କଂଗ୍ରେସକୁ ନେଇ ଗଣମାଧ୍ୟମ ଆଭିମୁଖ୍ୟ ଏବେବି ନକାରାତ୍ମକ

କଂଗ୍ରେସକୁ ନେଇ ଗଣମାଧ୍ୟମ ଆଭିମୁଖ୍ୟ ଏବେବି ନକାରାତ୍ମକ

ଏପ୍ରିଲ ୧୧ ତାରିଖରେ ଲୋକସଭାର ସଦସ୍ୟ ପଦରୁ ବହିଷ୍କୃତ ହୋଇଥିବା ରାହୁଲ ଗାନ୍ଧି ନିଜ ନିର୍ବାଚନ ମଣ୍ଡଳୀ କେରଳର ୱାଇନାଡ୍ ଯାଇଥିବା ସମୟରେ ଯେପରି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ହାସଲ କଲେ ତାହାକୁ ନ୍ୟୁନ କରିବା ପାଇଁ ଜାତୀୟ ଗଣମାଧ୍ୟମମାନେ ସେହିଦିନ ରାଜସ୍ଥାନରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍ ରାଜ୍ୟର କଂଗ୍ରେସ ସରକାର ପୂର୍ବତନ ବିଜେପିର ବସୁନ୍ଧରା ରାଜେ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିନଥିବାରୁ ଅନଶନରେ ବସିବା ଘଟଣାକୁ ଅଧିକ ପ୍ରାଧାନ୍ୟ ଦେଇ ପ୍ରକାଶ କରିଥିଲେ । ଯଦିଓ ରାହୁଲ ଗାନ୍ଧିଙ୍କ ୱାଇନାଡ୍ ଗସ୍ତ ଓ ସେଠାରେ ତାଙ୍କୁ ମିଳିଥିବା ବିପୁଳ ସମର୍ଥନ ପ୍ରମାଣ କରିଥିଲା ଯେ ଲୋକସଭାରୁ ତାଙ୍କୁ ଯେପରି ବହିଷ୍କାର କରାଯାଇଛି ତାହାକୁ ୱାଇନାଡ୍‌ର ଜନସାଧାରଣ ଅଗ୍ରାହ୍ୟ କରିଦେଇଛନ୍ତି ।

ଆଦାନୀ ଗ୍ରୁପ୍ ବିରୋଧରେ ରାହୁଲ ଗାନ୍ଧିଙ୍କ କ୍ରମାଗତ ଆକ୍ରମଣ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ତାଙ୍କର ସଂପର୍କ ନେଇ ଯେଉଁସବୁ ପ୍ରଶ୍ନ ପଚାରି ଚାଲିଛନ୍ତି, ତାହା ବିଜେପିକୁ କ୍ରୋଧିତ କରିଛି । ସେଥିପାଇଁ ପାର୍ଲାମେଂଟର ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗରେ ସରକାରୀ ଦଳ ରାହୁଲ ଗାନ୍ଧି ଲଣ୍ଡନ ଗସ୍ତ ସମୟରେ ଦେଶର ଗଣତନ୍ତ୍ର ପ୍ରତି ବିପଦ ଦେଖାଦେଇଥିବା ନେଇ ଯେଉଁସବୁ ମନ୍ତବ୍ୟ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଓ ଲଣ୍ଡନସ୍ଥିତ ଭାରତୀୟ ସାମ୍ବାଦିକମାନଙ୍କ ଆସୋସିଏସନ୍‌ରେ କହିଥିଲେ, ସେଥିରେ ଭାରତର ସମ୍ମାନ କ୍ଷୁଣ୍ଣ ହୋଇଥିôବାରୁ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ପ୍ରଥମରୁ ଦାବି ଜଣାଇ ଗୃହ ଅଚଳ କରିଦେଇଥିଲେ ।

ବିରୋଧୀ ପକ୍ଷ ମିଳିତ ଭାବରେ ଆଦାନୀ ପ୍ରକରଣ ଉପରେ ମିଳିତ ସଂସଦୀୟ କମିଟି ଗଠନ ଦାବି କରି ମୋଦି-ଆଦାନୀ ଭାଇ ଭାଇ ସ୍ଲୋଗାନ୍ ଦେବାରୁ ବଜେଟ୍ ଅଧିବେଶନରେ କୌଣସି ବିତର୍କ ଆଲୋଚନା ହୋଇପାରିନଥିଲା । ଏପରିକି ୪୫ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ବଜେଟ୍ ଓ ଅର୍ଥ ବିଲ୍ ବିନା ଆଲୋଚନାରେ ଗୃହୀତ ହେଲା । କିନ୍ତୁ ସେହି ସମୟରେ ଏକ ମାନହାନି ମକଦ୍ଦମାରେ ଗୁଜରାଟର ଏକ ଅଦାଲତ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ୍ ଦଣ୍ଡ ଆଦେଶ ଦେବା, ଯାହାକି କୌଣସି ମାନହାନି ମକଦ୍ଦମାରେ ସର୍ବାଧିକ ଦଣ୍ଡାଦେଶ ଓ ଯେଉଁ ଦଣ୍ଡାଦେଶ ରାହୁଲ ଗାନ୍ଧିଙ୍କ ସଭ୍ୟପଦ ଚାଲିଯିବା ପାଇଁ ଯଥେଷ୍ଟ ତାହା ପ୍ରକାଶ କରିବାର ୨୪ ଘଂଟା ଭିତରେ ରାହୁଲଙ୍କ ସଦସ୍ୟ ପଦ ଚାଲିଯାଇଥିଲା । ବାଚସ୍ପତିଙ୍କ ନିକଟରେ ଏଥିପାଇଁ ସମୟ ଥିଲେ ମଧ୍ୟ ସେ ସଂଗେ ସଂଗେ ଏହି ଆଦେଶ ଦେବା ଓ ଆଦେଶ ଦେବାର ଗୋଟିଏ ଦିନ ଭିତରେ ଲୋକସଭା ସଦସ୍ୟ ଭାବରେ ରାହୁଲ ଗାନ୍ଧି ପାଇଥିବା ବଙ୍ଗଳା ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ଘଟଣା ସାରା ଦେଶରେ ଗଭୀର ଆଲୋଚନା ସୃଷ୍ଟି କରିଥିଲା ।

ଏହା ଭିତରେ ରାହୁଲ ଗାନ୍ଧିଙ୍କ ଦଣ୍ଡାଦେଶ ବିରୋଧରେ ଯେଉଁ ସ୍ଥଗିତାଦେଶ ଉଚ୍ଚ ଅଦାଲତ ପ୍ରଦାନ କରିଛନ୍ତି, ତାହା ଉପରେ ୧୩ ତାରିଖରେ ପୂର୍ଣ୍ଣାଙ୍ଗ ଶୁଣାଣୀ ହେବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ରାହୁଲ ଗାନ୍ଧି ଏଥିପ୍ରତି ଆଦୌ ଭୃକ୍ଷେପ ନକରି ନିଜ ନିର୍ବାଚନ ମଣ୍ଡଳୀ ୱାଇନାଡ୍‌କୁ ଗସ୍ତ କରି ଲୋକମାନଙ୍କ ଭିତରେ ତାଙ୍କପ୍ରତି ଥିବା ସମର୍ଥନ ପ୍ରଦର୍ଶିତ କରିବା ସହିତ ଆଦାନୀଙ୍କ ବିରୋଧରେ ତାଙ୍କର ଅଭିଯାନ ବନ୍ଦ ହେବ ନାହିଁ ଓ ୱାଇନାଡ୍ ଲୋକମାନଙ୍କ ପ୍ରତି ପ୍ରତିବଦ୍ଧତା କାଏମ ରହିବ ବୋଲି ପ୍ରକାଶ କରିଥିଲେ । ଜାତୀୟ ରାଜନୀତି ଦୃଷ୍ଟିରୁ ଏହାର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ‘ସତ୍ୟେମେବ ଜୟତେ’ ବ୍ୟାନ୍‌ରରେ ୱାଇନାଡ୍‌ରେ ରାହୁଲଙ୍କ ରୋଡ୍ ଶୋ’ରେ ବହୁ ସଂଖ୍ୟାରେ ଲୋକ ପ୍ଲାକାର୍ଡ ଧରି ତାଙ୍କର ଘର ରାହୁଲଙ୍କ ପାଇଁ ରହିଛି ବୋଲି ଜଣାଇଦେଇଥିଲେ । କିନ୍ତୁ ଜାତୀୟ ଗଣମାଧ୍ୟମମାନେ ଏହାକୁ କମ୍ ଗୁରୁତ୍ୱ ଦେଇ କିପରି ଭାବରେ ରାଜସ୍ଥାନରେ କଂଗ୍ରେସ ଭିତରେ ଗୁରୁତର ଦ୍ୱନ୍ଦ୍ୱ ଦେଖାଦେଇଛି, ତାହାକୁ ପ୍ରତିପାଦନ କରିବା ପାଇଁ ସଚିନ ପାଇଲଟ୍‌ଙ୍କ ଅନଶନକୁ ପ୍ରାଧାନ୍ୟ ଦେଇଥିଲେ । ରାତ୍ରୀକାଳିନ ବିତର୍କରେ ଏହି ଦୁଇଟି ବିଷୟକୁ ଏପରି ଭାବରେ ନିଆଗଲା, ଯେପରି କି ରାହୁଲଙ୍କ ଗୁରୁତ୍ୱ ହ୍ରାସ ପାଇଥିବା ଧାରଣା ହେବ । ଯଦିଓ ସଚିନ ପାଇଲଟ୍ ଏହି ଅନଶନ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ଓ ତାଙ୍କର ଅନଶନ ପୂର୍ବ ବିଜେପି ସରକାରର ଦୁର୍ନୀତିର ତଦନ୍ତ ପାଇଁ ଉଦ୍ଦିଷ୍ଟ ଥିଲା । ରାଜସ୍ଥାନରେ ୨୦୧୮ରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ସଚିନ ପାଇଲଟ୍ ରାଜସ୍ଥାନ ପ୍ରଦେଶ କମିଟିର ସଭାପତି ଥିଲେ ।

ବସୁନ୍ଧରା ରାଜେ ସରକାର ବିରୋଧରେ ଦୁର୍ନୀତିର ଅଭିଯୋଗଗୁଡ଼ିକ ଉପରେ କଂଗ୍ରେସ ସରକାର ଗଠନ କଲେ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଯେହେତୁ ଗତ ୪ବର୍ଷ ଭିତରେ ଏ ଦିଗରେ କିଛି କାର୍ଯ୍ୟ ହୋଇନାହିଁ, ତେଣୁ ରାଜସ୍ଥାନରେ ଆଗାମୀ ୬ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସଚିନ ପାଇଲଟ୍ ସେହି ପୂର୍ବ ପ୍ରସଂଗକୁ ଆଣିବା ଜରିଆରେ ତାଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ବିଷୟରେ ସମସ୍ତଙ୍କୁ ଜଣାଇଦେବାକୁ ଚାହାଁନ୍ତି । ସଚିନ ପାଇଲଟ୍ କଂଗ୍ରେସର ସବୁଠାରୁ ଆକର୍ଷଣୀୟ ଯୁବ ଚେହେରା । କିନ୍ତୁ ରାଜସ୍ଥାନ କଂଗ୍ରେସରେ ବିଧାୟକମାନଙ୍କ ସମର୍ଥନ ହାସଲରେ ଅଶୋକ ଗେହଲଟ୍ ଜଣେ ପୁରୁଖା ନେତା ଭାବରେ ସଫଳତା ପାଇଛନ୍ତି । କେବଳ ସେତିକି ନୁହେଁ, ପୂର୍ବ ସରକାରର ଦୁର୍ନୀତି ବିରୋଧରେ ସେ ତଦନ୍ତ କରିବାରେ ବିଫଳ ହେଲେ ମଧ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକରେ ରାଜସ୍ଥାନବାସୀଙ୍କ ଓ ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ତାଙ୍କ ସରକାରକୁ ଭାଙ୍ଗିଦେବା ପାଇଁ ମଧ୍ୟପ୍ରଦେଶ ଢାଞ୍ଚାରେ ଉଦ୍ୟମ ହୋଇଥିବା ସମୟରେ ସେ ତାହାକୁ ସଫଳତାର ସହିତ ମୁକାବିଲା କରିଛନ୍ତି ଓ ଏହି ଘଟଣାରେ ସଚିନଙ୍କ ଭାବମୂର୍ତ୍ତୀରେ କିଛିଟା ଆଞ୍ଚ ଆସିଛି । କିନ୍ତୁ ସଚିନଙ୍କ ପ୍ରତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସବୁ ସମୟରେ ସମର୍ଥନ ଓ ସହାନୁଭୂତି ରହିଥିଲେ ମଧ୍ୟ ବିଧାୟକମାନଙ୍କ ଭିତରେ ଅଶୋକ ଗେହଲଟ୍‌ଙ୍କ ସମର୍ଥନ ଭିତ୍ତିଭୂମି ଯୋଗୁ ଗେହଲଟ୍‌ଙ୍କ ସ୍ଥାନରେ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ସାହସ କରିପାରି ନାହାନ୍ତି । ଗେହଲଟ୍‌ଙ୍କୁ ଏଆଇସିସି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବାର ସମସ୍ତ ଚେଷ୍ଟା ବିଫଳ ହେବା ପରେ ମଲ୍ଲିକାର୍ଜୁନ ଖଡ଼ଗେ ସଭାପତି ଦାୟିତ୍ୱ ନେଇଛନ୍ତି । ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ ଯାତ୍ରା ସମୟରେ ଗେହଲଟ୍ ଓ ସଚିନଙ୍କ ବିବାଦକୁ ଏଡ଼ାଇବା ପାଇଁ ଉଭୟ କଂଗ୍ରେସ ପାଇଁ ସଂପତ୍ତି ବୋଲି ରାହୁଲ ବର୍ଣ୍ଣନା କରିଥିଲେ ଓ ଦୁଇଜଣ ଯାକ ନେତା ରାହୁଲଙ୍କ ଭାରତଯୋଡ଼ ଯାତ୍ରାରେ ସାମିଲ ହୋଇଥିଲେ । ଅବଶ୍ୟ କଂଗ୍ରେସ ନେତୃତ୍ୱ ସଚିନଙ୍କ ଅନଶନକୁ ଏକ ଦଳ ବିରୋଧୀ କାର୍ଯ୍ୟ ବୋଲି ପୂର୍ବରୁ ବର୍ଣ୍ଣନା କରିବାର କୌଣସି ଆବଶ୍ୟକତା ନଥିଲା । ସେମାନେ ଲକ୍ଷ୍ୟ କରିବା କଥା ଯେ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ସଭାପତି ହେବାର ୪ମାସ ବିତିଯାଇଥିଲେ ମଧ୍ୟ କଂଗ୍ରେସ କାର୍ଯ୍ୟକାରୀ କମିଟି ଓ ଅନ୍ୟ କର୍ମକର୍ତ୍ତା ମନୋନୀତ ହୋଇପାରୁ ନାହାନ୍ତି । ଯଦିଓ ଗତ ଏଆଇସିସି ଅଧିବେଶନରେ ତାଙ୍କୁ ଏଥିପାଇଁ ଦଳ କ୍ଷମତା ପ୍ରଦାନ କରିଛି । କାର୍ଯ୍ୟକାରୀ କମିଟି ସହିତ କର୍ମକର୍ତ୍ତା ମନୋନୟନରେ ଅସୁବିଧାର ମୁଖ୍ୟ କାରଣ ହେଲା ଯେ ସବୁ ପଦାଧିକାରୀମାନଙ୍କ ଭିତରେ ୫୦ ଭାଗ ଯୁବ ଗୋଷ୍ଠୀର ସଦସ୍ୟଙ୍କୁ ଅର୍ଥାତ୍ ଯେଉଁମାନଙ୍କ ବୟସ ୫୦ବର୍ଷରୁ କମ୍ ସେମାନଙ୍କୁ ନିଆଯିବା ପାଇଁ ଉଦୟପୁର ବିଚାରରେ ଯେଉଁ ନିଷ୍ପତ୍ତି ହୋଇଥିଲା ତାହା ଏବେ କଂଗ୍ରେସର ନିୟମରେ ସଂଶୋଧନ କରାଯାଇ ଭର୍ତ୍ତି କରାଯାଇଛି । ସେହିପରି ପଦାଧିକାରୀମାନଙ୍କ ଭିତରୁ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ମହିଳାମାନଙ୍କୁ ଯେଉଁପରି ଭାବରେ ସଂରକ୍ଷିତ ଆସନ ଦିଆଯିବ ତାହା ମଧ୍ୟ ନିୟମରେ ଉଲ୍ଲେଖ ରହିଛି ।

ଏପରି ଅବସ୍ଥାରେ ସଚିନ ପାଇଲଟ୍‌ଙ୍କ ପରି ଜଣେ ଯୁବ ଓ ପଛୁଆବର୍ଗର ନେତା, ଯିଏକି ଜାତୀୟ ସ୍ତରରେ ନେତୃତ୍ୱ ନେବାର ଦକ୍ଷତା ରହିଛି ତାଙ୍କ ପ୍ରତି ଦଳ କଠୋର ହେବା ସହଜ ନୁହେଁ । ଯେଉଁମାନେ ରାଜସ୍ଥାନ ରାଜନୀତିକୁ ଲକ୍ଷ୍ୟ କରୁଛନ୍ତି, ସେମାନଙ୍କର ମତ ହେଲା ଯେ ସେଠାରେ ପ୍ରତି ୫ବର୍ଷରେ ସରକାର ପରିବର୍ତ୍ତନର ଯେଉଁ ଧାରା ରହିଛି ତାହା କେବଳ ତାହା କେବଳ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍‌ଙ୍କ ଭିତରେ ଐକ୍ୟ ପ୍ରତିଷ୍ଠା ଦ୍ୱାରା ପରିବର୍ତ୍ତନ ହୋଇପାରିବ । ଅର୍ଥାତ୍ କଂଗ୍ରେସ ସେଠାରେ ପୁଣିଥରେ କ୍ଷମତାକୁ ଆସିବାକୁ ହେଲେ ଅଶୋକ ଗେହଲଟ୍‌ଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସହିତ ସଚିନ ପାଇଲଟ୍‌ଙ୍କ ପରି ଯୁବ ନେତୃତ୍ୱର ଆବଶ୍ୟକତା ରହିଛି । ବିଶେଷ ଭାବେ କଂଗ୍ରେସ ଭବିଷ୍ୟତ ଗଠନରେ ରାହୁଲ ଗାନ୍ଧିଙ୍କ ସହିତ ଯେଉଁ ନେତାମାନଙ୍କର ସଂପୃକ୍ତି ଆବଶ୍ୟକ ସେଥିରେ ସଚିନ ପାଇଲଟ୍‌ଙ୍କ ନାଁ ନିଶ୍ଚିତ ଅଗ୍ରଭାଗରେ ରହିବ । କିନ୍ତୁ ରାଜସ୍ଥାନ ସମସ୍ୟାକୁ କଂଗ୍ରେସ ନେତୃତ୍ୱ କିପରି ସମାଧାନ କରୁଛି ବା ଦୁଇ ଗୋଷ୍ଠୀ ଭିତରେ ବିଭାଜନ ପାଇଁ ରାସ୍ତା ସଫା କରିଦେଉଛି, ତାହା ଉପରେ ଭବିଷ୍ୟତ ନିର୍ଭର କରିବ । କିନ୍ତୁ ରାହୁଲଙ୍କ ୱାଇନାଡ୍ ଗସ୍ତ ସହିତ ରାଜସ୍ଥାନ କଂଗ୍ରେସ ଘଟଣାକୁ ଜାତୀୟ ଗଣମାଧ୍ୟମମାନେ ମିଳିତ ଭାବରେ ଯେପରି ଉପସ୍ଥାପିତ କରୁଛନ୍ତି, ତାହା ବାସ୍ତବତା ନୁହେଁ । ଗଣମାଧ୍ୟମଗୁଡ଼ିକ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧିଙ୍କୁ କ୍ରମାଗତ ଭାବରେ ଦୁର୍ବଳ କରିବା ପାଇଁ ଓ ତାଙ୍କର ଭାବମୂର୍ତ୍ତୀ କ୍ଷୁଣ୍ଣ କରିବା ପାଇଁ ଯେଉଁ ଚେଷ୍ଟା ଚଳାଇ ଆସିଛନ୍ତି, ସେଥିରେ ୨୦୨୪ ନିର୍ବାଚନ ପୂର୍ବରୁ କୌଣସି ପରିବର୍ତ୍ତନ ଯେ ହେବ ନାହିଁ, ତାହା ୧୧ ତାରିଖ ଘଟଣାବଳିରେ ସ୍ପଷ୍ଟ ଜଣାପଡିଛି । କିନ୍ତୁ ଗଣମାଧ୍ୟମମାନଙ୍କ ଠାରୁ ଗଣମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଗଣମାନଙ୍କ ନିକଟରେ ତଥ୍ୟ ପହଞ୍ଚାଇବାର ଏକ ବ୍ୟାପକ ଦାୟିତ୍ୱ କେବଳ କଂଗ୍ରେସ ଦଳ କରିପାରିବ ନାହିଁ ।