ଫୁଲର ରାସ୍ତାରେ ଚାଲୁଥିବା ପ୍ରଧାନମନ୍ତ୍ରୀ

ଫୁଲର ରାସ୍ତାରେ ଚାଲୁଥିବା ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଫୁଲ ବର୍ଷା କରିବାକୁ ନିଜର ପରମ ଧର୍ମ ବୋଲି ତାଙ୍କ ଦଳ ଓ ତାଙ୍କ ଭକ୍ତମାନେ ଭାବି ନେଇଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ତାଙ୍କ ଭକ୍ତ ଓ ତାଙ୍କ ଦଳର ନେତାମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଏଣିକି ପ୍ରଧାନମନ୍ତ୍ରୀଙ୍କୁ ଆଉ କେହି ଫୁଲ ତୋଡା ଦେବେ ନାହିଁ । ଏହାର କାରଣ ଭାବରେ ସେତେବେଳେ କୁହା ଯାଇଥିଲା ଯେ ଅଯଥାରେ ଫୁଲ ଓ ପଇସା ନଷ୍ଟ ହେଉଛି ।  ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ଫୁଲ ଦେଇ ସ୍ବାଗତ କରାଯିବ । ଫୁଲ ପରିବର୍ତ୍ତେ ବହି ଦେଲେ ବି ଚାଲିବ ବୋଲି ପ୍ରଧାନମନ୍ତ୍ରୀ କାର୍ୟାଳୟ ସେତେବେଳେ କହିଥିଲେ । ସେକଥା ଏବେ ନା ଭକ୍ତମାନେ ମନେ ରଖିଛନ୍ତି ନା ପ୍ରଧାନମନ୍ତ୍ରୀ ନିଜ ପରାମର୍ଶ ନିଜେ ପାଳନ କରୁଛନ୍ତି ।

ଏବେ ଫୁଲତୋଡ଼ା ନୁହଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଟନ୍ ଟନ୍ ଫୁଲ ବର୍ଷା ହେଉଛି । ବିଜେପି କାର୍ଯ୍ୟାଳୟରେ ଯେବେ ବି କୌଣସି ନିର୍ବାଚନର ବିଜୟ ଉତ୍ସବ ପାଳିତ ହେଉଛି, ସେଠି ପ୍ରଧାନମନ୍ତ୍ରୀଙ୍କ ଉପରେ ଗୋଲାପ ପାଖୁଡା ବର୍ଷୁଛି । ବଡ଼ ଆନନ୍ଦରେ ଫୁଲ ବର୍ଷା ଭିତରେ ପ୍ରଧାନମନ୍ତ୍ରୀ ନିଜର ଛପନ ଇଞ୍ଚ୍ ର ଛାତି ଫୁଲେଇ ଚାଲିଛନ୍ତି । ଫୁଲ ବର୍ଷା ମଧ୍ୟରେ ଚାଲୁଥିବା ପ୍ରଧାନମନ୍ତ୍ରୀଙ୍କ ଗୌରବ ଗାନ କରି ବିଜେପି କହୁଛି, ଏହା ଲୋକଙ୍କ ଭଲପାଇବାର ନିଦର୍ଶନ ।

ଲୋକଙ୍କ ଭଲପାଇବାର ସଙ୍କେତ ସବୁବେଳେ ଅଲଗା । ଯଦି ଲୋକେ ଭଲ ପାଇ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା କରୁଥାନ୍ତେ, ତା ହେଲେ ସେଠି ହରେକ ରକମର ଫୁଲ ଥାଆନ୍ତା । ଏକ ବର୍ଣ୍ଣର ଓ ଏକ ପ୍ରକାର ଫୁଲ ବର୍ଷା ପଛରେ ଏହା ଯେ ପ୍ରଧାନମନ୍ତ୍ରୀଙ୍କ ଦଳର ନିଜସ୍ବ ଆୟୋଜନ ତାହା ସ୍ପଷ୍ଟ ହୋଇଯାଇଛି । କେରଳର କୋଚି ସହରରେ ପ୍ରଧାନମନ୍ତ୍ରୀ ରୋଡ଼ ସୋ କଲାବେଳେ ତାଙ୍କ ଉପରେ କେବଳ ହଳଦିଆ ରଙ୍ଗର ଫୁଲ ବର୍ଷା ହେଉଛି । ଏହା ପଛରେ ବିଜେପିର ସ୍ବତନ୍ତ୍ର ଯୋଜନା ବାରି ହୋଇ ପଡ଼ୁଛି । ଫୁଲ କିଣା ହେଉଛି, ଫୁଲ ପିନ୍ଧାଇଵାକୁ ଏବଂ ଫୁଲ ବର୍ଷାଇବାକୁ ଲୋକ ମଧ୍ୟ କିଣା ହୋଇ ଆସୁଛନ୍ତି । ସବୁଠୁ ବଡ କଥା ହେଉଛି, ନିର୍ବାଚନ କର୍ଣ୍ଣାଟକରେ ହେଉଛି, ହେଲେ କେରଳରେ ପ୍ରଧାନମନ୍ତ୍ରୀ ଫୁଲର ରାସ୍ତାରେ ଚାଲିଛନ୍ତି । କେରଳ ହେଉଛି ସେହି ରାଜ୍ୟ ଯେଉଁଠି ଜଣେ ବି ବିଜେପି ବିଧାୟକ ବା ସାଂସଦ ନାହାନ୍ତି । ତେବେ କିଏ ଶେଠୀ ତାଙ୍କ ଉପରେ ଫୁଲ ବର୍ଷା କରୁଛି ?   



ଫୁଲ ବର୍ଷା ଦେଖି ଆମର ଦରବାର କଥା ମନେ ପଡୁଛି । ସାମନ୍ତବାଦ ସମୟରେ ରାଜାମାନେ ଏ ଭଳି ଫୁଲର ରାସ୍ତାରେ ଚାଲୁଥିଲେ । ଲୋକଙ୍କୁ କଣ୍ଟାର ଭାଗ୍ୟ ଉପରେ ଛାଡି ଦେଇ ରାଜାମାନେ ଫୁଲ ଶେଯରେ ଶୋଉଥିଲେ । ପ୍ରଧାନମନ୍ତ୍ରୀ କଣ ନିଜକୁ ରାଜା ବୋଲି ଭାବୁଛନ୍ତି ? ସାମନ୍ତବାଦୀ ରାଜନୈତିକ ନାଟକ ଗଣତନ୍ତ୍ର ପାଇଁ ସବୁବେଳେ ବିପଦ ସୃଷ୍ଟି କରିଥାଏ। ପ୍ରଧାନମନ୍ତ୍ରୀଙ୍କ ଉପରେ ଏହି ପ୍ରାୟୋଜିତ ଫୁଲ ବର୍ଷା ଓ ତାକୁ ଦେଖି ଗଦ ଗଦ ହେଉଥିବା ଗଣମାଧ୍ୟମ - ଏ ଦୁଇଟି ଯାକ ପ୍ରକ୍ରିୟା ଗଣତନ୍ତ୍ର ଶାସନ ର ସବଠୁ ବଡ଼ ଶତ୍ରୁ । ଗୋଟେ କଥା ପ୍ରଧାନମତ୍ରୀ ଓ ତାଙ୍କ ସମର୍ଥକ ମନେ ରଖନ୍ତୁ – ଫୁଲ ଗଛରେ ସୁନ୍ଦର ଦିଶେ । ଫୁଲ ଠାକୁରଙ୍କ ଦେହରେ ଶୋଭା ପାଏ । ହେଲେ ନେତାଙ୍କୁ ଦିଆ ଯାଉଥିବା ଫୁଲମାଳ ଓ ତାଙ୍କ ରାସ୍ତାରେ ବର୍ଷୁଥିବା ଫୁଲ, ସବୁବେଳେ ଅଳିଆ ପାଲଟି ଯାଏ ।