ସଫ୍ଟ-ଷ୍ଟୋରି ଷ୍ଟ୍ରକ୍ଚର ଏବଂ ପ୍ୟାନ୍-କେକ୍ କୋଲାପ୍ସ

ସଫ୍ଟ-ଷ୍ଟୋରି ଷ୍ଟ୍ରକ୍ଚର ଏବଂ ପ୍ୟାନ୍-କେକ୍ କୋଲାପ୍ସ

୨୦୨୩, ଫେବୃଆରୀ ୬ ତାରିଖ ଦିନ ତୁର୍କୀରେ ଘଟିଯାଇଥିବା ଭୟାବହ ଭୂମିକମ୍ପ ବିଷୟରେ ଆମେ ସମସ୍ତେ ଜାଣିଛେ। କାହରାମାନମାରାସ୍ ଅଞ୍ଚଳର, ପାଜ୍ରିସିକ୍ ଜିଲ୍ଲାରେ ଏହି ଭୂମିକମ୍ପର ଏପିସେଣ୍ଟର ବା ଉତ୍ପତ୍ତି ସ୍ଥଳ ରହିଥିବା ବେଳେ ଆଖପାଖର ଆଡିୟାମାନ୍, କିଲିସ୍, ଓସମାନିଆ, ଗାଜିଆନଟେପ୍, ମାଲାତ୍ୟା, ସାନଲ୍ୟୁର୍ଫା, ଦିଆରବାକିର୍,  ଆଡାନା, ହାତ୍ୟା ଅଞ୍ଚଳ ଗୁଡିକ ମଧ୍ୟ ଏହି ଭୂମିକମ୍ପରେ ପ୍ରଭାବିତ ହୋଇଥିଲେ। ଏହି ଅଞ୍ଚଳରେ ପାଖାପାଖି ୧୩.୫ ମିଲିୟନ ଲୋକ ବସବାସ କରୁଥିବା ବେଳେ, ସେଥିରୁ ପାଖାପାଖି ୨ ମିଲିୟନ ସିରିଆ ରିଫ୍ୟୁଜି ମଧ୍ୟ ରହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ମତରେ, ତୁର୍କୀ ଏବଂ ସିରିଆର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ରହୁଥିବା ପଖାପାଖି ୨୩ ମିଲିୟନ ଲୋକଙ୍କ ମଧ୍ୟରେ ୧.୪ ମିଲିୟନ ଶିଶୁ ରହିଛନ୍ତି। ୬ ତାରିଖ ପାହନ୍ତିଆ ୪ଟା ୧୭ମିନିଟରେ ୭.୮ ମ୍ୟାଗନିଚୁଡର ପ୍ରଥମ ଝଟକା ଅନୁଭୂତ ହେବା ପରେ ଅନେକ ଗୁଡିଏ ଆଫ୍ଟର ସକ୍ ଲାଗିରହିଥିଲା। କିନ୍ତୁ ଏହାର ୯ ଘଣ୍ଟା ପରେ ହୋଇଥିବା  ୭.୫ ମ୍ୟାଗନିଚୁଡର ଆଉ ଗୋଟିଏ ବଡ଼ ଝଟକା ସବୁ କ୍ଷୟକ୍ଷତିକୁ ଆହୁରି ବଢାଇ ଦେଇଥିଲା। ଏବେ ସୁଦ୍ଧା ସମୁଦାୟ ୬୦୦୦ଟି ଆଫ୍ଟର ସକ୍ ହୋଇଥିବାର ସୂଚନା ରହିଛି। ଲେଖାଟି ଲେଖା ହେଲା ବେଳକୁ ତୁର୍କୀ ଏବଂ ସିରିଆରୁ ସମୁଦାୟ ୪୭,୨୪୪ ଜଣଙ୍କ ମୃତ୍ୟୁ ଘଟିଛି। ତୁର୍କୀ ସରକାରୀ ରିପୋର୍ଟ ଅନୁସାରେ ସମୁଦାୟ ୩୪୫୦ଟି କୋଠା ଭୁଷୁଡି ପଡିଥିବା ବେଳେ ଅନ୍ୟ କେତେକ ରିପୋର୍ଟରେ ଏହି ସ°ଖ୍ୟା ୫୭୭୫ ରହିଛି (ସମୁଦାୟ ୧୧୩୪୨ଟି କୋଠା ନଷ୍ଟ ହୋଇଥିବାର ଖବର ମଧ୍ୟ ଅଛି)।

 କିନ୍ତୁ ତୁର୍କୀ ଇତିହାସରେ ଏମିତି ଭୂମିକମ୍ପ କୌଣସି ନୂଆ କଥା ନୁହେଁ। ରେକର୍ଡ ଅନୁସାରେ ଏହି ଅଞ୍ଚଳର ଭୂମିକମ୍ପର ଇତିହାସ ୨୦୦୦ ବର୍ଷର। ଇଷ୍ଟ ଆନାଟୋଲିଆନ୍ ଫଲ୍ଟ ଜୋନ୍ ଉପରେ ଅବସ୍ଥିତ ତୁର୍କୀ (ଏବଂ ସିରିଆର ଯେଉଁ ଅ°ଶ ପ୍ରଭାବିତ ହୋଇଛି) ଗୋଟିଏ ପ୍ରବଳ ସେସମିକ୍ ଆକ୍ଟିଭ ଅଞ୍ଚଳ। ଏହି ଇଷ୍ଟ ଆନାଟୋଲିଆନ୍ ଫଲ୍ଟ ଲାଇନ୍ ଆନାଟୋଲିଆନ୍ ଏବଂ ଆରବିଆନ୍ ଟେକ୍ଟୋନିକ୍ ପ୍ଲେଟର ସୀମା ବନାଇଥାଏ। ଭୂପୃଷ୍ଠ ତଳେ ଏହି ଫଲ୍ଟ ଲାଇନ୍ ଅଞ୍ଚଳରେ ତିନୋଟି ଟେକ୍ଟୋନିକ୍ ପ୍ଲେଟ୍ (ୟୁରେସିଆନ୍,  ଆନାଟୋଲିଆନ୍ ଏବଂ ଆରବିଆନ୍) ଲଗାତାର ପରସ୍ପର ସହ ଘର୍ଷଣ ସୃଷ୍ଟି କରନ୍ତି ତଥା ଆନାଟୋଲିଆନ୍ ଏବଂ ଆରବିଆନ୍ ଦୁଇଟି ପ୍ଲେଟ୍ ପରସ୍ପରଠାରୁ ବାର୍ଷିକ ୬ - ୧୦ ମିଲିମିଟର ଦୂରେଇ ଯାଉଥିବା କାରଣରୁ ଯେଉଁ ଇଲାଷ୍ଟିକ୍ ଚାପ ସୃଷ୍ଟି ହୁଏ, ତାହା ସମୟେ ସମୟେ ଭୂମିକମ୍ପ ମାଧ୍ୟମରେ ରିଲିଜ୍ ହୋଇଥାଏ। ଏହି କାରଣରୁ ତୁର୍କୀରେ ବାରମ୍ବାର ଭୂମିକମ୍ପ ହେବାର ଆମେ ଦେଖୁଛେ। ୧୭ ଅଗଷ୍ଟ, ୧୯୯୯ ମସିହାରେ ତୁର୍କୀରେ ହୋଇଥିବା ଭୟାନକ ଭୂମିକମ୍ପ, ଯେଉଁଥିରେ ୧୭୦୦୦ - ୧୮୦୦୦ ଲୋକଙ୍କ ପ୍ରାଣହାନୀ ଘଟିଥିଲା, ହୁଏତ ସମସ୍ତଙ୍କର ମନେଥିବ। ସେହି ଭୂମିକମ୍ପରେ ପାଖାପାଖି ୨୦୦୦୦ କୋଠା ଭୂଷୁଡି ଥିବାର ରେକର୍ଡ ଅଛି। କିନ୍ତୁ ସେସମିକ୍ ଆକ୍ଟିଭିଟି ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ସତ୍ତ୍ୱେ ଏହି ଅଞ୍ଚଳରେ ଅନେକ ମାତ୍ରାଧିକ ଅସୁରକ୍ଷିତ କୋଠା ବା ନିର୍ମାଣ ରହିଛି, ଯାହାକି ପ୍ରତିଥର ଭୂମିକମ୍ପ ସମୟରେ ଏତେ ସ°ଖ୍ୟାରେ ପ୍ରାଣହାନୀର କାରଣ ହେଉଛି।

 ତେବେ ଏଠି ପ୍ରଶ୍ନ ହେଉଛି, ୨୦୦୦ ବର୍ଷ ଧରି ଭୂମିକମ୍ପକୁ ଦେଖୁଥିବା ଗୋଟିଏ ଅଞ୍ଚଳ ଗୃହନିର୍ମାଣକୁ ନେଇ କ'ଣ କିଛି ଶିକ୍ଷା ଗ୍ରହଣ କରିନି? କରିଛି। ବାରମ୍ବାର ଏ ଦେଶର କୋଠା ନିର୍ମାଣ ନିୟମରେ ପରିବର୍ତ୍ତନ କରାଯାଇଛି। ୧୯୯୮ ମସିହାରେ ନିର୍ମାଣଗୁଡିକ ପାଇଁ  ଜାପାନର କ୍ବାକ୍-ରେଜିଷ୍ଟାନ୍ସ ବା ଭୂମିକମ୍ପ-ପ୍ରତିରୋଧ ଷ୍ଟାଣ୍ଡାର୍ଡକୁ ତୁର୍କୀରେ ଲାଗୁ କରାଯାଇଥିଲା। କିନ୍ତୁ ୟା ପରେ ୨୦୧୧ ମସିହାରେ ୭.୨ ମ୍ୟାଗନିଚୁଡର ଭୂମିକମ୍ପରେ ହୋଇଥିବା ଭୟାବହ କ୍ଷତିକୁ ଅନୁଧ୍ୟାନ କରି ନାଗୋୟା ୟୁନିଭର୍ସିଟିର ଆସୋସିଏଟ୍ ପ୍ରଫେସର ୟୋ ହିବିନୋ, କୋଠା ଗୁଡିକର ରୁଗ୍ଣ ତଥା ଭୁଲ୍ ନିର୍ମାଣ ଶୈଳୀ ହିଁ କ୍ଷୟକ୍ଷତି ପାଇଁ ବେଶି ଦାୟୀ ବୋଲି କହିଥିଲେ। ହିବିନୋଙ୍କ ମତରେ, ତୁର୍କୀପରି ସେସମିକ୍ ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ନିର୍ମାଣ ସମୟରେ ଭର୍ଟିକାଲ୍ ପିଲର ଗୁଡିକରେ ହରାଇଜଣ୍ଟାଲ୍ ବିମ୍ ଅପେକ୍ଷା ଅଧିକ ଶକ୍ତ ଏବଂ ଭାରି ସାମଗ୍ରୀ ବ୍ୟବହାର କରିବା ଉଚିତ। ଯଦ୍ୱାରା ଭୂମିକମ୍ପ ସମୟରେ କୋଠାଟିଏ ସମ୍ପୂର୍ଣ୍ଣ ଭୂଷୁଡି ପଡିବାର ସମ୍ଭାବନା ବହୁତ ମାତ୍ରାରେ କମିଯିବ। ୨୦୧୯ରେ ତୁର୍କୀର ଗୃହ ନିର୍ମାଣର ଭୂମିକମ୍ପ- ପ୍ରତିରୋଧ ନିୟମ ଏବଂ ଷ୍ଟାଣ୍ଡାର୍ଡରେ ପୁଣି ପରିବର୍ତ୍ତନ କରାଯାଇଥିଲା। ପ୍ରଚଳିତ କ୍ବାକ୍-ରେଜିଷ୍ଟାନ୍ସ ଷ୍ଟାଣ୍ଡାର୍ଡ ଅନୁସାରେ ତୁର୍କୀର କୋଠା ଗୁଡିକ ଅତି ତୀବ୍ର ଭୂମିକମ୍ପ, ଯେଉଁଥିରେ ଭୂପୃଷ୍ଠର ଗତି (ଆକ୍ସିଲେରେସନ୍) ମାଧ୍ୟାକର୍ଷଣ ଅପେକ୍ଷା ୩୦ -୪୦% ଅଧିକ ଥାଏ, ସେତିକି ପ୍ରଖର ଭୂମିକମ୍ପକୁ ସହିପାରିବ। କିନ୍ତୁ ୭.୫ - ୭.୮ ମ୍ୟାଗନିଚୁଡର ଭୂମିକମ୍ପରେ ଭୂପୃଷ୍ଠର ଗତି ମାଧ୍ୟାକର୍ଷଣ ଅପେକ୍ଷା ୨୦ -୫୦% ରହୁଥିବା ବେଳେ ଏତେ ବିପୁଳ ପରିମାଣର କୋଠା ଭୂଷୁଡି ପଡିବା ଡିଜାଇନ୍-କୋଡର ନିୟମାବଳୀର ପ୍ରଣୟନ ଏବଂ ପାଳନ ଉପରେ ପ୍ରଶ୍ନ ସୃଷ୍ଟି କରେ !

ବିଶେଷଜ୍ଞଙ୍କ ମତରେ ତୁର୍କୀରେ ଫେବୃୟାରୀ ୬ ତାରିଖ ଭୂମିକମ୍ପରେ ଏତେ ବିପୁଳ ମାତ୍ରାରେ କୋଠା ଭୁଷୁଡିବାର କାରଣ ହେଉଛି "ସଫ୍ଟ-ଷ୍ଟୋରି ଷ୍ଟ୍ରକ୍ଚର"। ସଫ୍ଟ-ଷ୍ଟୋରିର ଅର୍ଥ ବହୁତଳ କୋଠା ବା ପ୍ରାସାଦର ଗୋଟାଏ ମହଲା, ଯିଏ ତା'ର ଉପର ଏବଂ ତଳ ମହଲା କିମ୍ବା ଫାଉଣ୍ଡେସନ୍/ ନିଅଁ ଅପେକ୍ଷା ଦୁର୍ବଳ, ନମନୀୟ ଏବଂ ଯାହାର ଲାଟେରାଲ୍ ଲୋଡ୍ ରେଜିଷ୍ଟାନ୍ସ କମ୍ ଥିବ। ସେହି ମହଲାଟିର ସାଧାରଣତଃ ଚାରି କାନ୍ଥ ନଥାଏ, କିମ୍ବା କାନ୍ଥ ଗୁଡିକ ବଡ଼ ବଡ଼ କାଚର ଝରକା ରହିଥାଏ। ସାଧାରଣତଃ ବହୁତଳ କୋଠା ଗୁଡିକର ଗ୍ରାଉଣ୍ଡ୍ ଫ୍ଲୋର୍ ବା ଭୂପୃଷ୍ଠରେ ଥିବା ମହଲାଟି ଏହିପରି ହୋଇଥାଏ, ଯାହାକୁ ଗ୍ୟାରେଜ୍, ପାର୍କି°, ସିକ୍ବିରିଟୀ ରୁମ୍ ବା ଏକ୍ସଟ୍ରା ରୁମ୍ ପାଇଁ ବ୍ୟବହାର କରାଯାଏ। ଏହି କୋଠାଗୁଡିକରେ ଆମେ ଦେଖୁ ଯେ ଭୂପୃଷ୍ଠରେ ଥିବା ମହଲାଟିରେ କୌଣସି କାନ୍ଥ ନଥାଏ କିନ୍ତୁ ତା' ଉପରେ ଥିବା ସମସ୍ତ ମହଲାରେ କାନ୍ଥ ଥିବା ସହ ମଣିଷ ଏବଂ ଆସବାବପତ୍ରର ଭାର ମଧ୍ୟ ଥାଏ। ତୁର୍କୀ, ଭାରତ ଏବଂ ପାକିସ୍ତାନ ପରି ଦେଶ ମାନଙ୍କରେ ଏପରି ସଫ୍ଟ-ଷ୍ଟୋରି ଷ୍ଟ୍ରକ୍ଚର ବହୁଳ ପ୍ରଚଳିତ। ଜନସ°ଖ୍ୟା ଘନତ୍ବ ଥିବା ଅଞ୍ଚଳ ଗୁଡିକରେ କମ୍ ଜାଗାରେ ଅଧିକ ଲୋକ ଏବଂ ଗାଡି ପାଇଁ ଶସ୍ତାରେ ଜାଗା ବାହାର କରିବା ପାଇଁ ଏପରି ନିର୍ମାଣକୁ ଗୁରୁତ୍ୱ ଦିଆଯାଏ। କିନ୍ତୁ ଏପରି ନିର୍ମାଣ ଗୁଡିକରେ ଭୂମିକମ୍ପ ସମୟରେ ସେହି ସଫ୍ଟ-ଷ୍ଟୋରି ମହଲାଟି ପ୍ରଥମେ ଭୂଷୁଡି ପଡେ ଏବଂ ତା' ପଛକୁ ତା' ଉପରେ ଥିବା ସବୁ ମହିଲାଗୁଡିକ ତା' ଉପରେ-ତା' ଉପରେ ଗଳି ପଡି ଗଦା ହୋଇ ଯାଆନ୍ତି। ଏହି ସଫ୍ଟ-ଷ୍ଟୋରି ଷ୍ଟ୍ରକ୍ଚର ଗୁଡିକର ଭୂମିକମ୍ପ-ପ୍ରତିରୋଧକ ଶକ୍ତି ଖୁବ୍ କମ୍, ତେଣୁ ବହୁଳ ମାତ୍ରାରେ କୋଠାବାଡି ଭୁଷୁଡିବାର ଆଶଙ୍କା ରହିଥାଏ। ଟୋକିଓ ୟୁନିଭର୍ସିଟିର ଆର୍ଥକ୍ବାକ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ପ୍ରଫେସର କୁସୁନୋକି କୋଇଚିଙ୍କ ମତରେ, ତୁର୍କୀର ଭୂମିକମ୍ପରେ ଏତେ ମାତ୍ରାରେ ପ୍ରାଣହାନୀ ଘଟିଥିବାର କାରଣ ହେଉଛି "ପ୍ୟାନ୍-କେକ୍ କୋଲାପ୍ସ ଫେନୋମେନନ୍"।

ଏହି ପ୍ରକାର କୋଲାପ୍ସରେ ପ୍ରଥମେ ତଳ ମହଲାଟି ଭୁଷୁଡି ଯାଏ ଏବଂ ତା' ପରେ ଉପରକୁ ଥିବା ସମସ୍ତ ମହଲା ଭୁଷୁଡି, ସେଇଠି ଗଦା ହୋଇଯାଏ। ବିଶେଷଜ୍ଞଙ୍କ ମତରେ ପ୍ୟାନ୍-କେକ୍ କୋଲାପ୍ସ ଅନ୍ୟ ସମସ୍ତ ପ୍ରକାର ଘର-ଭୁଷୁଡା ପ୍ରକାର ଅପେକ୍ଷା ଅଧିକ ପ୍ରାଣହାନୀ କରିଥାଏ। କାରଣ ପ୍ୟାନ୍-କେକ୍ କୋଲାପ୍ସରେ ଭୁଷୁଡି ପଡିଥିବା ନିର୍ମାଣରେ ବାହାରିବା ପାଇଁ ଫାଙ୍କ ବା ଏସକେପ୍ ସ୍ପେସ୍ ପ୍ରାୟତଃ ନଥାଏ। ଉଦାହରଣ ସ୍ବରୂପ ଆମେ ଘରେ ଚକୁଳି ପିଠା (ବା ପ୍ୟାନ୍-କେକ୍) ବନାଇ ଯଦି ପ୍ଲେଟ ଉପରେ ଗୋଟାଏ ଉପରେ ଗୋଟିଏ ରଖିବା, ତାହେଲେ ସବୁ ଚକୁଳି ଗଢି ସାରିଲା ବେଳକୁ ଆମେ ସର୍ବ ପ୍ରଥମେ ବନାଇଥିବା ଚକୁଳିଟି ଯିଏ ପିଠାଥାକର ସବୁଠାରୁ ତଳେ ଅଛି ତାକୁ ଟାଣି ବାହାର କରି ପାରିବା ନାହିଁ। ସେମିତି ଭୂମିକମ୍ପ ସମୟରେ ଯେତେବେଳେ ପ୍ରଥମେ କୋଠାର ସର୍ବନିମ୍ନ ମହଲାଟି ଭୁଷୁଡି ପଡେ ଏବଂ ଉପରକୁ ଥିବା ମହଲା ଗୁଡିକ ଭର୍ଟିକାଲ୍ ମ୍ୟାନରରେ ଭୁଷୁଡି ଗଦା ହୋଇ ପଡନ୍ତି, ସେତେବେଳେ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ବାହାର କରିବା କଷ୍ଟସାଧ୍ୟ ହୁଏ। ଉପର ଆଡୁ ସଫା କରିକରି ତଳକୁ ଯିବା ପାଇଁ ଅନେକ ସମୟ ଲାଗିଯାଏ ଏବଂ ମୃତାହତଙ୍କ ସ°ଖ୍ୟା ବଢିଥାଏ।

ନଭେମ୍ବର, ୨୦୧୧ରେ ତୁର୍କୀରେ ଗୋଟିଏ ଭୂମିକମ୍ପରେ ଯେତେବେଳେ ୧୧୨୩୨ଟି କୋଠାଘର ନଷ୍ଟ ହୋଇଥିଲା, ୪୧୫୨ ଜଣ ଆହତ ହୋଇଥିଲେ ଏବଂ ୬୦୪ଜଣଙ୍କ ମୃତ୍ୟୁ ହୋଇଥିଲା, ସେତେବେଳର ତୁର୍କୀ ପ୍ରଧାନମନ୍ତ୍ରୀ ରିସେପ୍ ତ୍ୟାଇପ୍ ଏର୍ଡୋଗାନ୍ କହିଥିଲେ,"ନଗରପାଳିକା ଅଧିକାରୀ, ନିର୍ମାଣକାରୀ ସ°ସ୍ଥା ଏବଂ ସୁପରଭାଇଜର ମାନେ ଗୃହନିର୍ମାଣ କାର୍ଯ୍ୟରେ ନିଜ ଦ୍ବାରା କରାଯାଇଥିବା ଅବହେଳାକୁ ହତ୍ଯା ତୁଲ୍ୟ ମଣିବା ଉଚିତ।" କିନ୍ତୁ ତୁର୍କୀର ପୂର୍ବତନ ପ୍ରଧାନମନ୍ତ୍ରୀ ଏର୍ଡୋଗାନ୍ ମଧ୍ୟ ଆମ ପରି ତୁର୍କୀ ଏବଂ ବିଶ୍ବର ସବୁ ଅଞ୍ଚଳରେ ଗୃହ ନିର୍ମାଣ ସହ ଜଡିତ ସମସ୍ତ ସମସ୍ୟା, ଅବହେଳା ଏବଂ ଦୁର୍ନୀତି ପ୍ରତି ନିଶ୍ଚିତ ଅବଗତ। ପରିବର୍ତ୍ତନ କେବଳ ଗୃହନିର୍ମାଣ ବା କ୍ବାକ୍-ରେଜିଷ୍ଟାନ୍ସ ନିୟମରେ କରିଦେଲେ ହେବ ନାହିଁ, ପରିବର୍ତ୍ତନ ମଣିଷର ମାନସିକ ସ୍ତରରେ ଆବଶ୍ୟକ। ଅଧିକାରୀ ଏବଂ ଶାସନତନ୍ତ୍ରରେ ଥିବା ମଣିଷମାନେ କେବଳ ନିଜର କ୍ଷଣସ୍ଥାୟୀ ସ୍ବାର୍ଥକୁ ନଦେଖି ନିଜ ଦେଶର ସମସ୍ତଙ୍କୁ ନିଜର ଭାବି ନିଜ ଦାୟିତ୍ୱ ତୁଲାଇବା ଦରକାର। କାରଣ ଜରୁରୀ ନାହିଁ ଯେ ଗୃହନିର୍ମାଣରେ ଘପଲତି କରିଥିବା ଅଧିକାରୀଟିଏ ଦୁର୍ନୀତି କରାଯାଇଥିବା ଓଭରବ୍ରିଜ୍ ତଳେ କେବେ ଯିବାଆସିବା କରିବ ନାହିଁ!

 

ଭୁବନେଶ୍ୱର

୮୦୧୮୦୫୩୩୯୫