ରୋମର ମୃତ୍ୟୁଲେଖ
ମତେ ଲାଗୁଛି,
ମୋର ପାଦକୁ କେହିଜଣେ ଛୁଉଁଛି
ମାଟି ତଳପଟୁ !
ବଳକା କିଛି ବୀଜ ହେଇ
ଥାଇପାରନ୍ତି ଅଥବା, ହେଇ ଥାଇପାରନ୍ତି
ଶରୀରରୁ ନିଗିଡ଼ି ପଡ଼ିଥିବା କିଛି ବୁନ୍ଦା ରକ୍ତ !
ଉପର ମୁହାଁ ହେଇ ଦେଖିଲେ ଦିଶୁଚି,
ଆକାଶର ସମ୍ମୋହନୀ ଆଖିଦ୍ବୟ
ପ୍ରତି ଫାଶରେ ଯା'ର ମାୟାଜାଲ
ମତେ ମନ୍ତ୍ର ଶୁଭୁଛି
ସୁଦୂର ରୋମରୁ
ଶ୍ଲାଘା, ନିନାଦ ଓ ଅପନ୍ତରାର
ଛାତିକୁ ରୁନ୍ଧିଧରୁଛି
ଗୋଟେ କାହାଣୀ
ଯାହାର ଏକମାତ୍ର ଅନ୍ତ ପ୍ରଳୟ !
ଦିଶୁଛି ଏଇଠୁ , ମାଉଣ୍ଟ ଅଲିମ୍ପସ୍
ଚମକପ୍ରଦ ଓ ପବିତ୍ର ଅମାବାସ୍ୟାର ଚନ୍ଦ୍ର ପରି ଦିଶୁଚି
କେଇଟି ଅକ୍ଷର
ହୁଏତ ଲେଖା ହେଇ ଥାଇପାରେ ;
ସତ୍ୟ ସବୁ ପ୍ରହେଳିକା !
କାହାଣୀରୁ ଜନ୍ମିପାରନ୍ତି ନିରୋ ଓ ଅଗ୍ରିପୀନା ।
ଶୁଭିପାରେ ଗୋଟେ କୋମଳ ଧୂନ
ଲାଇରେ ଓ ବଂଶୀ ।
କାହାଣୀର ଚରିତ୍ରସବୁ ପିନ୍ଧି ଥାଇପାରନ୍ତି
ସ୍ୱତନ୍ତ୍ର ଲିବାସ୍
ଆଗତ୍ୟ ମୃତ୍ୟୁର ଆଗମନରେ
ଯେତେବେଳେ ରୋମ ଜଳି ଯାଉଥିବ
ଜଳି ଯାଉଥିବ ମୋ ଭିତରୁ
ସନ୍ଦେହ ଓ ବିଡମ୍ବନା ; ହାୟ !