ଜନ୍ମଦିନର ସ୍ମରଣ: ସଚ୍ଚି ରାଉତରାୟଙ୍କ କବିତା
ବାଲିଆପାଳ
ସେଠିକି ଯିବିନି ମୁହିଁ, ସେଠି ଥିଲା ଗୋଲାପ ବଗିଚା
ଛାୟା ଓ ସୌରଭ ସଂଗେ ଜ୍ୟୋତ୍ସ୍ନାର ସିଂଚନ
ଆଗନ୍ତୁକ ଓ ଅନୁବାଦକ ଆସୁଥିଲେ ଦେଖିବାକୁ
ଲେଖିବାକୁ ସେ ଭୂଇଁର କଥା,
ଏବେ ସେଠି ଚିଲମାନେ ଦେଉଛନ୍ତି ଛୁଆ,
ଭୂଇଁ ତଳେ ଚାଲିଛି ସୁଅ
ସେଠିକି ଯିବିନି ମୁହିଁ ସେଠି ଥିଲା ପାନର ବରଜ
ମୋଡ଼ି ମୋଡ଼ି ଲତା, ଶୁଆ ପର ପରି ଯା ପତର ।
ଏବେ ସେଠି କେଳି କରେ ଭୁଜଙ୍ଗୀ ଭୁଜଙ୍ଗ,
ସବୁ ଶମସାନ ।
ସେଠିକି ଯିବିନି ମୁହିଁ ସେଠି ଥିଲା ଲାଜକୁଳୀ ନଈ
ଦୁଇ ଧାରେ ନୌକାର ବହର
ଉପକୂଳ ପବନରେ ଲାଗୁଥିଲା ନିଦ,
ଏବେ ସେଠି ହାବେଳୀର ପାଦ ।
ସେଠିକି ଯିବିନି ମୁହିଁ ଯେଉଁଠାରେ ସମୁଦ୍ର ବାଲିରେ
ଆଶୈଶବ ପ୍ରହରୀ ସେ ସୂର୍ଯ୍ୟଙ୍କୁ ପ୍ରଣମି
ଫେରୁଥିଲେ ପୁରଜନେ ରୋଜ ପ୍ରାତଃକାଳେ,
ସେଠି ଘୂରି ବୁଲେ ଆଜି କୁତ୍ସିତ ଲସ୍କର ।
ସେଠିକି ମୁଁ ଯିବିନାହିଁ, ଯେଉଁଠାରେ ଥିଲା ଧାନବିଲ
ବଞ୍ଚିବାର କ୍ଷେତ୍ର ଗଢ଼ି, ଲକ୍ଷ୍ମୀପାଦ ପରି ଦାଣ୍ଡିମାଳା
ଅଚ୍ଛାଦ ତଡ଼ାଗେ ଯହିଁ ଖେଳୁଥିଲେ
କୁମୁଦ କହ୍ଲାର ।
ଜୀବନର ମନ୍ଦାକିନୀ ତୋଳେ ଆଜି ବିଷର ଜୁଆର ।
କିଏ ତୁମେ ସତ କହ, ରତ୍ବିକ ନା କାପାଳିକ ?
କଣ ଚାହଁ ତୁମେ ?
ଶାନ୍ତିର କପୋତ ଅବା ଯୁଦ୍ଧର ଛଞ୍ଚାଣ !
ଜୀବନକୁ କରୁଅଛ ମରୁଭୂମି ଧ୍ୱଂସର ଚଟାଣ
ଶାନ୍ତିର ଅକ୍ଷରେ ଲେଖ ଧ୍ୱଂସର ନାମ !!