ନାରୀବାଦ : ଏକ ଜୀବନଦୃଷ୍ଟି
ଅଳ୍ପ କିଛି ଦିନ ତଳେ, କିଛି ବନ୍ଧୁଙ୍କ ସହିତ ଫେମିନିଜମ୍ ଉପରେ ଆଲୋଚନା କରୁ କରୁ କାହିଁକି କେଜାଣି ମତେ ଲାଗିଲା, ଯେମିତି ଫେମିନିଜମ୍ ସହିତ ଆମେ ସମସ୍ତେ ଖୁବ୍ ଏକ ସୁପରଫିସିଆଲ ସ୍ତରରେ ମାତ୍ର ଜଡିତ । ମୂଳ ସମସ୍ୟାରୁ ବହୁ ଦୂରରେ ରହି ଆମେ ଯେମିତି ଏକ ବୌଦ୍ଧିକ କସରତ କରୁଛନ୍ତି କେବଳ, ନିଜ ସୋସିଆଲ ସର୍କଲରେ ଟିକେ ଉଜ୍ଜ୍ୱଳ ଦିଶିବା ପାଇଁ । ମୁଁ ଅନେକ ସମୟ ଯାଏଁ ଚୁପ ରହି କେବଳ ସେମାନଙ୍କ କଥା ଶୁଣିଲି, ଓ ନିଜ ପ୍ରଶ୍ନାକୁଳତାକୁ ବିରାମ ଦେଲି । ମତେ ଯେମିତି ଲାଗିଲା, ଏଭଳି ଉପର ଠାଉରିଆ ଆଲୋଚନା ମୁଁ ଆଗରୁ ବି କୋଉଠି ଶୁଣିଚି । ଆଗରୁ ବି ଅନେକଥର ମୁଁ ଚୁପ ରହିଛି ଏମିତି । ସେଦିନ ଘରକୁ ଫେରିଆସିବା ପରେ ଏକ ଅଦ୍ଭୁତ ନୈରାଶ୍ୟବୋଧରେ ବୁଡି ରହିଲି ମୁଁ ଅନେକ ବେଳ । ନିଜକୁ କଥାଗଡାରେ ଠିଆ କରି ଅନେକ ପ୍ରଶ୍ନ କଲି, ୟୁଟ୍ୟୁବ ଖୋଲି କିଛି ଲେକଚର ଶୁଣିଲି, କିଛି କବିତା, କିଛି ଆର୍ଟିକଲ ପଢ଼ିଲି । ଶେଷକୁ ଏଇ ପ୍ରଶ୍ନଟି ପାଖରେ ଅଟକିଲି ମୁଁ - ଯେଉଁ ଧାରାବାହିକ ପ୍ରକ୍ରିୟାରେ ସ୍ତ୍ରୀଲୋକଟିଏର ସ୍ଥିତିକୁ ଗୌଣ କରିଦିଆଯାଇଛି ଗୋଟେ ପୁରୁଷତାନ୍ତ୍ରିକ ସମାଜ ଗଠନ ପାଇଁ, ସେ ପ୍ରକ୍ରିୟାଟି ପ୍ରତି ପ୍ରକୃତରେ କେତେ ଉଦାସୀନ ଆମେ ?
ଏଇ ପ୍ରକ୍ରିୟାରେ, ପ୍ରଥମେ, ପୁରୁଷଟିଏ କରୁଥିବା କାମସବୁ (ମୂଳତଃ ଉପାର୍ଜନ ଓ ସୁରକ୍ଷା, ଏବଂ ଅନ୍ୟାନ୍ୟ ବାହାର କାମ) ସ୍ତ୍ରୀଟିଏର କାମସବୁ (ମୂଳତଃ ଘରର ଯାବତ୍ୟ ଦାୟିତ୍ୱ) ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ ବୋଲି ସ୍ଥିର କରାଗଲା । ଏକଥା ବୁଝେଇଦିଅଗଲା ସମସ୍ତଙ୍କୁ, ବିଶେଷକରି ସ୍ତ୍ରୀମାନଙ୍କୁ, ଯେ ପୁରୁଷଟିଏ ହିଁ ଘରର ମୂରବୀ, ଯେହେତୁ ପରିବାରଟିକୁ ସେ ହିଁ ଚଳାଉଛି, ସେ ହିଁ ସୁରକ୍ଷା ଦଉଛି ସମସ୍ତଙ୍କୁ, ସେ ହିଁ ବୋହିଆଣୁଚି ଘରପାଇଁ କାଠିକୁଟା । ସେ ତେଣୁ ଈଶ୍ୱର, ସ୍ତ୍ରୀଲୋକଟି ପାଇଁ । ସେ ଆଶ୍ରୟ, ସ୍ତ୍ରୀ ଲୋକଟି ଆଶ୍ରିତ ମାତ୍ର । ଏ କଥାଟିକୁ ରୋପି ଦିଆଗଲା ଖୁବ୍ ଯତ୍ନ କରି, କବିତାରେ କାହାଣୀରେ ଲୋକକଥାରେ ମାଇଥୋଲୋଜିରେ ଆମ ଅବଚେତନରେ, ସବୁଠି । ଏକ ପରମ୍ପରା ବୋଲି କହି, ପିଢ଼ି ପରେ ପିଢ଼ି, ଆଗକୁ ଆଗକୁ ବଢ଼େଇ ଦିଆଗଲା ସ୍ତ୍ରୀଟିଏ ମୁଣ୍ଡ ନୁଁଏଇ ବଂଚିବାର ନିୟମକୁ । ଅସ୍ଥିମଜ୍ଜାଗତ କରିଦିଆଗଲା ଏ ଅଘୋଷିତ ନିୟମଟିକୁ, ଯେ ଘରେ ଶେଷ ନିଷ୍ପତ୍ତି ପୁରୁଷଟିଏ ହିଁ ନେବ । ଏଇ ଯେମିତି, ବାପାଙ୍କୁ ପଚାରି ହିଁ ବୋଉ କହିପାରିବ ଛୁଆଟି ତା'ର ଖେଳିବାକୁ ଯିବ କି ନାହିଁ, ନୂଆ ଜାମା କିଣାହେବ କି ନାହିଁ, ଇତ୍ୟାଦି ଇତ୍ୟାଦି । ବାପା କିନ୍ତୁ ବୋଉକୁ ପଚାରି କେବେ କିଛି ବି କରିବା ଦରକାର ହେବନି । କାରଣ, ଘରର ଆର୍ଥିକ ବ୍ୟବସ୍ଥାଟି ବାପା ବୁଝନ୍ତି, ଓ ସେଇ କାମଟି ଅନ୍ୟ ସବୁ କାମଠୁ ଗୁରୁତ୍ତ୍ୱପୂର୍ଣ । ଏସବୁ ଭିତରେ, ସ୍ତ୍ରୀଟିଏ 'ୱିକର ସେକ୍ସ' ବୋଲି ଏକ ଭାବନାକୁ ବି ପ୍ରମୋଟ କରାଗଲା ।
ଦ୍ଵିତୀୟରେ, ସ୍ତ୍ରୀ ଲୋକଟିକୁ କେବଳ ସୌନ୍ଦର୍ଯ୍ୟ ଭିତରେ ସୀମିତ କରିଦିଆଗଲା ବହୁ ବହୁ କାଳ । ସୁନ୍ଦର ଦିଶିବା ହିଁ ଯେମିତି ଏକମାତ୍ର ଗୁଣ ତା'ର । ଗୁଣ ଅପେକ୍ଷା କେବଳ ରୂପର ବର୍ଣ୍ଣନାରେ ଅଟକିଗଲା ଆମ ଦସ୍ତାବେଜ ସବୁ । ପୁଅ ପାଇଁ ଝିଅ ଖୋଜିବା ବାହାନାରେ ଘରର ବଡ଼ବଡୁଆ ମାନେ ଖୋଜିଚାଲିଲେ ସୌନ୍ଦର୍ଯ୍ୟ । ନା, ଏ କେବଳ ଅବ୍ଜେକ୍ଟିଫିକେସନର କଥା ନୁହେଁ । କାରଣ ଏହା କେବଳ ସେତିକିରେ ସୀମିତ ରହିନାହିଁ ଆମ ସମାଜରେ । ଆମ ସାଂସ୍କୃତିକ ଜୀବନରେ ଖୁବ୍ ଅର୍ଗାନିକ ଭାବରେ ମିଶିଯାଇଛି ଏ କଥାଟି ଏବେ । ପୁରୁଷ ପୁଅର ପୁଣି ବୟସ ଗୋଟେ କଣ - ଏକଥା କହିବା ଆଳରେ ବି ଆମେ ଏଇୟା ହିଁ କହୁ, ଯେ ସ୍ତ୍ରୀଲୋକଟିର ରୂପ ଓ ବୟସ ଗୁରୁତ୍ତ୍ୱପୂର୍ଣ ସବୁବେଳେ । ବିରାଟ ଏକ ପ୍ରସାଧନ ଶିଳ୍ପ ଓ ବିୟୁଟି ପ୍ରଡକ୍ଟ ମାର୍କେଟ ଏଇ ଚିନ୍ତାର ଆଧାରରେ ତିଆରି ହେଇଚି । ଆହୁରି ବି, ସୌନ୍ଦର୍ଯ୍ୟ ଭିନ୍ନ ସ୍ତ୍ରୀମାନଙ୍କର ଅନ୍ୟ ସମସ୍ତ ଗୁଣକୁ ବି ପୁରୁଷ ନିଜ ଭ୍ୟାଲିଡେସନର ମୋହର ଦେଲା ବେଳେ ନିଜକୁ ହିଁ ଶ୍ରେଷ୍ଠ ସିଦ୍ଧ କରେ । ଯେମିତି, ପ୍ରତିଭାଦୀପ୍ତ ପିଲାମାନଙ୍କର ପିଠି ଥାପୁଡ଼େଇବା ବେଳେ ନିଜର ଫଟୋ ଉଠେଇ ନେଇ କିଛି ମୂର୍ଖ ଅପଗଣ୍ଡ ଲୋକ ନିଜର ମାର୍କେଟିଙ୍ଗ କରନ୍ତି । ଯେମିତି, ମନ୍ଦିର ନିର୍ମାଣର ଶ୍ରେୟ ଯାଏ ଫିତା କାଟିଥିବା ରାଜାଙ୍କୁ ।
ତୃତୀୟ, ଓ ସବୁଠୁ ସମ୍ବେଦନଶୀଳ କଥାଟି ହେଉଛି, ଷ୍ଟେରିଓଟାଇପିଙ୍ଗ । ଆଦର୍ଶ ସ୍ତ୍ରୀ ଲୋକଟିଏ କେମିତି ହେବା କଥା, ୟାର ଅନେକ ଅଘୋଷିତ ନିୟମ ଏ ସମାଜରେ ଅଛି । ସେ ନିୟମ ସବୁକୁ ସମସ୍ତଙ୍କ ଅଲକ୍ଷ୍ୟରେ ପୋତିଦିଆଯାଇଛି ଆମ ମନ ଭିତରେ । ସେ ସ୍ଟେରିଓଟାଇପ ଝିଅଟି ସହିତ ହିଁ ଆଜିର ଝିଅମାନେ ଲଢ଼ୁଛନ୍ତି ସବୁ ମୁହୂର୍ତ୍ତରେ । ଏବେ କର୍ମକ୍ଷେତ୍ରରେ କେବଳ ସଫଳ ହେବା ଯଥେଷ୍ଟ ନୁହେଁ, ବରଂ, ଏକ ଆଦର୍ଶ ଝିଅର ଛାଞ୍ଚରେ ରହି କର୍ମକ୍ଷେତ୍ରରେ ସଫଳ ହେବା ବାଞ୍ଛନୀୟ । ଆଦର୍ଶ ସ୍ତ୍ରୀର ଏଇ ଷ୍ଟେରିଓଟାଇପ ଚିତ୍ରଟି ଆମ ଜେନେଟିକ ଫ୍ୟାବ୍ରିକର ଅଂଶ । ତା' ଛାଇରୁ କେମିତି ବା ବାହାରିଯିବେ ଆଜିର ଝିଅମାନେ? ଶିକ୍ଷିତ ଆଧୁନିକ ଝିଅଟିଏର ମୂଲ୍ୟାଙ୍କନ ତା' ବେଶଭୂଷାରୁ ହିଁ ହେବ । ଯେତେ ପାଠ ପଢିଲେ ବି ଯଦି ଝିଅଟିଏ ଚିତା ପକେଇବା କିମ୍ବା ମଣ୍ଡା ପିଠା କରିବା ଶିଖିନାହିଁ, ତେବେ ସେ ସମାଲୋଚିତ ହିଁ ହେବ । ମହିଳା ବୈଜ୍ଞାନିକଟିଏ ପାରମ୍ପରିକ ପୋଷାକ ପିନ୍ଧି ଅଫିସ ଆସିଲେ ହିଁ ଭଲ ଦିଶିବ ଲୋକଙ୍କ ଆଖିକୁ । ଇତ୍ୟାଦି, ଇତ୍ୟାଦି, ଇତ୍ୟାଦି । ଏସବୁ ବ୍ୟତୀତ ଆହୁରି ଅନେକ ଅନେକ ଅନେକ କାରଣ ଅଛି ନିଶ୍ଚିତ, ଯାହା ଉପରେ ଖୁବ୍ ଏକ ବ୍ୟାପକ ଆଲୋଚନା ହେବା କଥା, ଯାହା ବିଷୟରେ ପିଲାମାନଙ୍କୁ ସଚେତନ କରିବା କଥା ଛୋଟବେଳୁ, ଯେଉଁ ସବୁ କଥା କାହାଣୀ ଓ କିମ୍ବଦନ୍ତୀ ଆମକୁ ବାନ୍ଧିରଖନ୍ତି ପୁରୁଷତନ୍ତ୍ରରେ, ସେସବୁକୁ ନଷ୍ଟ କରିଦେବା ଜରୁରୀ ଯଥା ଶୀଘ୍ର ।