ଦୀପାଳି ଦାସ ଜିତିଲେ, ଆଗକୁ ମନ୍ତ୍ରୀ ହେବେ!!

ଝାରସୁଗୁଡ଼ା ଉପ ନିର୍ବାଚନରେ ଦୀପାଳି ଦାସଙ୍କ ବିଜୟ ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଦୀପାଳି ଦାସଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଗତକାଲି ଅପରାହ୍ନରେ ରାଜ୍ୟ ମନ୍ତ୍ରୀପରିଷଦର ଦୁଇ ସଦସ୍ୟ ସମୀର ରଞ୍ଜନ ଦାଶ ଏବଂ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି।
ଏହା ସହିତ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଯାହା ଶୁଣାଯାଉଛି ମନ୍ତ୍ରୀ ମଣ୍ଡଳରେ ବିକ୍ରମ କେଶରୀ ଆରୁଖ ସାମିଲ ହୋଇପାରନ୍ତି। ଗଞ୍ଜାମ ଜିଲ୍ଲାରେ ବିଜେଡି ସଙ୍ଗଠନକୁ ସଜାଡ଼ିବା ଲାଗି ସେହି ଜିଲ୍ଲାରୁ ଜଣେ ଟାଣୁଆ ମନ୍ତ୍ରୀ ରହିବା ଜରୁରୀ। ଶ୍ରୀକାନ୍ତ ସାହୁ ଙ୍କ ନାମରେ ଗତ କିଛି ଦିନ ହେଲା ବିଭିନ୍ନ ଅଭିଯୋଗ ରହି ଆସୁଥିଲା । ଗଞ୍ଜାମ ଜିଲ୍ଲାରେ ବିଜେଡି ସଙ୍ଗଠନ ସଜାଡ଼ିବା ଏବେ ବିଜେଡିର ପ୍ରାଥମିକ ଆବଶ୍ୟକତା। ସେହି ଦୃଷ୍ଟିରୁ ବିକ୍ରମ ଆରୁଖ ମନ୍ତ୍ରୀ ମଣ୍ଡଳରେ ରହିବା ଜରୁରୀ ହୋଇ ପଡ଼ିଛି।
ମନ୍ତ୍ରୀ ମଣ୍ଡଳରେ ଯୁବ ପ୍ରତିନିଧିତ୍ଵ ବଢ଼ାଇବାକୁ ଦୀପାଳି ଦାସ ଓ ପିପିଲି ବିଧାୟକ ରୁଦ୍ର ମହାରଥୀ ଙ୍କୁ ସାମିଲ କରିବାର ସମ୍ଭାବନା ଏବେ ଦିଶୁଛି। ସମ୍ପ୍ରତି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ୪ଟି ସ୍ଥାନ ଖାଲି ପଡ଼ିଛି। ଆସନ୍ତା ୨୨ତାରିଖ ରାଜ୍ୟପାଳ ଛୁଟି ରୁ ଫେରିବା ପରେ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ହେବ ଓ ତହିଁରେ ଦୀପାଳି ଦାସ ସାମିଲ ହେବେ ବୋଲି ଏକ ରାଜନୈତିକ ସୂତ୍ରରୁ ଜଣାପଡିଛି।