ସର୍ତ୍ତରେ ନ ଥିଲା ଯାହା
ସ୍ଥିର ହେଲା ଦିନୁ ଚହଲା ନଈପାଣି
ମୋ ମୁହଁ ଆଉ ଜହ୍ନ
କାହାରି ଵି ଚିହ୍ନବର୍ଣ୍ଣ ନାହିଁ ।
ପଲକ ପକେଇ ରଖି ହେଉନି ଆଖି
କୋଉ ରୋମାଣ୍ଟିକ ଗୀତରେ
ଯୋଉ ଗୀତ ଶୁଣୁ ଶୁଣୁ ମୁଁ
ପ୍ରେମରେ ପଡୁଥିଲି ଯେକୌଣସି ଵୟସରେ
ପଲକରେ ଯଦି ଛବି ହେଇଥିବ
ନଷ୍ଟ ହେଵାର ନାନାଦି ଵାହାନା
କୁହ ମାୟାର ମଲା ପାଖୁଡାରେ
କେମିତି ଦେଖିହେଵ ସ୍ଵପ୍ନ ।
ଏମିତିରେ ଵି ଆଜିକାଲି
ବେଶି ବେଶି ଅହଙ୍କାର ସ୍ଵପ୍ନମାନଙ୍କର ।
ଏତେ ସବୁ ସ୍ଥାଣୁତ୍ବକୁ ଦାୟିକରି
ଆଖିମାନେ ମୋର
ଓହରି ଗଲେ ଯଦି ସ୍ବପ୍ନ ରୁ ?
ଯେତିକି ଟିକେ ଅଧିକାରରେ ଅଛି ମୋର
ଏଇ ଆଲୁଅ ଅନ୍ଧାର ମିଶା ରାତି
ସେତକ ଵି ଉଭେଇଯାଉ
କିଏ ବା ଚାହିଁବ କୁହତ ?
ମୁଁ ଭୋଗେ ସେ ଅପେକ୍ଷା
ଯାହାର ନାଆଁ କି ଗାଁ ନ ଥାଏ
ଗୋଟେ ଅଭାଵିତ ଦୂରତ୍ବକୁ
ଵରଫଖଣ୍ଡ କରି ଚାପିରଖେ ପିଣ୍ଡରେ ମୋର
ଅଖଣ୍ଡ ଦୀପ ଆଲୁଅରେ ଝଲମଲ ଵିଷାଦ
ଝୁରାମନ ତ...ଝୁରିହୁଏ ଝୁରିହୁଏ ।
ମୁଁ ନିଜେଇ ଏଯାଏଁ
ଆହୁରି କହିନି ନିଜକୁ
ଯୁଦ୍ଧ ପରର ନିରବତାରେ
ତରଙ୍ଗ ହେଇ ଥାଏ କିଏ
ଯିଏ ଆଦୌ ଗୀତ ହେଇପାରେନା
ପ୍ରେମରେ ଥିବା ପୁଅ ଚଢ଼େଇ ପରି
ଯିଏ ଘୋଡା ପଠିରେ ଵସେଇ ରଖିଥାଏ
ପଳାତକ ଅନୁରାଗ
ବର୍ଷଣ ମେଘରେ ମିଳେଇ ପଡୁଥିଲା ଵେଳେ ମାଟି
ଅଥଚ ଦ୍ରୋହକାଳରେ ଵି
ଅନ୍ତରଙ୍ଗ କରି ରଖିଥାଏ ସେ
ତା'ର ମୋର ହଜାରେ ଏକ ସ୍ମୃତି ।
ମୋର ଇଛା ପରି ହେଲାନି
ଆକାଶ ଆରପାଖର ଦୃଶ୍ୟ
ଯେମିତିକି ଗୋଟେ ଅଚିହ୍ନା ସମୁଦ୍ର କୂଳ
ଅଗନା ଅଗନି ଅରଣ୍ୟ
ଅଜଗର ପରି ସରୁ ନ ଥିବା ରାସ୍ତା
ରମାକାନ୍ତ ରଥଙ୍କ ଶ୍ରୀରାଧାର
ତେର ପୃଷ୍ଠା ସହ ଆଞ୍ଜୁଳାଏ ମିଠା ଜଳ
ସେ ଆଉ ମୁଁ
ଏତକ କିନ୍ତୁ ସର୍ତ୍ତ ନ ଥିଲା।
ନିଃସର୍ତ୍ତରେ ଯିଏ ମାନିନିଏ ପରାଜୟ
ସେ ହୁଏତ ପ୍ରେମ ଛଡା
ଆଉ କିଛି ଵି ନୁହେଁ ନା ?