ଦେଶର ରଙ୍ଗ

ଦେଶର ରଙ୍ଗ

ଏବେ ଏବେ କମଳା ରଙ୍ଗ ଦିଶୁଥିବା ମୋ ଦେଶ
କେବେ ଦିନେ ସୁନାରଙ୍ଗର ଥିଲା...

ସୁନାର ରଙ୍ଗ ଦେଉଥିବା କିଛି କାରିଗର
ଏବେ ରାସ୍ତାରେ ...
ଦେହର ଲାଲ ରଙ୍ଗ ବୁହାଇବାରେ ବ୍ୟସ୍ତ।

ଲିଭିଯାଇଥିବା ନିଆଁ ର ରଙ୍ଗ 
ଏବେ ଧୀରେଧୀରେ ଆଉଟା ହେଉଛି -
ଜାତି ଧର୍ମର ଆଞ୍ଚରେ /

କେହି ଜଣେ ଅବିରତ ଫୁଙ୍କି ଦେଉଛି 
ମନ୍ଦିରର ଧ୍ୱନିରେ ତ ମସଜିଦର ଅଜାନରେ।

ଦେଖ ! ମାଟିର ରଙ୍ଗକୁ ଦେଖ
ଧୀରେ ଧୀରେ ଲାଲ ପଡୁଥିବା 
ଶୁଖିଲା ହସକୁ ତାର ଦେଖ 
ସମସ୍ୟା ହିଁ ସୁଜଳା ସୁଫଳା ଶ୍ୟାମଳା
ହେଉଛି  ଦେଖ ।

କେଉଁ ରଙ୍ଗ କଥା କହୁଛ ତୁମେ
କାଣି ଆଙ୍ଗୁଠିରେ କଳା ରଙ୍ଗ ବୋଳି
ମୁଁ ଯାହାକୁ ଉଜ୍ବଳ ଭାବୁଛି 
ସେ ବୋଳିଦେବନି ତ ମୋ ଦେଶ ମୁହେଁ କଳା !!

କପାଳରେ ଅନେକ କୁଂଚ ଅଛି 
ତଥାପି ସବୁ କ୍ଷତରେ  ରଙ୍ଗ ମାରି 
ଇନ୍ଦ୍ରଧନୁଟିଏ କରିଛି
ମୋ ଦେଶ ହସୁଛି।।