କିଏ ଏମାନେ, ଯେଉଁମାନେ ବାଣୀ ବିହାରରେ ଖୋଲାଖୋଲି ଗୁଣ୍ଡାଗିରି କରୁଛନ୍ତି ?

କିଏ ଏମାନେ, ଯେଉଁମାନେ ବାଣୀ ବିହାରରେ ଖୋଲାଖୋଲି ଗୁଣ୍ଡାଗିରି କରୁଛନ୍ତି ?

ଗତକାଲି ବାଣୀ ବିହାର ପରିସରରେ ଓଡିଶା ସିଟିଜନ୍ସ ଫୋରମ ତରଫରୁ ଆୟୋଜିତ ଏକ ଆଲୋଚନାଚକ୍ର ଭିତରକୁ ହଠାତ ଧସାଇ ପଶି ସେଠାରେ ଭାଷଣ ଦେଉଥିବା ଅଧ୍ୟାପକ ଓ ଶିକ୍ଷାବିତମାନଙ୍କୁ କିଛି ଗୁଣ୍ଡା ମାଡ ମାରିଥିବାର ଭିଡିଓ ଏବେ ଭାଇରାଲ ହେଉଛି । ନିଜକୁ ଏକ ଦକ୍ଷିଣପନ୍ଥି ଛାତ୍ର ସଂଗଠନର ନେତା କହୁଥିବା ଏହି ଯୁବକମାନେ ବାଣୀ ବିହାର ଛାତ୍ର ନୁହନ୍ତି ବୋଲି ଏବେ ସ୍ପଷ୍ଟ ହୋଇଯାଇଛି । ଭୁବନେଶ୍ୱର ପୁଲିସ ଆଜି ଯେଉଁ ଦୁଇଜଣଙ୍କୁ ଏହି  ମାମଲାରେ ଗିରଫ କରିଛି ସେମାନଙ୍କ ନାମ ମାନସ ସାହୁ ଏବଂ ସଞ୍ଜୟ ମଲ୍ଲିକ ବୋଲି ଜଣା ପଡିଛି । ଗଣମାଧ୍ୟମରେ ଏହାକୁ ଛାତ୍ର ଅଶାନ୍ତି ବୋଲି ଚିତ୍ରଣ କରାଯାଉଛି ଓ ଏମାନେ ଜୱାହରଲାଲ ବିଶ୍ଵ ବିଦ୍ୟାଳୟର ପ୍ରଫେସର ସ୍ମରଜିତ ମଜୁମଦାରଙ୍କ ଭାଷଣର ବିରୋଧରେ ପ୍ରତିବାଦ କରିବା କଥା କୁହାଯାଉଛି । ତେବେ ଏହା ଆଦୌ ଛାତ୍ର ଅଶାନ୍ତି ନୁହଁ, ବରଂ ଭାରତୀୟ ଜନତା ପାର୍ଟିର କେତେଜଣ କର୍ମକର୍ତ୍ତାଙ୍କର ଏହା ଅସହିଷ୍ଣୁ ଏବଂ ହିଂସ୍ର ଗୁଣ୍ଡାମି ବୋଲି ସ୍ପଷ୍ଟ ହୋଇଯାଇଛି

ରବିବାର ଏହି ଗଣ୍ଡଗୋଳର ମୁଖ୍ୟ କାର୍ପଟଦାର ମାନସ କୁମାର ସାହୁ ପଞ୍ଚାୟତ ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ ବୋଲି କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ ସପ୍ରମାଣ ଅଭିଯୋଗ କରିଛନ୍ତି । ବାଣୀ ବିହାରରେ ଯେଉଁ ଆଲୋଚନା ଚକ୍ର ଚାଲିଥିଲା ସେଥିରେ ରାଜ୍ୟର ବହୁ ପ୍ରମୁଖ ବୁଦ୍ଧିଜୀବୀ ଏବଂ ଲେଖକ ଯୋଗଦାନ କରିଥିଲେ । ୯୩ ବର୍ଷର ବର୍ଷିଆନ ଶିକ୍ଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଭଳି ଅଭିଭାବକଙ୍କ ଆଗରେ ଯେଉଁ  ପ୍ରକାର ହିଂସାକାଣ୍ଡ ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଜେଏନୟୁ ପ୍ରଫେସର ସ୍ମରଜିତ ମଜୁମଦାର ଦେଶର ଗଣତନ୍ତ୍ର ସଙ୍କଟରେ ଅଛି ବୋଲି କହିବାରୁ ଏ ପ୍ରକାର ଗଣ୍ଡଗୋଳ ଘଟିଲା ବୋଲି ଯାହା କୁହାଯାଇଛି, ତାହା ତାଙ୍କ କଥା କୁ ଅଧିକ ପ୍ରମାଣିତ କରୁଛି । ଦେଶର ଗଣତନ୍ତ୍ର ଏ ଭଳି ଗୁଣ୍ଡାଙ୍କ ହାତରେ ସୁରକ୍ଷିତ ରହିବ କେମିତି ?

ଗୋଟେ ଆଲୋଚନା ଚକ୍ରରେ ବରିଷ୍ଠ ଅଧ୍ୟାପକମାନଙ୍କୁ ମାଡ ମାରିବାର ନିର୍ଲଲତାକୁ ଦେଶପ୍ରେମ ବୋଲି କହିବାର ହାସ୍ୟାସ୍ପଦ ଉଦ୍ୟମ ଏବେ ଚାଲିଛି । ଭିଡିଓ ରେ ଦେଖାଯାଉଛି, ମାନସ ସାହୁ ଓ ତାଙ୍କର ସହଯୋଗୀମାନେ ଅଧ୍ୟାପକ ଏବଂ ଆୟୋଜକମାନଙ୍କୁ ମାଡ ମାରୁଛନ୍ତି । ଖୋଲାଖୋଲି ଗୁଣ୍ଡାମି କରିସାରିଲା ପରେ ନିଜର ବାହୁବଳ ଦେଖାଇ ଏମାନେ ଗଣମାଧ୍ୟମର କ୍ୟାମେରା ଆଗରେ ମିଛ କହୁଛନ୍ତି । ଏକ ଟେଲିଭିଜନ କ୍ୟାମେରା ଆଗରେ ମୋ ହାତ ଖଣ୍ଡିଆ ହୋଇଛି ବୋଲି ଦେଖାଇବାକୁ ଯାଇ ମାନସ ସାହୁ ନିଜର ବାହୁବଳ ବୋଧେ ଦେଖାଇବାକୁ ଚେଷ୍ଟା କରୁଥିଲେ । ଏ ପ୍ରକାର ଗୁଣ୍ଡା ଚରିତ୍ରର ବ୍ୟକ୍ତି ବିଜେପିର ଟିକଟ ପାଇ ନିର୍ବାଚନ ଲଢିବା ଦଳର ନୀତିକୁ ପ୍ରମାଣିତ କରୁଛି କି ?

ଭାରତ ଏକ ଗଣତାନ୍ତ୍ରିକ ଦେଶ । ଏ ଦେଶରେ ସବୁ ରାଜନୈତିକ ବିଚାର ରହିବେ ଓ ସବୁ ରାଜନୈତିକ ବିଚାର ପାଇଁ ଏଠି ସମାନ ସ୍ଥାନ ରହିବ । କ୍ଷମତାରେ ଥାଇ ଗୋଟେ ଦଳ ଆଉ ଗୋଟେ ଦଳର ତଣ୍ଟି ମୋଡିବାକୁ ଅଧିକାର ପାଇନାଇଁ । ବହୁଦିନରୁ ଦେଖାଯାଉଛି, ସଂଘ ପରିବାରର ଛାତ୍ର ସଂଗଠନ ଏବିଭିପି ଅନ୍ୟ ସଂଗଠନ ଗୁଡିକର ସଭାରେ ପଶି ଗଣ୍ଡଗୋଳ ଭିଆଇବାକୁ  ନିଜର ଅଧିକାର ବୋଲି ଭାବି ନେଇଛନ୍ତି। କାଲି ସମାନ କଥା ଯଦି ଅନ୍ୟ ସଂଗଠନ ଗୁଡିକ କରନ୍ତି, ତାହେଲେ ଏକ ଅରାଜକ ପରିସ୍ଥିତି ସୃଷ୍ଟି ହେବ ନାଇଁ କି ? ଗୋଟେ ଆଲୋଚନାଚକ୍ରରେ ବିତର୍କ ହୋଇପାରିବ । ପ୍ରଫେସର ମଜୁମଦାରଙ୍କ ସହିତ ବିତରକ ନକରି ତାଙ୍କୁ ଆକ୍ରମଣ କରିବାର ଅଧିକାର କାହାର ନାହିଁ

ଓଡିଶା ପୁଲିସ ଏ କ୍ଷେତ୍ରରେ ଦୁଇଜଣଙ୍କୁ ଗିରଫ କରିସାରିଥିବା ବେଳେ ଅନ୍ୟ ଗଣ୍ଡଗୋଳକାରୀଙ୍କୁ ତୁରନ୍ତ ଗିରଫ କରିବା ଉଚିତ । ଏହା ପୂର୍ବରୁ ହେତୁବାଦୀଙ୍କ ଉପରେ ମଧ୍ୟ ଏ ପ୍ରକାର ଆକ୍ରମଣ ଘଟିଥିଲା । ସେତେବେଳେ ପୁଲିସ କାର୍ୟାନୁଷ୍ଠାନ ଆଶାନୁରୂପ ହୋଇନଥିବାରୁ ଗୁଣ୍ଡାମାନଙ୍କର ସାହସ ବଢିଯାଉଛି ।