ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ କାବ୍ୟର ସୂକ୍ତମାଳା

ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ କାବ୍ୟର ସୂକ୍ତମାଳା

ଓଡ଼ିଆ ସାହିତ୍ୟ ପାଠକଙ୍କୁ କବି  ଗଙ୍ଗାଧର ମେହେରଙ୍କ ପରିଚୟ ଦେବା ଅନାବଶ୍ୟକ ।  ସେ ଭାରତୀୟ ପୁରାଣ ସାହିତ୍ୟ ଆଧାରରେ ସ୍ବକୀୟ କାବ୍ୟମାନଙ୍କର ପଞ୍ଜରା ତିଆରିଥିଲେ ମଧ୍ୟ ତହିଁରେ ନୂଆନୂଆ ଭାବ , ଚିନ୍ତା ,କଳ୍ପନା ଓ ଭାବନାର ସଂଯୋଗ କରି ଆଧୁନିକ ରୁଚିବୋଧର ସାହିତ୍ୟ ରଚନା କରି କାଳକୁ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି  । କାବ୍ୟରେ ବିଷୟ / କାହାଣୀ ଅବଲମ୍ବନ ମାତ୍ର କବିତ୍ବ ହିଁ କବିର ମୌଳିକତାକୁ ପ୍ରତିପାଦନ କରେ । ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟରେ ନିଜ କବିତ୍ବକୁ ନେଇ ସୁପରିଚିତ । ସେ  ପ୍ରକୃତି ଚିତ୍ରଣର ଅପୂର୍ବ ସୌନ୍ଦର୍ଯ୍ୟ ପ୍ରତି ଦୁର୍ବଳତା ହେଉ କି , ମୁଁ'କାର ଶୂନ୍ୟ ଉଦାରତା ହେଉ ,କାବ୍ୟଭାଷାର ସାବଲୀଳତା ହେଉଁ କି ଜଟିଳ ଜୀବନ ଦର୍ଶନର ସହଜ ସରଳ ନୈତକତା ହେଉ ସବୁଥିରେ ସ୍ବଭାବକବିଙ୍କ କବିତ୍ବ ଅନୁଭବ କରିହୁଏ ।  

ଇନ୍ଦୁମତୀ ହେଉଛି ଗଙ୍ଗାଧର ମେହେରଙ୍କ ଏକ ଲୋକପ୍ରିୟ କାବ୍ୟ । ଏହି କାବ୍ୟଟିର ରଚନାକାଳ ୧୮୯୩ ମସିହା ଅକ୍ଟୋବର। 'ଉତ୍କଳାପ୍ରଭା' ପତ୍ରିକାରେ ପ୍ରକାଶିତ ଇନ୍ଦୁମତୀ କାବ୍ୟ ପୁସ୍ତକାକାରରେ ୧୮୯୪ ମସିହା ଶେଷଆଡ଼କୁ ପ୍ରକାଶ ପାଇଥିଲା । ଏହି କାବ୍ୟ ପୂର୍ବଭାଗ ଓ ଉତ୍ତର ଭାଗ ଶୀର୍ଷକରେ ଦୁଇଭାଗରେ ବିଭକ୍ତ ହୋଇଥିଲା । ବଙ୍ଗଳାଶ୍ରୀ ରାଗରେ ରଚିତ ହୋଇ ପାଠକ ତଥା ସେହି ସମୟର ସାହିତ୍ୟିକମାନଙ୍କ ଦୃଷ୍ଟି ଆକର୍ଷଣରେ ସଫଳ ହୋଇଥିଲା । ଇନ୍ଦୁମତୀ ସଂପର୍କରେ କବିବର ରାଧାନାଥରାୟ ଦିଓଟି ମନ୍ତବ୍ୟ ପ୍ରଦାନ କରିଥଲେ । ୨୨.୦୮.୧୮୮୪ ମସିହାରେ ଦେଇଥିବା ପ୍ରଥମ ମନ୍ତବ୍ୟରେ ସେ କୁହନ୍ତି -" 'ଇନ୍ଦୁମତୀ' କାବ୍ୟ ମୁଁ ଆଦ୍ୟୋପାନ୍ତ ପାଠକରି ଆଶାତୀତ ପ୍ରୀତି ଲାଭ କରିଅଛି । ଏ କାବ୍ୟର କବି ସାମାନ୍ୟ ଶକ୍ତିଶାଳୀ ଲେଖକ ନୁହନ୍ତି । ମୂଳଚରିତ ରଘୁବଂଶରୁ ସଂଗୃହୀତ ହୋଇଥିଲେହେଁ, ଏହାର ଭାବ ଏବଂ ଭାଷା ଦୃଷ୍ଟିରେ, ମୁଁ ଏହାକୁ ଅଭିନବ ଏବଂ ଉତ୍କୃଷ୍ଟ କାବ୍ୟରୂପେ ଗ୍ରହଣ କରିବାକୁ ଲବମାତ୍ର କୁଣ୍ଠିତ ହେବି ନାହିଁ । ଗ୍ରନ୍ଥକାର ଏଥିରେ ଅନେକ ନୂତନ ଏବଂ ସୁନ୍ଦର ଭାବ ସନ୍ନିବେଶିତ କରିଅଛନ୍ତି । ଏହାର ଭାଷା ସରଳ, ଅକ୍ଳିଷ୍ଟ ଏବଂ ଶ୍ରୁତିମଧୁର ହୋଇଅଛି । ମୋହ ମତରେ 'ଇନ୍ଦୁମତୀ' ସ୍ଵଭାବସୁନ୍ଦରୀ ଉତ୍କଳଭାରତୀଙ୍କର ଅନୁପଯୁକ୍ତ ଭୂଷଣ ନୁହେଁ । " ପୁଣି, ୦୬.୧୨.୧୮୮୪ ମସିହା ଦେଇଥିବା ଦ୍ବତୀୟ ମନ୍ତବ୍ୟରେ ସେ କହୁନ୍ତି -‘ଇନ୍ଦୁମତୀ’ର ଆଉ ଗୋଟିଏ ପ୍ରଧାନ ଗୁଣ ଏହି ଯେ, ଏଥିରେ ଏପରି କୌଣସି ଭାବ ବା ଶବ୍ଦ ନାହିଁ, ଯାହା ଆଧୁନିକ ରୁଚି ଅନୁସାରେ ବର୍ଜନୀୟ ବୋଲି ବିବେଚିତ ହେବ ।"  ଏଇଥିରୁ ଗଙ୍ଗାଧର ମେହେରଙ୍କ କବିତ୍ବ ସଂପର୍କରେ ସମଧର୍ମାଙ୍କ ଆନ୍ତରିକତା ପୂର୍ଣ୍ଣ ଶ୍ରଦ୍ଧାକୁ ଅନୁଭବ କରିପାରିବା । 'ଇନ୍ଦୁମତି' କାବ୍ୟର ଆଲୋଚନା ସମୟରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ନାମ ମଧ୍ୟ ଯୋଡି ହୋଇଯାଏ । ଏହାର କାରଣ ହେଉଛି ଯେ ଇନ୍ଦୁମତୀ କାବ୍ୟ ପଢି ସାରିବା ପରେ 'ଇନ୍ଦୁମତୀ କାବ୍ୟ ପ୍ରଣେତା ଶ୍ରୀ ଗଙ୍ଗାଧର ମେହେରଙ୍କ' ଶୀର୍ଷକରେ ଏକ କବିତା ରଚନା କରି ପଲ୍ଲୀକବି ନନ୍ଦକିଶୋର ବଳ  ୧୯୦୪ ମସିହା ପ୍ରଜାବନ୍ଧୁ ପତ୍ରିକାରେ ପ୍ରକାଶ କରିଥିଲେ । ଉକ୍ତ କବିତାରେ ଗଙ୍ଗାଧର ମେହେରଙ୍କ ଉଦ୍ଧେଶ୍ୟରେ ପଲ୍ଲୀକବି ଲେଖିଛନ୍ତି -"ଲୋଡ଼େ ନାହିଁ ଦେଖିବାକୁ ମୁଁ ତୁମ୍ଭ ମୂରତି /  ଦେଖି କାଳେ ତୁଟିଯିବ ମାୟା ତବ ପ୍ରତି / ପଢ଼ିଅଛି 'ଇନ୍ଦୁମତୀ' କାବ୍ୟ କେତେ ଥର / ସେହିଠାରେ ପରିଚୟ ତୁମ୍ଭର ମୋହର" ପୁଣି -"ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ-ମଣ୍ଡିତ/ କାଳବଳେ ହେବେ ସର୍ବେ ଭବୁ ଅନ୍ତର୍ହିତ/ କିନ୍ତୁ ତୁମ୍ଭେ ଦୀନ କବି ରହିବ ଜୀବିତ, ଯେତେ ଦିନ ଭବେ ଥିବ ଓଡ଼ିଆ ସାହିତ୍ୟ " । ଏଥିରେ   ଗଙ୍ଗାଧର ମେହେରଙ୍କ ପ୍ରତି ନିସର୍ତ୍ତ ସ୍ନେହ ଓ  କବିତ୍ବ ପ୍ରତି ରହିଥିବା ଗଭୀର ସମ୍ମାନ ଅନୁଭବ ଯୋଗ୍ୟ । ଗଙ୍ଗାଧର ମେହେରଙ୍କ ଦାରିଦ୍ରତାକୁ ନେଇ ଆଜିପର୍ଯ୍ୟନ୍ତ ଆଲୋଚକମାନେ ଯେଉଁ ଶୋକଗୀତିକା ଗାଆନ୍ତି ସେଥିପାଇଁ ମଧ୍ୟ ଏହି କବିତା କିଛି ମାତ୍ରାରେ ଖୋରାକ ଯୋଗାଏ । ସବୁ ସତ୍ତ୍ବେ ନନ୍ଦକିଶୋର ବଳଙ୍କ ଏହି କବିତାଟି   ଅମୂଲ୍ୟ ଉପହାର ସ୍ବରୂପ ଗଙ୍ଗାଧର ମେହେରଙ୍କ କବିକର୍ମ ପାଇଁ  ଉତ୍ସାହର କାରଣ ସାଜିଥିବ ଅସ୍ବୀକାର କରିବାର କୌଣସି କାରଣ ନାହିଁ । 

ଆଦର ଓ ଆଦୃତି ଲାଭ କରିଥିବା 'ଇନ୍ଦୁମତୀ' କାବ୍ୟର ସୁଭାଷିତ ପଦାବଳୀ ବା ସୂକ୍ତମାଳା ଆଜି ମଧ୍ୟ ପାଠକ ହୃଦୟରେ ପ୍ରାର୍ଥନା ପରି ଉଚ୍ଚାରିତ ହୁଏ । ଏହି କାବ୍ୟରେ ରହିଥିବା ସେହିପରି ପଂକ୍ତିଗୁଡିକୁ ଏଠାରେ ଉଦ୍ଧାର କରାଗଲା ।

୧-ଭାଗ୍ୟବାନ ସଦା   ଭାଗ୍ୟଫଳ ଲଭେ
       ଅଭାଗା ଲଭେ ଅଶିବ,
ସାଗର-ମନ୍ଥନେ    କେଶବ କମଳା,
        ଗରଳ ଲଭିଲେ ଶିବ ।

୨-"ସଂଗ୍ରାମରେ ନାଶ        ହେଲେ ସ୍ବର୍ଗବାସ, 
         ଜିତିଲେ ଭୋଗ ସମ୍ପତ୍ତି,
ପଶ୍ଚାତ୍‌ପଦ ହେଲେ        ଅପଯଶ ଲଭି । 
           ସହଜେ ନରକଗତି ।’’


୩- ଆତ୍ମ-ପର ବଳ         ବିଚାର ନ କରି 
      କ୍ରୋଧବଶ ହେଲେ ଜନ,
ଏହିରୂପେ ମହା-       ସଂକଟ-ସାଗର
         ଗର୍ଭେ ହୁଅନ୍ତି ପତନ

୪-ବଳବନ୍ତଠାରେ          ବଳବନ୍ତ ସିନା 
          ପ୍ରକାଶଇ ପରାକ୍ରମ,
ବଳହୀନଠାରେ        ବଳ ଦେଖାଇବା 
           ନୁହଇ କ୍ଷତ୍ରିୟ-ଧର୍ମ ।

୫-ନିଦ୍ରିତ ନିରସ୍ତ୍ର        ଶରଣ ଆଗତ 
        ଅବଳା ଦୂତ ବାଳକ,
ଏମାନଙ୍କୁ ବଳେ    ନାଶ କଲେ ଲାଗେ 
        ବୀର-ଯଶରେ କଳଙ୍କ ।

୬-ପରେ ପ୍ରପୀଡ଼ିତ      ହେଲେହେଁ ମହତ 
        ଭାବ ସଦା ଅକର୍କଶ,
ନ ହେଲେ କି ଇକ୍ଷୁ     ନିଶେଷିତ ହୋଇ
           ଦିଅନ୍ତା ମଧୁର ରସ ?

୭-ମହତ ଜନର       ଦୟା ସବୁଠାରେ
      ସମେ ହୁଏ ବିତରିତ, 
 ନ କରଇ ତରୁ       କର୍ତ୍ତକ ମସ୍ତକୁ 
       ସ୍ବ-ଛାୟା ଅପସାରିତ 

୮-ଏଣୁ ବିଚାରଇଁ    ସୌଭାଗ୍ୟ ସମୟେ
        ସମ୍ପଦରେ ଯାକୁ ଗଣି
ଅଭାଗ୍ୟ ସମୟେ      ସେହି ପୁଣି ହୁଏ 
         ସବୁ ବିପଦର ଖଣି ।

୯-ଜଳରୁ ଜନମି      ପଦ୍ମିନୀ ସୁନ୍ଦରୀ
       ଥରେ ଚହଟାଏ ବାସ, 
ସମୟରେ ପୁଣି      ସେହି ଜଳକଣା 
      ପଦ୍ମିନୀ କି କରେ ନାଶ ।

୧୦-ଭବେ ଭବିତବ୍ୟ     ଅବଶ୍ୟ ଘଟଇ 
       ନ ହୁଏ କେବେ ଅନ୍ୟଥା,
ମୂଢ଼ ଜନେ ସିନା     ତହିଁପାଇଁ ବୃଥା
       ହୃଦେ ପୋଷୁଥାନ୍ତି ବ୍ୟଥା

୧୧-କର୍ମଫଳ ଘେନି    ଜନ୍ମ ଲଭୁଛନ୍ତି
     ଜୀବଗଣ ବସୁଧାରେ,
ଫଳ ଭୁଞ୍ଜିସାରି    ଯାଉଛନ୍ତି ପୁଣି 
       କୃତକର୍ମ ଅନୁସାରେ ।
ଜୀବନ-ପ୍ରଦୀପ   ଜଳୁଥାଏ ଦେହେ
       ଆୟୁତୈଳ ଥ‌ିବାଯାଏ,
ଆୟୁସ୍ତୈଳସବୁ   ନିଃଶେଷିତ ହେଲେ
       ନିର୍ବାଣ ସେ ହୋଇଯାଏ ।
ଅଚିନ୍ତ୍ଯ ପୁରୁଷ-   ହସ୍ତେ ଅଛି ସେହି 
      ତୈଳ ଦେବା ଅଧିକାର,
ଅପକ୍ଷପାତରେ      ବଣ୍ଟନ କରନ୍ତି 
      କର୍ମ ଦେଖି ଯେ ଯାହାର ।

୧୨-ମର୍ତ୍ତ୍ୟମଣ୍ଡଳରେ      ଜନମିଲେ ଦିନେ 
        ଅବଶ୍ୟ ଅଛି ମରଣ,
ସର୍ବଗ୍ରାସୀ କାଳ      ପ୍ରତି ନିମେଷରେ 
          କରୁଛି ଆୟୁ ହରଣ ।
ଥିଲେ କେତେକେତେ  -ଅମିତତେଜସ୍ବୀ
         ବସୁନ୍ଧରା ପତିମାନେ,
 ନାମ ମାତ୍ର ଅଛି      ତନୁ ଯାଇଅଛି
          ଭୟଙ୍କର ଶମଶାନେ 

୧୩-ଚିରସ୍ଥାୟୀ ନୁହେଁ      ଶରୀର-ପାଦପ
        ଭବ-ତରଙ୍ଗିଣୀତୀରେ,
ପ୍ରାଣ ମୂଳମାଟି      ଧୌତ ହୋଇଗଲେ
      ଭାସିଯାଏ କାଳ-ନୀରେ । 
କେହି ତ କାହାରି     ନୁହନ୍ତି ରାଜନ
      ମାୟାମୟ ଭବ-ହାଟେ,
ଆପଣା ଆପଣା    କଉଡ଼ି ସରିଲେ
       ଫେରୁଛନ୍ତି ନିଜ ବାଟେ ।