ବିପରୀତ ଗପ
ଚାଷୀର ଘରଣୀ, କୁଡିଆରେ ତା' ଛୁଆକୁ ପଖାଳ ଖୋଉଥାଏ ।
' ବୋଉ! ଗପ କହ।'
'କୋଉ ଗପ ରେ ପୁଅ?'
' ସେ, ସେଦିନ ଯୋଉ କହିଥିଲୁ।'
'ରାଜା ଗପ?'
' ନା !! ସେ ରାଜା ଫାଜା ନାଇଁ।'
'ଆଉ'
' ମନ୍ତ୍ରୀ ଗପ କହ। ତାଙ୍କ ବଡ ଗାଡି କଥା କହ। କେତେ ଚାକର ବାକର କହ। ବଡ ମହଲ କଥା କହ। ଖାଇବା ସତେ
କେଡେ ସୁଆଦିଆ ହେଇଥିବ କହ।'
' ହଉ ଶୁଣୁ'
ଆଉ ମା' ଗପି ଚାଲିଲା। ସେ ଗପରେ ମଜ୍ଜିକି ତୋରାଣି ସାଥିରେ ଭାତ ବି ତାକୁ ରାଜା ମଣୋହି ଭଳି ଲାଗିଲା।
ମନ୍ତ୍ରୀଙ୍କ ଘରଣୀ ଛୁଆକୁ ଖୋଉଥିଲେ । ବାର ପ୍ରକାର ବ୍ୟଞ୍ଜନ ଦେଲେବି ପିଲାଟି ଖାଉନି । ତେଣୁ ନିଜେ ଖୋଇ ବସିଲେ ।
' ମମ୍ମି ଗପ।'
' କୋଉ ଗପ? ବାଘ ଗପ? ନା ବଡ ବଡ ଗାଡି ଗପ?'
'ନାଇଁ ଦୁଃଖ ଗପ।'
'କୋଉ ଦୁଃଖ ଗପ?'
' ସେଇ ଯୋଉ ଚାଷି ଛୁଆ ଗପ। ଖାଇବାକୁ ପାଏନି। ରାଇସ୍ ରେ ୱାଟର ଢାଳି ଖାଆନ୍ତି, ଅନିଅନ୍ ସାଥିରେ ।'
' ଓକେ ବେବି । ଗପ ଶୁଣ୍।'
ଆଉ ମମ୍ମି ଗପି ଚାଲିଲେ। ଦୁଃଖ ଭଳି ଅଜଣା କଥାରେ ବୁଡି ଛୁଆଟି କେତେବେଳେ ଖାଇସାରିଛି ଜାଣିପାରିନି।