ନିଜ ନିଜ ସମୁଦ୍ର, ନିଜ ନିଜ ଛାଇ
ପାକଳ ଅନ୍ଧାର ଟିକେ ଲୋଡା
ଭେଟିବାକୁ ଆଲୁଅକୁ ଆକାଶରେ !
ଆମ ଦୃଷ୍ଟିରେ ଅଛି
ପରଳ ଢଙ୍କା ଅମାପ
ଅନ୍ଧାର ଏଇ ମାଟିରେ !
ଭାବୁଚ କି, ତୁମେ ଗୋଟେ
ଅଖଣ୍ଡ ସୂର୍ଯ୍ୟ ଆକାଶରେ
ବାକି ଯା' ସବୁ ବଚା କୁଚା
ଜୁଳୁଜୁଳ। ପୋକ ମାଟିରେ !!
ଘମଣ୍ଡର ଗିରି ବାଙ୍କରୁ ଥାଇ
କେମିତି କଳି ହେବ ହୋ '..
ଅନ୍ଧାରର ସାନ୍ଧ୍ରତା କି, ଆଲୁଅର ଉଜ୍ଜ୍ଜଳତା??
ବଉଳରୁ ଚଣା
ଚଣାରୁ ଫଳ ପାଚିବାର ଗୀତ ରଚିଥିବା
ନିରିହତା ର ଦୃଷ୍ଟି ମାନଙ୍କ ପକ୍ଷ ଛେଦି...
ନିଜେ ନିଜ ଉର୍ଦ୍ଧ୍ଵ ଉଡ଼ାଣରେ ମାତିଯିବାକୁ
କଣ ଉଡାଣ କହିବା?
ଗୋଟେ ପଂଗତରେ ବସି ଖାଇବା
ଗୋଟେ ଦଳ ହେଇ ଉଡ଼ିବା
ଶିଖିଲେତ ଯାଇ;
ଦୀପଟିଏ ଜାଳି ଅନ୍ଧାରର ତଣ୍ଟି ଚିପି ପାରିବା!
କୃତଘ୍ନ ଲୁହଙ୍କୁ ଛାଇ ନିଦରେ ରଖି
ଓଠରେ ହସଙ୍କୁ ପ୍ରଜାପତି କରି
ଉଡ଼େଇ ପାରିବା!!
ଭାରି ଅସହଜ ଲାଗେ -
ତୁମ ଆକଳନର ଆଙ୍କୁସି
ଯେତେବେଳ ଡେମ୍ଫ ଚ୍ୟୁତ କରି ସବୁଜିମା ଙ୍କୁ
ଅସ୍ନେହର କଡେଇରେ ଖରଡ଼ି ଖରଡ଼ି..
ଜଳ ଶୂନ୍ୟ କରେ !
ଭାରି ଅସହଜ ଲାଗେ -
ତୁମ ଆକଳନର ଅଳନ୍ଧୁ
ଯେତେବେଳ ଟିକି ଟିକି ସ୍ପନ୍ଦନ ମାନଙ୍କୁ
ପୁଞ୍ଜି କରି କୋଳାହଳ ହୀନ
ଗୋଟେ ଦର୍ପିଳ ଶବ୍ଦର ସ୍ଥାପତ୍ୟକୁ ବେରଙ୍ଗ କରେ !
ଭାରି ଅସହଜ ଲାଗେ -
ତୁମ ଆକଳନର ଅଦୃଶ୍ୟ କୀଟ
ଯେତେବେଳ ଶୋଷିନିଏ
ଖୁବ ଛନ୍ ଛନିଆ କାବ୍ୟ ଶସ୍ୟରୁ
ସବୁତକ କାବ୍ୟ ରସ !
ଭାରି ଅସହଜ ଲାଗେ -
ତୁମ ଆକଳନର ପରିମିତି
ଯେତେବେଳ ଭେଟେ
ତୈଳ ଖମ୍ବରେ ଜଡ଼ି ରହିଥିବା
ପିମ୍ପୁଡ଼ି ଗୋଡ଼ ଓ ତା ' ବିକଳ ଚାହାଣୀର
କରୁଣ ପରିଣତି !!
ଯେତେ ଉଚ୍ଚାଟ ହେଉ କି, ଉଦ୍ଦୀପନା
ଜଳି ଜଳି ପାଉଁଶ ହେବା ଥୟ ଜାଣ !
ଯେତେ ଅସୂୟା ହେଉ କି, ଅନୁରାଗ
ଅଦୃଶ୍ୟ କିଛି ମୁହୂର୍ତ୍ତ ଙ୍କୁ ସାଇତି
ପାହିଯିବା ହିଁ ଥୟ ଜାଣ !!
ଆମ ନିଦ ପାଇଁ ସ୍ବପ୍ନ ନାହିଁ ସତ
ଆମ ଗନ୍ତବ୍ୟର କିନ୍ତୁ ବିନ୍ଦୁଟିଏ ଅଛି ।
କିଏ ଆଗରେ ଚାଲିଛି କିଏ ପଛରେ ଚାଲିଛି
କେହି କହୁନି କି, ଆଗ ନୁହଁ ପଛ ନୁହଁ
ସମସ୍ତେ ସାଙ୍ଗ ହୋଇ ଚାଲୁଛେ !
କେହି ପଥରକୁ ଗୋଇଠା ମାରି
ନିଜ ପାଇଁ ରାସ୍ତାଟିଏ ତିଆରୁଛି
କେହି ସେହି ପଥରକୁ ହଟାଇ ଶିଳ୍ପିତ କରୁଛି ।
ସମସ୍ତଙ୍କର ନିଜ ନିଜର ଗୋଟେ ସମୁଦ୍ର ଅଛି
ସମସ୍ତଙ୍କର ନିଜ ନିଜର ଗୋଟେ ଛାଇ ଅଛି !
ହୁଏତ,ହେଇପାରେ - ତୁମ ଆକଳନ,
ଦଉଡିକୁ ସାପ ଭାବିନେବାର ଗୋଟେ ଭ୍ରମାତ୍ମକ ଦୃଷ୍ଟି !!