ମିଲେନା ଓ କ୍ଲେପଟନ୍ ଙ୍କ ପ୍ରେମ
ନିକଟ ଅତୀତରେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଆତ୍ମହତ୍ୟାର ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କଲାବେଳେ ମନରେ ଆପେ ଆପେ ପ୍ରେମ ଓ ସମ୍ପର୍କକୁ ନେଇ ପ୍ରଶ୍ନ ଉଠେ। ଦୀର୍ଘ ପନ୍ଦର ବର୍ଷର ପ୍ରେମ କ'ଣ ସତରେ ମିଛ ହେଇପାରେ ! ଆମ ଦେଶ ଯେଉଁଠି ରାଧା କୃଷ୍ଣଙ୍କ ପ୍ରେମକୁ ହଜାର ବର୍ଷରୁ ପୂଜା କରିଆସୁଛି ସେଠି ପ୍ରେମ ଏବେ ଏକ ବିରାଟ ପ୍ରଶ୍ନଚିହ୍ନ। ମାସେ କି ବର୍ଷେ ନୁହେଁ, ପନ୍ଦର ବର୍ଷର ଭଲପାଇବାକୁ ହୃଦୟ ନାକଚ କରିପାରେ କିପରି ! କେବଳ ଏଇ ଗୋଟିଏ ନୁହେଁ ଅସଂଖ୍ୟ ଉଦାହରଣ ଏବେ ଭାଙ୍ଗି ଯାଉଥିବା ପ୍ରେମକୁ ନେଇ ଦେଖିବାକୁ ଶୁଣିବାକୁ ମିଳୁଛି। କିଛି ଦିନ ତଳେ ଟିଭି ଡିବେଟ୍ ରେ ବସିଥିଲା ବେଳେ ସଂଚାଳକ ପ୍ରଶ୍ନ କରୁଥିଲେ ଆଗ ଭଳି ଶାଶ୍ବତ ପ୍ରେମ କ'ଣ ଆଉ ପୃଥିବୀରେ ନାହିଁ ! ନା ପ୍ରେମ ଗୋଟେ ଟାଇମ୍ ପାସ୍ !
ଗୋଟେ ସୁନ୍ଦର କଥା ଏଇଠି କହିବାକୁ ଚାହିଁବି। ୧୯୯୩ରେ ୟୁରୋପର କ୍ରୋଏସିଆରେ ଷ୍ଟିପେନ୍ ଭୋକିକ୍ ନାମକ ଜଣେ ସ୍କୁଲ୍ କର୍ମଚାରୀ ଗୋଟେ ଆହତ ଫିମେଲ୍ ଧଳା ସାରସ ପକ୍ଷୀ ପାଇଲେ। ପକ୍ଷୀଟିର ଦେହରେ ଗୁଳି ବାଜିଥିଲା। ଷ୍ଟିପେନ୍ ଆହତ ପକ୍ଷୀଟିର ଅତି ଆଦରରେ ଯତ୍ନ ନେଲେ। ଧୀରେ ଧୀରେ ଫିମେଲ୍ ସାରସ ପକ୍ଷୀଟି ସୁସ୍ଥ ହେବାରେ ଲାଗିଲା। ଷ୍ଟିପେନ୍ ତାଙ୍କ ବାସଭବନ ଉପରେ ତା ପାଇଁ ଗୋଟେ ବସା ତିଆରି କରିଦେଲେ। ତା ନାଁ ରଖିଲେ ମିଲେନା। ମିଲେନା କିଛି ଦିନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେଇଗଲା ସିନା ଉଡିପାରିଲା ନାହିଁ। ଷ୍ଟିପେନ୍ ମିଲେନାକୁ ନିଜର ସନ୍ତାନ ଭଳି ଯତ୍ନ ନେଉଥିଲେ। ପାଖ ନଦୀରୁ ମାଛ ଧରି ଆଣି ଖାଇବାକୁ ଦେଉଥିଲେ। ଏହିଭଳି ଛ/ସାତ' ବର୍ଷ ବିତିଗଲା। ଥରେ ଗ୍ରୀଷ୍ମ ଆସୁ ଆସୁ ଏକ ସୁନ୍ଦର ପୁରୁଷ ସାରସ ପକ୍ଷୀ ମିଲେନାର ବସାରେ ଉଡ଼ି ଆସି ବସିଲା।
ୟୁରୋପରେ ସାଧାରଣତଃ ଗ୍ରୀଷ୍ମକୁ ସ୍ପ୍ରିଙ୍ଗ ବା ବସନ୍ତ ବୋଲି କୁହାଯାଏ। ମିଲେନା ପୁରୁଷ ପକ୍ଷୀଟିକୁ ଦେଖି ଖୁସି ହେଲା। ଉଭୟେ ପରସ୍ପର ସହ ଗ୍ରୀଷ୍ମଟି କଟେଇଲେ ସେଇ ବସାରେ। ମିଲେନାକୁ ପ୍ରେମ ହେଇଗଲା। ପୁରୁଷ ସାରସ ପକ୍ଷୀଟି ତା ଚନ୍ଚୁରେ ଚନ୍ଚୁ ଥୋଇ ଆଦର କରୁଥିଲା। ଷ୍ଟିପେନ୍ ମିଲେନା ଓ ତା ପୁରୁଷ ବନ୍ଧୁ ପାଇଁ ବାଲ୍ଟିରେ ମାଛ ଆଣି ରଖୁଥିଲେ। ଦୁଇଜଣଙ୍କର ଭଲ ପାଇବାରେ ସେମାନଙ୍କର ଶାବକ ଜନ୍ମ ନେଲେ। କିନ୍ତୁ ଗ୍ରୀଷ୍ମ ସରି ଶୀତ ଆସୁ ଆସୁ ପୁରୁଷ ସାରସ ପକ୍ଷୀଟି ମିଲେନାକୁ ଏକ୍ଲା ଛାଡ଼ି ଉଡିଗଲା। ଆଉ ଆସିଲା ନାହିଁ। ମିଲେନା ଖାଇବା ଛାଡିଦେଲା। ଦୁଃଖି ରହିଲା। ଅସୁସ୍ଥ ହେଉଥିଲା। ଷ୍ଟିପେନ୍ ଯତ୍ନ ନେଉଥିଲେ। ଏଇ ପରି ବର୍ଷଟି ଶେଷ ହେଇ ଯେତେବେଳେ ପୁଣି ଗ୍ରୀଷ୍ମ ଋତୁ ଆସିଲା, ଷ୍ଟିପେନ୍ ଦେଖିଲେ ଦିନେ ସେଇ ଧଳା ପୁରୁଷ ସାରସ ପକ୍ଷୀଟି ଫେରିଆସିଛି ମିଲେନା ପାଖକୁ। ସେଥର ଗ୍ରୀଷ୍ମ ପୁଣି ଭରିଗଲା ପ୍ରେମ ସୋହାଗରେ। ପୁରୁଷ ସାରସ ମିଲେନାର ଯତ୍ନ ନେଉଥିଲା। ପୁରା ସମୟ ସେଇ ବସାରେ ତା ସହ ରହୁଥିଲା। ଷ୍ଟିପେନ୍ ପୁରୁଷ ସାରସର ନାଁ ଦେଲେ କ୍ଲେପଟନ୍। ଗ୍ରୀଷ୍ମ ସରୁସରୁ କ୍ଲେପଟନ୍ ଉଡ଼ିଗଲା ଏଥର ବି। ଏଇ ଭଳି କିଛି ବର୍ଷ କ୍ଲେପଟନ୍ ଆସିବା ଓ ଫେରିଯିବା ଦେଖି ଷ୍ଟିପେନ୍ ଆଶ୍ଚର୍ଯ୍ୟ ହେଲେ ଓ ତା ବିଷୟରେ ଜାଣିବାକୁ ଚେଷ୍ଟା କଲେ। କ୍ଲେପଟନ୍ ଥିଲା ସାରସ ବା କ୍ରେନ୍ ଜାତୀୟ ପକ୍ଷୀ ଏବଂ ଏମାନେ ଆକାଶର ଖୁବ୍ ଉଚ୍ଚରେ ଉଡିପାରନ୍ତି।
ଏମାନେ ସାଧାରଣତଃ ମାଇଗ୍ରେଟୋରୀ ବାର୍ଡ୍ ବା ପ୍ରବାସୀ ପକ୍ଷୀ। ପ୍ରତି ଥର ଗ୍ରୀଷ୍ମରେ ପ୍ରାୟ ୧୩୦୦୦/୧୪୦୦୦ କିଲୋମିଟର ଦୂର ସାଉଥ୍ ଆଫ୍ରିକାରୁ ଉଡ଼ି ଆସୁଥିଲା ମିଲେନା ପାଖକୁ ୟୁରୋପର କ୍ରୋଏସିଆକୁ ଏବଂ ଶୀତ ଋତୁ ଆରମ୍ଭରେ ଫେରି ଯାଉଥିଲା। ମିଲେନା ସାରା ଶୀତ ଋତୁ ଅପେକ୍ଷାରେ ଚାହିଁ ବସୁଥିଲା ତା ବସାରେ ପ୍ରେମିକର ଅପେକ୍ଷାରେ। ଥରେ ଗ୍ରୀଷ୍ମ ଆସିବାର ଅନେକ ଡେରୀ ଯାଏ କ୍ଲେପଟନ୍ ଆସିଲା ନାହିଁ। ଷ୍ଟିପେନ୍ ବ୍ୟସ୍ତ ହେଲେ। ଅଧିକ ଅନୁଧ୍ୟାନ କରି ଜାଣିଲେ କ୍ଲେପଟନ୍ ଯେଉଁ ରାସ୍ତାରେ ଆସେ ସେଇ ରାସ୍ତା ଲେବାନନ୍ ହେଇ ଆସେ ଏବଂ ଲେବାନନ୍ ର ଲୋକମାନେ ପକ୍ଷୀ ଶୀକାର କରିବା ପାଇଁ ଗୁଳି ମାରନ୍ତି। ଷ୍ଟିପେନ୍ ବ୍ୟସ୍ତ ହେଲେ କାଳେ କ୍ଲେପଟନ୍ ଏଇ ପକ୍ଷୀ ଶିକାରୀଙ୍କ କବଳରେ ପଡ଼ି ଯାଇନି ତ ! ଷ୍ଟିପେନ୍ ଲେବାନନ୍ ର ରାଷ୍ଟ୍ରପତିଙ୍କୁ ଏ ନେଇ ଏକ ଚିଠି ଲେଖିଲେ। ସେ ଚିଠିରେ ପ୍ରଭାବିତ ହେଇ ଲେବାନନ୍ ସରକାର ପକ୍ଷୀ ଶୀକାର ଉପରେ କଟକଣା ଜାରି କଲେ। ସମଗ୍ର କ୍ରୋଏସିଆ ଅପେକ୍ଷା କରିଥିଲା ସେଥର କ୍ଲେପଟନ୍ କୁ। ମିଲେନା ଓ କ୍ଲେପଟନ୍ ର ପ୍ରେମ କାହାଣୀ କ୍ରୋଏସିଆର ଲଭ୍ ସେନସେସନ୍ ବା ଜାତୀୟ ପ୍ରତୀକ ହେଇ ସାରିଥିଲା। ସେଥର ଅନେକ ଡେରୀରେ କ୍ଲେପଟନ୍ ପହଞ୍ଚିଥିଲା ମିଲେନା ପାଖକୁ। କାଳେ ଅନ୍ୟ ଏକ ପୁରୁଷ ସାରସ ପକ୍ଷୀ ଆସିବାର ସନ୍ଦେହ କରୁଥିଲେ ଷ୍ଟିପେନ୍। କିନ୍ତୁ କ୍ଲେପଟନ୍ ପହଞ୍ଚି ପ୍ରଥମେ ସେଇ ମାଛ ଭର୍ତ୍ତି ବାଲ୍ଟି ପାଖକୁ ଗଲା ଯେଉଠି ଷ୍ଟିପେନ୍ ପ୍ରତିବର୍ଷ ତାକୁ ଅଭ୍ୟର୍ଥନା କରୁଥିଲେ। କ୍ରୋଏସିଆ ମିଲେନା ଓ କ୍ଲେପଟନ୍ ଙ୍କ ପ୍ରେମକୁ ନେଇ ଉତ୍ସବ ପାଳୁଥିଲା। ଦେଶ ବିଦେଶରେ ଖବରର ଶିରୋନାମା ପାଲଟିଥିଲା ଏଇ ପକ୍ଷୀ ଯୁଗଳଙ୍କ କାହାଣୀ। ୨୦୦୧ରୁ ୨୦୨୧ ଯାଏ ନିୟମିତ କ୍ଲେପଟନ୍ ଆସୁଥିଲା ୧୩୦୦୦ କିଲୋମିଟର ଉଡ଼ି ଉଡ଼ି ପ୍ରେମିକା ମିଲେନାକୁ ଭେଟିବାକୁ।
ଖୁବ୍ ରୋମାଞ୍ଚକର ନା ଏ କାହାଣୀ ! ଭାବନ୍ତୁ ତ ସାମାନ୍ୟ ପକ୍ଷୀଟିଏ ପ୍ରେମ କରିପାରେ। ତା ପ୍ରେୟସୀକୁ ଭେଟିବାକୁ ଶ୍ରମ କରିପାରେ। ନିୟମିତ ୧୯/୨୦ ବର୍ଷ ଏତେ ଦୂର ଉଡ଼ି ଆସିବା କ'ଣ ସହଜ ହେଇଥିବ ! ଜଣକୁ କେବଳ ଭଲ ପାଇ ତା ପ୍ରେମରେ ଏକାଗ୍ର ରହି ପ୍ରେମ ପାଳିବା କ'ଣ ସହଜ ହେଇଥିବ ! କୁହାଯାଏ, ୨୦୨୧ ରେ ମିଲେନାର ଦେହ ଖରାପ ହେଲା ଓ ସେଥିରେ ସେ ମୃତ୍ୟୁ ବରଣ କଲା। ଶେଷ ସମୟରେ କ୍ଲେପଟନ୍ ତାକୁ ଜଗି ବସିଥିଲା ବିଶ୍ୱସ୍ତ ପ୍ରେମିକ ଭଳି। ସେମାନଙ୍କର ୬୬ ଟି ସନ୍ତାନ ଥିଲେ ୧୯ ବର୍ଷର ସମ୍ପର୍କରେ।
ଏ କାହାଣୀ ଅନେକ କିଛି କହେ ପ୍ରେମ ବିଷୟରେ। ପ୍ରେମ ଅତି ସହଜରେ ହେଇଯାଏ ଗୋଟେ ମୁହୂର୍ତ୍ତରେ ହେଲେ ପ୍ରେମ ପାଳିବାର ଧୈର୍ଯ୍ୟ ଧରିବା ଭଳି ଛାତି କେତେ ଜଣଙ୍କର ଥାଏ ? ପ୍ରେମ ଅଧୈର୍ଯ୍ୟପଣରେ ନ ଥାଏ। ଏବେ ପୁଣି ଫେରୁଛି ଚନ୍ଦ୍ରିକା ଆତ୍ମହତ୍ୟା ଘଟଣାକୁ। ଚନ୍ଦ୍ରିକାଙ୍କ ସମ୍ପର୍କ ଭଳି ଅନେକ ସମ୍ପର୍କ ଅବେଳରେ ଶେଷ ହେବାର କାରଣ କେବଳ ମଣିଷ ଭିତରର ପରିବର୍ତ୍ତନ। ମଣିଷ ଟେକ୍ନୋଲୋଜି ଓ ଆଧୁନିକତା ସହ ତାଳ ଦେଇ ଚାଲୁ ଚାଲୁ ଧୀରେ ଧୀରେ ଯାନ୍ତ୍ରିକ ଏବଂ ସ୍ୱାର୍ଥପର ହେଇ ଯାଇଛି। ନିଜ ଭଲ, ନିଜ ସ୍ୱାର୍ଥ ବ୍ୟତୀତ ଅନ୍ୟର ଭାବପ୍ରବଣତାକୁ ବୁଝିବା ଅବସ୍ଥାରେ ନାହିଁ। ଏ କ୍ଷେତ୍ରରେ ପ୍ରେମ କ'ଣ କାଳସ୍ଥାୟୀ ବା ସମ୍ଭବ ! ଏ ସମୟରେ ଲାଗେ ଆମେ ସମସ୍ତେ ଥରେ ହେଲେ ମିଲେନା କି କ୍ଲେପଟନ୍ ଭରି ପକ୍ଷୀଜନ୍ମ ନିଅନ୍ତେନି !