ବାସ୍ତବ ଗଣତନ୍ତ୍ର ବନାମ କଦଳୀ ଗଣତନ୍ତ୍ର
ମଇ ୬ ତାରିଖ। ପୃଥିବୀର ଅସଂଖ୍ୟ ରାଷ୍ଟ୍ରମୁଖ୍ୟ ଙ୍କ ଉପସ୍ଥିତିରେ ଗ୍ରେଟ୍ ବ୍ରିଟେନର ରାଜା ତୃତୀୟ ଚାର୍ଲ୍ସଙ୍କ ଅଭିଷେକ ଉତ୍ସବ ଚାଲିଛି। ଓ୍ବେଷ୍ଟମିନିଷ୍ଟର୍ ଆବେରୁ ଶୁଣାଯାଉଛି "ଗଡ୍ ସେଭ୍ ଦି କିଙ୍ଗ"ର ଜୟଘୋଷ। ଇଂଲଣ୍ଡର ସଂଖ୍ୟାଧିକ ଜନତା ଯେତେବେଳେ ଉତ୍ସବ ମୁଖର ସେତେବେଳେ ଦରବାର ବାହାରେ ଠିଆ ହୋଇଛନ୍ତି ଦଳେ ପ୍ରତିବାଦୀ। ରାଜକୀୟ ଜୟଘୋଷ "ଗଡ୍ ସେଭ୍ ଦି କିଙ୍ଗ" କୁ ବିରୋଧ କରି ସେମାନେ ଚିତ୍କାର କରୁଛନ୍ତି - "ନଟ୍ ମାଇଁ କିଙ୍ଗ"। ସେମାନଙ୍କ ଆଗରେ ପୁଲିସ୍ ଅଛନ୍ତି, ହେଲେ ପ୍ରତିବାଦକାରୀଙ୍କୁ କେହି ଅଟକାଉ ନାହିଁ। ଅଭିଷେକ ଉତ୍ସବ ପୂର୍ବଦିନ ଲଣ୍ଡନ ପୁଲିସ୍ ଛ ଜଣ ପ୍ରତିବାଦକାରୀଙ୍କୁ ଅଟକ ରଖିଥିବାରୁ ସେଥିପାଇଁ ସେମାନଙ୍କୁ କଡା ସମାଲୋଚନା ଶୁଣିବାକୁ ପଡୁଛି। ବ୍ରିଟେନର ସବୁଠୁ ବଡ଼ ରାଜକୀୟ ଉତ୍ସବରେ ଲୋକଙ୍କର ଆନନ୍ଦିତ ହେବାର ଯେତିକି ଅଧିକାର ଅଛି, ତାକୁ ବିରୋଧ କରିବାର ସମାନ ଅଧିକାର ମଧ୍ୟ ଲୋକଙ୍କର ରହିଛି। ତାହାହିଁ ଗଣତନ୍ତ୍ର। ପ୍ରତିବାଦକୁ ପୁଲିସ୍ ଲଗାଇ ମାଡମାରିବା ଗଣତନ୍ତ୍ର ନୁହେଁ।
ଏଭଳି ଗୋଟେ ପରିସ୍ଥିତି ଆମେ ଭାରତରେ କଳ୍ପନା କରିପାରିବା କି? ପ୍ରଧାନମନ୍ତ୍ରୀ ଶପଥ ନେବା ସମୟରେ ରାଷ୍ଟ୍ରପତି ଭବନ ଆଗରେ ପ୍ରତିବାଦ କରିବାକୁ ଆମେ ଯାଇପାରିବା କି? ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦିଲ୍ଲୀ ସହର ଭିତରେ ଆଉ ବଡ ପ୍ରତିବାଦ କି ଆନ୍ଦୋଳନ ହୋଇପାରୁନାହିଁ। ଏବେ ଦେଶର ନାମୀ କୁସ୍ତି ଯୋଦ୍ଧାମାନେ ଯନ୍ତର ମନ୍ତରରେ ଆନ୍ଦୋଳନ କରୁଛନ୍ତି। ତାଙ୍କୁ ସମର୍ଥନ ଦେବାକୁ କୃଷକମାନେ ଆସିବାକୁ ଚାହୁଁଛନ୍ତି। ସେଥିପାଇଁ ଦିଲ୍ଲୀ ପୁଲିସ ଏବେ ସହର ସାରା ପ୍ରତିବନ୍ଧକ ସୃଷ୍ଟି କରୁଛି। ଗୋଟେ ନିର୍ବାଚିତ ସରକାର ଲୋକଙ୍କ ପ୍ରତିବାଦ କରିବାର ସାମ୍ବିଧାନିକ ଅଧିକାରକୁ ବାରମ୍ବାର କ୍ଷୁର୍ଣ୍ଣ କରି ଚାଲିଥିଲେ ମଧ୍ୟ ଏହାକୁ ନେଇ ଆମର ପ୍ରତିକ୍ରିୟା ପ୍ରାୟ ନାହିଁ।
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କ ଯିବା ଆସିବା ସମୟରେ ଆମ ରାଜରାସ୍ତାକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରି ଦିଆଯାଉଛି। ଅଥଚ ସେହି ରାସ୍ତାକୁ ପ୍ରତିବାଦୀ ଆସିଲେ ତାଙ୍କୁ ଉପଦ୍ରବୀ ବୋଲି କୁହାଯାଉଛି।
ଗଣତନ୍ତ୍ରର ଜୀବନରେଖା ହେଉଛି ପ୍ରତିବାଦ। ଯେଉଁ ସମାଜ ପ୍ରତିବାଦକୁ ଉପଦ୍ରବ ବୋଲି ଭାବେ, ସେ ସମାଜ କଦାପି ଗଣତାନ୍ତ୍ରିକ ନୁହେଁ। ବର୍ତ୍ତମାନ ପୃଥିବୀର ବହୁ ଦେଶରେ ବ୍ୟାପକ ସରକାର ବିରୋଧୀ ଆନ୍ଦୋଳନ ଚାଲିଛି। ଇସ୍ରାଏଲରେ ପ୍ରାୟ ଦୁଇମାସ ହେଲାଣି ନେତାନ୍ୟାହୁ ସରକାର ବିରୋଧରେ ପ୍ରବଳ ଜନ ଆନ୍ଦୋଳନ ଚାଲିଛି। ଲକ୍ଷ ଲକ୍ଷ ଲୋକ ତେଲ୍ ଆଭିଭ୍ ରେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ହେଲେ ସେଠି ପୁଲିସ୍ କାହାକୁ ମିଳୁନାହିଁ କି ଲୋକଙ୍କୁ ଅଟକାଉ ନାହିଁ।
ସମାନ ଘଟଣା ଫ୍ରାନ୍ସ ରେ ଘଟୁଛି। ମାକ୍ରନ ସରକାର ବିରୋଧରେ ସେଠି ପ୍ରବଳ ଜନ ଆନ୍ଦୋଳନ ଚାଲିଛି। ସେଠି ଆନ୍ଦୋଳନ ଟିକେ ଉଗ୍ର। ତଥାପି ପୁଲିସ୍ ସେଠି ଆନ୍ଦୋଳନକାରୀଙ୍କ ଉପରେ ହିଂସ୍ର ଆଚରଣ କରୁନାହାଁନ୍ତି। ଲୋକଙ୍କ ଆନ୍ଦୋଳନ କରିବାର ଅଧିକାରକୁ ସୁରକ୍ଷା ଦେବା ପୁଲିସ୍ ର ଦାୟିତ୍ଵ।
ଆମ ଦେଶରେ ଏହାର ଠିକ୍ ବିପରୀତ ଘଟୁଛି। ପୁଲିସ୍ ଏଠି ପ୍ରତିବାଦ ଭାଙ୍ଗିବାକୁ କେବଳ ବଳ ପ୍ରୟୋଗ କରୁନାହାନ୍ତି, ଅନେକ ସମୟରେ ଲୋକଙ୍କ ଉପରେ ଗୁଳି ଚଳାଉଛନ୍ତି । ଇସ୍ରାଏଲ କିମ୍ବା ଫ୍ରାନ୍ସ ଭଳି ରାସ୍ତାରେ ଚାଲିଥିବା ଆନ୍ଦୋଳନ ଏବେ ଭାରତରେ ସମ୍ଭବ ନୁହେଁ । ଗଣତାନ୍ତ୍ରିକ ଶାସନରେ ପୁଲିସର ଦାୟିତ୍ଵ ହେଉଛି ଲୋକଙ୍କର ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା । ବାସ୍ତବରେ କିନ୍ତୁ ଆମ ଦେଶର ପୁଲିସ କେବଳ ସରକାରର ଆଜ୍ଞାବହ ଭାବରେ କାମ କରିବା ଛଡା ଅଧିକ କିଛି କରୁନାହିଁ । ଅନେକ ସମୟରେ ସରକାରର ଆଜ୍ଞାବହ ହେବାକୁ ଯାଇ ପୁଲିସ ଲୋକଙ୍କ ବିରୋଧରେ ଏବଂ ସମ୍ବିଧାନ ଦେଇଥିବା ଅଧିକାର ବିରୋଧରେ ମଧ୍ୟ କାମ କରୁଛି ।
ଗଣତାନ୍ତ୍ରିକ ରାଜନୀତି ମଧ୍ୟ ଆମ ଦେଶରେ ଆଉ ପ୍ରାୟତଃ ନାହିଁ । ଆମେ କ୍ରମଶଃ ଏକ ନିର୍ବାଚିତ ରାଜତନ୍ତ୍ର ଭଳି ରାଜନୀତିରେ ବଞ୍ଚୁଛୁ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଏବେ ପୁରୁଣା ରାଜା ତଥା ଜମିଦାର ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ରାଜନୈତିକ ବିରୋଧକୁ ଦେଶଦ୍ରୋହ ବୋଲି କହିବାର ସାହସ ଏହି ସମନ୍ତବାଦୀ ଆଚରଣରୁ ଇ ଆସୁଛି ।
ତେବେ ସବୁଠୁ ବଡ ଚିନ୍ତାର ବିଷୟ ହେଉଛି, ଆମେ ନାଗରିକମାନେ ନିଜକୁ ପ୍ରଜା ବୋଲି ଭାବିବା ଆରମ୍ଭ କଲୁଣି । ଆମେରିକାର ପ୍ରସିଦ୍ଧ ଲେଖକ ଓ ହେନେରୀ ଏକଦା ବାନାନା ରିପବ୍ଲିକ ବା କଦଳୀ ଗଣତନ୍ତ୍ରର ଉଦାହରଣ ଦେଇଥିଲେ । କେମିତି ଗୋଟେ ସମୟରେ ଆମେରିକାର କଦଳୀ କମ୍ପାନୀ ଗୁଡିକ ଆମେରିକା ମହାଦେଶର ଛୋଟ ଛୋଟ ଦେଶକୁ ଆଙ୍ଗୁଠିରେ ନଚାଉଥିଲେ, କଦଳୀ ଗଣତନ୍ତ୍ର ତାର ଉଦାହରଣ। ଆମେ ଆସ୍ତେ ଆସ୍ତେ ସେଇ କଦଳୀ ଗଣତନ୍ତ୍ର ହେବା ଦିଗକୁ ଗତି କରୁଛୁ ।