ମଧୁସୂଦନ ଦାସ ପାର୍କରେ ସନ୍ଧ୍ୟା

ମଧୁସୂଦନ ଦାସ ପାର୍କରେ  ସନ୍ଧ୍ୟା

ସନ୍ଧ୍ୟା ନଇଁ ଆସିଲେ ବନ୍ୟ ଜନ୍ତୁପରି 
ଗଡନ୍ତି ଏଠି ଅନେକ ଅନେକ ରକମର ପ୍ରାଣୀ 
କୁନି କୁନି ପୁଅ ଝିଅଙ୍କ ଭିଡ --- ଦୋଳି, ସ୍ଲାଇଡ ଆଉ 
ଖସଡ଼ା ପାଖରେ, ବେଳେ ବେଳେ ମା ମାନଙ୍କୁ 
ଦେଖିହେବ ଦୋଳି ଉପରେ ବେଣୀ, ଓଢଣୀ ର ଢେଉ
ଝମ ଝମ ପାଉଁଜି ଶବ୍ଦରେ ଲୁଚିଯିବ 
ଜାଗୁଆଳିର ହୁଇସିଲ....ବିଡିଏର ଫଳକରେ 
ଲେଖାଥିବା ବାକ୍ୟ --- ବାର ବର୍ଷର ତଳକୁ କେବଳ
ଖେଳି ପାରିବେ, କାହାକୁ ଦେଖାଯାଉନଥିବ ଏତେ ଆଲୁଅରେ ବି II


ବେଞ୍ଚ ଉପରେ ବସି ପ୍ରେମିକାର ରାଗ ଶାନ୍ତ କରୁଥିବା 
ଚଷମା ପରିହିତ ପାଠ ପଢୁଆ ଯୁବକଟିଏ ନେହୁରା ହେଉଥିବ
ଆଉ ଏପଟେ ବୁଢାଟିଏ ଆଜିକାଲି ହାତ ଦେଖା ବାହାନାରେ 
କେଉଁ ଝିଅ ପୁଅଙ୍କ ହାତ ଧରି ହସ୍ତ ରେଖାର ଗଣନା ରେ ବ୍ୟସ୍ତ… 
କିଛି ମିଛ ସତରେ ସମ୍ପର୍କ ବିଷୟରେ କହି ପାଉଣା ଆଶାରେ ଆଶାୟୀ,
ପ୍ରେମିକ/ପ୍ରେମିକା ହାତ ଧରି ଆଉ କିଏ ସାବଲୀଳ ଢଙ୍ଗରେ ସ୍ବପ୍ନ ଦୁନିଆରେ ଥିବ  II  


ସ୍କେଟିଂ ରୀଙ୍କରେ ଜୀବନର ପ୍ରଥମ ରୋଲର ସ୍କେଟିଂ ଶିଖି 
ପଡି ଉଠି ସଂଗ୍ରାମର ସଂଜ୍ଞା ଶିଖିବାରେ ମଜ୍ଜି ଯାଇଥିବା ଝିଅର 
ମା କିନ୍ତୁ ପାଖ ବେଞ୍ଚରେ ବସି ସୋସିଆଲ ମେଡିଆ ସମୁଦ୍ର ବେଳାଭୂମିରେ 
ନିମଗ୍ନ ଥିବ ଲାଇକ, ସେୟାର, କମେନ୍ଟ ଭିତରେ…ବେଳେ ବେଳେ ଟିକେ 
ଝିଅକୁ ଦେଖୁଥିବ କିମ୍ବା ଆଉ କେଉଁ ପିଲାର ମା ଡାକଟେ ଦେଲେ ଦେଖୁଥିବ
ଦେଖଣାହାରି ବି କିଛି କମ ନଥିବେ ସେଠି, କୁନି କୁନି ପିଲାଙ୍କୁ ଦେଖି ନିଜେ 
କିଛି ଜୀବନରେ କରି ନପାରିବାର ଯନ୍ତ୍ରଣାରେ ଜଳି ଯାଉଁ ଯାଉଁ, ହସୁଥିବେ II


ନିଜପାଇଁ ଦୁଇଟି ବେଞ୍ଚରେ ``ବୟସ୍କଙ୍କ ପାଇଁ ସଂରକ୍ଷିତ'' ଲେଖାଥିବା 
ସୁରକ୍ଷିତ ଜାଗାରେ ବସି ପାର୍କର ଆନନ୍ଦ ନେଉଥିବା ବୟସ୍କ କିଛି 
ଆଲୋଚନା କରୁଥିବେ ମୋଦି, ୟୁକ୍ରେନ କିମ୍ବା ନବୀନ ବାବୁଙ୍କ 
ଜୀବନର ଅନ୍ୟସବୁ ଉପଲବ୍ଧି ଉପରେ … ଜଣେ ଜଣେ ପୋଖତ ସାମ୍ବାଦିକଙ୍କ ପରି  
ଭୁବନେଶ୍ୱରର ବଦଳୁଥିବା ଅସ୍ତିତ୍ବ ଏବଂ ଚରିତ୍ର ଵି ଆଲୋଚନାରେ ଥିବ ସାମିଲ  II


ସବୁ କିଛି ଠିକ ଠାକ ଚାଲିଥିବା ବେଳେ ହଠାତ ଅଧଘଣ୍ଟା ହାତରେ ଥିଲେବି, 
ଜାଗୁଆଳିର ହୁଇସିଲ ବାଜିବ ଘନ ଘନ ଆଉ ତାରି ଆର୍ତ୍ତନାଦ ଏତେ କଠୋର 
ଥିବ ଯେ ସବୁ କାମ ସାରି ଝାଡ଼ି ଝୁଡି ହୋଇ ଉଠିବେ ଲନରୁ ସମସ୍ତେ 
ଇଭିନିଙ୍ଗ ୱାକ କରୁଥିବା ଦମ୍ପତି, ଦୋଳି ଖେଳୁଥିବା ଝିଅ, ସ୍କେଟିଂ କରୁଥିବା 
କୁନି ପୁଅଟେ ସବୁ ବନ୍ଦ କରି ଯିବାକୁ ତିଆର ହେବେ, ହୁଇସିଲର ଆର୍ତ୍ତନାଦରେ
ପାର୍କର ସନ୍ଧ୍ୟା ସମୟ ସରିଯିବ, ଶବ୍ଦରେ ଶେଷ ହେଇଯିବ ସେଦିନର ସନ୍ଧ୍ୟାଭିନୟ  II