ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ତିନୋଟି କବିତା
ବୁଢ଼ିଆଣୀ
ଆଗାମୀ ମୁହୂର୍ତ ଆସିବ କି ନାହିଁ
ଏତିକି ସୁଦ୍ଧା ନ ଜାଣି
ବୁଢ଼ିଆଣୀ ହୋଇ ସମୟ ସାରେଁ ମୁଁ
ଜାଲଟିଏ ବୁଣି ବୁଣି
ପ୍ରତ୍ୟକ୍ଷ ସଂଗ୍ରାମ ପାଇଁ ମୁଁ ଅକ୍ଷମ
ତେଣୁ ଦେଖାଏଁ ଚାଲାକି
ଜାଲଟିଏ ବୁଣି ଉଡ଼ାପୋକଟିକୁ
ରହିଥାଏଁ ଏକା ଟାକି
ନିଜ ସ୍ବାର୍ଥ ପାଇଁ ପରିଶ୍ରମ କଲେ
ଲାଗେନି ମୋତେ ହାଲିଆ
ଖୋଜିଲେ ବି ମୋତେ ଦିଶିନି ଏଯାଏଁ
ଅନ୍ୟ କୀଟ ମୋ ଭଳିଆ
କେହି ନାହିଁ ମୋର ସାଥୀ ସହଚର
ମୁହିଁ ସର୍ବଦା ଏକାକୀ
ନିଜର ଜାଲରେ ନିଜେ ଧରା ପଡ଼ି
ମୁକ୍ତିକୁ ପାରୁନି ଡାକି
ମରଣ ବଂଦନୀୟ
କବି ଜିଇଁଥିଲେ ସଭିଏଁ ନିରବ
ମରିବା ପରେ ମୁଖର
ହୋଇ ପ୍ରଶଂସାରେ ପୋତିଦେଇ ତାଂକୁ
ଦେଖାଂତି ନିଜ ସଂସ୍କାର
କିଏ ଶିଖାଇଲା କେବେ କି ଆମକୁ
ପ୍ରୀତି ଲୁଚାଇବା ରୀତି?
କବି, ପଦ୍ୟକାର ଅନାଦର ସହି
ନିତି ଜୀବନ ବିତାଂତି
କ୍ଷମତାଧାରୀଂକୁ ଏବେ ଦିଆଯାଏ
ଅତ୍ୟଧିକ ମାନ, ଯଶ
ରାଜତଂତ୍ରର ପ୍ରଭାବାବଳି ତ
ହୋଇନି ଏଯାଏଁ ନାଶ
ଜୀବନ ଯେଉଁଠି ଉପେକ୍ଷଣୀୟ
ମରଣ ହିଁ ବଂଦନୀୟ
କଳା କି ସଂସ୍କୃତି, ସାହିତ୍ୟ ଓ ଭାଷା
ହୋଇଥାଂତି କ୍ରଂଦନୀୟ
ଜୀବିତ ସାହିତ୍ୟ ସାଧକଂକ ପ୍ରତି
ଲୋଡ଼ା ଟିକେନାକୁ ଧ୍ୟାନ
ସମର୍ଥ ଲୋକଂକୁ ଶ୍ରଦ୍ଧା ଜଣାଇଲେ
କମେନି କାହା ସମ୍ମାନ
ନେତା, ଅଭିନେତା, ଖେଳାଳି ସଭିଏଁ
ପାଆଂତି ଧନ ଓ ମାନ
ଶିଳ୍ପୀ, ବିଜ୍ଞାନୀ ଓ ଗବେଷକଗଣ
ଏ ମାଟିରେ ସଦା ନ୍ୟୂନ
ଜୀବିତ ଲୋକଂକୁ ନଗଣ୍ୟ ମଣିଲେ
ଯାହା ହୁଏ ତାହା ଦିଶେ
ବୁଝି ଜାଣି ସୁଦ୍ଧା ସମସ୍ତ ବିଷୟ
ଚେତନା ମନେ ନ ପଶେ
ମରଣୋପରାଂତ ସ୍ମରଣ ପର୍ବରେ
କହି ମନଗଢ଼ା କଥା
ପ୍ରଶଂସକମାନେ ଲୁଚାଇ ରଖଂତି
ଜୀବନର ବାସ୍ତବତା
ମରଣ ସତରେ ବଢ଼ାଇଦିଏ କି
କଳାକୃତିର ମହତ୍ତ୍ୱ ?
ଜୀବନ ସହିତ ଏଠି ତ ପାଠକ
ହୁଅଂତିନାହିଁ ଜଡ଼ିତ !
କ୍ଷମତା-ବିହୀନ ନିଃସଂଗ ସାଧକ
ଏଠି ସଦା ଉପେକ୍ଷିତ
ମରଣ ପରେ ହିଁ ସାହିତ୍ୟରେ ହୁଏ
ଗୁଣବତ୍ତା ଆରୋପିତ
ଏହି କାରଣରୁ ଚଳିତ କାଳରେ
ଦୁର୍ଲଭ ସ୍ପଷ୍ଟ ପ୍ରେରଣା
କେହି ତ କାହାକୁ କେବେ ଯୋଗାଂତିନି
ସବୁ ଥିଲେ ସୁଦ୍ଧା ଜଣା
ପୁରସ୍କାର ପ୍ରାପ୍ତ ଅବା ଜୀବନ୍ମୁକ୍ତ
ନ ହେବା ପର୍ଯଂତ କବି
ତାଂକୁ ସେ ସ୍ମରଣ କରିବେ କିପାଇଁ
ପାରଂତିନି କେବେ ଭାବି
କବିତା ଲେଖକ ସଂଖ୍ୟା ବଢ଼େ ସିନା
କବିତା ପାଠକ ଅଳ୍ପ
ହୋଇ, ଥାଏ ରହି ଅପରିବର୍ତିତ
ମିଳେନି କିଛି ବିକଳ୍ପ
କ୍ରମଶଃ ମରଣ
'ହେଉ, ହେଉ' ବୋଲି ଅନେକେ କହଂତି
କେହି ଦିଅଂତିନି 'କରି'
ତେଣୁ ସବୁ ଥାଇ ଆମେ ଦେଶବାସୀ
ହେଲୁଁ ଲାଂଚୁଆ, ଭିକାରି
ଦାବି କରିବାରେ ଧୁରଂଧର ଆମେ
ନିଜେ ନ କରି ପୂରଣ
ପରାଶ୍ରିତ ହୋଇ ସ୍ବାଧୀନ ଦେଶରେ
ବିତାଉଁ ନିଜ ଜୀବନ
ଭାଗ୍ୟାଶ୍ରୟୀ ହୋଇ ଗୁହାରି କରିଲେ
ମିଳେନାହିଁ ନିଜ ଭାଗ
ବଂଚିତ ମଣିଷ ବଂଚି ପାରେନାହିଁ
ମାରେ ଜିଇଁବା ସରାଗ
ପ୍ରଭୂତ ସୁଗୁଣ ଥିଲେ ସୁଦ୍ଧା କରୁଁ
ମଂଦଗୁଣ ଆହରଣ
ମଜା କରୁଥିଲେ ସଜା ଛାଏଁ ମିଳେ
ଘଟେ କ୍ରମଶଃ ମରଣ
ମରିବା ପାଇଁ ତ ଜନମ ହୋଇଛୁଁ
ନାହିଁ ତାହା ପ୍ରତି ଭୟ
ଆଶଂକିତ ହୋଇ ପ୍ରତୀକ୍ଷା କରିଲେ
ଘଟୁଥାଏ ପରାଜୟ
ବିଜୟୀ ମଥାରେ ତିଳକ ଲଗାଇ
ପରାଜୟୀକୁ କଳଂକ
ଲଗାଯାଏ ସିନା, ଏହି ପରଂପରା
ଜଗାଏନାହିଁ ଆତଂକ
ନିଜ ଚାରିଆଡ଼େ ବଳୟଟେ ଆଂକି
ରହୁଁ ହୋଇ ଆମେ ବଂଦି
ସୀମା ଲଂଘିବାକୁ ପ୍ରୟାସ ନ କରି
ଜିଇଁଥାଉଁ ହୋଇ ଧଂଦି