ଭାବ ସମୁଦ୍ର
ମୋ ଭାବରେ ତୁହି ଭାବଗ୍ରାହୀ
ମୁଁ ସମୁଦ୍ର, ଅନେକ ଅନେକ ମେଘର ଆକାଶ ତୁହି ।
ମୋ ପାପ ଓ କଳଙ୍କର ରଙ୍ଗ
ତୋର ଦେହ ପରି କଳା
ଏ ସମୁଦ୍ର ଷୋଳ କଳା
ମୋ ରକ୍ତରେ ଷୋଳ ଶହସ୍ର ଗୋପୀଙ୍କର ଲୀଳା ।
କେତେ ଶହ କଂସ ଆଉ କେତେ ହଜାର ରାବଣକୁ ନେଇ
ତୁ ଗଢିଛୁ ଦେହ ମୋର
ତୋ ନିଜର ଇଚ୍ଛାରେ ସଜାଇ
ପାପ ଯଦି ତୋ ଇଚ୍ଛାରେ ଗଢା
କାହିଁ ପାଇଁ ପାପୀ ହେବି ମୁହିଁ ?
କେତେ କେତେ ବାଣ ମାରିଛୁ ତୁ ମୋ ଛାତିକୁ
ତୋ ହାତରେ ଜନ୍ମ ଯେତେ ମୃତ୍ୟୁ ସେତେ
ତୋ ଆଖିରେ ଯେତେ ଭୋକ ସେତେ ଭାତ
ତୋ ଅଧରେ ଯେତେ ପ୍ରେମ ସେତିକି ଛଳନା ।
ତୁ ଅଛୁ ବୋଲି ମୁଁ ଅଛି
ନା ନା, ମୁଁ ଅଛି ବୋଲି ତୁ ଅଛୁ ।
ମୁଁ ଅଛି ବୋଲି ସିନା ଏତେ ବଡ ଦାଣ୍ଡ
ଏତେ ଯାତ, ଏତେ ଆତଯାତ
ତୋ ଆଗରେ ମୁଁ ଲେଖିଛି ତୋ ରାସର ଗୀତ
ମୁଁ ତୋତେ ଦେଇଛି ରୂପ
ମୁଁ ଗଢିଛି ଦେଉଳ ମଣ୍ଡପ
ମୁଁ ଲେଖିଛି ଧର୍ମକର୍ମ, ତୀର୍ଥ ଆଉ ମୋକ୍ଷ ।
ମୁଁ ନଥିଲେ, ପ୍ରଭୁ କିସ, ପ୍ରଭୁପଣ କିସ?
ଡାକୁଛି ବଳିଆ ଦାସ
ଭାବଗ୍ରାହୀ ! ସମୁଦ୍ରକୂଳକୁ ଆସ
ବାଲିରଥେ ବସ ।