିଲେ ବି ପୁଅର ଭାବପ୍ରବଣତାକୁ ସେ ଆଦୌ ଆଘାତ ଦେଇ ନଥାନ୍ତେ। କାରଣ ବଡ଼ ଭଉଣୀର ବାହାଘର ବେଳେ ମାଆ ବଂଚିଥିଲେ। ଆଉ ତାଙ୍କରି ପାଇଁ ହିଁ ମ୍ୟାଟେରିଆଲାଇଜ‌୍‍ ହୋଇପାରିଥିଲା ତା’ ବାହାଘର। ବାପା ବିରୋଧ କରୁଥିଲେ। ସେତେବେଳେ ମଧ୍ୟ ଏହିପରି ନାତିଦୀର୍ଘ ଭାଷଣଟିଏ ଦେଇଥିଲେ ଆଉ କହିଥିଲେ, ‘ମୁଁ ତୋ ନିଷ୍ପତ୍ତିରେ ଆଦୌ ଅରାଜି ନୁହେଁ। କିନ୍ତୁ ଭଲ ମନ୍ଦର ନିଷ୍ପତ୍ତି ତତେ ହିଁ ନେବାକୁ ପଡ଼ିବ। କାରଣ ଜୀବନଟା ତୋ’ର।’

 ବରେଣ୍ୟ ପିଠିରେ ହାତ ଥାପୁଡ଼ାଇ ରବି କହିଲା- ‘ଡୋଣ୍ଟ ବି ଇମୋସନାଲ‌୍‍ ୟାର‌୍‍... ସମସ୍ତଙ୍କ କଥା ରହୁ। ଲେଟ‌୍‍ସ ଟେକ‌୍‍ ଏ ଚାନ୍ସ। ମୁଁ ତୋ ସାଙ୍ଗରେ ଯିବି ଭୁବନେଶ୍ୱର। ମୁଁ ଥରେ ପ୍ରୀତି ଓ ତା’ ପରିବାରକୁ ଭେଟିବାକୁ ଚାହୁଁଛି।

 - "କିନ୍ତୁ...' ବରେଣ୍ୟ ରବିର କଥାକୁ ସହଜରେ ଗ୍ରହଣ କରିପାରୁ ନଥିଲା।

 ରବି କହିଲା- "ମତେ କହ କୋଉ ଓଡ଼ିଆ ଘରେ କେବେ ଏମିତି ହେଲାଣି? ଲୋକେ ନିଜ ବିଧବା ‘ଝିଅ’କୁ ବାହାଦେବାକୁ ଚେଷ୍ଟା କରୁଥିବା ବିଷୟ ମୁଁ ଶୁଣିଛି। କିନ୍ତୁ କୋଉ ‘ବୋହୂ’ ଦ୍ୱିତୀୟ ବିବାହ କରୁ ଏକଥା ଶାଶୂ ଶ୍ୱଶୁର କଲେଣି କି ? ସମାଜରେ ସେମାନେ ମୁଣ୍ଡ ଟେକି ଚଳିପାରିବେ ତ? ହଁ, ପ୍ରୀତି ଅଲଗା ଏକୁଟିଆ ରହୁଥାନ୍ତା... ସେଟା ଅଲଗା କଥା। ମୁଁ ଭାବୁଛି ସେମାନଙ୍କୁ ଭେଟିଲେ ହୁଏତ ଆମକୁ କେବଳ ଗାଳି ଓ ତାତ୍ସଲ୍ୟ ମିଳିପାରେ। ଆଉ ତୋ ପାଇଁ ବିଚାରୀ ପ୍ରୀତିଟି ତା ଶ୍ୱଶୁର ଘରେ ସମସ୍ୟାରେ ପଡ଼ିଯିବ।

 ରବି ଠିକ‌୍‍ କହୁଥିଲା। ବରେଣ୍ୟ ନିଜର ପ୍ରଥମ ଯୁକ୍ତିରେ ସିନା ଅଟଳ ଥିଲା କିନ୍ତୁ ଏଇ କଥାରେ ସେ ଯେମିତି ହାରିଯାଉଛି। ସତରେ! କୋଉ ଲୋକ ବା ନିଜ ବୋହୂର ଦ୍ୱିତୀୟ ବିବାହ ପାଇଁ ରାଜି ହେବ? ସେ ଘରର କୁଳବଧୂ, ବଡ଼ ବୋହୂ। କିନ୍ତୁ ପ୍ରୀତି ତ ନିଜେ କହିଛି ଶାଶୂ ଶ୍ୱଶୁର ତା’ର ଦ୍ୱିତୀୟ ବିବାହ ପାଇଁ ଚେଷ୍ଟା କରିଥିଲେ! କିନ୍ତୁ ସେତେବେଳେ ପ୍ରୀତି ଅରାଜି ହେଲା ! ଆଉ ତାଙ୍କ ଦୁହିଁଙ୍କ ମଧ୍ୟରେ ସଂପର୍କ କଥା ତ ସେମାନେ କେବେ ଜାଣିନଥିବେ!

 -‘କିନ୍ତୁ ତା ଶାଶୂ ଶ୍ୱଶୁର ତ ତାକୁ ଦ୍ୱିତୀୟ ବିବାହ ପାଇଁ ବାଧ୍ୟ କରୁଥିଲେ। ଭାବୁଛି ସେମାନେ ଏ ପ୍ରସ୍ତାବରେ ରାଜି ହେବାରେ କୌଣସି ସମସ୍ୟା ନାହିଁ।’ ବରେଣ୍ୟ ତା ଯୁକ୍ତି ଉପସ୍ଥାପନ କରୁଥିଲା ସାଙ୍ଗ ଓ ବାପାଙ୍କ ଆଗରେ।

 ରବି କହିଲା- ‘ଯେତେବେଳେ ସେମାନେ ପ୍ରୀତିର ବାହାଘର ପାଇଁ ବ୍ୟସ୍ତ ହେଉଥିଲେ ସେତେବେଳେ ପରିସ୍ଥିତି ଥିଲା ଅଲଗା। ସେତେବେଳେ ପ୍ରତ୍ୟୁଷ ଜନ୍ମହୋଇ ନଥିଲା। ଏମିତିକି ସେ ଯେ କନ‌୍‍ସିଭ‌୍‍ କରିଛି ସେ କଥା ନିଜେ ପ୍ରୀତି ମଧ୍ୟ ଜାଣିନଥିଲା।’

 ବରେଣ୍ୟକୁ ରବିର ଯୁକ୍ତି ଠିକ‌୍‍ ଲାଗୁଥିଲା। ସେ ଯେମିତି ଦୋ’ଛକିରେ ପଡ଼ିଯାଉଥିଲା ଧୀରେଧୀରେ। ବୁଝୁଥିଲା, ଦୁଇଦିନ ପୂର୍ବରୁ ସେ ନେଇଥିବା ନିଷ୍ପତ୍ତିର ହୁଏତ ବେଶୀ ଦମ‌୍‍ ନଥାଇପାରେ।

 ଶାନ୍ତନୁବାବୁ କହିଲେ- ‘ଠିକ‌୍‍ ଅଛି। ଦେଖ, କଥାବାର୍ତ୍ତା କର। ଯାହା ଠିକ‌୍‍ ଭାବୁଛ ତାହା ହିଁ କର। ମୋ ଆଶୀର୍ବାଦ ତମମାନଙ୍କ ପଛରେ ସବୁବେଳେ ରହିଛି। ସେ ସବୁ କଥା ଛାଡ଼, ଦିଲ୍ଲୀ ପଳେଇବା କଥା କ’ଣ କହୁଥିଲୁ? ସେଠି କିଛି ଚାକିରି ହୋଇଛି?’

 -‘ହଁ ଗୋଟେ ଏଜେନ‌୍‍ସୀରୁ କଲ‌୍‍ ଲେଟର‌୍‍ ପାଇଛି । ଭୁବନେଶ୍ୱରରେ ହିଁ ନେଟ‌୍‍ରେ ଇଣ୍ଟରଭ୍ୟୁ ଦେଇଥିଲି। ପ୍ରକୃତରେ ମୁଁ ଚାହୁଁଥିଲି ଭୁବନେଶ୍ୱରରେ କିଛି ପୋଷ୍ଟ। କିନ୍ତୁ କମ୍ପାନୀ ଜଣେଇ ଦେଇଛି, ଏଠି ପୋଷ୍ଟ ଫାଙ୍କା ନାହିଁ। ଗୋଟିଏ ପୋଷ୍ଟ ଫାଙ୍କା ହେବାର ଥିଲା। କିନ୍ତୁ ହେଲାନାହିଁ। ତେଣୁ ମତେ ଦିଲ୍ଲୀରେ ଜଏନ‌୍‍ କରିବାକୁ ଡାକରା ଆସିଛି। କ’ଣ କହୁଛନ୍ତି ?’

 -‘ଖରାପ ନୁହେଁ। କିନ୍ତୁ ଯଦି ଭୁବନେଶ୍ୱର ଚାକିରିଠାରୁ ବେଶୀ ଲୋଭନୀୟ ନୁହେଁ ତେବେ ସେଠିକୁ ଯିବା ଅନ୍ୟଥା ହେବ। ଦରମା ଅଧିକ ନା କମ‌୍‍?’

 -‘ସେଇ ତିରିଶି ହଜାର ଭିତରେ। ସିନିୟର ରିପୋର୍ଟର। କିନ୍ତୁ ଚ୍ୟାନେଲ‌୍‍ରେ କାମ କରିବା ଆଉ ଏଜେନ୍ସୀରେ କାମ କରିବା ଫରକ ପଡ଼ିଯିବ। ଚ୍ୟାନେଲ‌୍‍ରେ କାମ କରିବାର ମଜ୍ଜା ଏଜେନ୍ସୀରେ ନାହିଁ। କିନ୍ତୁ ଗୋଟେ ନ୍ୟାସନାଲ‌୍‍ ଏକ୍ସପୋଜର‌୍‍ ମିଳିଯିବ।’

 -‘ଠିକ‌୍‍ ଅଛି। ବିଚାର କରି ଦେଖ‌୍‍। ଦିଲ୍ଲୀରେ ତିରିଶି ହଜାର କିଛି ଅଧିକ ନୁହେଁ। ପୁଣି ଯଦି ପ୍ରୀତି ସହ ନେଗୋସିଏସନ‌୍‍ ହୋଇଯାଏ, ତେବେ ସେ କ’ଣ ଚାକିରି ଛାଡ଼ିବ? ସେ ତ ଖାଲି ନୁହେଁ, ତା'ର ପିଲାଟିଏ ବି ଅଛି। ଯାହା ହେଉ, ପୁଅ ବାହାଘର ହେଉହେଉ ନାତି ଟୋକାଟିଏ ଯାହା ମିଳିଯିବ।

 ବାପାଙ୍କର ଶେଷ ପଦକ କଥାରେ ଥଟ୍ଟା ପୂରି ରହିଥିଲା, ତା ସହିତ କିଛି କମେଣ୍ଟ ବି ଥିଲା। ବରେଣ୍ୟକୁ ଚାଇଁ କରି ଲାଗିଲା କଥାଟା।

(କ୍ରମଶଃ)

 (ଭାଗ-୧୦ର ଆକର୍ଷଣ: ପ୍ରୀତି ମହାନ୍ତି ଚିଡ଼ିଗଲା। ସେଇ କଥାଟା ସେ ପରେ କୋଶ୍ଚିନ୍ ଭିତରେ କହିଦେଇଥିଲେ ଚଳିଯାଇ ନଥାନ୍ତା? ବରେଣ୍ୟର ଏଇ ଭଳି ନେଚର। କାମରେ ସେ କମ୍ପ୍ରୋମାଇଜ୍ କରିବ ନାହିଁ। କିନ୍ତୁ ଗେଷ୍ଟଙ୍କ ଆଗରେ ତାଙ୍କ ସମୟ ବରବାଦ କରି ଏମିତି ହାକିମାତି ଦେଖାଇବା କ’ଣ ଜରୁରୀ ଥିଲା? କିନ୍ତୁ ଆଉ ଉପାୟ ନଥିଲା। ତ ପୁଣିଥରେ ଆରମ୍ଭ ହେଲା ମୂଳରୁ। ତା’ ଭିତରେ ଟିକିଏ ପାଣି ପିଇ ଦେଇ ଆଉ ମୁହଁରେ ଟଚ୍‌ ଅପ୍‌ ନେଇ ପୁଣି ଆରମ୍ଭ କଲା ପ୍ରୀତି- ‘ନମସ୍କାର... ଆମର ବିଶେଷ କାର୍ଯ୍ୟକ୍ରମ ସାମ୍ନାସାମ୍ନିକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ପ୍ରୀତି ମହାନ୍ତି...)

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୮