ଜରୁରୀ କାଳୀନ ପରିସ୍ଥିତି ; ସେଦିନ ଓ ଆଜି
୨୬ ଜୁନ ୧୯୭୫ ମସିହା ସକାଳ ୬ ଟାରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଯେତେବେଳେ ତାଙ୍କ କ୍ୟାବିନେଟ ଆଗରେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କରିବାକୁ ରାଷ୍ଟ୍ରପତି ସମ୍ମତି ଦେଇଛନ୍ତି ବୋଲି ସୂଚନା ଦେଇଥିଲେ ସେତେବେଳେ ତାଙ୍କର ପୁରା କ୍ୟାବିନେଟ ଏକପ୍ରକାର ସ୍ତବ୍ଧ ହୋଇଯାଇଥିଲା। ତା ପୂର୍ବ ଦିନ ଅଧରାତିରେ ବୟସ୍କ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲି ଅହମଦଙ୍କୁ ନିଦରୁ ଉଠାଇ ଜରୁରୀ କାଳୀନ ପରିସ୍ଥିତି ଜାରି କରିବାକୁ ଏକରକମ ବାଧ୍ୟ କରାଯାଇଥିଲା ବୋଲି କୁହାଯାଏ।
ଇତିହାସରେ ଏଇ ଦିନଟି ଗଣତନ୍ତ୍ର ଲାଗି ଏକ କଳା ଦିବସ ଭାବରେ ରେଖାଙ୍କିତ ହୋଇ ରହିଛି ଓ ରହିଥିବ। ତେବେ ଜରୁରୀ କାଳୀନ ପରିସ୍ଥିତି ଜାରି କରିବା ପଛରେ “ଦେଶର ବିକାଶ” ଓ “ଗଣତନ୍ତ୍ରର ସୁରକ୍ଷା” ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେତେବେଳେ ଶ୍ରୀମତୀ ଗାନ୍ଧୀ ଯୁକ୍ତି କରୁଥିଲେ। ଜରୁରୀ କାଳୀନ ପରିସ୍ଥିତି ଜାରି ହେବାର ସାଢେ ଚାରି ମାସ ପରେ ୧୧, ନଭେମ୍ବର, ୧୯୭୫ ଦିନ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ଶ୍ରୀମତୀ ଗାନ୍ଧୀ କହିଥିଲେ- “ଆଜି ଆମେ ଏକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଛୁ ଓ ସେଥିରୁ ମୁକୁଳିବା ଲାଗି ଆମକୁ କେତେକ କଡା ପଦକ୍ଷେପ ନେବାକୁ ପଡିବ। ଲୋକେ କିନ୍ତୁ କହୁଛନ୍ତି- ଇନ୍ଦିରା ଗାନ୍ଧୀ ଏ କଣ କରୁଛି - ଦେଶର ଭବିଷ୍ୟତ କଣ ହେବ? ମୁଁ କିନ୍ତୁ କହିବାକୁ ଚାହେଁ ଦେଶ ଏକ ଭୟଙ୍କର ରୋଗ ର ଶିକାର ହୋଇଛି। ସେ ରୋଗରୁ ମୁକ୍ତି ପାଇବାକୁ ହେଲେ କଡା ଔଷଧ ଖାଇବାକୁ ପଡିବ। ଗୋଟେ ଛୁଆ ଯେତେ ଗେହ୍ଲା ହେଲେବି ତାର ଭଲ ଲାଗି ତାକୁ କଡା ଔଷଧ ଖାଇବାକୁ ଦେବାକୁ ପଡିବ। ଆଜି ଆମେ ଦେଶକୁ ରୋଗରୁ ମୁକ୍ତ କରିବାଲାଗି କଡା ଔଷଧ ଦେବାକୁ ବାଧ୍ୟ ହୋଇଛୁ। “ ସେଦିନ ଇନ୍ଦିରା ଯାହା କହିଥିଲେ, ଠିକ ସେମିତି ଏକ ବକ୍ତବ୍ୟ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ନୋଟବନ୍ଦି” ସମୟରେ ଆମକୁ ଶୁଣାଇଥିଲେ। ତେବେ ଫରକ ଏତିକି ୧୯୭୫ ରେ ଜରୁରୀ କାଳୀନ ପରିସ୍ଥିତି ଆଧିକାରିକ ଭାବରେ ଜାରି ହୋଇଥିଲା, କିନ୍ତୁ ଆଜି ସେମିତି କିଛି ବିଜ୍ଞପ୍ତି ଜାରି ହୋଇନାହିଁ।
୧୯୭୧ ମସିହାର ଭାରତ ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟ ଜନିତ ଇନ୍ଦିରାଙ୍କର ଲୋକପ୍ରିୟତା ତାଙ୍କୁ ସ୍ଵେଚ୍ଛାଚାରୀ ହେବାର ଖୋରାକ ଯୋଗାଇଥିଲା ବୋଲି କୁହାଯାଏ। ନିଜ ଲୋକପ୍ରିୟତାରେ ଅଭିଭୂତ ଇନ୍ଦିରା ଏ ଦେଶର ଗଣତନ୍ତ୍ର ତଥା ନାଗରିକ ଅଧିକାରକୁ ପ୍ରାୟ ଦୁଇ ବର୍ଷ ଧରି ଦମନ କରିଥିଲେ। ଯାହାର ପରିଣତିରେ ୧୯୭୭ ନିର୍ବାଚନରେ ଇନ୍ଦିରା ଶୋଚନୀୟ ପରାଜୟ ବରଣ କଲେ। ଦେଶର ବିକାଶ ଲାଗି ଶ୍ରୁଙ୍ଖଳା ଜରୁରୀ ବୋଲି କହି ସେଦିନ ଇନ୍ଦିରା ଯେଉଁ ଭୟଙ୍କର ପଦକ୍ଷେପ ନେଇଥିଲେ ତାହାର ପ୍ରତିଫଳନ ଆଜି ଘଟୁ ନାହିଁ କି? ସେଦିନ ଦେଶର ବିରୋଧୀ ରାଜନୈତିକ ଶକ୍ତି ମାନେ ଦେଶଦ୍ରୋହୀ ବୋଲି ଇନ୍ଦିରା କହୁଥିଲେ, ସମାନ କଥା ଆଜିର ପ୍ରଧାନମନ୍ତ୍ରୀ ନିଜ ବିରୋଧୀଙ୍କ ଉଦ୍ଦେଶ୍ୟରେ କହୁନାହାନ୍ତି କି? ଆଜି ଯଦି ଜରୁରୀ କାଳୀନ ପରିସ୍ଥିତି ସମୟରେ ଶ୍ରୀମତୀ ଗାନ୍ଧୀ ଦେଇଥିବା ଭାଷଣ ଗୁଡିକ ପଢାଯାଏ, ତାର ପ୍ରତ୍ୟେକ ଶବ୍ଦ, ଅର୍ଥ ଓ ଭାବ ସହିତ ଆଜିର ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏତେ ସମାନତା ଦେଖିବାକୁ ମିଳୁଛି କାହିଁକି? ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ୧୯୭୬ରେ ପ୍ରକାଶିତ ସେଇ ଭାଷଣ ସହିତ ଆଜିର ୟୁଟ୍ୟୁବ ରୁ ମୋଦୀଙ୍କ ଭାଷଣକୁ ମିଳେଇ ଦେଖିଲେ ଏଇ ଅଦ୍ଭୁତ ସାମ୍ୟ ବାରି ହୋଇପଡିବ।
ତେବେ ମୋଦୀ ଜରୁରୀ କାଳୀନ ପରିସ୍ଥିତିର କଟ୍ଟର ବିରୋଧୀ ବୋଲି ନିଜକୁ କହୁଛନ୍ତି। ୨୫ ଜୁନ କୁ ତାଙ୍କ ଦଳ କଳା ଦିବସ ଭାବରେ ପାଳନ କରୁଛି। ତଥାପି ଇନ୍ଦିରା ଓ ମୋଦୀଙ୍କ ଭିତରେ ଏ ପ୍ରକାର ସମାନତା ର କାରଣ କଣ? ଗଣତନ୍ତ୍ର ର ସୁରକ୍ଷା ଦୁହାଇ ଦେଇ ସେଦିନ ଇନ୍ଦିରା ଗଣତନ୍ତ୍ରକୁ ବଳି ପକେଇବାର ଅପଚେଷ୍ଟା କରିଥିଲେ। ଆଜି ବି ସେଇ ସମାନ ଯୁକ୍ତିରେ ଗୋଟିଏ ପରେ ଗୋଟିଏ ଗଣତାନ୍ତ୍ରିକ ଅନୁଷ୍ଠାନ କୁ ଧ୍ଵଂସ କରାଯାଉଛି। ରାଜନୀତିରେ ବିରୋଧୀ ଦଳଙ୍କୁ ଦେଶଦ୍ରୋହୀ ବୋଲି କହି ସେମାନଙ୍କ ନାମରେ ଯାବତୀୟ ମିଛ ପ୍ରଚାର କରାଯାଉଛି। ସେଦିନ ଜରୁରୀ କାଳୀନ ପରିସ୍ଥିତିର ସଫଳତା କଥା କହିବାକୁ ଯାଇ ସ୍ଵଦେଶୀ, ଜାତୀୟତା, ଜାତୀୟ କର୍ତ୍ତବ୍ୟ, ଶ୍ରୁଙ୍ଖଳା ଓ ଦେଶପ୍ରେମର ଦୁହାଇ ଦିଆଯାଉଥିଲା। ଆଜି ଠିକ ସେଇ ସମାନ ଶବ୍ଦ ସବୁ ନିଜ ସରକାରର ବିଫଳତା ଘୋଡାଇବାକୁ ନରେନ୍ଦ୍ର ମୋଦୀ ବ୍ୟବହାର କରୁଛନ୍ତି। ଅଗଷ୍ଟ ୧୯୭୫ରେ ଲଣ୍ଡନ ସ୍ଥିତ “ସନ ଡେ ଟାଇମ୍ସ” କୁ ଏକ ସାକ୍ଷାତକାର ଦେଇ ଇନ୍ଦିରା କହିଥିଲେ- “ ଜୟପ୍ରକାଶଙ୍କର ସମ୍ବିଧାନବିରୋଧୀ ଆହ୍ଵାନ କୁ ମୁକାବିଲା କରିବାକୁ ଆମେ ସାମ୍ବିଧାନିକ ଉପାୟ ରେ ପଦକ୍ଷେପ ନେଉଛୁ”। ସମାନ କଥା ଆଜି ମୋଦୀ କହୁଛନ୍ତି। ପ୍ରତି କଥାରେ ସମ୍ବିଧାନ ର ନାଁ ନେଇ ସମ୍ବିଧାନର ବିଚାର କୁ ହତ୍ୟା କରାଯାଉଛି। ସଂସଦ ଓ ବିରୋଧୀ ରାଜ୍ୟ ସରକାରମାନଙ୍କୁ ଏବେ ପ୍ରାୟତଃ ଅଣଦେଖା କରାଯାଉଛି। ଜରୁରୀ କାଳୀନ ପରିସ୍ଥିତି ସମୟରେ ଦଳିତ ଓ ସଂଖ୍ୟାଲଘୁ ବିରୋଧୀ ହିଂସା ବହୁ ପରିମାଣରେ ବଢିଥିଲା। ସମାନ ସ୍ଥିତି ଆଜି ଦେଶରେ ବାରି ହୋଇପଡୁଛି।
ତେବେ ସେଦିନ ଓ ଆଜି ଭିତରେ ଗୋଟେ ବଡ ଫରକ ହେଉଛି, ସେଦିନ ଇନ୍ଦିରାଙ୍କ ବିରୋଧରେ ଏ ଦେଶର ଜଣ ସାଧାରଣ ସକ୍ରିୟ ଭାବରେ ରାସ୍ତାରେ ଆନ୍ଦୋଳନ କରିଥିଲେ। ଆଜିର ଜନମତ କିନ୍ତୁ ନିଷ୍କ୍ରିୟ ଓ ପ୍ରଭାବହୀନ।