ଖବରର କୁହୁଡି
୨୦୧୯ରେ ଗୋଟିଏ କୋରିଆନ୍ ଟିଭି ସିରିଜ୍ ଦେଖିଥଲି (ସିରିଜ୍ ଟି ଅବଶ୍ୟ ୨୦୧୩-୧୪ ର)। ୨ -୩ ଦିନ ହେବ ସେ ସିରିଜ୍ ଟି ମନେପଡି ଯାଉଛି। ସିରିଜଟି ଗୋଟିଏ ନ୍ୟୁଜ୍ ହାଉସ, ତାର ଲୋକପ୍ରିୟ ସାମ୍ବାଦିକା ତଥା ଉପସ୍ଥାପିକା, ଭୁଲ ତଥ୍ୟ ଦେଇ ପରସା ଯାଇଥିବା ଗୋଟିଏ ସମ୍ବାଦ ଦ୍ବାରା ପୀଡିତ ଗୋଟିଏ ପରିବାର, ଖବର ପରିବେଷଣ ଏବଂ ଖବର ତିଆରି ଏସବୁକୁ ନେଇ। ସିରିଜରେ ଭାରି ସୁନ୍ଦର ଭାବରେ ଉପସ୍ଥାପନ କରା ଯାଇଛି କେମିତି ଶାସନତନ୍ତ୍ର ଦ୍ବାରା କରାଯାଇଥିବା ଘୋଟାଲା ଏବଂ ମୁଖ୍ୟ ସମସ୍ୟା ଗୁଡିକରୁ ଜନତାଙ୍କ ଧ୍ୟାନ ହଟେଇବା ପାଇଁ କୃତ୍ରିମ ଖବର ତିଆରି କରାଯାଇ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକ ଦ୍ବାରା ଦିନରାତି ପରିବେଷଣ କରା ଯାଉଛି। କେମିତି ସେଇ ପ୍ରାୟୋଜିତ ସମ୍ବାଦ ଗୁଡିକର ମାୟାଜାଲରେ, କୃତ୍ରିମ ଭୟ ଏବଂ ଆଲୋଚନା ଭିତରେ ଛନ୍ଦିହୋଇ ସାଧାରଣ ଲୋକ ଦେଶରେ ଘଟିଥିବା ବିରାଟ ବିଭ୍ରାଟକୁ ମନେପକାଇବାକୁ ଭୁଲି ଯାଉଛନ୍ତି। ଅନେକ ଭାବି ପାରନ୍ତି ଯେ ୨୦୧୯ରେ ଦେଖିଥିବା ପୁରୁଣା ଟିଭି ସିରିଜ୍ ବିଷୟରେ ମୁଁ ଆଜି କାହିଁକି କହୁଛି! କୋରିଆନ୍ ଟିଭି ସିରିଜଟି ବାସ୍ ଏମିତି ମନେ ପଡି ଯାଇନି, ବର° ଆମ ଦେଶ, ଆମ ନ୍ୟୁଜ୍ ଚ୍ୟାନେଲ୍, ଖବର ପ୍ରଦାନକାରୀ ସ°ସ୍ଥା ଏବଂ ଲୋକଙ୍କ ଭିତରେ ଚାଲିଥିବା ଆଲୋଚନାକୁ ଦେଖି ଉକ୍ତ ସିରିଜରେ ଦେଖା ଯାଇଥିବା ବିଷୟବସ୍ତୁ, କେମିତି ଖବରର କୁହୁଡି ତିଆରି କରି ମଣିଷର ଭାବିବା ଶକ୍ତିକୁ ମ୍ୟାନିପୁଲେଟ୍ କରାଯାଇପାରେ ସେଥିପାଇଁ ମନେ ପଡିଛି।
୧୫ ଅପ୍ରେଲ, ଶନିବାର ରାତିରେ ଅତିକ୍ ଅହମ୍ମଦ ନାମକ କୁଖ୍ୟାତ ଅପରାଧୀର (ଅବଶ୍ୟ ପୂର୍ବତନ ସା°ସଦ ବି) ହତ୍ୟା ବିଷୟରେ ସମସ୍ତେ ଜାଣିଥିବେ ନିଶ୍ଚୟ। ଜାଣିବେନି ବି କେମିତି? ୨୯ ମାର୍ଚ୍ଚ, ଯେବେଠୁ ଅତିକକୁ ସାବରମତି ଜେଲରୁ ଅଣା ଗଲାଣି ଏବଂ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକ ତା'ର ବାଟରେ ଅଟକି ପରିଶ୍ରା କରିବା କାର୍ଯ୍ୟଟିକୁ ଲାଇଭ ଟେଲିକାଷ୍ଟ୍ କଲେଣି, ଚର୍ଚ୍ଚା ସେବେଠୁ (ଯୁବ ପିଢି ତ ନିଶ୍ଚିତ inspired ହୋଇଥିବ, ପ୍ରସିଦ୍ଧ ମାଫିଆ ହେଲେ, ପରିଶ୍ରା କଲେ ବି ଲାଇଭ୍ ଯିବ ନ୍ୟୁଜରେ, ଆଉ କେଉଁ ପ୍ରସିଦ୍ଧ ବ୍ୟକ୍ତିଙ୍କର ହୋଇଛି?)। ସେ ପରିଶ୍ରା ଧାର ସୁଖିଛି କି ନାହିଁ ୧୩ ଅପ୍ରେଲ ଦିନ ବାରଟାରୁ ଗୋଟାଏ ଭିତରେ ଅତିକର ପୁଅ ଅସଦର ଉତ୍ତରପ୍ରଦେଶ ପୁଲିସର ଏନକାଉଣ୍ଟରରେ ଜୀବନ ଯିବା ଚର୍ଚ୍ଚାକୁ ଆସିଲା। ଯଦିଓ ବାପ-ପୁଅ ଉଭୟ ଅପରାଧୀ ଏବଂ ଅପରାଧୀ ଦଣ୍ଡ ପାଇବା ଆବଶ୍ୟକ, କିନ୍ତୁ ଭାରତ ପରି ଗଣତାନ୍ତ୍ରିକ ଦେଶରେ ଯେ ପ୍ରାକୃତିକ ନ୍ୟାୟ 'ଖରାପ ଲୋକକୁ ଦଣ୍ଡ ମିଳେ' ଏଇ ଅନୁସାରେ ଚାଲିବ, ପ୍ରଶ୍ନ ସୃଷ୍ଟି କରିବା ସ୍ବାଭାବିକ। ବିଭିନ୍ନ ମହଲରେ ଉଭୟ ଘଟଣାକୁ ନେଇ ବିଭିନ୍ନ ପ୍ରକାର ମତ ପ୍ରକାଶ ପାଉଛି। ଗତ ଦୁଇ ତିନ ଭିତରେ ଉପସ୍ଥିତ କ୍ୟାମେରା ମ୍ୟାନଙ୍କଠୁ ଆରମ୍ଭ କରି ସାମ୍ବାଦିକ, ପୁଲିସ୍, ରାଜନେତା, ଦେଖେଣାହାରୀ ଲୋକ ସମସ୍ତେ ଘଟଣାର ବ୍ୟୋରା ଦେବା ପାଇଁ, ମତ ରଖିବା ପାଇଁ ତୟାର। ହତ୍ୟାର ରାଜନୈତିକ ଦିଗକୁ ମଧ୍ୟ ବ୍ୟାଖ୍ୟା କରାଯାଉଛି। ଉତ୍ତରପ୍ରଦେଶର ଶାସକ ଦଳ ଭିତରେ ଗୃହକନ୍ଦଳକୁ ନେଇ ମଧ୍ୟ ଆଶଙ୍କା ପ୍ରକଟ କରା ଯାଉଛି। ଅବଶ୍ୟ ଡବଲ ଇଞ୍ଜିନ୍ ସରକାର କ୍ଷେତ୍ରରେ ତ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସମାନ ଦଳର ସରକାର ଥାଏ, ତା' ହେଲେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଖେଳ ଏବଂ ପ୍ରଶ୍ନରେ କାହାର କ୍ଷତି ହେବ କାହାର ଲାଭ ହେବ, ହିସାବ କରିବାକୁ ମୋର ବୁଦ୍ଧି ନାହିଁ। ଆଉ ୨୩ ବର୍ଷର ଶସ୍ତ୍ର ସେ (ଶାସ୍ତ୍ର ନୁହେଁ) ବ୍ରାହ୍ମଣ୍ ଲଭଲେସ୍ ତିଓ୍ବାରୀ, ହତ୍ୟା ପାଇଁ ବ୍ୟବହାର କରିଥିବା ସାତ-ଆଠ ଲକ୍ଷ୍ୟ ଟଙ୍କିଆ ତୁର୍କୀ ପିସ୍ତଲ କେଉଁଠୁ ଆଣିଲା ତାହା ବି ନ୍ୟାୟିକ ଜାଞ୍ଚ ପରେ ଜଣା ପଡିବ, ତେଣୁ ସେ ବିଷୟରେ ବି ମୋର ଭାବିବାର ନାହିଁ। ଆଉ ଗୋଟିଏ ଅପରାଧୀ ମରିବା ଚକ୍କରରେ ଯେ ଆଉ ତିନିଜଣ ହତ୍ୟାକରୀ ସୃଷ୍ଟି ହେଲେ ଆଉ ସେମାନଙ୍କୁ ପ୍ରବର୍ତ୍ତାଇ ଥିବା ଲୋକ ଉପରେ ଲଭଲେସ୍ ତିଓ୍ବାରୀର ମା' ଆଖିର ଲୁହ ପଡିବ କି ନାହିଁ ସେଇଟା ବି ସମୟ କହିବ। ଆଜିର ମୋର ଏ ଆଲୋଚନା ସେମାନଙ୍କ ଭିତରୁ କୌଣସି ମଧ୍ୟ ଅପରାଧୀକୁ ନେଇ ନୁହେଁ। ଆଜିର ଆଲୋଚନା ସେଇ ଅପରାଧୀଙ୍କ ଖବରର କୁହୁଡି ପଛରେ ଲୁଚି ଯାଉଥିବା କିଛି ଦରକାରୀ ଖବରକୁ ନେଇ। ଏଇ କିଛି ଦିନ ଭିତରେ ସବୁ ନ୍ୟୁଜ୍ ଚ୍ୟାନେଲ୍ ଏବଂ ସ°ସ୍ଥା ଅତିକ୍ ଅହମ୍ମଦର ଚାଞ୍ଚଲ୍ୟକର ହତ୍ୟା ଘଟଣାର ବାରମ୍ବାର ଦୃଶ୍ୟ ପ୍ରସାରଣ କରିବା ଭିତରେ ଆପଣ ଲକ୍ଷ୍ୟ କରିଛନ୍ତି ଅଲଗା କେତୋଟି ଖବର ଉପରେ ନା ଆଲୋଚନା ଅଛି ନା ବିତର୍କ ନା ଖବର ନା ସମାଚାର!!
ଏଇ ଏତିକି ଦିନ ଭିତରେ ଖଲିସ୍ଥାନୀ ଆନ୍ଦୋଳନ ପୁଣି ତେଜେଇଥିବା ନେତା ଅମ୍ରିତପାଲ ସି°ଙ୍କ ବିଷୟରେ କୌଣସି ଖବର ଆଉ ଶୁଣିଲେଣି? ନା' ସିଧା ଦେଶରୁ ଫେରାର ହେଲା ପରେ ବ୍ରେକି° ନ୍ୟୁଜ୍ ଆସିବ? ନିକଟରେ ଇଣ୍ଡିଆ ଟୁଡେର କରଣ୍ ଥାପ୍ପରଙ୍କୁ ଦେଇଥିବା ସାକ୍ଷାତକାରରେ ଜମ୍ମୁ ଏବଂ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଥିଲେ ଯେ ପୁଲଓ୍ବାମାରେ ଭାରତ ସରକାରଙ୍କ ଅବହେଳା କାରଣରୁ ୪୦ ଜଣ ଜବାନଙ୍କ ଜୀବନ ଗଲା! ଏହା ଉପରେ ଭାରତ ସରକାର, ଗୃହମନ୍ତ୍ରଣାଳୟ କିମ୍ବା କୌଣସି ସମ୍ବାଦ ପ୍ରଦାନକାରୀ ସ°ସ୍ଥା ଏହାକୁ ନେଇ କୌଣସି ବିବୃତି, ତଥ୍ୟ, ଅଭିମତ, ଆଲୋଚନା, ବିତର୍କ କରିବା ଦେଖିଲେଣି? ନା' ଦେଶର ୪୦ ଜଣ ଶହୀଦ ସୈନିକଙ୍କ ଅପେକ୍ଷା ଜଣେ ଅପରାଧୀର ପ୍ରାଣ ଆମ ମିଡିଆ ପାଇଁ ବେଶୀ ମହତ୍ତ୍ୱପୂର୍ଣ୍ଣ? ୧୨ ଅପ୍ରେଲ ଦିନ, ଭଟିଣ୍ଡାର ମିଲିଟାରୀ ଷ୍ଟେସନରେ ହୋଇଥିବା ଅସ୍ତ୍ର ଚୋରୀ, ଚାରିଜଣ ଜବାନଙ୍କ ହତ୍ୟା ଏବଂ ଏହାକୁ ନେଇ କ'ଣ ଜାଞ୍ଚ ହୋଇଛି କିମ୍ବା କ'ଣ ପରିଣାମ ଏବିଷୟରେ କୌଣସି ନ୍ୟୁଜ୍ ଚ୍ୟାନେଲରେ ଆପଣଙ୍କୁ କିଛି ଖବର, ଆଲୋଚନା, ବିଶ୍ଳେଷଣ ଦେଖିବାକୁ ମିଳୁଛି? ରାମନବମୀ ସମୟରେ ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର ଏବଂ ଏବେଏବେ ଓଡ଼ିଶାରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଏବଂ ଏହା ସହ ଜଡିତ ଉତ୍ତରପ୍ରଦେଶରେ ଗୋରକ୍ଷା ବାହିନୀକୁ ନେଇ ସାମନାକୁ ଆସିଥିବା ଆପତ୍ତିଜନକ ଖବର ବିଷୟରେ କେତୋଟି ନ୍ୟୁଜ୍ ଚ୍ୟାନେଲ୍ ଆପଣଙ୍କୁ ସବିଶେଷ ବିବରଣୀ ଏବଂ ଆଲୋଚନା ଦେଖେଇଲେଣି? ଦେଶର ଏୟାରପୋର୍ଟ, ସିପୋର୍ଟ ଉପରେ ଧିରେଧିରେ ମାଲିକାନା ହାସଲ କରୁଥିବା ଏବଂ ବିଶ୍ବସ୍ତରରେ ସମାଲୋଚନାର ଶିକାର ହୋଇଥିବା ଅଦାନୀଙ୍କ କମ୍ପାନୀକୁ ନେଇ ଉଠିଥିବା ତୁମ୍ବିତୋଫାନ ଏବଂ ଜେପିସି ଗଠନର ଖବର ଆଉ ଆଲୋଚନା ହେଉଛି? ବିଶ୍ବସ୍ତରୀୟ ଖବର ସ°ସ୍ଥା ଗୁଡିକ ଏନେଇ କ'ଣ ରିପୋର୍ଟ ଦେଉଛନ୍ତି, କେହି ଏ ବିଷୟରେ ଜଣାଉଛନ୍ତି? ନା ଆରୋପକୁ ବିରୋଧ କରି କାହିଁକି ବୟାନ ଆସୁନି କୌଣସି ନ୍ୟୁଜ୍ ଚ୍ୟାନେଲ୍ ପ୍ରଶ୍ନ କଲେଣି? ୧୪ ସେପ୍ଟେମ୍ବର, ୨୦୨୦ରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଲୋକସଭାରେ ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ସେପ୍ଟେମ୍ବର ୨୦୧୮ରୁ ସେପ୍ଟେମ୍ବର ୨୦୧୯ ଭିତରେ ଦେଶରେ ୫୧,୦୦୦ ଟି ସରକାରୀ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି ଏବଂ ସେହି ସମୟ ଭିତରେ ୧୧, ୭୩୯ଟି ବେସରକାରୀ ନୂତନ ବେସରକାରୀ ବିଦ୍ୟାଳୟ ଖୋଲିଛି। ସେପ୍ଟେମ୍ବର ୨୦୧୮ ରୁ ସେପ୍ଟେମ୍ବର ୨୦୨୦ ଭିତରେ ଉତ୍ତରପ୍ରଦେଶରେ ୨୬୦୭୪ ଏବଂ ମଧ୍ୟପ୍ରଦେଶରେ ୨୨୯୦୪ଟି ସରକାରୀ ସ୍କୁଲକୁ ବନ୍ଦ କରି ଦିଆଯାଇଛି (ଓଡିଶା ସରକାର ଯଦିଓ ୧୪୦୦୦ ସ୍କୁଲ ଚିହ୍ନଟ କରିଥିଲେ, କିନ୍ତୁ ଲିଗାଲ କାରଣରୁ ୫୨୨୭ଟି ବନ୍ଦ କରାଯାଇଛି)। ବର୍ଷ ୨୦୧୪ ରୁ ୨୦୨୧ ମଧ୍ୟରେ ଦେଶର ଆଇଆଇଟି ଏବଂ ଆଇଆଇଏମରେ ଆତ୍ମହତ୍ୟା କରିଥିବା ସମସ୍ତ ୧୨୨ ଜଣ ଛାତ୍ରଙ୍କ ମଧ୍ୟରୁ ୬୮ଜଣ ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ର ଅଟନ୍ତି! କେତୋଟି ନ୍ୟୁଜ୍ ଚ୍ୟାନେଲ୍ ଦେଶର ଶିକ୍ଷା ବ୍ୟବସ୍ଥାର ଏମିତି ଖରାପ ଅବସ୍ଥା ଏବଂ ବଡବଡ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଏବେ ମଧ୍ୟ ଦେଖା ଯାଉଥିବା ଜାତିଭେଦ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି ବା ଆଲୋଚନା କିମ୍ବା ବିତର୍କ ପେସ୍ କରିଛନ୍ତି? ନା ଦେଶର ଛାତ୍ର ସମାଜ ଏବଂ ଶିକ୍ଷା ବ୍ୟବସ୍ଥା ଅପେକ୍ଷା ଯେକୌଣସି ଜଣେ ଅପରାଧୀ ବିଷୟରେ ଆଲୋଚନା କରିବା ବେଶୀ ମହତ୍ତ୍ୱପୂର୍ଣ୍ଣ? ଆଜି କେତୋଟି ନ୍ୟୁଜ୍ ଚ୍ୟାନେଲ୍ ଏବଂ ବଡବଡ ଖବର ପ୍ରଦାନକାରୀ ସ°ସ୍ଥା ପ୍ରଶ୍ନ ଉଠାଇଛନ୍ତି ଏବେ ମୁମ୍ବାଇରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତରେ ଭୂଷଣ ଆଓ୍ବାର୍ଡର ସଭାରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ପ୍ରାଣ ହରାଇଥିବା ୧୩ଜଣ ଏବଂ ଅସୁସ୍ଥ ଥିବା ୬୦୦ଜଣଙ୍କ ପାଇଁ ଦାୟୀ କିଏ? ଗ୍ରୀଷ୍ମଋତୁ ଏବଂ ଉତ୍ତାପକୁ ଦେଖି ଆୟୋଜନ କରାଗଲା ନାହିଁ କାହିଁକି? ନା' ଏହା ବି ମୋରବି ପୋଲ ଦୁର୍ଘଟଣା ପରି ସେଇ ଲୋକ ମାନଙ୍କ ଦୋଷ ଯେ, ସେମାନେ କାଇଁ ଖରାରେ ସଭାରେ ଯୋଗ ଦେବାକୁ ଆସିଲେ? କ'ଣ ହେଲା ଫେବୃୟାରୀ ମାସରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ରାଲିରେ ସାମିଲ ହୋଇ ଫେରୁଥିବା ସମୟରେ ଦୁର୍ଘଟଣାର ସାମନା କରିଥିବା ୩ଟି ବସରେ ସବାର ମଣିଷ ମାନଙ୍କର? ନା ଏମାନଙ୍କ ଜୀବନର ମୂଲ୍ୟ ଦେଶର ଯକୌଣସି ଅପରାଧୀଠୁ କମ୍ ? କ'ଣ ହେଲା "ହାଥରସ୍", "ଉନ୍ନାଓ", "କାଠ୍ବା", "ହରିଦ୍ବାର ଏବଂ ଦୁମକାର ଦୁଇ ଅଙ୍କିତା" ମାମଲାର? କ'ଣ ହେଲା ଦେଶର କୃଷକ ଆନ୍ଦୋଳନର? କ'ଣ ହେଲା ଆଣ୍ଟି-ଆଗ୍ରି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକ ମାନଙ୍କ ପରିବାର ଏବଂ ସେମାନଙ୍କ କ୍ଷତିପୂରଣର? କାହିଁକି ହେଲା କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର କୃଷକ ଆନ୍ଦୋଳନ? କ'ଣ ହେଲା ଉତ୍ତରାଖଣ୍ଡ ବାରମ୍ବାର ପେପର ଲିକକୁ ନେଇ ଯୁବକ ମାନଙ୍କ ଆନ୍ଦୋଳନର? କେତେବାଟ ଗଲା ସୁପ୍ରିମକୋର୍ଟ ଦେଇଥିବା ଓ୍ବାନ୍ ରାଙ୍କ୍ ଓ୍ବାନ୍ ପେନସନ୍ ରାୟର କାମ? କେତୋଟି ନ୍ୟୁଜ୍ ଚ୍ୟାନେଲ୍ ଆପଣଙ୍କୁ ଜଣାଇଛି ଯେ ୨୦୨୨ରେ ଆମ ଦେଶରେ ସମୁଦାୟ ୮୪ଥର ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ଏବଂ ଲଗାତାର ୨୦୧୬ ରୁ ୨୦୨୨ ପରି ଭାରତ ବିଶ୍ବରେ ଇଣ୍ଟରନେଟ୍ ସେବା ବନ୍ଦ ନମ୍ବର ୧ ରେ ରହିଛି? ସବୁବେଳେ ଚୀନରେ ଅଭିବ୍ୟକ୍ତିର ସ୍ବାଧୀନତା ନଥିବା ଦ୍ବାହି ଦେଉଥିବା କୌଣସି ନ୍ୟୁଜ୍ ଚ୍ୟାନେଲ୍ କହିଲେଣି ଆପଣଙ୍କୁ ଯେ ଭାରତ ଇଣ୍ଟରନେଟ୍ ସେବା ବନ୍ଦ କରିବାରେ ଚୀନଠୁ ଢେର ଆଗରେ ଅଛି, ଏମିତିକି ତାଲିବାନ ଶାସିତ ଆଫଗାନିସ୍ତାନଠୁ ବି ଆଗରେ!
ଉପରେ ତ ମାତ୍ର କେତୋଟି ଉଦାହରଣ ଦିଆଗଲା, ଟିକେ ସ୍ଥିର ହୋଇ ବସି ଭାବିଲେ ମନେପଡେ କେତେ ଘଟଣା ଏହା ଭିତରେ ନ୍ୟୁଜ୍ ଚ୍ୟାନେଲ୍ ଏବଂ ଖବରପ୍ରଦାନକରୀ ସ°ସ୍ଥା ଗୁଡିକର ହଟଚମଟ, ଚିତ୍କାର, ପାଟିତୁଣ୍ଡବାଲା ବିତର୍କ ଆଉ କୁହୁଡି ଭିତରେ ହଜିଗଲାଣି। ଆମ ସ୍ମୃତିରେ ବି ସେମାନଙ୍କ ଉପରେ ଧୂଳି ଜମି ଗଲାଣି। ସତରେ କ'ଣ ସାମ୍ବାଦିକତା ମାନେ ଏୟା? କୋରିଆନ୍ ଟିଭି ସିରିଜଟି ପୁଣି ମନେ ପଡି ଯାଉଛି। ଶେଷରେ ଭ୍ରମାତ୍ମକ ଏବଂ ମ୍ୟାନିପୁଲେଟେଡ୍ ସମ୍ବାଦ ପ୍ରଚାର କରି ସଫଳତାର ଶୀର୍ଷରେ ପହଞ୍ଚିଥିବା ସାମ୍ବାଦିକା ଜଣକ ଦଣ୍ଡିତ ହେଉଛନ୍ତି। ଏମିତିକି ସାରା ଜୀବନ ତାଙ୍କୁ ରୋଲ୍-ମଡେଲ ଭାବି ଥିବା ତାଙ୍କ ଝିଅବି ତାଙ୍କ ମୁହଁ ଚାହିଁବା ପାଇଁ ମନା କରି ଦେଉଛି! ନିଜ ମା' ର ସତ୍ୟତା ବିଷୟରେ ଜାଣିବା ପରେ ସେ ଝିଅଟିର ମାନସିକ ଅବସ୍ଥା କ'ଣ ହୋଇଥିବ ଭାବିଲେ! କୋରିଆନ୍ ଟିଭି ସୋ'ରେ ପ୍ରାକୃତିକ ନ୍ୟାୟ ବଜାୟ ରହିଛି, ମୁଁ ବି ସେଇ ଆଶାରେ ଭରସା ରଖୁଛି ଯେ ଏ ଭ୍ରମାତ୍ମକ କୁହୁଡି ହଟିବ ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସୁଦୃଢ଼ ହେବ।