ସମଦୂରତା ନା ବିଜେଡ଼ିର ରାଜନୈତିକ ଆତ୍ମହତ୍ୟା ?

ସମଦୂରତା ନା ବିଜେଡ଼ିର ରାଜନୈତିକ ଆତ୍ମହତ୍ୟା ?

ଦିଲ୍ଲୀର ନିର୍ବାଚିତ ସରକାର ହାତରୁ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ଛଡାଇ ଆଣିବା ଲାଗି ଯେଉଁ ବିଲ ସଂସଦରେ ଆଗତି ହୋଇଥିଲା ତାହାର ସମର୍ଥନରେ କହୁଥିବା ବେଳେ ଲୋକସଭାରେ ପିନାକୀ ମିଶ୍ର ଏବଂ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କୁ ଏକପ୍ରକାର ଲୋକହସା ହେବାକୁ ପଡିଥିଲା । ବିଜୁ ଜନତା ଦଳ ଉଭୟ କଂଗ୍ରେସ ଏବଂ ବିଜେପିଠାରୁ ସମଦୂରତା ଅବଲମ୍ବନ କରୁଛି ବୋଲି ସାଂସଦ ଦ୍ୱୟ କହିବା ବେଳେ ପୂରା ସଂସଦ ହୋ ହୋ ହୋଇ ହସିଥିଲା । “ସମଦୂରତା” ବିଜେଡି ପାଇଁ ଏବେ “ଆତ୍ମ ସମର୍ପଣ” ପାଲଟି ସାରିଛି । ବିଜେପି ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ସବୁ ଜନବିରୋଧୀ ପଦକ୍ଷେପ ସପକ୍ଷରେ ଠିଆ ହୋଇ ବିଜେଡି ନିଜକୁ “ବିଜେପିର ଲାଞ୍ଜ” ଭାବରେ ଏକାଧିକ ଥର ପ୍ରମାଣିତ କରିସାରିଛି ବିଜେପିକୁ ସମର୍ଥନ କରିବା ଲାଗି ବିଜେଡି ଭିନ୍ନ ଭିନ୍ନ ସମୟରେ କେବଳ ବାହାନା ଖୋଜିଛି  ୨୦୧୯ ପରଠୁ ବିଜେଡିର ଏକମାତ୍ର ନୀତି ହେଉଛି, ମୋଦୀ ସରକାରର ବୋଲକରା ଭାବରେ ସବୁକଥାରେ ହଁ ମାରିବା ।  ତେବେ ବିଜେପି ପାଖରେ ବିଜେଡ଼ି ଆତ୍ମସମର୍ପଣ କରିବାର କାରଣ କଣ ?

ରାଜନୈତିକ ଭାବରେ ଆଜି ମଧ୍ୟ ରାଜ୍ୟରେ ବିଜେଡ଼ିର ଲୋକପ୍ରିୟତା ଅକ୍ଷୁଣ୍ଣ ରହିଛି ଓ ନବୀନ ପଟ୍ଟନାୟକ ସରକାର ବିରୋଧରେ ସେମିତି କିଛି ଜନମତ ନାହିଁ ପଞ୍ଚାୟତ ଏବଂ ନଗରପାଳିକା ନିର୍ବାଚନରେ ବିଜେଡି ବିଜେପିକୁ ସଂପୂର୍ଣ୍ଣ ଭାବରେ ପରାଜିତ କରିଛି । ତା ସତ୍ତ୍ୱେ ହଠାତ ବିଜେଡି ନିଜକୁ ବିଜେପିର ଲାଞ୍ଜ ଭାବରେ ଉପସ୍ଥାପିତ କରିବାର କାରଣ କଣ ? ନବୀନ ପଟ୍ଟନାୟକ ବିଜେପିକୁ ସତରେ ଭୟ କରୁଛନ୍ତି ନା ନବୀନଙ୍କ ପ୍ରତି ବିଜେପି ମାତ୍ରାଧିକ ଆସକ୍ତ ହୋଇପଡିଛି ? ବିଜେପି ପାଇଁ ୨୦୨୪ ନିର୍ବାଚନରେ କିଛି ସହଯୋଗୀ ନିତାନ୍ତ ଆବଶ୍ୟକ ସେଥିପାଇଁ ବିଜେପି ନବୀନଙ୍କୁ ନିଜପାଖରେ ରଖିବାକୁ ଚେଷ୍ଟା କରିବା ସ୍ଵାଭାବିକ । ହେଲେ ବିଜେଡ଼ି ପାଇଁ ବିଜେପିର ସମର୍ଥନ କେଉଁଠି ଦରକାର ?

  • ବିଜେଡି ସରକାରର ଏମିତି କିଛି ଘୋଟାଲା ଅଛି କି ଯାହାକୁ ଦେଖାଇ କେନ୍ଦ୍ର ସରକାର ବିଜେଡି ନେତୃତ୍ବକୁ ଚାପରେ ରଖୁଛନ୍ତି ?
  • ନବୀନ ପଟ୍ଟନାୟକଙ୍କର ବୟସାଧିକ୍ୟ ଯୋଗୁଁ ଦଳ ସଠିକ ରାଜନୈତିକ ନିର୍ଣ୍ଣୟ ନେବାରେ ଅକ୍ଷମ ହୋଇପଡୁଛି କି ?
  • ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ପାଇଁ ୧୦/୧୧ ଆସନ ବିଜେପି ପାଇଁ ଛାଡି ଦେବାକୁ ବିଜେପି ସହିତ ବିଜେଡି ଡିଲ କରିଛି କି ?
  • ସଂସଦରେ ବିଜେଡ଼ିର ସଂଖ୍ୟା ନ ରହିଲେ, କେନ୍ଦ୍ର ସରକାରରେ ଏହାର କୌଣସି ଗୁରୁତ୍ଵ ରହିବ ନାହିଁ ଲୋକସଭାରେ ବିଜେପିକୁ ଅଧାରୁ ଅଧିକ ଆସନ ଛାଡିଦେବା ବିଜେଡି ପାଇଁ ଏକପ୍ରକାର ରାଜନୈତିକ ଆତ୍ମହତ୍ୟା ହେବ ନାହିଁ କି ?
  • ନବୀନ ପଟ୍ଟନାୟକଙ୍କର ଶାରୀରିକ ଦୁର୍ବଳତାର ଫାଇଦା ଉଠାଇ ବିଜେପି ସହିତ ନିଜର ରାଜନୈତିକ ଭବିଷ୍ୟତ ପାଇଁ ଅନ୍ୟ କେହି ଉଦ୍ୟମ ଆରମ୍ଭ କରୁଛି କି ?

ବିଜେଡି-ବିଜେପିର ଏଇ ନୂଆ ସମ୍ପର୍କ ଏମିତି ଅନେକ ରାଜନୈତିକ ପ୍ରଶ୍ନ ଠିଆ କରିଛି, ଯାହାର ଉତ୍ତର ପାଇବା ଏତେ ସହଜ ନୁହେଁ ରାଜ୍ୟରେ ବିଜେପି ସଂଗଠନକୁ ବଳି ପକାଇ ବିଜେଡି ସହିତ ବିଜେପି କେନ୍ଦ୍ରୀୟ ନେତୃତ୍ଵର ଏହି ସମ୍ପର୍କ ପଛରେ ଏକ ଭିନ୍ନ ଉଦ୍ଦେଶ୍ୟ ଅବଶ୍ୟ ରହିଛି ନବୀନ ପଟ୍ଟନାୟକଙ୍କୁ ବିଜେପି ନିଜ ସପକ୍ଷରେ ରଖିବାକୁ ପ୍ରରୋଚିତ କରି ଜାତୀୟ ରାଜନୀତିରେ ତାଙ୍କୁ ପ୍ରଥମଥର ଲାଗି ଅପଦସ୍ତ କରାଯାଇଛି ଏହା ପୂର୍ବରୁ ନବୀନଙ୍କୁ ସବୁ ରାଜନୈତିକ ପକ୍ଷ ସମ୍ମାନ କରୁଥିଲେ। ହଠାତ ସେ ବିଜେପିର ଲାଞ୍ଜ ହେବାର ନିଷ୍ପତ୍ତି ନେବା ପରେ, ତାଙ୍କୁ ଜାତୀୟ ସ୍ତରରେ ନିନ୍ଦିତ ହେବାକୁ ପଡିଛି । ନବୀନଙ୍କ ପ୍ରତି ଜାତୀୟ ସ୍ତରର ବିରୋଧୀ ନେତାମାନେ କଟାକ୍ଷ କରିବା ଆରମ୍ଭ କଲେଣି ଜଣେ ଶକ୍ତିଶାଳୀ ଓ ସ୍ଵାଧୀନ ରାଜନେତା ଭାବରେ ନବୀନଙ୍କର ପୁରୁଣା ଭାବମୂର୍ତ୍ତି ହଠାତ ବିଜେପିର “ଚିୟର ଲିଡର” ସ୍ତରକୁ ଖସି ଆସିଛି । ସେ ଏବେ ଅମିତ ଶାହାଙ୍କ ଇସାରରେ ନାଚୁଛନ୍ତି ବୋଲି ଏକ ବାର୍ତ୍ତା ଲୋକଙ୍କ ଭିତରେ ପହଞ୍ଚିବା ଆରମ୍ଭ କରିଛି ଏହି ବାର୍ତ୍ତା ନବୀନ ଓ ବିଜେଡି ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ ।