କାଳଚକ୍ର

ହାଏ ସେ ହରିଣୀ... ଗାଇଲାବେଳକୁ
ଢଳିଢଳି ଚାଲିଆସେ ରାଜେନ୍ଦ୍ର ପଣ୍ଡାଙ୍କ ଆଖି
ମୁଁ ଡରି, ରହିଯାଏ ଅଟକି !
ଫେରିଫେରି ଚାହିଁ, ଚାଲିଯାଏ ଶାଳବନେ ଯେବେ
ଲାଗେ, କିଛି ତ ପାରିଥାନ୍ତି ମନ କଥା କହି!
ଚାପିହେଇ କେମିତି କେଜାଣି ଘଣ୍ଟିକା ତଳେ ଯାଏ ରହି!
ହସେ ବୋଧେ ରାଜେନ୍ଦ୍ରୀୟ ଆଖି ଦୁଇ:
କହିବି କହିବି ହେଇ କିଏ ପାରିଲାଣି କହି !
ହରିଣୀ ଦେଖାଏ ମୁହଁ ମେଘବନ ଉହାଡ଼ରେ ଥାଇ।
ସେ ଆଖିର ମାୟା ଘାରେ ମୋତେ ସେ ମୁହଁ ବିଦାରେ
ଗାର ଗୋଟେ ଟାଣିଦେଇ ଶୀର୍ଣ୍ଣଜୀର୍ଣ୍ଣ ଛାତି ହାଡ଼ର ମଝିରେ!
ହେ ରାଜେନ୍ଦ୍ର! ହେ ରାଜେନ୍ଦ୍ର! ଡାକିଡାକି ଶବ୍ଦ ମରିଯାଏ ଧୀରେ।
ମୋର ଜନ୍ମ ହୁଏ ପୁଣି ପୁରୁଣା ପାହାଡ ଖୋଲରେ
ଗଣ୍ଡୁଷେ ଜଳରେ।
ସେତେବେଳକୁ ଜଳିଜାଳି ପାଉଁଶ ହେଇଯାଇଥାଏ ଜଙ୍ଗଲ,
ରାଜେନ୍ଦ୍ର ପଣ୍ଡାଙ୍କ ଦାଢ଼ି ପାଉଁଶ,
ମୁଁ ଆଲିଜା, ନିସ୍ତେଜ।
ଏଇ ଭଳି ହେଇଥିଲା ତିନୋଟି ଅନାଲୋଚିତ ମୃତ୍ୟୁ ।
ଅଛି କିଛି ଖବର କିଛି ଚିହ୍ନ କିଛି ନଥି କିଛି ସଙ୍କେତ?
ନାଲିଫିତା ପଇତା ତଳେ କ'ଣ ରହିଯାଏ ସବୁର ହେତୁ ??