ସିଗାରେଟ ପିଉଥିବା ଝିଅ

ସିଗାରେଟ ପିଉଥିବା ଝିଅ

ଏୟାରପୋର୍ଟର ସ୍ମୋକିଙ୍ଗ ରୁମ୍ ରେ ତା ସହ ମୋର ପ୍ରଥମ ଥର ଭେଟ ହୋଇଥିଲା । ସ୍ମୋକିଙ୍ଗ ରୁମ୍ ରେ ମୁଁ ଏକା ଥିଲି । ଏଇ ସମୟରେ ସେ ଏକ ସୁନ୍ଦର ସ୍ୱପ୍ନ ଭଳି ଭିତରକୁ ପଶି ଆସିଥିଲା । ମୋ ପାଖକୁ ଆସି ସଲ୍ଲଜ ଚାହାଣୀରେ ଚାହିଁ କହିଲା- ଏକ୍ସକ୍ୟୁଜ୍‍ ମି । ଇଫ ୟୁ ଡୋଣ୍ଟ ମାଇଣ୍ଡ୍, କ୍ୟାନ ୟୁ ପ୍ରୋଭାଇଡ ମି ଏ ସିଗାରେଟ୍ ପ୍ଲିଜ୍‍ । ମୁଁ କହିଲି - ଅଫକୋର୍ସ । ମୁଁ ତା ଆଡକୁ ସିଗାରେଟ୍ ପ୍ୟାକେଟଟି ବଢାଇ ଦେଲି । ସେ ତା ସୁନ୍ଦର କୋମଳ ହାତରେ ସିଗାରେଟ୍ ପ୍ୟାକେଟକୁ ଏଭଳି ଭାବରେ ଧରିଲା ଯେ ମୋତେ ସେଇ ସମୟରେ ଗୋଟେ ଧଳା ଠେକୁଆ କଥା ହିଁ ମନେପଡିଲା । ଯାହାକୁ କେହି ଜଣେ ତରୁଣୀ ଅତି ପ୍ରେମରେ ନିଜ ସୁନ୍ଦର ହାତରେ ଧରିଥିଲା ।


ଝିଅଟି ଥିଲା ଅସାଧାରଣ ଭାବରେ ସୁନ୍ଦର । କୋଡିଏ କି ବାଇଶ ବର୍ଷ ହୋଇଥିବ  । ଅତି ସଂଭ୍ରାନ୍ତ ଓ ସଂପନ୍ନ ଘରର ବୋଲି ଜଣାପଡୁଥିଲା । ପତଳା ଓ ଗୋରା ଦେହ  । ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ ଉଚ୍ଚତା ବିଶିଷ୍ଟ ଝିଅଟି ପିନ୍ଧିଥିଲା ଗୋଟେ ନୀଳ ରଂଗର ଜିନ୍ସ ଏବଂ ଗୋଲାପୀ ରଂଗର ଟାଇଟ କ୍ରପ-ଟପ୍‍ । ନୀଳ ରଂଗର ଜିନ୍ସ ଏବଂ ଗୋଲାପୀ ରଂଗର କ୍ରପ-ଟପ୍‍ ମଝିରୁ ତା’ର ଗୋରା, ପତଳା, ସମତଳ ପେଟଟି ଅଧିକ ଆକର୍ଷଣୀୟ ଓ ମନଲୋଭା ଲାଗୁଥିଲା । ପ୍ରସାଧନରେ ବେଶ ଅଧିକ ସମୟ ଖର୍ଚ୍ଚ କରିଛି ବୋଲି ତା ଚେହେରାର ମେକପ୍‍ରୁ ଜଣାପଡୁଥିଲା । ତେବେ ଏସବୁ ତାର ସୁନ୍ଦରତାକୁ ବୃଦ୍ଧି କରିବାଠାରୁ ଅଧିକ ତା ଅନ୍ଧାରୀ ଦୁଃଖକୁ ଉଜାଗର କରୁଥିବା ମୁଁ ଅନୁଭବ କଲି  । ସିଗାରେଟ୍ ପ୍ୟାକେଟକୁ ମୋ ହାତକୁ ବଢାଇ ଦେଉ ଦେଉ ସେ ଅନୁତପ୍ତ କଣ୍ଠରେ ପଚାରିଲା- ଆପଣ ଏଥି ପାଇଁ କିଛି ଖରାପ ଭାବୁନାହାନ୍ତି ତ ? ଏକଥା ପଚାରିଲା ବେଳେ ତା ଆଖି ମୋ ଭଳି ଜଣେ ପ୍ରୌଢର ଚେହେରାର ଭାବଭଙ୍ଗୀକୁ ପଢିବା ପାଇଁ ପ୍ରୟାସ କରୁଥିଲା ବୋଲି ଜାଣି ପାରିଲି  । ଖୋଲା ହୃଦୟରେ ହସୁ ହସୁ ମୁଁ କହିଲି- ଆରେ ନା । ନା । ଲେଖକ ସାହାଦତ ହସନ ମଂଟୋଙ୍କ ଭାଷାରେ - ସିଗାରେଟ ପିଇଲେ ସ୍ତ୍ରୀ ଲୋକମାନଙ୍କର ଲଙ୍ଗ୍ସ୍‍ ହିଁ ଖରାପ ହେଇଥାଏ , ଚରିତ୍ର ନୁହେଁ  । ମୋ କଥା ଶୁଣି ତା ଚେହେରାରେ ଏକ ନିରୀହ ହସ ଉକୁଟି ଉଠିଲା । ସେ ସିଗାରେଟରେ ଗୋଟାଏ ହାଲୁକା କସ ଦେଇ କହିଲା- ତା ହେଲେ ମୁଁ ଠିକ୍‍ ଲୋକଙ୍କୁ ସିଗାରେଟ୍ ମାଗିଛି । ଏଇ ସମୟରେ ସ୍ମୋକିଙ୍ଗ ରୁମ୍ ରେ ଜଣେ ପରେ ଜଣେ ପଶିବାକୁ ଲାଗିଲେ  । ଫଳରେ ଝିଅଟି ଆଉ କଥାବାର୍ତ୍ତା କଲା ନାହିଁ  । ଚୁପଚାପ୍‍ ସିଗାରେଟ୍ ଟାଣିବାକୁ ଲାଗିଲା  । ସେଇ ସମୟରେ ସେ କେଉଁଠି ହଜିଯାଇଥିବା ଭଳି ମୋର ମନେହେଲା । ଇତିମଧ୍ୟରେ ଝିଅଟି ତା ସିଗାରେଟ୍ ଶେଷ କରି ମୋତେ ଚାହିଁ ଇସାରାରେ ଥ୍ୟାଙ୍କସ୍‍ କହି ବାହାରି ଗଲା ।


ଫ୍ଲାଇଟର ବୋର୍ଡିଙ୍ଗ ସମୟ  ହୋଇଯିବାରୁ ମୁଁ ଯାଇ ମୋ ସିଟ୍ ରେ ବସିବାବେଳେ ପୁଣି ସେଇ ଝିଅକୁ ଦେଖିଲି । ମୋ ପାଖ ସିଟ୍ ଟି ତାର । ମୁଁ ଆସିବା ଆଗରୁ ସେ ତା ସିଟ୍ ରେ ବସିରହିଥିଲା  । ମୋତେ ଦେଖି ସେ ସ୍ମିତ ହସିଲା । ତାହେଲେ ଆପଣ ବି କୋଲକାତା ଯାଉଛନ୍ତି । ନିଜ ସିଟ୍ ରେ ବସିବା ପରେ କହିଲି -ତମେ ମାର୍କ୍ୱେଜଙ୍କ ନାଁ ଶୁଣିଛ ? ତା ଚେହେରାର ପତଳା ହସକୁ ଲୁଚାଇବାକୁ ଚେଷ୍ଟା ନ କରି ସେ କହିଲା- ଗାବ୍ରିଏଲ ଗାର୍ସିଆ ମାର୍କ୍ୱେଜ ? ମୋତେ ତାଙ୍କ ଗପ ଖୁବ୍‍ ଭଲ ଲାଗେ  । ତାର ଏଇ କଥାରେ ମୁଁ ଖୁସି ହୋଇଯାଇ କହିଲି- ତାହେଲେ ତମେ ପଢାପଢି କର ? 
-ସବୁବେଳେ ନୁହେଁ । କେବେ କେବେ । ଆମେଚର ପାଠକ କହିପାରନ୍ତି । ତାପରେ ସେ ସିଟରେ ଆଉ ଟିକେ ଜମିବାର ପ୍ରୟାସ କରୁ କରୁ କହିଲା- ଆପଣ ଜଣେ ଲେଖକ ନା ? ମୁଁ କହିଲି- କାହିଁକି , ମଂଟୋ ଆଉ ମାର୍କ୍ୱେଜଙ୍କ କଥା କହିଲି ବୋଲି । ମୋ କଥାରେ ସେ କହିଲା- ନା । ସେଥିପାଇଁ ନୁହେଁ । ଆପଣଙ୍କ ଦୃଷ୍ଟିଭଙ୍ଗୀ ପାଇଁ ମୁଁ ଅନୁମାନ କରୁଛି ଯେ ଆପଣ ଜଣେ ଲେଖକ ହିଁ ହେଇଥିବେ । ତା କଥାରେ ମୁଁ କହିଲି- ଅବଶ୍ୟ ତମ ଅନୁମାନ ଭୁଲ ନୁହେଁ । ତା ପରେ ସାମାନ୍ୟ ଚୁପ୍‍ ରହି କହିଲି- ଯଦି ଖରାପ ନ ଭାବିବ ତେବେ ଗୋଟେ କଥା କହିବି । ତା ଆଖିରେ ଏକ ଚମକ ଖେଳିଗଲା ଯାହାକୁ ସେ ଲୁଚାଇବାର ବିଫଳ ଚେଷ୍ଟା କରୁ କରୁ କହିଲା- କୁହନ୍ତୁ । ତମକୁ ପାଖ ସିଟ୍ ରେ ପାଇ ମୁଁ ଖୁବ ଖୁସି । କାଲି ରାତିରେ ଗୋଟେ ଗପ ପଢୁଥିଲି  । ମାର୍କ୍ୱେଜଙ୍କର " ଦ ଏୟାରପ୍ଲେନ୍‍ ଅଫ୍‍ ସ୍ଲିପିଙ୍ଗ ବ୍ୟୁଟି' । ତମକୁ ସ୍ମୋକିଙ୍ଗ ରୁମ୍ ରେ ଦେଖିବା ପରେ କାହିଁକି କେଜାଣି ହଠାତ୍‍ ସେଇ ଗପଟି ମୋର ମନେ ପଡିଗଲା । ସେ ସେଇମିତି ହସ ହସ ଚେହେରାରେ କହିଲା-ହଁ, ମୁଁ ବି ପଢିଛି  ।

ତା ହସରେ ସେ ତା ଅନ୍ତରର ଗଭୀରତମ ଦୁଃଖକୁ ଲୁଚାଇବାକୁ ଯଥା ସମ୍ଭବ ପ୍ରୟାସ କରୁଛି ବୋଲି ମୋତେ ଲାଗିଲା । ଆମ କଥାବାର୍ତ୍ତାରେ ସାମାନ୍ୟ ଅନ୍ତରଙ୍ଗତା ଆସିଯିବା ପରେ ତା ନା ଶ୍ୱେତଲୀନା ବୋଲି ଜାଣିଲି । ସେ ଜଣେ ସଫ୍ଟୱେର  ଇଞ୍ଜିନିୟର । ତା’ର ଜଣେ ବାନ୍ଧବୀ ପାଖକୁ ସେ କୋଲକାତା ଯାଉଛି ବୋଲି ଜାଣିଲି  । 


କୋଲକାତାରେ ପ୍ଲେନ ଲ୍ୟାଣ୍ଡ କରିବା ସମୟରେ ସେ ଚଳଚଞ୍ଚଳ ହୋଇ ଉଠି କହିଲା- ମୁଁ ଆପଣଙ୍କୁ କଫି ଅଫର କରିବାକୁ ଚାହୁଁଛି । ଆପଣଙ୍କର ଅନ୍ୟ କିଛି ସେମିତି ଅର୍ଜେଣ୍ଟ କାମ ନାହିଁ ତ ?

-ନା । ନା । ଅନ୍ତତଃ ଆଜି ପାଇଁ ମୁଁ ପୁରା ଫ୍ରି ଅଛି । ତେବେ କଣ ସିଗାରେଟର ଋଣ ପରିଶୋଧ ପାଇଁ ତମେ ସଂକଳ୍ପ କରିଛ ନା କଣ  । ମୁଁ ପଚାରିଲି  । ଶ୍ୱେତଲୀନା କହିଲା- ଆପଣଙ୍କ କଥା ଅଧା ସତ । ମୁଁ କହିଲି- ଆଉ ଆର ଅଧାକ ? ସେ କହିଲା- କଫି ପିଇବା ସମୟରେ କହିବି । ମୁଁ ଚୁପ ରହିଲି  । 


  ଏୟାରପୋର୍ଟରୁ ବାହାରି ନିଜ ନିଜ ଟ୍ରଲି ବ୍ୟାଗ ଧରି ଆମେ ବାହାରକୁ ଆସି ଟ୍ୟାକ୍ସି ନେଲୁ  । ବେଶ କିଛି ସମୟ ପରେ ଏକ କ୍ୟାଫେ ନଜରକୁ ଆସିଲା । ତେବେ ୱାନୱେ ବାହାନା କରି ଟ୍ୟାକ୍ସି ଡ୍ରାଇଭରଟି ଆମକୁ କ୍ୟାଫେର କିଛି ବାଟ ପୂର୍ବରୁ ଓହ୍ଲାଇ ଦେଲା । ଶ୍ୱେତଲୀନା ଜୋର କରି ଟ୍ୟାକ୍ସି ବାଲାକୁ ପଇସା ଦେଲା  । ଟ୍ୟାକ୍ସି ରୁ ଓହ୍ଲାଇ ଏଥର ଆମେ ଚାଲି ଦୁହେଁ କାଫେ ଆଡକୁ ବଢିଲୁ ।

 ଏଇ ସମୟରେ ହଠାତ୍‍ ରାସ୍ତା ଉପରେ ଏକ ଅସମ୍ଭବ ଆକୃତିର ବିରାଟକାୟ ବେଙ୍ଗଟିଏ କେଉଁଠୁ କୁଦି ପଡିଲା  । ହଠାତ୍‍ ବେଙ୍ଗକୁ ଦେଖି ଶ୍ୱେତଲୀନା ଚମକି ଉଠିଲା । ସେ ତା ବ୍ୟାଗ ଛାଡି ଦେଇ ସେଇ ବେଙ୍ଗଟିକୁ ରାସ୍ତା ଉପରୁ ଉଠାଇ ଆଣିବାକୁ ଯାଉଛି ଏଇ ସମୟରେ ଦୃତ ଗତିରେ ଆସୁଥିବା କାରଟିଏ ତା ଉପରେ ଚଢି ପଳାଇଲା  । ଏହା ଦେଖି ଶ୍ୱେତଲୀନା କେମିତି ଗୋଟାଏ ଆର୍ତ୍ତଚିତ୍କାର କରିଉଠିଲା । ଏସବୁ ଏତେ ଶୀଘ୍ର ଘଟିଗଲା ଯେ କାହାରି କିଛି କରିବାର ଉପାୟ ନଥିଲା । ଦେଖିଲି ଶ୍ୱେତାଲୀନା ଏତେବେଳକୁ ଥରିବାରେ ଲାଗିଛି ଆଉ ତା ଆଖି ଦେଇ ଦୁଇ ଟୋପା ଲୁହ ଝରିଯାଉଛି । କିଭଳି ଭାବେ ତାକୁ ସାନ୍ତ୍ୱନା ଦେବି କିଛି ସ୍ଥିର କରି ନପାରି ପଚାରି ବସିଲି - ଆର ୟୁ ଓକେ ? ନିଜ ଚେହେରା ପୋଛୁ ପୋଛୁ ଶ୍ୱେତଲୀନା ନିଜକୁ ସମ୍ଭାଳି ନେଇ କହିଲା- ଯିବା ।  ଆମେ ଏଥର ଆଗକୁ ବଢିଲୁ ।

ଆକାଶ ପୁରା ମେଘାଚ୍ଛନ୍ନ ଥାଏ । କେମିତି ଗୋଟାଏ ଉଦାସ ଭାବ ପରିବେଶକୁ ଟିକେ ଅଧିକ ଗମ୍ଭୀର ଓ ଦୁଃଖୀ ଦୁଃଖୀ କରିଦେଇଥିବା ଭଳି ମନେହେଉଥାଏ । ଏତେ ବେଳକୁ ଶ୍ୱେତଲୀନା କେମିତି ଅବଶ ଓ ଧ୍ୱସ୍ତ ହୋଇପଡିଥବା ପରି ମୁଁ ଅନୁମାନ କଲି । କଣ ହୋଇଛି ପଚାରିବାରୁ ସେ ତା ଆଖି ଛୋଟ ଛୋଟ କରି ମୋ ଆଡେ ଚାହିଁ କହିଲା- ନା, ସେମିତି କିଛି ନୁହେଁ । ତା ପରେ ସେ ହଠାତ ପଚାରି ବସିଲା- ଆଜି କଣ ବର୍ଷା ହେବ ବୋଲି ଭାବୁଛନ୍ତି । ପରିବେଶକୁ ହାଲୁକା କରିବା ଲକ୍ଷ୍ୟରେ କହିଲି - କଥାରେ ଅଛି ବେଙ୍ଗ ରଡିଲେ ବର୍ଷା ହୁଏ  । 


- ତା' ହେଲେ ଆଜି ବର୍ଷା ହେବନାହିଁ  । 


ମୁଁ ଆଶ୍ଚର୍ଯ୍ୟ ହୋଇ ତା ଆଡକୁ ଚାହିଁବାରୁ ସେ କହିଲା- ବେଙ୍ଗ ରଡିବା ପୂର୍ବରୁ ତ ସେ ମରିଗଲା । 


ୟା ଭିତରେ ଆମେ ଆସି କାଫେ ସାମନାରେ ପହଞ୍ଚି ଯାଇଥାଉ । କାଫେରେ ସେତେଟା ଭିଡ ନଥିଲା  । ଗୋଟାଏ କୋଣରେ ଆମେ ଯାଇ ବସିଲୁ । ସେ ଦୁଇ କପ୍‍ କଫି ପାଇଁ ଅର୍ଡର ଦେଇ ମୋତେ ପୁଣି ଗୋଟାଏ ସିଗାରେଟ ମାଗିଲା । ତା ଅନ୍ତରର ଦୁଃଖ ମେକପର ସ୍ଥାନ ଗ୍ରହଣ କରି ଏଥର ପୁରା ତା ଚେହେରା ଉପରେ ପ୍ରକଟ ହେଲା । ତାର ଏଭଳି ଅବସ୍ଥା ଦେଖି କହିଲି- ତମେ ଗୋଟେ କୋମଳ ହୃଦୟର ଅଧିକାରୀ । କିଛି ନ କହି ସେ କେବଳ ଗୋଟାଏ ପାଣିଚିଆ ହସ ହସିଲା । ସେ ସିଗାରେଟରେ ନିଆଁ ଧରାଉଛି ତ ମୁଁ ପଚାରିଲି- ତମେ କଣ ବେଙ୍ଗଙ୍କୁ ଖୁବ୍‍ ଭଲ ପାଅ । ମୋ କଥାରେ ସିଗାରେଟରେ ଏକ ଲମ୍ୱା କସ ଦେଇ ଧୂଆଁ ଗୁଡାକୁ ନାକବାଟେ ଛାଡ଼ୁ ଛାଡ଼ୁ କହିଲା - ମୁଁ ବେଳେ ବେଳେ ନିଜକୁ ଗୋଟାଏ ବେଙ୍ଗ ବୋଲି ଭାବେ ।


ତା’ର ଏଇ କଥାରେ ମୁଁ ଚକିତ ହେଲିନାହିଁ  । ବର୍ତ୍ତମାନର ଘଟଣା ପ୍ରଭାବରେ ସେ ଭାବପ୍ରବଣ ହୋଇ ଏଭଳି କହୁଛି ବୋଲି ମନେକଲି । ଏଇ ସମୟରେ କଫି ଆସି ପହଞ୍ଚିଗଲା । କଫି ପିଉ ପିଉ ଶ୍ୱେତଲୀନା କହିଲା- ମୋ ପିଲା ଦିନେ ମୋ ଜେଜେମା ମୋତେ ଗୋଟେ ଗପ କହିଥିଲା । ସେ ଗପ ଆଜି ମୋର ଭାରି ମନେ ପଡୁଛି । ଶୁଣିବେ । ମୋ ଠାରୁ ଉତ୍ତର ଆଶା ନକରି ସେ କହି ଚାଲିଲା- ଜଣେ ରାଜାଙ୍କର ତିନି ପୁଅ ଥିଲେ । ଘଟଣା କ୍ରମେ ବଡ ଦୁଇ ପୁଅ ଦୁଇ ଜଣ ସୁନ୍ଦରୀଙ୍କୁ ଏବଂ ସାନ ପୁଅ ଗୋଟାଏ ବେଙ୍ଗକୁ ବାହାହେଲା । ରାଜା ତିନି ବୋହୁଙ୍କ ମଧ୍ୟରେ ପ୍ରତିଯୋଗିତା କରି କିଏ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ତାହା ଜାଣିବାକୁ ଚାହୁଁଥାନ୍ତି । ବେଙ୍ଗ ବୋହୁଟି ସମସ୍ତଙ୍କଠାରୁ ଲୁଚି ଲୁଚି ରହୁଥାଏ  । ଦିନେ ରାଜା ତିନି ବୋହୁଙ୍କୁ ଭୋଜି ପାଇଁ ନିମନ୍ତ୍ରଣ ପଠାଇଲେ  । ସାନ ପୁଅ ଏକଥାରେ ଦୁଃଖୀ ହେବାରୁ ବେଙ୍ଗ ବୋହୁଟି ସ୍ୱାମୀଙ୍କୁ କହିଲା- ତମେ ଯାଅ ମୁଁ ଠିକ ସମୟରେ ଭୋଜିରେ ପହଞ୍ଚିଯିବି  । ଭୋଜିରେ ବୋହୁଟି ଠିକ ସମୟରେ ପହଞ୍ଚିଗଲା  । ତେବେ ସେ ଥିଲା ସମସ୍ତଙ୍କ ଭିତରେ ସୁନ୍ଦରୀ  । ସେପଟେ ସାନ ବୋହୁଟି ସମସ୍ତଙ୍କ ସହ କଥାବର୍ତ୍ତାରେ ବୁଡି ରହିଥିବା ଦେଖି ସାନ ପୁଅ ଘରକୁ ଯାଇ ନିଜ ସ୍ତ୍ରୀର ଅସଲ ରୂପକୁ ଖୋଜିହେଲା  । ଖୋଜିବା ଭିତରେ ତାକୁ ନିଜ ସ୍ତ୍ରୀର ବେଙ୍ଗ ଚମଡାଟି ମିଳିଗଲା । ସେ ସେଇଠୁ ସେଇ ଚମଡାକୁ ତୁରନ୍ତ ପୋଡି ନଷ୍ଟ କରିଦେଲା । ବେଙ୍ଗ ବୋହୁଟି ଘରକୁ ଫେରି ସବୁକଥା ଜାଣି ପାରିଲା । ସେ ଜାଣିଲା ଯେ ସାନ ପୁଅ ଅନେକ ଦିନ ହେବ ତା ଉପରେ ନଜର ରଖିଥିଲା । ସାନ ପୁଅର ସଂଦେହକୁ ସହି ପାରିଲାନି ବେଙ୍ଗ ବୋହୁଟି । ତା ପରେ ସେ କାନ୍ଦି କାନ୍ଦି ରାଜା ପୁଅକୁ ଧିକ୍କାରିଲା ଏବଂ ତାଠାରୁ ବିଦାୟ ନେଇ ସବୁଦିନ ପାଇଁ ଅଦୃଶ୍ୟ ହୋଇଗଲା ।


ଏତକ ଏକା ନିଃଶ୍ୱାସରେ କହିସାରି ସେ ମୋତେ ପୁଣି ଗୋଟାଏ ସିଗାରେଟ ମାଗିଲା  । ତା ହାତକୁ ସିଗାରେଟ ବଢାଇ ଦେଉ ଦେଉ ପଚାରିଲି- ବଏ ଫ୍ରେଣ୍ଡ୍ ଧୋକା ଦେଇଦେଲା ?


ସେ ବେଶ କିଛି ସମୟ ଚୁପ ରହି ଚିନ୍ତା କରିବାକୁ ଲାଗିଲା  । ମୁଁ ତା ଚେହେରାରେ ଦେଖା ଦେଉଥିବା ଶକ୍ତ ରେଖାଗୁଡାକୁ ପଢିବାକୁ ଚେଷ୍ଟା କରୁଥିଲି  । ସିଗାରେଟ ପିଉ ପିଉ ସେ ପ୍ରଶ୍ନ କଲା - ମୁଁ କଣ ଆପଣକୁ ଜଣେ ଶସ୍ତା ଝିଅ ଭଳି ଲାଗୁଛି ? ମୁଁ ମୋର କଣ୍ଠ ସ୍ୱର ଦୃଢ କରି କହିଲି- ଆଦୈ ନୁହେଁ  । ତୁମେ ବେଶ ପଢାଲିଖା,ଜଣେ ସ୍ୱାଧୀନଚେତା, ସଂବେଦନଶୀଳ ଝିଅ  । ଦୟାଳୁ ଆଉ ଚୁଲବୁଲି ବି  । ସେ ପରାଜିତ ହୋଇସାରିଥିବା ଭଳି ମ୍ଲାନ ହସିଲା  । କହିଲା- ଆମେ ପ୍ରାୟ ବର୍ଷେ ହେବ ଲିଭଇନ୍ ରେ ରହୁଥିଲୁ  । ପ୍ରଥମେ ପ୍ରଥମେ ସବୁ ଠିକ ଥିଲା  । ଛଅ ମାସ ତଳୁ ମୁଁ ଅନୁଭବ କରୁଥିଲି ଯେ ସେ ମୋଠାରୁ ପିଛା ଛଡାଇବାକୁ ଚେଷ୍ଟା କରୁଛି  । ମୁଁ ତା’ର ସବୁ କଥାକୁ ସହିଯାଉଥିଲି  । ଜାଣିଛନ୍ତି ଆର ସପ୍ତାହରେ କଣ ହେଲା ? ଦିନେ ରାତିରେ ସେ ମୋତେ ପଚାରିଲା- ମୁଁ ଆଉ କାହା କାହା ସହିତ ଶୋଇଛି ? ତା କଥା ଶୁଣି ସତେ ଯେମିତି ମୁଁ ଆକାଶରୁ ଖସି ପଡିଲି  । ତାର ଏଇ କଥା ମୋତେ ଭିତରୁ ନଷ୍ଟ କରିଦେଲା  । ରାତି ସାରା ବସି କାନ୍ଦିଲି  । ଜେଜେମା ର ସେଇ ବେଙ୍ଗ ଗପ କଥା ମନେପଡିଲା  । ମୋତେ ଲାଗିଲା ଯେମିତି ସେ ମୋ ଅସ୍ତିତ୍ୱକୁ ପୋଡି ଛାରଖାର କରିଦେଇଛି  । ଭାବିଲି ଜୀବନ ହାରିଦେବି  । ପରେ ଭାବିଲି ସନ୍ଦେହ କରୁଥିବା ଗୋଟେ ଇତର ଲୋକ ପାଇଁ ମୋ ଜୀବନକୁ ମୁଁ ଜାଣିଜାଣି କାହିଁକି ନଷ୍ଟ କରିଦେବି  । ସବୁ କଥାରୁ ପିଛା ଛଡାଇ ଏଠାକୁ ଆସିଛି  । ଆଉ ଥରେ ନୂଆ କରି ଜୀବନ ଜୀଇଁବା ପାଇଁ  । ଏଥର ମୋ ଆଖିରେ ଆଖି ରଖି ସେ କହିଲା- ଧୋକା ଦେଲେ ଚଳିଥାନ୍ତା  । ତା ସନ୍ଦେହକୁ ମୁଁ ସମ୍ଭାଳି ପାରୁନି  । ମନ କଥା ଜଣକୁ କହି ଦେଲେ ମନ ହାଲୁକା ହୋଇଯାଏ  । ସ୍ମୋକିଙ୍ଗ ରୁମ୍ ରେ ଆପଣଙ୍କ ସହ ଗପିବା ସମୟରେ ହିଁ ମୋତେ ଲାଗିଲା ଯେ ଆପଣ ସେଇ ଲୋକ  । ଯାହାକୁ କି ମୁଁ ମୋ ମନ କଥା ଜଣାଇପାରିବି  । ତା ପରେ ସେ ଇସାରାରେ ୱେଟରକୁ ଡାକି ଆଉ ଦୁଇ କପ କଫି ପାଇଁ କହିଲା  । କଫି ଆସିବା ପର୍ଯ୍ୟନ୍ତ ଆମେ ନୀରବ ରହିଲୁ  । 


କଫି ଆଣି ଆମ ଟେବୁଲରେ ରଖି ଦେଇଗଲା ୱେଟର  । କଫିରୁ ଉଠୁଥିବା ବାମ୍ଫ ଆଡକୁ ସେ ଏକ ଲୟରେ ଚାହିଁ ରହିଲା ଘଡିଏ  । ସେମିତି କଫି ଆଡକୁ ଦେଖୁ ଦେଖୁ କହିଲା- ଜାଣିଛନ୍ତି  । ବେଳେବେଳେ ଆମ ସହିତ ବଡ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ  । ଆମେ ତାକୁ ସଂଯୋଗ ବି କହିପାରିବା  । ମୁଁ ବି ଆପଣଙ୍କ ଭଳି କାଲି ରାତିରେ ମାର୍କ୍ୱେଜଙ୍କର "ଦ ଏୟାରପ୍ଲେନ୍‍ ଅଫ୍‍ ସ୍ଲିପିଙ୍ଗ ବ୍ୟୁଟି” ପଢୁଥିଲି  । ତାଙ୍କ ଗପର ନାୟକକୁ ତ ସେ ସୁନ୍ଦରୀ ମିଳୁନାହିଁ  । ସେ ତ ନ୍ୟୁୟର୍କର ଭିଡର ଜଙ୍ଗଲ ଭିତରେ କେଉଁଠି ଅଦୃଶ୍ୟ ହୋଇଯାଉଛି  । ମୁଁ କିନ୍ତୁ ସେମିତି ହଜିଯିବାକୁ ଚାହୁଁନି  । ଆପଣ କଣ ମୋତେ ଆପଣଙ୍କ ନମ୍ୱର ଦେବେ ନାହିଁ  । 
ଆମେ ନମ୍ୱର ଦିଆ ନିଆ ହେଲୁ  । ମଝିରେ ମଝିରେ ସେ ମୋତେ ବିବ୍ରତ କରିବ କହି ହସିଲା  । ତାକୁ ଛାଡିବା ପାଇଁ ମୁଁ ତା ସହ ଟ୍ୟାକ୍ସି ପର୍ଯ୍ୟନ୍ତ ଗଲି  । ସେ କାର ଭିତରେ ମୋତେ ଏକ ଆତ୍ମୀୟ ଓ କୃତଜ୍ଞ ଚାହାଣିରେ କରୁଣତାର ସହ ଚାହିଁଲା  । ଟ୍ୟାକ୍ସି ଚାଲି ଯିବାକୁ ବସିଛି ମୁଁ କହିଲି- ବାଏ ବେଙ୍ଗ  ।
ମୋର ବେଙ୍ଗ ଡାକରେ ସେ ଉଛୁଳି ପଡିଲା  । ଟ୍ୟାକ୍ସି ଚାଲିଯାଉଥିଲା  । ସେ ପଛକୁ ଫେରି, ଚାହିଁ ଅଦୃଶ୍ୟ ହେବା ଯାଏଁ ମୋ ଉଦ୍ଦେଶ୍ୟରେ ହାତ ହଲାଉ ଥିଲା  । ଆର ହାତରେ ତା ଗାଲ ଦେଇ ଝରି ପଡୁଥିବା ଲୁହକୁ ପୋଛି ନେଉଥିଲା  । 


ଟ୍ୟାକ୍ସିଟି ଆଉ ଦେଖା ଯାଉନଥିଲା ତଥାପି ମୁଁ ସେଇ ଆଡକୁ ଚାହିଁ ରହିଥାଏ  । ଏତେ ବେଳକୁ ହାଲ୍କା ହାଲ୍କା ବର୍ଷା ପଡିବା ଆରମ୍ଭ ହୋଇ ଯାଇଥିଲା  । 
ଏଇ ସମୟରେ ମୋ ମୋବାଇଲରେ ରିଙ୍ଗ୍ ହେଲା  । ମୁଁ ଫୋନ ଉଠାଇବାରୁ ଶ୍ୱେତାଲୀନା ପ୍ରଗଳ୍ଭ ହୋଇ କହି ଚାଲିଲା- ଏପଟେ ବର୍ଷା ହେଉଛି  । ଆପଣଙ୍କ ପଟେ ବର୍ଷା ପଡୁଛି ତ ?