ଜିଡିପି ଗପ- ତିନି ତୁଣ୍ଡରେ ଛେଳି କୁକୁର

ଜିଡିପି ଗପ- ତିନି ତୁଣ୍ଡରେ ଛେଳି କୁକୁର
ଗତ ମଇ ୨୪ରେ ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ୍ ଘୋଷଣା କଲେ “ ମୁଁ  କହୁଛି ଆମେ ଏବେ ଚତୁର୍ଥ ବୃହତମ ଅର୍ଥନୀତି ହୋଇଗଲୁ । ଆମେ ଏବେ ୪ ଟ୍ରିଲିଅନ୍ ଅର୍ଥନୀତି ହୋଇଗଲୁ । ଏଇଟା ମୋ ଡାଟା ନୁହେଁ । ଏହା ହେଉଛି IMF ଡାଟା । ଭାରତର ଅର୍ଥନୀତି ଏବେ ଜାପାନର ଅର୍ଥନୀତି ଠାରୁ ବଡ଼ । ଆମଠାରୁ ବଡ଼ କେବଳ ଆମେରିକା, ଚାଇନା ଓ ଜର୍ମାନୀ । ଆଉ ଦୁଇ ତିନି ବର୍ଷରେ ଆମେ ତୃତୀୟ ବୃହତମ ଅର୍ଥନୀତି ହୋଇ ଯିବୁ । “ 
ଏକଥା ନୀତି ଆୟୋଗର ସିଇଓ କହିଲେ । ପ୍ରକୃତରେ  ଏହାଠାରୁ ବଳି ଗାଲୁଗପ ଆଉ କିଛି ନଥାଇ ପାରେ । ଏହା କାହିଁକି ଏକ ଗାଲୁଗପ ତାହା ବୁଝିବା କଷ୍ଟକର ନୁହେଁ । ଅତି ସରଳ ମାନସାଙ୍କ । କିନ୍ତୁ ନୀତି ଆୟୋଗ ସିଇଓଙ୍କ ମୁହଁରୁ କଥା ସରିଛି କି ନାହିଁ, ଜାତୀୟ ଓ ଆମ ରାଜ୍ୟ  ମିଡିଆ  ସେମାନଙ୍କ କାମ ଆରମ୍ଭ କରିଦେଲେ, ଯେମିତି କିଛିଦିନ ତଳେ କହିଥିଲେ ଭାରତର ନୌସେନା କରାଚୀର ବନ୍ଦର ଧ୍ବଂସ କରିଦେଲା, ଏବେ ସେମିତି କହିବା ଆରମ୍ଭ କରିଦେଲେ , ଭାରତ ଚତୁର୍ଥ ବୃହତମ ଅର୍ଥନୀତି ହୋଇ ଯିବାରୁ ଚାଇନା କଇଁ କଇଁ ହୋଇ କାନ୍ଦୁଛି , ଟ୍ରମ୍ପକୁ ନିଦ ହେଉନି । ଏମାନେ ଆମକୁ ମୁର୍ଖ ଭାବୁଛନ୍ତି । 
ଆଜ୍ଞା, ଯଦି ପରୀକ୍ଷାର ରେଜଲ୍ଟ ବାହାରିବା ପୁର୍ବରୁ ଜଣେ ପିଲା କହିବ ମୁଁ କ୍ଲାସରେ ଚତୁର୍ଥ ପୋଜିସନ ପାଇଛି, ତେବେ ଆପଣ କ'ଣ କହିବେ ? ଆପଣ ତ ପଚାରିବେ ନା ? ରେଜଲ୍ଟ କେବେ ବାହାରିଲା ? ତୋର କେତେ ମାର୍କ ଆସିଛି ? ଆଗରୁ ଯିଏ ଚତୁର୍ଥ ପୋଜିସନରେ ଥିଲା, ଯାହାକୁ କାଟି ତୁ ଏବେ ଚତୁର୍ଥ ପୋଜିସନ ପାଇଲୁ ତାର କେତେ ନମ୍ବର ଆସିଛି ? ଏସବୁ ନ ଜାଣିଲେ, ଆପଣ କେମିତି ସେ ପିଲାର କଥାକୁ ବିଶ୍ବାସ କରିବେ ? 
ଗୋଟିଏ ବିଶ୍ବ ସଂସ୍ଥା ଅଛି । ତାହାର ନାଁ ହେଲା International Monitary Fund ବା IMF । ଏହାକୁ ଓଡ଼ିଆରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି କୁହାଯାଏ । ଏହା ପୃଥିବୀର ସବୁ ଦେଶରୁ ଜିଡିପି ଡାଟା ନିଏ । ଏଠାରେ ଅର୍ଥନୀତି ମାନେ ହେଉଛି ଜିଡିପି । ଅର୍ଥନୀତିର ଆକାରକୁ ଜିଡିପି କୁହାଯାଏ । IMF ସବୁ ଦେଶର ଜିଡିପି ମଗାଇ ତାହାକୁ ଡ଼ଲାରରେ ପରିବର୍ତନ କରେ । ତାପରେ ଗୋଟିଏ ସୁଚୀ ପ୍ରସ୍ତୁତ କରେ, ଯେଉଁଥିରୁ ଜଣାଯାଏ କେଉଁ ଦେଶର ଅର୍ଥନୀତି ବା ଜିଡିପି କେତେ ବଡ଼ । IMF ର ଏହି ରିପୋର୍ଟକୁ World Economic Outlook କୁହାଯାଏ । 
ତେବେ ମଇ ୨୪ ଶନିବାର ଦିନ ନୀତି ଆୟୋଗ ସିଇଓ ଯେତେବେଳେ ଏ ବ୍ରେକିଂ ନ୍ୟୁଜ୍ ଦେଲେ ଯେ ଭାରତ ଚତୁର୍ଥ ବୃହତମ ଅର୍ଥନୀତି ହୋଇଗଲା, ଭାରତର ଅର୍ଥନୀତି ୪ ଟ୍ରିଲିଅନ୍ ଅତିକ୍ରମ କରିଗଲା, ଭାରତ ଜାପାନକୁ କାଟିଦେଲା, ସେତେବେଳେ IMF, World Economic Outlook ପ୍ରକାଶ କରିଥିଲା କି ? ନା । ମଇ ମାସରେ IMF ଏପରି କୈାଣସି ରିପୋର୍ଟ ପ୍ରକାଶ କରି ନାହିଁ । ହଁ, ଯଦି ଶୁକ୍ରବାର କିମ୍ବା ଶନିବାର ଦିନ IMF ସେମିତି କୈାଣସି ରିପୋର୍ଟ ଜାରି କରିଥାନ୍ତା, ତାହେଲେ ଆମେ ବୁଝିଥାନ୍ତୁ ନୀତି ଆୟୋଗ ସିଇଓ ତାହାରି ଆଧାରରେ କହିଛନ୍ତି ଭାରତ ଚତୁର୍ଥ ବୃହତମ ଇକୋନୋମି ହୋଇଗଲା । କିନ୍ତୁ  ମଇ ମାସ ଯାକ IMF ସେମିତି କୈାଣସି ରିପୋର୍ଟ ଜାରି କରି ନାହିଁ, ଚତୁର୍ଥ ବୃହତମ ଅର୍ଥନୀତି ବୋଲି କହିବା ତ ଦୂରର କଥା  । IMF ଏପ୍ରିଲ୍ ମାସରେ ସେହି ରିପୋର୍ଟ ଜାରି କରିଥିଲା, ଯାହାର ନାଁ ହେଉଛି, April 2025 World Economic Outlook । 

ଏଥିରେ ଦେଖାଯାଇଛି ଆମେରିକା ଅର୍ଥନୀତି ସବୁଠାରୁ ବଡ଼ , ତା ତଳକୁ ଚାଇନା ଓ ତା ତଳକୁ ଜର୍ମାନୀ । ସେମାନଙ୍କ ତଳେ ଅଛନ୍ତି ଭାରତ ଓ ଜାପାନ । ଯଦି ୨୦୨୪ ବର୍ଷକୁ ଆମେ ଦେଖିବା, ତାହେଲେ ଜାପାନର ଜିଡିପି ହେଉଛି ୪.୦୨୬ ଟ୍ରିଲିଅନ୍ ଡଲାର ଓ ଭାରତର ଜିଡିପି ହେଉଛି ୩.୯୦୯ ଟ୍ରିଲିଅନ୍ ଡଲାର । ତେଣୁ ଭାରତର ଜିଡିପି ଜାପାନର ଜିଡିପି ଠାରୁ କମ୍ ଅଛି । ତେଣୁ ୨୦୨୪ରେ ଜାପାନ ଚତୁର୍ଥ ସ୍ଥାନରେ ଓ ଭାରତ ପଞ୍ଚମ ସ୍ଥାନରେ । 
ଏବେ ଆସନ୍ତୁ ୨୦୨୫କୁ । ଏଥିରେ IMF ଲେଖିଛି, ଭାରତର ଜିଡିପି ୪.୧୮୭ ଟ୍ରିଲିଅନ୍ ଡଲାର ଓ ଜାପାନର ଜିଡିପି ହେଉଛି ୪.୧୮୬ ଟ୍ରିଲିଅନ୍ ଡଲାର । ତେଣୁ IMF ହିସାବରେ ୨୦୨୫ରେ ଭାରତର ଅର୍ଥନୀତି ଜାପାନ ଠାରୁ ବଡ଼ । ଏହାର ଅର୍ଥ ହେଉଛି  ଭାରତ ଚତୁର୍ଥ ସ୍ଥାନରେ ଅଛି ଏବଂ ଜାପାନ ପଞ୍ଚମ ସ୍ଥାନରେ । ଏଠାରେ ପ୍ରଶ୍ନ ହେଉଛି, ଯଦି ଏହି ନିର୍ଦ୍ଦିଷ IMF ରିପୋର୍ଟ  ଆଧାରରେ ନୀତି ଆୟୋଗ ଏପରି କହିଥାନ୍ତି, ତାହେଲେ ଏହି ବ୍ରେକିଂ ନ୍ୟୁଜ୍  ତ ସେ ଏପ୍ରିଲ ମାସରେ ଦେବା କଥା ‌। ମଇ ୨୪ ତାରିଖରେ କାହିଁକି ଦେଲେ ? କାରଣ ଏ ରିପୋର୍ଟ ତ ଏପ୍ରିଲ ମାସରୁ ଆସି ସାରିଲାଣି । 
ଆପଣ ଏଠାରେ ଆଉ ଗୋଟିଏ କଥା  ଲକ୍ଷ କରନ୍ତୁ । ୨୦୨୫ରେ ଭାରତର ଜିଡିପି ଜାପାନକୁ ଟପିଥିଲେ ମଧ୍ୟ, IMF ଜାପାନକୁ ଚତୁର୍ଥ ସ୍ଥାନରେ ଓ ଭାରତକୁ ପଞ୍ଚମ ସ୍ଥାନରେ ରଖିଛି ।  କାହିଁକି ? 
ଏହାର  କାରଣ ହେଉଛି ୨୦୨୫ ଏବେ ସରି ନାହିଁ । ଏଥିରେ ୨୦୨୫ ପାଇଁ ତଥ୍ୟ  ଚୁଡାନ୍ତ  ନୁହେଁ । IMF ହିସାବ ଅନୁସାରେ ବର୍ଷ ୨୦୨୫ ଅର୍ଥ ଜାନୁଆରୀ ୨୦୨୫ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ, ଯାହା ଏବେ ଚାଲିଛି, ମାତ୍ର ୫ ମାସ ସରିଛି । ତେଣୁ ଏହା କେବଳ ଏକ ପୁର୍ବାନୁମାନ । ଯଦି ଏବର୍ଷ  ଭାରତର ଜିଡିପି  ଜାପାନର ଜିଡିପିକୁ  ଟପିବ ତାହା ଡିସେମ୍ବର ମାସରେ ବର୍ଷ ସରିବା ପରେ ଜଣା ପଡିବ । ବର୍ତମାନ କେବଳ ପୁର୍ବାନୁମାନ କରି ହେବ । ବର୍ତମାନ ଆଇଏମଏଫ କେବଳ ୨୦୨୪ର ଫାଇନାଲ ରିପୋର୍ଟ ଦେଇଛି, ବା ଜାନୁଆରୀ ୨୦୨୪ରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବର୍ଷର ଚୁଡାନ୍ତ ରିପୋର୍ଟ ଦେଇଛି । କାରଣ ଏହି ବର୍ଷ ଅତିବାହିତ ହୋଇ ସାରିଛି । ଆଉ ଏହି ବର୍ଷରେ ଆଇଏମଏଫ ଭାରତକୁ ପଞ୍ଚମ ସ୍ଥାନରେ ରଖିଛି । ଏଇଟା ହିଁ ସତ୍ୟ । 
ଏଠାରେ ପ୍ରଶ୍ନ ହେଉଛି, ଯଦି ଭାରତ ୪ ଟ୍ରିଲିଅନ ଡଲାର ଇକୋନୋମି ହୋଇଯିବ , ଭାରତ ଇକୋନୋମୀରେ ଚତୁର୍ଥ ସ୍ଥାନକୁ ଚାଲିଯିବ ଓ ଜାପାନକୁ କାଟିଦେବ ବୋଲି IMF କେବଳ ପୁର୍ବାନୁମାନ କରିଛି, ବର୍ଷ ସରି ନାହିଁ କି ଫାଇନାଲ ରିପୋର୍ଟ ଆସି ନାହିଁ, ତାହେଲେ ନୀତି ଆୟୋଗ ସିଇଓ କାହିଁକି ଏତେବଡ କଥା କହିଲେ ? ତାଙ୍କ ପାଖରେ କ'ଣ ଏହି ତାଲିକାରେ ଭାରତର ଆଖପାଖରେ ଥିବା ଦେଶଗୁଡିକର ଜିଡିପି ଅଛି କି ? ସେ କଣ ସେଗୁଡିକୁ ଡ଼ଲାରରେ ପରିବର୍ତନ କରିଛନ୍ତି ? ଅନ୍ୟ ଦେଶଗୁଡ଼ିକ କଥା ଛାଡ଼ନ୍ତୁ, ୨୦୨୪-୨୫ରେ ଭାରତର ଜିଡିପି କେତେ ଥିଲା ତାହା ମଇ ୩୦ ତାରିଖରେ ସରକାର ଘୋଷଣା କଲେ । ଆଜ୍ଞା, ନୀତି ଆୟୋଗ ବିଜେପିର ଆଇଟି ସେଲ୍ ହୋଇଗଲାଣି । 
ଏକଥା ସତ ଯେ ମୋଟ ଜିଡିପିରେ ଭାରତ ଜାପାନର ବହୁତ ନିକଟବର୍ତ୍ତୀ ଓ ବହୁତ ସମ୍ଭାବନା ଅଛି ଯେ, ଚଳିତ ବର୍ଷ ଭାରତ ଜାପାନକୁ କାଟି  ଚତୁର୍ଥ ସ୍ଥାନରେ ପହଞ୍ଚିଯିବ । ତେବେ ଏଠାରେ ଦେଖିବାର ଅଛି, ଗୋଟିଏ ଦୌଡ ପ୍ରତିଯୋଗିତାରେ ଆପଣଙ୍କ ଆଗରେ ଦଉଡୁଥିବା ଲୋକ ମନ୍ଥର ହୋଇଯିବାରୁ ଆପଣ ତାକୁ କାଟିଦେଲେ, ନା ସେ ଆଗଭଳି ଦଉଡୁଥିଲା ଏବଂ ଆପଣ ତାଠାରୁ ଅଧିକ ବେଗରେ ଦଉଡ଼ି ତାକୁ କାଟିଦେଲେ ? ପ୍ରକୃତରେ ଦେଖିବାକୁ ଗଲେ , ୨୦୧୦ ମସିହା ପର୍ଯ୍ୟନ୍ତ ଜାପାନ ପୃଥିବୀର ଦ୍ବିତୀୟ ବୃହତମ ଅର୍ଥନୀତି ଥିଲା । ୨୦୧୦ରେ ତାହାକୁ ଚାଇନା କାଟିଦେଇ ସେ ଜାଗା ଅଧିକାର କରିଦେଲା ଓ ଜାପାନ ତୃତୀୟ ସ୍ଥାନକୁ ଖସିଗଲା । ୨୦୨୩ରେ ଜାପାନକୁ ଜର୍ମାନୀ କାଟିଦେଲା । ଜାପାନ ଚତୁର୍ଥ ପୋଜିସନକୁ ଚାଲି ଆସିଲା । ତେଣୁ ଜାପାନ ଖସିବାରେ ଲାଗିଛି । ଏହାର ଜିଡିପି ବୃଦ୍ଧି ଦର କମିବାରେ ଲାଗିଛି । ଏହାର ଜନସଂଖ୍ୟା କମୁଛି । ଏହାର ଜନସଂଖ୍ୟାରେ ବୃଦ୍ଧ ଓ ଅବସରପ୍ରାପ୍ତଙ୍କ ଅନୁପାତ ବଢୁଛି ।  ସେଥିପାଇଁ ଖୁବ ଶୀଘ୍ର ଭାରତ ବି ଜାପାନକୁ କାଟିଦେବ । 
ତେବେ ଏହାର ଅର୍ଥ ନୁହେଁ ଯେ ଭାରତର ଅର୍ଥନୀତି ବଢୁନାହିଁ । ଭାରତର ଅର୍ଥନୀତି ମଧ୍ୟ ବଢୁଛି । କିନ୍ତୁ ଏହା ମଧ୍ୟ ମନ୍ଥର ହୋଇ ଯାଇଛି । ଯେତେବେଳେ ବି ଭାରତର ଅର୍ଥନୀତି  ୪ ଟ୍ରିଲିଅନ୍ ହେବ , ସେଥିପାଇଁ ଯଦି କୌଣସି ସରକାରକୁ ଧନ୍ୟବାଦ ଦେବାକୁ ହୁଏ, ସେଥିପାଇଁ ୨୦୦୪ରୁ ୨୦୧୪ ମଧ୍ୟରେ ଥିବା ୟୁପିଏ ସରକାରକୁ ଧନ୍ୟବାଦ ଦେବାକୁ ହେବ । କାରଣ ସେହି ସମୟରେ ଭାରତର ଅର୍ଥନୀତି, ବାର୍ଷିକ ୬.୭% ହିସାବରେ ବଢିଥିଲା ବୋଲି ଜଣା ପଡ଼ିଛି । ଭାରତ ସ୍ବାଧୀନତା ପାଇବା ପରଠାରୁ , ଯେ କୈାଣସି ୧୦ ବର୍ଷର ବୃଦ୍ଧି ଦର ଅପେକ୍ଷା ଏହି ବୃଦ୍ଧି ଦର ଅଧିକ ଅଟେ । ଅଥଚ ମୋଦୀଙ୍କ ପ୍ରଥମ ଦଶ ବର୍ଷରେ ତାହା ବାର୍ଷିକ ହାରାହାରି ୫.୭% ହାରରେ ବଢ଼ିଛି । ତେଣୁ   ୪ ଟ୍ରିଲିଅନ ଡଲାର ଇକୋନୋମିକୁ ଛୁଇଁବା ପାଇଁ ଦେଶ ସବୁଠାରୁ ବେଶି ବେଗରେ ଅଗ୍ରସର ହୋଇଥିଲା ମନମୋହନ ସିଂଙ୍କ ୟୁପିଏ ଶାସନ ସମୟରେ । ବର୍ତମାନ ଯେଉଁ ଦରରେ ଆମର ଅର୍ଥନୀତି ବଢୁଛି, ଆମେ ଦ୍ବିତୀୟ ସ୍ଥାନରେ ପହଞ୍ଚି ଚାଇନାକୁ କାଟିବା ତ ଦୂରର କଥା, ଚାଇନା ଠାରୁ ଆମର ଦୂରତା ବଢ଼ି ବଢ଼ି ଯାଉଛି ।
ଇତି ମଧ୍ୟରେ ନୀତି ଆୟୋଗର ଅନ୍ୟତମ ସଭ୍ୟ ଅରବିନ୍ଦ ଭିର୍ମାନୀ ସିଇଓ ସୁବ୍ରମଣ୍ୟମଙ୍କ ବୟାନକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ବୋଧହୁଏ ସୁବ୍ରମଣ୍ୟମଙ୍କ ତୁଣ୍ଡରୁ ଏମିତି ଖସିଗଲା । ଅବଶ୍ୟ, ଆପଣ ନିଶ୍ଚିତ ହୋଇ ଯାଆନ୍ତୁ, ଓଡ଼ିଶାର ଖୁବ୍ କମ୍ ଗଣମାଧ୍ୟମ ଏକଥା ଜଣାଇବେ । 
ଅସଲ କଥା ହେଲା, ମୋଟ ଜିଡିପି ଅପେକ୍ଷା ମୁଣ୍ଡପିଛା ଆୟ ତଥ୍ୟ ବେଶି ଗୁରୁତ୍ତ୍ୱପୂର୍ଣ ଅଟେ । ଭାରତର ଲୋକ ସଂଖ୍ୟା ପୃଥିବୀରେ ସର୍ବାଧିକ । ସେହି ହିସାବରେ ଭାରତର ଜିଡିପି ବର୍ତମାନ ପୃଥିବୀରେ ସର୍ବାଧିକ ହେବା କଥା । ମୋଟ ଅର୍ଥନୀତିରେ ଆମେ କମ୍ ଲୋକସଂଖ୍ୟା ବିଶିଷ୍ଟ ଦେଶ ଇଂଲଣ୍ଡ, ଇଟାଲି, ଫ୍ରାନ୍ସ ଓ ଜାପାନକୁ କାଟି ଏବେ ପଞ୍ଚମ ବୃହତମ ଅର୍ଥନୀତିରେ ଏବେ ପହଞ୍ଚି ଗଲୁ ସିନା, ଆମେରିକା ଓ ଚାଇନା ସହ ଆମର କମ୍ପିଟିସନ୍ ହିଁ ନାହିଁ । ତେଣୁ ଏ ସମୟରେ ଚତୁର୍ଥ କି ତୃତୀୟ ଇକୋନୋମୀ ହେବାରେ କିଛି ମାନେ ନାହିଁ । ଯଦି ଟ୍ରିଲିଅନରେ ଗୋଟିଏ ରାଉଣ୍ଡ ଫିଗର ଅତିକ୍ରମ କରିଥିବାରୁ ଆମେ ଉତ୍ସବ ପାଳିବା, ତାହେଲେ ଆଗରୁ ୧ ଟ୍ରିଲିଅନ୍ , ୨ ଟ୍ରିଲିଅନ ଓ ୩ ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବା ବେଳକୁ କାହିଁ ଆମେ ଏମିତି ଉତ୍ସବ ପାଳି ନଥିଲୁ ତ ?
 କେତେକ କହୁଛନ୍ତି  ‘ମୁଣ୍ଡପିଛା ଆୟ ଏକ ବଡ଼କଥା ନୁହେଁ । ବଡ଼କଥା ହେଉଛି ଦେଶର ମୋଟ ଜିଡିପି । କାରଣ ଏହା ଦେଶର ମୋଟ ସମ୍ପଦକୁ ବୁଝାଇଥାଏ । ଏହା ଦେଶର ସାମୁହିକ ଶକ୍ତିକୁ ଦର୍ଶାଇଥାଏ ।” 
ଆଜ୍ଞା , ଆପଣ ଯେତେବେଳେ ଗୋଟିଏ କମ୍ପାନୀର ବାଲାନ୍ସ ସିଟ୍ ଦେଖନ୍ତି, ସେତେବେଳେ କ'ଣ ତାହାର କେବଳ ଆସେଟ୍  ଦେଖନ୍ତି, ଲାଏବିଲିଟି ଦେଖନ୍ତି ନାହିଁ ? କମ୍ପାନୀ କାହାଠାରୁ କେତେ ପାଇବାର ଅଛି ଦେଖନ୍ତି, କମ୍ପାନୀ କାହାକୁ କେତେ ସୁଝିବ ଦେଖନ୍ତି ନାହିଁ ? ଭାରତର ମୋଟ ଜିଡିପି କେବଳ ଦେଖିବେ, କିନ୍ତୁ ଭାରତ ଆଗରେ ଥିବା ଚାଲେଞ୍ଜ ଦେଖିବେ ନାହିଁ ? ଏକଥା ସତ ଯେ ଜିଡିପି ହେଉଛି ଦେଶର ଆର୍ଥିକ ଶକ୍ତି । କିନ୍ତୁ ଏହା ସହିତ ଦେଶ ପ୍ରତି ଥିବା ଆହ୍ବାନକୁ ମଧ୍ୟ ଏକ ସଙ୍ଗରେ ଦେଖିବାକୁ ପଡିବ ।  ଭାରତର ବିଶାଳ ସୀମା ଦୃଷ୍ଟିରୁ, ଦେଶକୁ ଜଗିବାକୁ ଯେତିକି ପ୍ରତିରକ୍ଷା ଖର୍ଚ୍ଚ ଦରକାର ଭାରତ ତାହା କରି ପାରୁ ନାହିଁ । ଭାରତ ଶିକ୍ଷା ଓ ସ୍ବାସ୍ଥ୍ୟରେ ଯେତିକି ଖର୍ଚ୍ଚ କରୁଛି ଜାପାନ ତୁଳନାରେ ତାହା ଅତି ନଗଣ୍ୟ । 
ତାହା ଛଡ଼ା, ଯେଉଁ ଦିନରାତି ବିକଶିତ ଭାରତ, ବିକଶିତ ଓଡ଼ିଶା ଘୋଷା ଶୁଣା ଯାଉଛି ନା, ସେଇଟା ବି ମୁଣ୍ଡପିଛା ଆୟ ଅନୁସାରେ ନିର୍ଣ୍ଣୟ ହେବ, ମୋଟ ଜିଡିପି ଅନୁସାରେ ନୁହେଁ । ବିଶ୍ବବ୍ୟାଙ୍କ ମାନ୍ୟତା ହିସାବରେ କୈାଣସି ଦେଶର ମୁଣ୍ଡପିଛା ବା ପ୍ରତିବ୍ୟକ୍ତି ହାରାହାରି ଆୟ ୧୪୦୦୦ ଡଲାର ହେଲେ , ସେ ଦେଶକୁ ବିକଶିତ ଦେଶ କୁହାଯିବ । ସବୁଠାରୁ କମ୍ ବିକଶିତ ଦେଶ ସେଇମାନଙ୍କୁ କୁହାଯାଏ ଯେଉଁଠି ପ୍ରତିବ୍ୟକ୍ତି ଆୟ ହେଉଛି ୧୪୦୦ ଡଲାର । ୨୦୦୭ ପର୍ଯ୍ୟନ୍ତ ଭାରତ ଏହି ଶ୍ରେଣୀରେ ଥିଲା । ଆମେ ବର୍ତମାନ ନିମ୍ନ ମଧ୍ୟବିତ୍ତ ଦେଶରେ ଯାଉଛୁ । ପ୍ରତିବ୍ୟକ୍ତି ଆୟ ୪୦୦୦ ଡଲାର ହେଲେ ଆମେ ଉଚ୍ଚ ମଧ୍ୟବିତ୍ତ ଦେଶ ହେବୁ । ୧୪୦୦୦ ଡଲାର ହେଲେ ବିକଶିତ ଦେଶ ହେବୁ । ବର୍ତମାନ ଭାରତରେ ପ୍ରତିବ୍ୟକ୍ତି ଆୟ ୨୫୦୦ ଡଲାର । ତେଣୁ ମୋଦୀଙ୍କ ଗ୍ୟାରେଣ୍ଟି ମୁତାବକ ଭାରତ ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାକୁ ହେଲେ , ଆସନ୍ତା ୨୨ ବର୍ଷରେ ମୁଣ୍ଡପିଛା ଆୟ ୨୫୦୦ ଡଲାରରୁ ବଢ଼ି ୧୪୦୦୦ ଡ଼ଲାସରେ ପହଞ୍ଚିବାକୁ ହେବ । ଏଥିରେ ପୁଣି ଦୁଇଟି ସର୍ତ୍ତ ରହିଛି । ପ୍ରଥମଟି ହେଲା ବିଶ୍ବବ୍ୟାଙ୍କ ଯେପରି ବିକଶିତ ଦେଶ ହେବା ପାଇଁ ନିମ୍ନତମ ସୀମା ୧୪୦୦୦ ଡଲାରରୁ ଉପରକୁ ନ ବଢାଏ । ଏହା ଅସମ୍ଭବ । ଦ୍ବିତୀୟ ସର୍ତ୍ତ ହେଉଛି, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଯେମିତି ଆଉ ନ ଖସେ । ଆମେ ଦେଖିଛୁ ୨୦୧୯ରୁ ଏ ପର୍ଯ୍ୟନ୍ତ ଟଙ୍କାର ମୂଲ୍ୟ ପ୍ରାୟ ୨୨% ଖସି ସାରିଛି । ତେଣୁ ଏହି ୪ ଟ୍ରିଲିଅନ ଡଲାର ଅର୍ଥନୀତି, ଚତୁର୍ଥ ବୃହତମ ଅର୍ଥନୀତି ଓ ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାର ପ୍ରତିଶୃତି ହେଉଛି ତୁଛା ଗାଲୁଗପ । ଚାରି ନମ୍ବର ଅର୍ଥନୀତି ଗପ କହି ଗଣମାଧ୍ୟମର ଏକ ବୃହତ୍ ଅଂଶ ତିନି ତୁଣ୍ଡରେ ଛେଳି କୁକୁର ଗପ ଶୁଣାଉଛି ।