ଭାରତର ଅମେରୁଦଣ୍ଡୀ ନିର୍ବାଚନ କମିଶନ

ଭାରତର ଅମେରୁଦଣ୍ଡୀ ନିର୍ବାଚନ କମିଶନ

ଭାରତର ନିର୍ବାଚନ କମିଶନ ଏକ ସ୍ବୟଂ ଶାସିତ ଅନୁଷ୍ଠାନ ଯିଏ ପୃଥିବୀର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟିତ୍ଵ ତୁଲାଇ ଆସୁଛନ୍ତି। ଭାରତୀୟ ଭୋଟରଙ୍କ ସଂଖ୍ୟା ଗତ ସାଧାରଣ ନିର୍ବାଚନରେ ୯୧ କୋଟି ଥିଲା ଓ ଆଗାମୀ ୨୦୨୪ ବେଳକୁ ଏହା ୧୦୦ କୋଟି ଟପିବ। ଏତେ ବିରାଟ ଏବଂ ବିବିଧତାରେ ଭରପୂର ଭୋଟ ବ୍ୟବସ୍ଥା ପରିଚାଳନା କରିବା ପାଇଁ ଆମ ନିର୍ବାଚନ କମିଶନ ଏକ ସ୍ବୟଂକ୍ରିୟ ଓ ଶକ୍ତିଶାଳୀ ବ୍ୟବସ୍ଥା ହେବା ଆବଶ୍ୟକ। ବାସ୍ତବରେ ଦେଖାଯାଉଛି, ଗତ କିଛି ବର୍ଷ ହେଲାଣି ନିର୍ବାଚନ କମିଶନ ଏକଗୋଡିଆ ଏବଂ ଦୁର୍ବଳ ଅନୁଷ୍ଠାନ ଭାବରେ କାମ କରୁଛି। ଅଳ୍ପ ଦିନ ତଳେ ଭାରତର ସୁପ୍ରିମକୋର୍ଟ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟାରେ ସରକାରଙ୍କର ଏକାଧିପତ୍ୟକୁ ସମାପ୍ତ କରିଛନ୍ତି। ଭବିଷ୍ୟତରେ ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏବଂ ବିରୋଧୀ ଦଳ ନେତା/ଲୋକସଭାରେ ସର୍ବ ବୃହତ ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ ଏକ କମିଟି ଦ୍ବାରା ନିଯୁକ୍ତି ପାଇବେ।

ଆଜି ଯେଉଁ ତିନି ଜଣ ନିର୍ବାଚନ କମିଶନର ଅଛନ୍ତି, ସେମାନଙ୍କ କାର୍ଯ୍ୟକଳାପ ଦେଖିଲେ, ଲାଗୁଛି - ଦେଶରେ  ନିର୍ବାଚନ କମିଶନ ବୋଲି କିଛି ନାହିଁ। ଗତକାଲି କର୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସରିଛି। ଅନ୍ତତଃ ଏହି ନିର୍ବାଚନ ପ୍ରଚାର ସମୟରେ କମିଶନଙ୍କ କାର୍ଯ୍ୟକଳାପ ଦେଖି, ଆଖି ବୁଜି ଜଣେ କହିଦେବ ଯେ, ରାଜନୈତିକ ପ୍ରଚାରର ଭ୍ରଷ୍ଟାଚାର ଉପରେ ଏହି ସଂସ୍ଥାର କିଛି ନିୟନ୍ତ୍ରଣ ନାହିଁ।

ଦେଶର ନିର୍ବାଚନ ଆଚରଣବିଧି କହୁଛି, ନିର୍ବାଚନ ପ୍ରଚାର ସମୟରେ ଧର୍ମକୁ ବ୍ୟବହାର କରାଯାଇପାରିବ ନାହିଁ। ହେଲେ କର୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଖୋଲା ଖୋଲି ଧର୍ମ ନାଁ ରେ ଭୋଟ ମାଗିଛନ୍ତି। ଏକାଧିକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ବଜରଙ୍ଗ ବଲିଙ୍କ ନାଁ ରେ ଭୋଟ ମାଗିଛନ୍ତି। ଏକ ବେସରକାରୀ ସଙ୍ଗଠନ ବଜରଙ୍ଗ ଦଳକୁ ସରକାରର ମୁଖିଆ ଅନୈତିକ ଭାବରେ ସମର୍ଥନ କରି ନିର୍ବାଚନ ଲଢିବା ବେଆଇନ। ହେଲେ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ନିର୍ବାଚନ କମିଶନ ପଦେ ପଚାରିବାର ସାହସ କରି ନାହାନ୍ତି  

କର୍ଣ୍ଣାଟକ ନିର୍ବାଚନରେ ଆଉ ଏକ ବିଚିତ୍ର ଘଟନା ନିର୍ବାଚନ କମିଶନ ଘଟାଇଛନ୍ତି । କଂଗ୍ରେସ ଏବଂ ବିଜେପି ପରଷ୍ପରକୁ ଭ୍ରଷ୍ଟାଚାରୀ ବୋଲି କହି ବିଭିନ୍ନ ଗଣମାଧ୍ୟମରେ ଯେଉଁ ବିଜ୍ଞାପନ ଦେଇଥିଲେ, ସେଥିଲାଗି ଆବଶ୍ୟକୀୟ ପ୍ରମାଣ ରଖିବାକୁ ନିର୍ବାଚନ କହିଛନ୍ତି ଏହା  ନିର୍ବାଚନ କମିଶନଙ୍କ ଅନାବଶ୍ୟକ ନାଟକବାଜି । ନିର୍ବାଚନରେ ଅଭିଯୋଗ ଏବଂ ପ୍ରତି ଅଭିଯୋଗର ବିଚାରକ ହେଉଛନ୍ତି ଭୋଟର । ବିନା ପ୍ରମାଣରେ ଅନେକ ଥର ରାଜନୈତିକ ଦଳ ନିଜ ପ୍ରତିପକ୍ଷକୁ ଭ୍ରଷ୍ଟାଚାରୀ ବୋଲି କହିଛନ୍ତି ୧୯୮୯ ରେ ରାଜୀବ ଗାନ୍ଧୀଙ୍କ ବିରୋଧରେ ଯେଉଁ ତାହାକଥିତ ଲାଞ୍ଚ କାରବାର ଅଭିଯୋଗ ଆସିଥିଲା, ତାହା କେବେ ବି ପ୍ରମାଣିତ ହେଲାନାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ନେତା ମାନେ କଂଗ୍ରେସକୁ ବାରମ୍ବାର ଦୁର୍ନୀତିଖୋର ବୋଲି କହି ଆସୁଛନ୍ତି, ବିନା ତଥ୍ୟ ଓ ପ୍ରମାଣରେ । ନିର୍ବାଚନ ପ୍ରଚାର ସମୟରେ କୌଣସି ରାଜନୈତିକ ଦଳ ଆବଶ୍ୟକୀୟ ପ୍ରମାଣ ଯୋଗାଡ କରିବାର ଆବଶ୍ୟକତା କେହି କେବେ ଅନୁଭବ କରିନାହାନ୍ତି । ଏ ପ୍ରକାର ବିଜ୍ଞାପନ ଲାଗି  ଖବରକାଗଜର ସମ୍ପାଦକମାନଙ୍କୁ ନିର୍ବାଚନ କମିଶନ ଦାୟୀ କରିବା ଆହୁରି ଉଦ୍ଭଟ ମନେ ହେଉଛି

ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଏବେ ଏକ ସାଧାରଣ ଘଟନା ପାଲଟି ଯାଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଲୋକଙ୍କ ଖର୍ଚ୍ଚରେ ଦଳୀୟ ପ୍ରଚାର କରିବା ସଂପୂର୍ଣ୍ଣ ବେଆଇନ ହେଲେ ଏ ସମ୍ପର୍କରେ ନିର୍ବାଚନ କମିଶନ ଚୁପ । ନିର୍ବାଚନ ସମୟରେ ନିଜ ଦଳ ଲାଗି ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ଗସ୍ତ ଖର୍ଚ୍ଚ ତାଙ୍କ ଦଳ କାହିଁକି ବହନ କରିବ ନାହିଁ ? ପ୍ରଧାନମନ୍ତ୍ରୀ ଯାହା ଚାହିଁବେ ତାହା କହିପାରିବେ ହେଲେ ବିରୋଧୀ ଦଳଙ୍କୁ ସବୁ କଥାରେ ନିର୍ବାଚନ କମିଶନ ନୋଟିସ ପଠାଇବେ- ଏହା କେମିତି ଗ୍ରହଣୀୟ ହେବ ?