ବିଜେପି ପାଇଁ ବାଟ ସଫା କରୁଛନ୍ତି ନବୀନ

ବିଜେପି ପାଇଁ ବାଟ ସଫା କରୁଛନ୍ତି ନବୀନ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବାର ୪୮ ଘଣ୍ଟା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓ ଭେଟ ପରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ କୌଣସି ତୃତୀୟ ମେଣ୍ଟର ଅଂଶୀଦାର ନୁହନ୍ତି। ସ୍ପଷ୍ଟ ଭାବରେ ସେ ଗୋଟିଏ କଥା ସୂଚାଇ ଦେଇଛନ୍ତି ଯେ ଓଡ଼ିଶା ରାଜନୀତିରେ ତାଙ୍କୁ କାହାର ସହାୟତା ଲୋଡ଼ା ନାହିଁ, କିନ୍ତୁ ଜାତୀୟ ରାଜନୀତିରେ ତାଙ୍କର ପ୍ରଥମ ପସନ୍ଦ ହେଉଛି ବିଜେପି। ଓଡ଼ିଶାର ସାଧାରଣ ଭୋଟର ଭାବୁଛନ୍ତି, ନବୀନ ବୋଧହୁଏ ସିବିଆଇ କିମ୍ବା ଇଡି ଭୟରେ ବିଜେପି ସାଙ୍ଗରେ ରହିବାକୁ ଚାହୁଁଛନ୍ତି। ସେ କଥା ଟି ଏତେ ସହଜ ଓ ସରଳ ନୁହେଁ। ମୋଦୀ ସରକାର ଅନ୍ୟ ବିରୋଧୀଙ୍କ ପ୍ରତି ଯେତେ କଠୋର, ନବୀନଙ୍କ ପ୍ରତି ସେତିକି ନରମ। ନବୀନ ସରକାରର କିଛି ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ଯାହା ସବୁ ଅଭିଯୋଗ ରହିଛି, ସେ ସବୁ ୨୦୧୪ ପୂର୍ବରୁ। ଚିଟ୍ ଫଣ୍ଡ, କୋଇଲା ଓ ଖଣି ଦୁର୍ନୀତି, ବ୍ଲାକ ରୋଜ ଜାହାଜ ବୁଡି ଇତ୍ୟାଦି ସବୁ ଘଟଣା ୨୦୧୪ ପୂର୍ବରୁ ଘଟିଥିଲା। ମୋଦୀ ସରକାର ଅମଳରେ ନବୀନ ସରକାର ବା ବିଜେଡି ବିରୋଧରେ କୌଣସି ଅଭିଯୋଗ ନାହିଁ। ୨୦୧୪ ପରଠୁଁ ଓଡ଼ିଶାରେ ସିବିଆଇ କିମ୍ବା ଇଡିର ସେମିତି କିଛି ମାମଲା ନାହିଁ ଯାହା କି ରାଜନୀତିରେ କିଛି ହଲଚଲ କରିପାରିବ। ସେ ଦୃଷ୍ଟିରୁ ନବୀନ ବଡ଼ ସୁବିଧା ଜାଗାରେ ଅଛନ୍ତି।

ତଥାପି ନରେନ୍ଦ୍ର ମୋଦୀଙ୍କ ପ୍ରତି ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଏତେ ବନ୍ଧୁତ୍ବପୂର୍ଣ୍ଣ କାହିଁକି? ଆଦର୍ଶଗତ ବା ବ୍ୟକ୍ତିଗତ ସ୍ତରରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମାନତା ପ୍ରାୟ ନାହିଁ। ନରେନ୍ଦ୍ର ମୋଦୀଙ୍କ ପ୍ରତି ନବୀନଙ୍କ ସମର୍ଥନର ପ୍ରଥମ କାରଣ ହେଉଛି, କଂଗ୍ରେସ ଓ ଗାନ୍ଧୀ ପରିବାର ପ୍ରତି ନବୀନଙ୍କର ଅବିଶ୍ବାସ। ୟୁପିଏ ସରକାର ସମୟରେ ନବୀନ ସବୁଠୁ ଅଧିକ କେନ୍ଦ୍ରୀୟ ଚାପର ସାମ୍ନା କରିଥିଲେ। ମୋଦୀ ସରକାର ଅନେକାଂଶରେ ନବୀନଙ୍କ ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଚାଲିଛନ୍ତି।

ଦ୍ବିତୀୟରେ ନବୀନ ଏନଡିଏ ସରକାରର ପୁରୁଣା ସହଯୋଗୀ ଥିଲେ ଓ ଆଜି ମଧ୍ୟ ସେ ନିଜକୁ ବାଜପେୟୀ ସରକାରର ମନ୍ତ୍ରୀ ଭାବେ ଗର୍ବିତ ବୋଲି କହିଥାନ୍ତି। ବାଜପେୟୀ ସରକାରର ସହଯୋଗୀ ଏବଂ ଅମଲା ମାନେ ଏବେ ମୋଦୀ ସରକାରରେ ମଧ୍ୟ ଅଛନ୍ତି। ସେମାନଙ୍କ ଭିତରୁ ଅଶ୍ବିନୀ ବୈଷ୍ଣବ ଏବେ କେନ୍ଦ୍ର ସରକାରରେ ପ୍ରଭାବଶାଳୀ ମନ୍ତ୍ରୀ ଓ ଅମିତ ଶାହାଂକ ସହ ବିଜେଡି ଯୋଗାଯୋଗର ସେ ମୁଖ୍ୟ କାର୍ପଟଦାର।

ନବୀନଙ୍କର ବାଧ୍ୟ ବାଧକତା ହେଉଛି ସେ ରାଜ୍ୟରେ ବିଜେପି ବିରୋଧରେ ଲଢ଼ିବେ, ହେଲେ ବାସ୍ତବରେ ସେ ବିଜେପିର ସବୁଠୁ ଭଲ ବନ୍ଧୁ। ୨୦୨୪ ନିର୍ବାଚନ ପରେ ବିଜେପି କୁ ଯଦି ସାହାଯ୍ୟର ହାତ ଦରକାର ପଡିବ, ତା ହେଲେ ବିଜେଡି ପ୍ରଥମ ଦଳ ଭାବରେ ବିଜେପିକୁ ସମର୍ଥନ ଦେବ। ପରୋକ୍ଷରେ ନବୀନଙ୍କ ପ୍ରତି ସମର୍ଥନ ବିଜେପିକୁ ଇ ସୁହାଇବ। ୨୦୧୯ ନିର୍ବାଚନରେ ବିଜେପି ବିରୋଧୀ ଭୋଟ ନବୀନଙ୍କ ଉପରେ ଅଜାଡି ହୋଇପଡୁଥିଲା, କାରଣ ସେତେବେଳେ ବିଜେପି ବିଜେଡ଼ି ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରିଥିଲା। ଆଜିର ସ୍ଥିତିରେ ବିଜେପି ବିରୋଧୀ ଭୋଟ ନବୀନଙ୍କ ଖାତାକୁ ଆଉ ଆସିବ ନାହିଁ। ନବୀନଙ୍କୁ ଭୋଟ ଦେବା ଅର୍ଥ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ବୋଲି, ଲୋକ ବୁଝି ସାରିଛନ୍ତି। ୨୦୨୪ ନିର୍ବାଚନରେ ବିଜେପି ଭୋଟର ଏକ ବଡ଼ ଅଂଶ ବିଜେଡିକୁ ଆସିପାରେ।

ରାଜ୍ୟ ବିଜେପି ଏବେ ବିଜେଡି ବିରୋଧରେ ନାମକୁ ମାତ୍ର ପାଟିତୁଣ୍ଡ କରୁଛି। ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେପି ଏକପ୍ରକାର ହତାଶଜନକ ଲଢେ଼ଇ ଲଢ଼ୁଛି। ନବୀନ -ମୋଦୀ-ଶାହାଙ୍କ ଅନ୍ତରଙ୍ଗ ସମ୍ପର୍କ ରାଜ୍ୟ ବିଜେପିକୁ ଅଡ଼ୁଆରେ ପକାଉଥିଲେ ମଧ୍ୟ ଆଗକୁ ଏହା ଓଡ଼ିଶା ରାଜନୀତିରେ ବିଜେପି ପାଇଁ ବାଟ ସଫା କରୁଚି। ନବୀନଙ୍କ ପରେ ବିଜେଡି ବିଜେପି ପକେଟ୍ କୁ ଆପେ ଆପେ ଚାଲିଆସିବ ବୋଲି ବିଜେପି ନେତାଏ କହୁଛନ୍ତି।

ବିଜେପି -ବିଜେଡି ଭାଈଭାଈ ସମ୍ପର୍କରେ ଓଡ଼ିଶାର ଜନସାଧାରଣ ଏକ ପ୍ରକାର ଜଳକା ସ୍ଥିତିରେ ରହିବା, ଦୁର୍ଭାଗ୍ୟଜନକ।