ବାଘ, ମୋଦୀ ଓ ମଧୁସୂଦନ
ବାନ୍ଦିପୁରା ବାଘ ଅଭୟାରଣ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଢେଇ ଘଣ୍ଟା ରହିଲେ, ହେଲେ ତାଙ୍କ ନଜରରେ ଗୋଟେ ବି ବାଘ ପଡ଼ିଲେ ନାହିଁ। ୨୨ କିଲୋମିଟର ବ୍ୟାପୀ ପ୍ରଧାନମନ୍ତ୍ରୀ ପୂରା ବାଘ ସଫାରୀ ବୁଲିଲେ। ବଢିଆ ଶିକାରୀ ପୋଷାକରେ ଫଟୋ ଉଠାଇଲେ। ହେଲେ ବାଘ ତାଙ୍କ ପାଖକୁ ଆସିଲେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ନାଁ ଶୁଣି ବାଘମାନେ ବି ତାଙ୍କୁ ଦେଖା କରିବାକୁ ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କ ଭକ୍ତମାନେ ବୋଧହୁଏ ଭାବୁଥିଲେ। ମୋଦୀ ବାଘଙ୍କ ସହିତ ଫଟୋ ଉଠାଇବାର ସୁଯୋଗରୁ ବଞ୍ଚିତ ହେବା, ଭକ୍ତଙ୍କୁ ପ୍ରବଳ ବାଧିଲା। ସେମାନେ ଦାବି କଲେ, ବାଘ ନ ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଫାରୀ ଗାଡ଼ି ଚଳାଉଥିବା ଡ୍ରାଇଭର ମଧୁସୂଦନ ଦାୟୀ। ସେ ଭୁଲ୍ ବାଟରେ ନେବାରୁ ମୋଦୀ ବାଘ ଦର୍ଶନରୁ ବଞ୍ଚିତ ହେଲେ (ହୋଇପାରେ, ବାଘମାନେ ମୋଦୀ ଦର୍ଶନରୁ ବଞ୍ଚିତ ହେଲେ)। ତେଣୁ କର୍ଣ୍ଣାଟକର ବନ ବିଭାଗ ଡ୍ରାଇଭର ମଧୁସୂଦନକୁ ଚାକିରୀରୁ ବିତାଡିତ କରୁ ଓ ତାଙ୍କ ଗାଡିର ଲାଇସେନ୍ସ ରଦ୍ଦ ହେଉ ବୋଲି ସେଠାକାର ବରିଷ୍ଠ ବିଜେପି ନେତାମାନେ ଦାବୀ କରୁଛନ୍ତି ।
ବାଘଙ୍କ ଅସହଯୋଗ କାରଣରୁ ଏବେ ବେଚାରା ମଧୁସୂଦନର ଜୀବିକା ସଙ୍କଟରେ ପଡ଼ିଯାଇଛି। ବାଘ ତ ଜଙ୍ଗଲର ରାଜା । ସେ କାହିଁ କେଉଁ ପ୍ରଧାନମନ୍ତ୍ରୀଙ୍କୁ ସଲାମୀ ଦେବାକୁ ଆସିବ । ସେ ତାର ସାମ୍ରାଜ୍ୟରେ ରହିଛି। ଏଇ ସରଳ କଥାଟିକୁ ମୋଦୀ ଭକ୍ତ ବୁଝୁନାହାନ୍ତି କାହିଁକି? ବାଘ ଯଦି ପ୍ରଧାନମନ୍ତ୍ରୀଙ୍କ କଥା ଶୁଣୁ ନାହିଁ, ସେ କଣ ବିରୋଧୀ ଦଳ ନେତାଙ୍କ କଥା ଶୁଣୁଛି କି?
ପ୍ରଧାନମନ୍ତ୍ରୀ ମୋଦୀଙ୍କର ତିନୋଟି ବିଶେଷ ସଉକି ରହିଛି।
୧. ସେ ଦୈନିକ ଡଜନେରୁ ଅଧିକ ଥର ପୋଷାକ ବଦଳେଇବାକୁ ଭଲପାଆନ୍ତି ।
୨. ସେ ନିଜ ବିଶାଳ ସୁରକ୍ଷା ବାହିନୀ ସହିତ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଭଳି ପରିଭ୍ରମଣ ରେ ଯାଆନ୍ତି। ତାଙ୍କ ଯା'ଆସ ଖର୍ଚ୍ଚ ଆମ ପକେଟରୁ ଯାଇଥାଏ ।
୩. ତାଙ୍କର ଫଟୋ ନିଶା ପ୍ରବଳ। ତାଙ୍କ ଫଟୋ ସେସନ୍ ଆଗରେ ବଲିଉଡ୍ ତାରକା ମଧ୍ୟ ଫିକା ପଡିଯିବେ ।
ବାନ୍ଦିପୁରା ବାଘ ଅଭୟାରଣ୍ୟରେ ସେଦିନ ମୋଦୀଙ୍କର ବହୁତ ଫଟୋ ଭାଇରାଲ୍ ହେଉଛି। ଶିକାରୀ ଟୋପି, ଜ୍ୟାକେଟ ଓ ସୁଟ୍ ରେ ମୋଦୀ ଫିଟ୍ ଲାଗୁଛନ୍ତି। ତଥାପି ବାଘ ନ ଆସିଲେ କି ମଜା !!
ତେବେ ମୋଦୀଙ୍କୁ ବାଘ ଦେଖାଇବାର ଦାୟିତ୍ଵ କାହାର ? ଡ୍ରାଇଭର ମଧୁସୂଦନ ଚାହିଁଲେ ବାଘମାନେ ମୋଦୀଙ୍କ ସହିତ ହାତ ମିଳାଇବାକୁ ଆସିଥାନ୍ତେ, ତେଣୁ ବେଚାରା ମଧୁସୂଦନ ହିଁ ଖଳନାୟକ ବୋଲି ଏବେ ବିଜେପି ଭକ୍ତମାନେ କହୁଛନ୍ତି । କର୍ଣ୍ଣାଟକ ନିର୍ବାଚନ ସମୟରେ ବାଘମାର୍କା ପ୍ରଧାନମନ୍ତ୍ରୀଙ୍କର ଗୋଟେ ଫଟୋ ହୋଇପାରିଲା ନାଇଁ, ଏଇଟା କମ ଦୁଃଖର କଥା ନୁହେଁ !!
କର୍ଣ୍ଣାଟକର ବନ ବିଭାଗ ଅଧିକାରୀମାନେ କହୁଛନ୍ତି, ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବାଘମାନେ ଦେଖାଗଲେ ନାହିଁ । ଏହା ଅତି ସାଧାରଣ କଥା । ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା ଦଳ ବାରମ୍ବାର ଏହି ଅଭୟାରଣ୍ୟରେ ସିକ୍ୟୁରିଟି ଡ୍ରିଲ କରିଥିବେ । ପ୍ରଧାନମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀଙ୍କ ଲାଗି ଗୋଟେ ଲାମ୍ବା କାର୍କେଡ ବାରମ୍ବାର ଯିବା ଆସିବା କରିଥିବ । ବନ୍ୟଜନ୍ତୁ ରହୁଥିବା ଅଞ୍ଚଳରେ ଏ ପ୍ରକାର ଯାତାୟାତ ଆଦୌ ଗ୍ରହଣୀୟ ନୁହେଁ । ବାଘଙ୍କୁ ଦେଖିବାର ସଉକ ଯଦି ପ୍ରଧାନମନ୍ତ୍ରୀଙ୍କର ଥିଲା ତା ହେଲେ ସେ ବିନା ସୁରକ୍ଷା ବ୍ୟବସ୍ଥାରେ ଚୁପଚାପ ସେଠିକି ଯିବା କଥା । ତେବେ ଏସପିଜି ପ୍ରୋଟୋକଲ ଭିତରେ ତାହା ସମବାହାବା ନୁହେଁ ।
ଅଭୟାରଣ୍ୟ ଭିତରେ ପ୍ରଧାନମତ୍ରୀ “ରାଜାବାବୁ” ବେଶରେ ଫଟୋ ଉଠାଇବାର ପିଲାଳିଆ ଆଗ୍ରହକୁ ଦମନ କରିବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ବାଘ ଦେଖିବାର ଆଗ୍ରହ ଯୋଗୁଁ ବେଚାର ମଧୁସୂଦନର ଚାକିରୀ ଓ ଜୀବିକା ଚାଲିଗଲେ, ତାହା ଅମାନବୀୟ ହେବ । ଯେଉଁ ବିଜେପି ଭକ୍ତମାନେ ମଧୁସୂଦନକୁ ବାଘ ନ ଆସିବା ପାଇଁ ଦାୟୀ ବୋଲି କହୁଛନ୍ତି, ସେମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ବାଘ ମୁଖା ଲଗାଇ ନାଚିଲେ ହୁଏତ ପ୍ରଧାନମନ୍ତ୍ରୀ ଖୁସି ହୋଇପାରନ୍ତି !!