କେନ୍ଦ୍ରକୁ ସୁରକ୍ଷା ମାଗନ୍ତୁ ରାଜ୍ୟ ବିଜେପି ନେତା

କେନ୍ଦ୍ରକୁ ସୁରକ୍ଷା ମାଗନ୍ତୁ ରାଜ୍ୟ ବିଜେପି ନେତା

ରାଜ୍ୟର ବିଜେପି ନେତାମାନେ କହୁଛନ୍ତି ସେମାନେ ଓଡିଶାରେ ସୁରକ୍ଷିତ ନୁହନ୍ତି । ଗତକାଲି ରାଜଧାନୀରେ ଆୟୋଜିତ ବିଜେପିର ଏକ ସମାବେଶରେ ଭୁବନେଶ୍ୱର ଲୋକସଭା ସଦସ୍ୟା ଅପରାଜିତା ଷଡଙ୍ଗୀ କହିଛନ୍ତି, ସେ ରାଜ୍ୟରେ ନିଜକୁ  ସୁରକ୍ଷିତ ମଣୁନାହାନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ସମାନ କଥା କହିଛନ୍ତି । ତାଙ୍କ ବିରୋଧରେ ବିଜେଡି ଗୁଣ୍ଡା ଏବଂ ପୁଲିସ ତରଫରୁ ଷଡଯନ୍ତ୍ର କରାଯାଉଛି ବୋଲି ଜୟନାରାୟଣ ସାଂଘାତିକ ଅଭିଯୋଗ କରିଛନ୍ତି । ସମ୍ବଲପୁର ସର୍କିଟ ହାଉସକୁ  ଯାଇଥିଲେ ତାଙ୍କୁ ମାରି ଦିଆଯାଇଥାନ୍ତା ବୋଲି ଜୟନାରାୟଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଯଦିଓ ମହିଳା ପୁଲିସ ଅଧିକାରୀଙ୍କ ଉପରକୁ ହାତ ଉଠାଇଥିବା ଅଭିଯୋଗରୁ ଦ୍ରୁଷ୍ଟି ଏଡାଇବାକୁ ଜୟନାରାୟଣଙ୍କର ଏହା ଏକ ବାହାନା ବୋଲି ବିଜେଡି କହୁଛି, ତଥାପି ରାଜ୍ୟ ବିରୋଧୀଦଳ ନେତାଙ୍କ ଅଭିଯୋଗକୁ ହାଲୁକା ଭାବରେ ନେଇ ହେବନାଇଁ । ଆଜି ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ଜୟନାରାୟଣଙ୍କ ଜୀବନ ଉପରେ ବିପଦ ରହିଛି ବୋଲି ଦାବୀପତ୍ର ଦେଇଛନ୍ତି ।

ଅଭିଯୋଗ ଯେହେତୁ ସାଂଘାତିକ ତେଣୁ ଏହାକୁ ହାଲୁକା ଭାବରେ ନିଆଯାଇପାରିବ ନାହିଁ । ବିଜେପି ଏବଂ ବିରୋଧୀ ଦଳ ନେତାଙ୍କର ରାଜ୍ୟ ସରକାର ବା ରାଜ୍ୟ ପୁଲିସ ଉପରେ ଭରସା ନାଇଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ତେଣୁ ରାଜ୍ୟ ସରକାର ଚାହିଁଲେ ମଧ୍ୟ ବିଜେପି ନେତା ଓ ବିରୋଧୀଦଳ ନେତାଙ୍କୁ ସୁରକ୍ଷାର ଭରସା ଦେଇପାରିବେ ନାହିଁ । ତେଣୁ ଏହାର ବିକଳ୍ପ କଣ ?    

ପୂର୍ବରୁ ବିରୋଧୀ ଦଳ ଶାସିତ ବିଭିନ୍ନ ରାଜ୍ୟରେ ବିଜେପି ବିଧାୟକମାନେ ଏପ୍ରକାର ଅଭିଯୋଗ ଆଣିଛନ୍ତି ଓ ଏହାର ପ୍ରତିକାର ସ୍ଵରୂପ କେନ୍ଦ୍ର ସରକାର ସେମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ଵାରା ସ୍ଵତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି । ପଶ୍ଚିମବଙ୍ଗର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ଏ ପ୍ରକାର ଅଭିଯୋଗ ଆଣିଥିବାରୁ ତାଙ୍କୁ କେନ୍ଦ୍ର ଗୃଅହ ବିଭାଗ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ପରେ ବହୁ ବିଜେପି ବିଧାୟକଙ୍କୁ କେନ୍ଦ୍ର ସରକାର ନିଜ ତରଫରୁ ସୁରକ୍ଷା ଯୋଗାଇ ଦେଇଥିଲେ । ଅବଶ୍ୟ ପରେ ବହୁ ବିଧାୟକ ଏହି ସୁରକ୍ଷା ବ୍ୟବସ୍ଥାକୁ ଫେରାଇ ଦେଇଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ଉଦ୍ଧବ ଥାକରେ ସରକାର ଭାଙ୍ଗିବାରେ ସହାୟତା ଦେଇଥିବା ଶିବସେନା ବିଧାୟକଙ୍କୁ କେନ୍ଦ୍ରୀୟ ସୁରକ୍ଷା ମିଳିଥିଲା ।

ଏପରିକି ବିଜେପି ସପକ୍ଷରେ କହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଧ୍ୟ ସ୍ଵତନ୍ତ୍ର କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି । ଏତେ ଲୋକ କେନ୍ଦ୍ର ପୁଲିସ ବାହିନୀର ସୁରକ୍ଷା ଘେରରେ ଥିବା ବେଳେ ଓଡିଶା ବିଜେପି ନେତାଙ୍କୁ କେନ୍ଦ୍ର ସରକାର ସେ ସୁବିଧା ଦେଉନାହାନ୍ତି କାହିଁକି ? ଓଡିଶା ବିଜେପି ନେତାମାନେ ରାଜ୍ୟ ସରକାର ଓ ରାଜ୍ୟ ପୁଲିସ ଉପରେ ଯେହେତୁ ଭରସା ରଖିପାରୁନାହାନ୍ତି, ତେଣୁ ସେମାନଙ୍କ ସୁରକ୍ଷା ଦାୟିତ୍ଵ କେନ୍ଦ୍ର ଗୃହମନ୍ତ୍ରୀରେ ଅମିତ ଶାହ ବହନ କରୁନାହାନ୍ତି କାହିଁକି ?

ଏପରିକି ଖୋଦ ବିଜେପି ନେତା ଓ ବିଧାୟକ ଦଳ ନେତା ମଧ୍ୟ ଏ ପ୍ରକାର ଦାବୀ ଉଠାଉ ନାହାନ୍ତି ।

ଓଡିଶାର ଅସୁରକ୍ଷିତ ବିଜେପି ନେତାଙ୍କ ସୁରକ୍ଷା ଦାୟିତ୍ଵ ଖୋଦ କେନ୍ଦ୍ର ସରକାର ବହନ କରନ୍ତୁ ବୋଲି ଦାବୀ ଉଠିବା ସ୍ଵାଭାବିକ ନୁହେଁ କି ?