ସଂସାରୀ ସନ୍ନ୍ୟାସୀ

ସଂସାରୀ ସନ୍ନ୍ୟାସୀ

ମୁହୂର୍ତାବଳି ଗଢ଼ଂତି ଦିନ, ମାସ, ବର୍ଷ
ସେ ତାତ୍ପର୍ଯ ବୁଝି କରେ ସ୍ବ-ଭାବ ପ୍ରକାଶ

ମୁହୂର୍ତରେ ଅଂତର୍ଭୁକ୍ତ  ଯେଣୁ ମହା କାଳ
ମଣିଷ କିଆଁ ଭାବିବ ସେ ଅଟେ ଦୁର୍ବଳ 

ଶକ୍ତିଧର ବ୍ୟକ୍ତି ଆମେ ହୋଇ କାର୍ଯରତ
ବିଶ୍ବରେ ବିତାଉଥାଉଁ ପ୍ରତ୍ୟେକ ମୁହୂର୍ତ

କୋଷ-ଗଠିତ ମଣିଷ ପାଏ ମୁହୂର୍ତାଂଶ
କ୍ଷଣାଶ୍ରିତ ହୋଇ କରେ ନିଜ କାମ ଶେଷ

ଦକ୍ଷତାନୁଯାୟୀ ସ୍ପୃହା ମନେ ହେଲେ ଜାତ
ଆଗ୍ରହ, ଅଭ୍ୟାସ ମାନି ଚଳେ ଅବିରତ

କାମ ହୋଇଯାଏ ଯଦି ଅର୍ଥାର୍ଜନ ପଂଥା
ମିଥ୍ୟାସକ୍ତ ହୋଇ ଶ୍ରମ କରଇ ଅଯଥା

ଉପରକୁ ତୃପ୍ତ କରି, ତଳକୁ ଅତୃପ୍ତ 
କରିବା ଅଭ୍ୟାସ ଥିଲେ ସ୍ପୃହା ହୁଏ ହତ

ସ୍ବାଧୀନ ସାହିତ୍ୟକାର ନୁହେ ବଶଂବଦ 
ଧନ, ମାନ, ଯଶ, କୀର୍ତି ନୁହେ ତା' ସଂପଦ

ଅଭ୍ୟାସବଶତଃ ହୁଏ ସେ ଏକାଂତବାସୀ
ସଂସାରୀ ଜୀବନ ଜିଏଁ ନିର୍ଲିପ୍ତ ସନ୍ନ୍ୟାସୀ  

ମୌନ ରହି କରିଜାଣେ ଧ୍ୟାନ ଓ  ସାଧନା
ସ୍ବଗୃହ ହିଁ ସ୍ବର୍ଗ ପରି ତାକୁ ପଡ଼େ  ଜଣା 

ଘରଟି ହୋଇଲେ ହେଉ ଭବନ, କୁଟୀର
ଭେଦ ବୁଝି ପାରେନାହିଁ ଯେ କର୍ମତତ୍ପର

ସ୍ଥାନାସକ୍ତ ନ ହୋଇ ସେ ମନାସକ୍ତ ହୁଏ
ଯେଉଁଠି ଥିଲେ ବି ନିତି ସର୍ବସୁଖ ପାଏ

ମନୁଷ୍ୟ ନିଜେ ନିଜକୁ ପାରେ ଯେଣୁ ଗଢ଼ି
ମତାଂଧ ହୋଇ ସଂଘରେ ହୁଏନାହିଁ ଯୋଡ଼ି