ପ୍ରଶ୍ନପତ୍ର ଲିକ ପାଇଁ ଧର୍ମେନ୍ଦ୍ରଙ୍କୁ ପୁରସ୍କାର ମିଳୁ!!
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ୨୫୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହିଁଲେ ଓ ସେଥିପାଇଁ ଆମେରିକାର ସିନେମା, ସଙ୍ଗୀତ ଓ ସାହିତ୍ୟ ସହିତ ଜଡିତ କିଛି ବଡ଼ ବଡ଼ କଳାକାରଙ୍କୁ ଆମନ୍ତ୍ରଣ କଲେ। ଆମେରିକାର କଳାକାରମାନେ ଟ୍ରମ୍ପଙ୍କ ଆମନ୍ତ୍ରଣକୁ ସିଧା ସିଧା ପ୍ରତ୍ୟାଖ୍ୟାନ କରିଦେଲେ। ଟ୍ରମ୍ପଙ୍କ ଉତ୍ସବରେ କେହି କଳାକାର ଭାଗ ନ ନେବାରୁ ସେ ନିଜେ ନିଜକୁ ସୁପରଷ୍ଟାର ବୋଲି କହିବା ସହିତ ଏଲଭିସ୍ ପ୍ରିସଲେଙ୍କ ଠାରୁ ସେ ଅଧିକ ଲୋକପ୍ରିୟ ବୋଲି କହିଲେ। ଆମେରିକାର ଗଣତନ୍ତ୍ର ଓ ବ୍ୟକ୍ତି ସ୍ବାଧୀନତା ବିଷୟରେ ଜାଣିବା ପାଇଁ ଏହା ଏକ ପ୍ରକୃଷ୍ଟ ଉଦାହରଣ। ଆମେରିକାର କଳାକାରମାନେ ସରକାରୀ ଦଳ ଓ ସରକାରର ପାଦ ଚାଟିବାକୁ ଘୃଣା କରନ୍ତି।
ଏହାର ଠିକ୍ ବିପରୀତ ଦିଗରେ ଆମ ଦେଶ ଓ ରାଜ୍ୟର କଳାକାରମାନଙ୍କୁ ଆମେ ଦେଖୁଛୁ। ଆମର କଳାକାରମାନେ କେବେ ଦିନେ ରାଜାଙ୍କ ଦରବାରରେ ଭାଟ ହୋଇ ପ୍ରଶସ୍ତି ଓ ବନ୍ଦନା ଗାନ କରୁଥିଲେ। ଗଣତନ୍ତ୍ର ଆସିଲା ପରେ ଏବେ ସେମାନେ ସରକାର ଓ ସରକାରୀ ଦଳର ଭାଟ, ଚାରଣ ଓ ତୋଷାମଦିଆ ହେବାକୁ ପାଗ ଭିଡ଼ି ବସିଛନ୍ତି। ଭାରତୀୟ ଲେଖକ, ଶିଳ୍ପୀ ଓ କଳାକାରଙ୍କ ଭିତରୁ ନବେ ଭାଗ ଦରବାରୀ। ଯିଏ ସରକାରରେ ଆସିଲା ଏମାନେ ସେହି ସରକାରର ସ୍ତାବକ। ମୂଳତଃ ଏମାନେ କ୍ଷମତାର କ୍ରୀତଦାସ।
ଓଡ଼ିଶାରେ ଏବେ ଗୋଟେ ବଢିଆ ନାଟକ ଚାଲିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଦୁଇବର୍ଷ ହେଲା ଦେଶର ସବୁଠାରୁ ଅପାରଗ ତଥା ବିଫଳ ଶିକ୍ଷା ମନ୍ତ୍ରୀ ଭାବେ ନିନ୍ଦିତ ହେଉଛନ୍ତି। ହେଲେ ଓଡ଼ିଶାର କିଛି ଲେଖକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ଏବେ ଧର୍ମେନ୍ଦ୍ରଙ୍କ ଢାଲ ହୋଇ ଛିଡା ହେବାକୁ ନିର୍ଲଜ ଭାବରେ ଆଗେଇ ଆସିଛନ୍ତି । ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେବା ଅତି ସାଧାରଣ ଘଟନା ଓ ଏଥିପାଇଁ ବେଚାରା ମନ୍ତ୍ରୀଙ୍କର ଦୋଷ କଣ ବୋଲି ଓଡିଆ ଭାଟମାନେ ପଚାରୁଛନ୍ତି ।
ଧର୍ମେନ୍ଦ୍ର ବାବୁ ଶିକ୍ଷା ବିଭାଗ ଦାୟିତ୍ଵ ନେବା ପରେ ଏହା ପ୍ରଥମ ଅବ୍ୟବସ୍ଥା ବା ଭ୍ରଷ୍ଟାଚାରର ଅଭିଯୋଗ ନୁହେଁ। ପରୀକ୍ଷାର କୁପରିଚାଳନା ଯୋଗୁଁ ଅନେକ ଛାତ୍ରଛାତ୍ରୀ ଇତିମଧ୍ୟରେ ଆତ୍ମହତ୍ୟା କଲେଣି । ସମାନ ପରୀକ୍ଷାରେ ଗତ ବର୍ଷ ମଧ୍ୟ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ସେତେବେଳେ ଆଗକୁ ମୁଁ ସବୁ ଠିକ କରିଦେବୀ ବୋଲି ଶିକ୍ଷାମନ୍ତ୍ରୀ ସଂସଦରେ ପ୍ରତିଶ୍ରୁତି ଦେଇଥିଲେ ।
ଶିକ୍ଷାମନ୍ତ୍ରୀଙ୍କ ଅପାରଗତାକୁ ନେଇ ଗର୍ବିତ ଓଡିଆ ବୁଦ୍ଧିଜୀବୀମାନେ ଏବେ ନୈତିକ ଦାୟିତ୍ଵ ଓ ଉତ୍ତର ଦାୟିତ୍ଵର ଆବଶ୍ୟକତା ନାହିଁ ବୋଲି ଘୋଷଣା କରିସାରିଲେଣି। ସେମାନଙ୍କ ମତରେ ସବୁ ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର । ହେଲେ ବିଫଳତା ପାଇଁ ସିଷ୍ଟମ ଦାୟୀ। ଆମେ ସାଧାରଣ ଜନତା ବୁଝିପାରୁନୁ ଯେ ଏ ସିଷ୍ଟମଟି କିଏ ଓ ଏହାକୁ କିଏ ଚଲାଉଛି । ମନ୍ତ୍ରୀଙ୍କ ବିଭାଗରେ ମନ୍ତ୍ରୀଙ୍କ ବିରୋଧରେ ଷଡଯନ୍ତ୍ର ହେଉଛି ବୋଲି ଯେଉଁମାନେ ବୋବାଳି ଛାଡୁଛନ୍ତି, ସେମାନେ ଆପେ ଆପେ ମନ୍ତ୍ରୀଙ୍କ ଅପାରଗତାକୁ ପ୍ରମାଣିତ କରୁଛନ୍ତି ।
କ୍ରମାଗତ ଭାବରେ ପରୀକ୍ଷା ପରିଚାଳନା ରେ ବିଫଳ ଧର୍ମେନ୍ଦ୍ର ବାବୁଙ୍କ ସ୍ତାବକମାନଙ୍କୁ ଆମେ ତ ପ୍ରସ୍ତାବ ଦେବୁ, ପରୀକ୍ଷା କୁପରିଚାଳନା ଓ କ୍ରମାଗତ ପ୍ରଶ୍ନପତ୍ର ବିଭ୍ରାଟ ପାଇଁ ଧର୍ମେନ୍ଦ୍ର ବାବୁଙ୍କୁ ଓଡ଼ିଶାର ବୁଦ୍ଧିଜୀବିମାନେ ଏକ ସ୍ବତନ୍ତ୍ର ପୁରସ୍କାରରେ ସମ୍ବର୍ଦ୍ଧିତ କରନ୍ତୁ। ତାଙ୍କ ଯଶୋଗାନ କରି ଏକ ସ୍ବତନ୍ତ୍ର ମହାକାବ୍ୟ ରଚନା ହେଉ ଓ ତାଙ୍କର ଅକ୍ଷୟ କୀର୍ତ୍ତନ ଚାଲୁ। ଏ ପୁରସ୍କାର ଓ ଉତ୍ସବ ଆୟୋଜନରେ ପ୍ରାୟୋଜକର ଅଭାବ ରହିବ ନାହିଁ!!