ବିଶ୍ୱାସ

ବିଶ୍ୱାସ

ମୁଁ ସେଦିନ ଯାହାକୁ ଅପେକ୍ଷା କରିଥିଲି
ସେ ବୋଧହୁଏ ଆଉ ଆସିବାର ନାହିଁ।
ଆସିବାର ନାହିଁ ଭାବିଦେଲେ
ଅପେକ୍ଷା ତରଳି ଯିବ।
ଅପେକ୍ଷା କରିହେବ ନାହିଁ ଭାବିଲେ ମୋ ମୁହଁ
ଦେଖାଯିବ ସତେକି
 କ୍ଲାନ୍ତ ଏକ ଆୟୁଷ ର ଶେଷ ରୂପ।
ପାଦ ଦୁଇଟି ଜଣାଯିବେ ସତେ ଯେମିତି
ଦେହରେ ଭୁଲ ରେ 
 ଲାଗିଯାଇଥିଵା ଦୁଇଟି ଅଦରକାରୀ ପଦାର୍ଥ।

ସେ  ହିଁ ମୋତେ  କେତେ ଥର କହିଥିଲା ,
"ବିଶ୍ୱାସ ହରାଇବନି କେବେବି।"

ବିଶ୍ୱାସ କଣ?
ଆଜି ଏଇନା ସକାଳ ୭ଟା।
ମୋତେ ସାଢ଼େ ଗୋଟାଏ ବେଳେ
ଲଞ୍ଚ ମିଳିଯିବ ଘରେ।
ଆଜି ସନ୍ଧ୍ୟାରେ ଯିବି ବିଉଟି ପାର୍ଲର।
ପାଖ ଫର୍ମାସି ମଗାଇଥିବ
  କେବେଠୁ  ଖୋଜୁଥିବା 
ମୋର ଏକ ବିରଳ ଔଷଧ।
 ରାତି ଅଧରେ 
ମାନସ ହଂସ ମୁଁ ଡେଣା ଝାଡିବି ଉଡିଯିବାକୁ
ମାନ ସରୋବରକୁ,
ସୁନନ୍ଦା ପଟ୍ଟନାୟକଙ୍କ ଗୀତରୁ।
ଏସବୁ ପ୍ରମାଣ ସିଦ୍ଧ ନା ବିଶ୍ୱାସ?

ମୁଁ ନିର୍ଦିଷ୍ଟ ସମୟରେ ଅପେକ୍ଷା କରେ
ଏଆରପୋର୍ଟରେ।
ସେ ବିଦେଶ ରୁ ଆସିବ ଓ
ସକାଳୁ ଚା' ଖାଇବ ମୋ ସାଙ୍ଗରେ।

କେଉଁଠାରୁ କେତେ ପ୍ଲେନ ଆସନ୍ତି।
ମୋର ସାମ୍ନା ବୋର୍ଡ ଉପରେ ଲେଖା ହୁଏ।
ମୁଁ ପଢୁଥାଏ ଗୋଟି ଗୋଟି ନିଦୁଆ ଆଖିରେ।
ହଜାରେରୁ ବେଶୀ କାର
 ଆସୁଥାନ୍ତି,
ଯାଉଥାନ୍ତି
କାହାକୁ ଛାଡ଼ନ୍ତି ତ ନିଅନ୍ତି କାହାକୁ।
ଉଛ୍ୱସିତ ହସ ର ମୁହଁ, ବିଦାୟର ମଉଳା ମୁହଁ
ଅଭ୍ୟାସଗତ ହାତଗୁଡାଏ ହଲୁଥିବାର ଦୃଶ୍ୟ।
କେତେ ବିରକ୍ତିକର ଅପେକ୍ଷାର ମୁହଁ
ମୁଁ ଆଙ୍କୁଥାଏ ମୋ ଶୂନ୍ୟ କ୍ୟାନଭାସ ରେ।
ଆଙ୍କେ ପୁଣି ଲିଭାଇ ଦିଏ।

ତାର କେଉଁ ମୁହଁଟି ମୋତେ ସବୁଠାରୁ ଭଲ ଲାଗେ?
ଆଙ୍କିବି କି ଏଇନା?
ଥାଉ, ଆଙ୍କିଦେଲେ
କାଳେ ସେ  ଆଉ ନ ଆସିବ!!

ତାର ସାର୍ଟ ରେ ଥରେ ଲାଗିଯାଇଥିଲା
ମୋ କପାଳରୁ ଟିକିଲି।
ସେ ମୋତେ ଫେରାଇ ଦେଇ କହିଥିଲା
"ମନେ ରଖିବ।"
"ଏଇତ ବିଶ୍ୱାସ।"ମୁଁ ଭାବିଥିଲି।

ଏବେ କାଇଁ ସେ ଟିକିଲି?
ବ୍ୟାଗ ରେ ତ ଏଇ କଲମ ,ଚାବି
ଲିପଷ୍ଟିକ,ଏଟିଏମ କାର୍ଡ, ମୋବାଇଲ-
 ଟିକିଲି କାଇଁ?
କାଇଁ?

ଏବେ ଫେରିବାକୁ ହେବ।
ଫେରିବା ବାଟରେ ,
ବାଟର ଲକ୍ଷ୍ୟ ରେ ଅପେକ୍ଷା
ଆଉ ନଥାଏ।

ଘରେ  ପହଂଚିବି ବୋଲି, ବିଶ୍ୱାସ ଅଛି?
ଡାଇନିଂ ଟେବୁଲ ଉପରେ
ଦୁଇଟା ଖାଲି ଚ'କପରୁ ହୁଏତ
ଉଠୁଥିବ ପୋଡି ଯାଇଥିବା ବିଶ୍ୱାସର ଧୂଆଁ।