ମୋ ମା' ର ଭାଷା
ମୁଁ ମୋ ମା ର ଭାଷାରେ କବିତା ଲେଖିନି କେବେ ହେଲେ ।
ମୁଁ କବିତା ଲେଖିଛି ଆଉ କେଉଁ କେଉଁ
କବିଙ୍କ ଭାଷାରେ
ଅଭିଧାନ ଓ ବ୍ୟାକରଣ ବହିର ଭାଷାରେ
ଶିଳାରେ ଲେଖା ହୋଇଥିବା ମୋର ଭାଷା
ଆସିଛି ଧର୍ମ ଓ ଇତିହାସରୁ
ସ୍ମୃତି ଓ ଶାସ୍ତ୍ରର ସିଦ୍ଧାନ୍ତରୁ ।
ମୋ ମା ଆଉ ଗୋଟେ ଭାଷାରେ କଥା ହୁଏ
ସେ ଭାଷାରେ ନଦୀର ଅର୍ଥ ଦେବତା
ଓ ଗଛର ଅର୍ଥ ନାରୀ
ମୋ ମା ଗୀତ ଗାଇ ଗାଇ କାନ୍ଦେ
ଓ କାନ୍ଦୁ କାନ୍ଦୁ ସ୍ଵପ୍ନ ବୁଣୁଥାଏ ମଶିଣାରେ ।
ମୋ ମା ର ଭାଷା ମୁଁ ଟିକେ ଟିକେ ବୁଝେ
ଯେତିକି ବୁଝେ, ତା ଠୁଁ ଅଧିକ ରହେ ଅବୁଝା
ମୋ ମା ପକ୍ଷୀମାନଙ୍କ ସହ ଗପୁଥାଏ
ମଶା ମୂଷାଙ୍କୁ ଗାଳି କରୁଥାଏ
ଗାଇ ଓ କୁକୁର ବି ବୁଝିପାରନ୍ତି
ମୋ ମା ର ଭାଷା ।
ଈଶ୍ବରଙ୍କ ସହ କଥା ହେବାକୁ
ମୋ ମା ଗୋଟେ ରହସ୍ୟମୟ ଭାଷା ଜାଣିଛି
ଯାହା ସେ ଶିଖିଛି ତା ମା ଠୁଁ
ତା ମା ଶିଖିଛି ଶହ ଶହ ନାରୀଜନ୍ମରୁ
ପୃଥିବୀର ସବୁ ମା ମୋ ମା ର ଭାଷାରେ
କଥା ହେବାର ମୁଁ ଦେଖିଛି
ଗୋଟେ ବିରଳ ସତ୍ୟରୁ ।
ପୁଅମାନେ ମା ର ଭାଷା ମରିବା ଯାଏଁ
ଶିଖିପାରନ୍ତି ନାହିଁ
ହୁଏତ ଝିଅମାନେ ଶିଖିପାରନ୍ତି ମା ର ଭାଷା
ହେଲେ କବିତା ଲେଖୁଥିବା ଝିଅ ବି
ମା ର ଭାଷା ଭୁଲିଯାଏ କବିତା ଲେଖିବା ବେଳେ ।
ମାତୃଭାଷା କେବଳ ଗୋଟେ ଭ୍ରମ
ମାତୃଭାଷା ପିତୃତ୍ବର ଏକ ଭୟଙ୍କର ଛଦ୍ମବେଶ
ମାତୃଭାଷା ମା କୁ ଜାଣିନଥିବା
ବହି ମାନଙ୍କର ଗୋଟେ ମୃତନଦୀ ।
ମୋ ଭଳି ମୁର୍ଖକବି ଜୀବନ ସାରା
ମାତୃଭାଷା ବୋଲି କବିତା ଲେଖୁଥାନ୍ତି
ଗୋଟେ ମିଛ ଭାଷାରେ
ସେଥିପାଇଁ ବୋଧେ ଆମ ସମୟର ସବୁ କବିତା
ଛଳନା, ଛାଇ ଅଥବା ଅନାବାଦୀ
ମୋ ମା ର ଭାଷା କେବଳ ବୁଝିପାରନ୍ତି
ତା'ର ଈଶ୍ୱର
ନଚେତ୍ ଆମ ସହର ଦେଇ ବହିଯାଉଥିବା
ପାଗଳ ମହାନଦୀ ।