କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ: ତ୍ରୁଟି ନା ଅବହେଳା?
୧୯୬୦ରୁ ୧୯୭୦ ଦଶକ ଭିତରେ ‘କୋଟା’, ରାଜସ୍ଥାନର ଔଦ୍ୟୋଗିକ ରାଜଧାନୀରେ ପରିଣତ ହୋଇ ଯାଇଥିଲା। Oriental Power Cables, and Instrumentation Limited ଠୁ ଆରମ୍ଭ କରି DCM Shri Ram Group (chemicals and fertilizers) ଏବଂ ଭାରତର ପାୟୋନିଅର ନାଇଲନ୍ ଏବଂ ଆକ୍ରିଲିକ୍ ନିର୍ମାଣକାରୀ କାରଖାନା J.K. Synthetics ମଧ୍ୟ ସେଠି ଗଢ଼ି ଉଠିଥିଲା। ଏକ୍ ତ ସହରଟି ଦିଲ୍ଲୀ - ମୁମ୍ବାଇ ହାଇଓ୍ବେର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଏବଂ ଦ୍ୱିତୀୟରେ ଚମ୍ବଲ ନଦୀ କୂଳରେ ହୋଇଥିବାରୁ ଜଳ ଏବଂ ଜଳଜ-ଶକ୍ତି ଉଭୟ ପ୍ରଚୁର ମାତ୍ରାରେ ଉପଲବ୍ଧ ଥିବାରୁ, କୋଟା ସେତେବେଳେ ଉଦ୍ୟୋଗପତି ମାନଙ୍କର ଧ୍ୟାନ ଆକର୍ଷଣ କରିଥିଲା। କିନ୍ତୁ ୧୯୮୦ ଦଶକର ମଧ୍ୟଭାଗରେ ଶ୍ରମିକ ସଂଗଠନ ବିବାଦ, ପରିବର୍ତ୍ତିତ ଜାତୀୟ ଅର୍ଥନୈତିକ ନୀତି ଏବଂ ଆଭ୍ୟନ୍ତରୀଣ ଆର୍ଥିକ ସଙ୍କଟର ସମ୍ମିଶ୍ରଣ ଯୋଗୁଁ ଏହିସବୁ ଭାରୀ ଶିଳ୍ପଗୁଡ଼ିକ ଆର୍ଥିକ ସ୍ତରରେ ତୀବ୍ର କ୍ଷତି ସହିଥିଲେ। କେବଳ ଭାରୀ ଉଦ୍ୟୋଗ ନୁହେଁ ପରିବର୍ତ୍ତିତ କୃଷି ନୀତି ତଥା ଟିକସ ବ୍ୟବସ୍ଥା କାରଣରୁ ସ୍ଥାନେ ସ୍ଥାନେ ଚାଉଳ କଳ (ରାଇସ୍ ମିଲ୍) ଏବଂ ପଥର କ୍ରସର ଗୁଡ଼ିକ ମଧ୍ୟ ବନ୍ଦ ହୋଇ ଯାଇଥିଲା। ବଜାର ଏବଂ ଅର୍ଥନୈତିକ ପରିବର୍ତ୍ତନ କାରଣରୁ ହଠାତ୍ କରି ଗୋଟିଏ ଔଦ୍ୟୋଗିକ ନଗରୀ ଶ୍ରୀହୀନ ହୋଇ ଯାଇଥିଲା। ଇଣ୍ଡଷ୍ଟ୍ରି ଗୁଡ଼ିକ ବନ୍ଦ ହେବାକୁ ଲାଗିଲେ ଏବଂ ସହରରେ ବେରୋଜଗାରଙ୍କ ଗହଳି ବଢ଼ିଗଲା। ଲୋକ ଜୀବିକା ପାଇଁ ରାସ୍ତା କଡ଼ରେ ଆଖୁରସ ବିକିବାଠୁ ଆରମ୍ଭ କରି ପଳାୟନ କରିବା ଆରମ୍ଭ କରିଦେଲେ। ସେହି ସମୟରେ କୋଟାର ସବୁଠାରୁ ବଡ଼ ଇଣ୍ଡଷ୍ଟ୍ରି ମଧ୍ୟରୁ ଗୋଟିଏ, J.K. Synthetics ମଧ୍ୟ ବନ୍ଦ ହୋଇଯାଇଥିଲା ଏବଂ ସେଥିରେ କାମ କରୁଥିବା ୧୨୦୦୦ କର୍ମଚାରୀ ବେରୋଜଗାର ହୋଇଗଲେ। ଏହି କାମ ହରେଇଥିବା କର୍ମଚାରୀଙ୍କ ମଧ୍ୟରେ ଜଣେ ଥିଲେ ଇଞ୍ଜିନିୟର ବିନୋଦ କୁମାର ବନ୍ସଲ୍। ବିନୋଦ କୁମାର ଯେ କେବଳ ଚାକିରୀ ହରାଇଥିଲେ ତା’ ନୁହେଁ, ବରଂ ୧୯୭୪ ମସିହାରେ ସେ muscular dystrophyରେ ଆକ୍ରାନ୍ତ ହେବା କାରଣରୁ ଧିରେ ଧିରେ ତାଙ୍କ ଶରୀର ଅଚଳ ମଧ୍ୟ ହେବାକୁ ଲାଗିଥିଲା। J.K. Synthetics staff colony ରେ ରହୁଥିବା ସମୟରେ ଜଣେ ପରିଚିତ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରଥମେ ସେ ନିଜ ଖାଇବା (ଡାଇନିଂ) ଟେବଲ୍ ଉପରେ କିଛି ଛାତ୍ରଙ୍କୁ ଗଣିତ ପଢ଼ାଇବା ଆରମ୍ଭ କଲେ। ୧୯୮୫ରେ ଯେତେବେଳେ ତାଙ୍କର ଜଣେ ଛାତ୍ର IIT-JEE exam କ୍ରାକ୍ କରିଥିଲେ, ସେତେବେଳେ ଏହି ଖବର ବନାଗ୍ନି ପରି ସହର ସାରା ବ୍ୟାପି ଯାଇଥିଲା। ନିଜ ଘରୁ ଡାଇନିଂ ଟେବଲ୍ ଉପରୁ ୮ ଜଣ ପିଲାଙ୍କୁ ପଢେଇବାରୁ ଆରମ୍ଭ ହୋଇଥିବା ଯାତ୍ରା ଧିରେଧିରେ ଲୋକପ୍ରିୟ ହୋଇଯାଇଥିଲା ଏବଂ କୋଟାରେ ଜୀବିକା ହରାଇଥିବା ଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ନୂଆ ସୁଯୋଗ ଆଣିଥିଲା, କୋଚିଂ ସେଣ୍ଟର ମାଧ୍ୟମରେ ପିଲାଙ୍କୁ IIT ଏବଂ Medical Entrance ପାଇଁ ଶିକ୍ଷାଦାନର। ଅବଶ୍ୟ କୋଚିଂ ସେଣ୍ଟର ଆଇଡିଆ ଯେ ସେତେବେଳେ ଏକଦମ୍ ନୂଆ ଥିଲା ତା’ ନୁହେଁ। ସେତେବେଳକୁ ୧୯୮୦ରୁ ଦିଲ୍ଲୀର Rau’s IAS Study Circle ଦେଶରେ ଗୋଟିଏ registered institute ପ୍ରତିଷ୍ଠା ହୋଇସାରିଥିଲା। ୧୯୮୮ ରେ ବିନୋଦ କୁମାର ବନ୍ସଲ୍ଙ୍କ ପଡ଼ୋଶୀ ରାଜେଶ୍ ମାହେଶ୍ଵରୀ Allen Career Instituteର ପ୍ରତିଷ୍ଠା କରିଥିଲେ। ୧୯୯୧ ସୁଦ୍ଧା ବିନୋଦ କୁମାର Bansal Classes ପରି formally set up ବନାଇଥିଲେ। ତା’ ପରେ ପରେ Career Point (Pramod Maheshwari) and Resonance (R.K. Verma) ପରି କୋଚିଂ ସେଣ୍ଟରମାନ ମଧ୍ୟ ଖୋଲି ଯାଇଥିଲେ, କୋଟାରେ IIT-JEE ଏବଂ pre-medical (NEET) coaching ସେଣ୍ଟରର ସଂଖ୍ୟା ବଢ଼ିବା ପାଇଁ ଲାଗିଲା, ଲୋକେ ନିଜ ଘରେ ନୂଆ ବଖରା ସବୁ ନିର୍ମାଣ କରି ଛାତ୍ରାବାସ ଖୋଲିବାକୁ ଲାଗିଲେ। ଦେଖୁଦେଖୁ କୋଟା ଦେଶର IIT-JEE ଏବଂ pre-medical (NEET) coaching ସେଣ୍ଟରର କେନ୍ଦ୍ର ପାଲଟିଗଲା। ଅବଶ୍ୟ ୧୯୯୦ ଦଶକର ଶେଷ ଆଡ଼କୁ ଏହି କୋଚିଂ ସେଣ୍ଟର ଦେଶର ଅନ୍ୟ ସହର ଗୁଡିକରେ ମଧ୍ୟ କାୟା ବିସ୍ତାର କରିବା ପାଇଁ ଲାଗିଲେ।
ଯଦି ଆମେ The Federation of Coaching Centresର ଡାଟାକୁ ଦେଖିବା ତା’ହେଲେ ଅନୁମାନ କରାଯାଏ ଯେ ଭାରତରେ ୧ ଏପ୍ରିଲ ୨୦୨୬ ସୁଦ୍ଧା ସମୁଦାୟ ୬୮୧୮୧ଟି କୋଚିଂ ସେଣ୍ଟର ରହିଛି (୨୦୨୩ରୁ ଏଥିରେ ୨.୧୭% ବୃଦ୍ଧି ଦେଖା ଯାଇଛି)। ଏଥିରୁ ୮୯.୦୭% ବା ୬୦୭୨୮ଟି ସେଣ୍ଟର single-owner ଥିବା ବେଳେ ୭୪୫୩ଟି ବା ୧୦.୯୩% ବଡ଼ brand ରହିଛନ୍ତି। ଦେଶରେ ସର୍ବାଧିକ କୋଚିଂ ସେଣ୍ଟର ଉତ୍ତରପ୍ରଦେଶ (୧୧୧୪୪ଟି), ମହାରାଷ୍ଟ୍ର (୮୯୬୧ଟି) ଏବଂ ବିହାର (୬୩୮୩ଟି) ରହିଛି। ବର୍ତ୍ତମାନ ପରିସ୍ଥିତିରେ କୋଚିଂ ସେଣ୍ଟର ଗୁଡିକର strong digital presenceକୁ ମଧ୍ୟ ଅନୁଭବ କରି ହୁଏ। ଏହି ସବୁ କୋଚିଂ ସେଣ୍ଟର ଗୁଡ଼ିକ ମଧ୍ୟରୁ ୪୪୬୩ଙ୍କର LinkedIn profiles, ୧୦୪୧୧ଙ୍କର Facebook Pages, ୭୮୩୯ଙ୍କର Instagram, ୫୪୫୯ଙ୍କର X (Twitter) handles, ୨୨ଙ୍କର TikTok ଏବଂ ୮୦୫୨ଙ୍କର YouTube channels ରହିଛି। ଏ ସମସ୍ତ କୋଚିଂ ସେଣ୍ଟର ଗୁଡ଼ିକର Market Size ବା ବାର୍ଷିକ ବ୍ୟବସାୟ ୬୦-୭୦ ହଜାର କୋଟି ଟଙ୍କା ବୋଲି ଆକଳନ କରା ଯାଇଛି।
ଏତିକି ପଢ଼ିବା ଭିତରେ ଆପଣ ନିହାତି ଅନୁମାନ କରି ସାରିବେଣି ଯେ କାହିଁକି ଏମିତି କୋଚିଂ ସେଣ୍ଟରର ଇତିହାସ, ସଂଖ୍ୟା ଏବଂ ବ୍ୟବସାୟ ବିଷୟରେ ଆଲୋଚନା କରା ଯାଇଛି। ଛୋଟବେଳୁ ଆମେ ଦୁଇ ଭଉଣୀ କେବେ ଟ୍ୟୁସନ୍ କିମ୍ବା କୌଣସି କୋଚିଂ ସେଣ୍ଟର ଯାଇ ନାହୁଁ, ତେଣୁ ଏ ବିଷୟରେ ଜାଣିବା କିମ୍ବା ଭାବିବାର ସେମିତି କେବେ ଆଗ୍ରହ ଆସିନି। ଅବଶ୍ୟ ଆମେ ଘରେ ଅନେକଥର ଆଲୋଚନା କରୁ ଯେ, ଏ ଛାତ୍ରଛାତ୍ରୀମାନେ ନିଜେ କିଛି ଗୋଟିଏ ପଢ଼ିବା ପାଇଁ କେତେବେଳେ ସମୟ ପାଉଥିବେ। କିନ୍ତୁ ଏଇ ୨୨ ଜୁନ୍, ୨୦୨୬ରେ ଲକ୍ଷ୍ନୌର ଗୋଟିଏ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୧୫ ଜଣ ପିଲା ପ୍ରାଣ ହରାଇବା ଦୁର୍ଘଟଣା ପରେ ଏ ବିଷୟରେ ଆଲୋଚନା ଏବଂ ଚିନ୍ତା ପ୍ରକଟ କରିବା ପାଇଁ ଏକ ପ୍ରକାର ବାଧ୍ୟ କରିଛି। ପ୍ରକୃତରେ ଏଇ କିଛି ବର୍ଷ ଭିତରେ କୋଚିଂ ସେଣ୍ଟର, ହସ୍ପିଟାଲ୍, ମଲ୍ ଏବଂ ବଡ଼ ବଡ଼ ଅଟ୍ଟାଳିକାରେ ଏମିତି ଅଗ୍ନିକାଣ୍ଡର ଘଟଣା ବାରମ୍ବାର ନଜରକୁ ଆସୁଛି। ଏବଂ ପ୍ରତ୍ୟେକ ଥର ଏମିତି ଗୋଟିଏ ଦୁର୍ଘଟଣା ଘଟି ସାରିଲା ପରେ ହିଁ ଖବର ସାମ୍ନାକୁ ଆସେ ଯେ ଉକ୍ତ ବିଲ୍ଡିଂର Fire Safety Certificate, ଆପାତକାଳୀନ (emergency ) exit ନଥିବା; ଯଦି ବି Fire exits ଥିବ ତାହା ଷ୍ଟୋରେଜ୍, ଆସବାବପତ୍ର କିମ୍ବା electrical panels କାରଣରୁ ଅବରୋଧ ହେବା; fire extinguishers Expired କାମ ନକରିବା; smoke detectors ଏବଂ automatic fire sprinklers ନଥିବା; ଆବାସିକ କୋଠାକୁ ବେଆଇନ ଭାବରେ ବ୍ୟାବସାୟିକ ପ୍ରତିଷ୍ଠାନରେ ପରିଣତ କରିବା, ଆଦି ବିଷୟରେ ଜଣାପଡେ, ଆଲୋଚନା ହୁଏ। ଖବରକାଗଜଠୁ ନେଇ ଟିଭି ଏବଂ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ଏ ଉପରେ ଦିନେ ଦୁଇଦିନ ପାଇଁ ତୀବ୍ର ଆଲୋଚନା, ସରକାରୀ ଅଫିସ୍ ଏବଂ ଅଧିକାରୀଙ୍କୁ ସମାଲୋଚନା କରିବା ପରେ ଏହି ବିଷୟ ପୁଣି ଥଣ୍ଡା ପଡ଼ିଯାଏ। କିନ୍ତୁ ଯେଉଁ ପରିବାର ତା’ର ଜଣେ ସନ୍ତାନ କିମ୍ବା ସଦସ୍ୟ ହରାଇଥାଏ, ତାହା ସାରା ଜୀବନ ପାଇଁ ଗୋଟିଏ ଅପୂରଣୀୟ କ୍ଷତି ଦେଇଥାଏ। ତେବେ ଏଇଠି ପ୍ରଶ୍ନ ଆସେ ଯେ କୌଣସି କୋଚିଂ ସେଣ୍ଟରର ବ୍ୟବସ୍ଥା କିମ୍ବା ଅବ୍ୟବସ୍ଥାକୁ ନେଇ ଆମେ ସବୁବେଳେ ସରକାର, ସରକାରୀ ବିଭାଗକୁ ନେଇ ଅଭିଯୋଗ କରିଦେଲେ କାମ ସରିଯାଏ ନା’ ଯେକୌଣସି କୋଚିଂ ସେଣ୍ଟରକୁ ନିଜ ସନ୍ତାନକୁ ପଠାଇବା ପୂର୍ବରୁ ତା’ ବିଷୟରେ ଛାଞ୍ଚ କରିବାର ଦାୟିତ୍ୱ ଅଭିଭାବକଙ୍କର ମଧ୍ୟ ରହିଛି?
କୋଚିଂ ସେଣ୍ଟର ଗୁଡ଼ିକ ଅନୁମତି କେମିତି ଓ କେଉଁଠୁ ହାସଲ କରନ୍ତି:
(୧)ପ୍ରତ୍ୟେକ କୋଚିଂ ସେଣ୍ଟର ରେଜିଷ୍ଟ୍ରେସନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ଉପଯୁକ୍ତ ଅଧିକାରୀଙ୍କ ପାଖରେ ଯେମିତିକି ଜିଲ୍ଲାପାଳ ବା collector, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ନିକଟରେ କିମ୍ବା online State Higher Education Department portal ଦ୍ବାରା ଆବେଦନ କରିଥାନ୍ତି। ରେଜିଷ୍ଟ୍ରେସନ ସାର୍ଟିଫିକେଟ ସାଧାରଣତଃ ୩ ବର୍ଷ ପାଇଁ valid ହୋଇଥାଏ। (୨) ରେଜିଷ୍ଟ୍ରେସନ ପାଇବା ପୂର୍ବରୁ କୋଚିଂ ସେଣ୍ଟରକୁ ନିଜ ସମସ୍ତ ଟ୍ୟୁଟର୍ ବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା, କୋର୍ସ କରିକୁଲମ୍, କୋର୍ସ ଫି’ ଏବଂ ବିଲ୍ଡିଂ ବା ସୌଧର ସମ୍ପୂର୍ଣ୍ଣ ନିର୍ମାଣ ବିବରଣୀ ବା proof of structural compliance ଆଦି ଦାଖଲ କରିବା ପାଇଁ ପଡ଼ିଥାଏ। (୩) କେଉଁ ଅଧିକାରୀ ବା ବିଭାଗରୁ clearance ଏବଂ NOC ହାସଲ କରିବା ପାଇଁ ପଡ଼େ: Fire Services Directorate (To secure a mandatory Fire Safety Certificate / No Objection Certificate (NOC); ସ୍ଥାନୀୟ Municipal Corporation / Development Authority (For structural stability certificates and a commercial Trade License); Labor Department (Registration under the state's Shops and Establishment Act to protect basic employee conditions); GST Department [Tax registration under the Central Board of Indirect Taxes and Customs (if their annual revenue crosses the statutory threshold)].
National safety and educational guidelines ଅନୁସାରେ କୋଚିଂ ସେଣ୍ଟର ଗୁଡ଼ିକରେ ନିମ୍ନ ଲିଖିତ (ଅତି କମ୍ରେ) ବ୍ୟବସ୍ଥା ରହିବା ଜରୁରୀ: ପ୍ରତ୍ୟେକ ଛାତ୍ର/ଛାତ୍ରୀ ପାଇଁ ଅତି କମରେ 1 square meter of floor area ଉପଲବ୍ଧ ହେବା ଉଚିତ; ଆଡ୍ମିସନ୍ ନେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ବୟସ ୧୬ରୁ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ଏକାଧିକ ଆପାତକାଳୀନ ବା emergency ଅଣଅବରୋଧିତ (unobstructed ) exit doors, କାର୍ଯ୍ୟକ୍ଷମ fire extinguishers, clear emergency signage ଏବଂ ଚଉଡା ଶିଢି଼; ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ତଥା ଛାତ୍ର ତଥା ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଶୌଚାଳୟର ବ୍ୟବସ୍ଥା; First Aid କିଟ୍ ଏବଂ active medical emergency protocol; ଉପଯୁକ୍ତ କ୍ରସ-ଭେଣ୍ଟିଲେସନ୍, Adequate airflow, indoor lighting ର ବ୍ୟବସ୍ଥା ।
ଅଭିଭାବକଙ୍କ ଦାୟିତ୍ୱ: ପ୍ରତିଥର ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଲେ ସବୁଠାରୁ ହୃଦୟବିଦାରକ ହୋଇଥାଏ, ପ୍ରସାରିତ ହେଉଥିବା ମା’-ବାପାଙ୍କ ବିକଳ ଚିତ୍କାର ଓ କାନ୍ଦଣାର ଦୃଶ୍ୟ। କିନ୍ତୁ ପ୍ରତ୍ୟେକ ଥର ଖବରକାଗଜ ଏବଂ ନ୍ୟୁଜ୍-ଚ୍ୟାନେଲ୍ରେ ଏମିତି କିଛି ଦୃଶ୍ୟ ଏବଂ ମୃତକଙ୍କ ସଂଖ୍ୟାର ଅପ୍ଡେଟ୍ ପ୍ରସାରିତ ହେବା ପରେ ସମସ୍ତେ ତାକୁ ଭୁଲି ଯାଆନ୍ତି। ପୁଣି କିଛି ନୂଆ ଅଭିଭାବକ ତାଙ୍କ ସନ୍ତାନ ପାଇଁ କୋଚିଂ ସେଣ୍ଟରର ଠିକଣା ଏବଂ ଆଡ୍ମିସନ୍ ଫି’ ଯୋଗାଡ଼ରେ ଲାଗିଯାଆନ୍ତି। କିନ୍ତୁ ଅଭିଭାବକ ହିସାବରେ ଆପଣ ନିଜ ସନ୍ତାନକୁ ଯେଉଁ କୋଚିଂ ସେଣ୍ଟରକୁ ପଢ଼ିବା ତଥା ତା’ର ଭବିଷ୍ୟତ ସଜାଡିବା ପାଇଁ ପଠାଉଛନ୍ତି, ସେଠି ପ୍ରଥମେ ତା’ର ବର୍ତ୍ତମାନର ସୁରକ୍ଷା ଦେଖିବା ଆପଣଙ୍କ ପ୍ରଥମ ଦାୟିତ୍ୱ। ଦାଖିଲା ପୂର୍ବରୁ ଆପଣଙ୍କ ୧୦-୧୫ ମିନିଟ୍ର ଜାଞ୍ଚ ଆପଣଙ୍କ ତଥା ଅନ୍ୟ ଅନେକ ସନ୍ତାନଙ୍କ ଜୀବନକୁ ବିପଦରୁ ରକ୍ଷା କରି ପାରେ। ଅଭିଭାବକମାନେ ଆଡ୍ମିସନ୍ ପୂର୍ବରୁ ନିମ୍ନୋକ୍ତ କେତୋଟି ବିଷୟ ଉପରେ ଧ୍ୟାନ ଦିଅନ୍ତୁ:
1.ମ୍ୟାନେଜମେଣ୍ଟକୁ ଅପ୍-ଟୁ-ଡେଟ୍ Fire Safety Certificate ଏବଂ Fire Services Department ଦ୍ୱାରା ପ୍ରଦତ୍ତ NOC ଦେଖାଇବା ପାଇଁ କୁହନ୍ତୁ
2.କୋଚିଂ ସେଣ୍ଟର୍ଟି ଜିଲ୍ଲାପାଳ/ ମାଜିଷ୍ଟ୍ରେଟ୍ କିମ୍ବା State Higher Education Department ନିକଟରେ ବିଧିବଦ୍ଧ ଭାବେ ପଞ୍ଜୀକୃତ କି ନାହିଁ ଜାଞ୍ଚ କରନ୍ତୁ।
3.ନ୍ୟାସନାଲ୍ ଗାଇଡ୍ଲାଇନ୍ ଅନୁସାରେ କୋଚିଂ ସେଣ୍ଟରରେ ଆଡ୍ମିସନ୍ ନେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ବୟସ ୧୬ରୁ ଉର୍ଦ୍ଧ୍ୱ, ନିଶ୍ଚିତ କରନ୍ତୁ।
4.କୋଚିଂ ସେଣ୍ଟର୍ର ଫି’ ଏବଂ ଫି ଫେରସ୍ତ (Fee & Refund Policy) ବିଷୟରେ ଲିଖିତ ଆକାରରେ ପରିଷ୍କାର ଭାବରେ ସଂସ୍ଥାର କାଗଜପତ୍ର କିମ୍ବା websiteରେ ଲିଖିତ ଆକାରରେ ମହଜୁଦ ଅଛି କି ନାହିଁ ଯାଞ୍ଚ କରନ୍ତୁ।
5.ଦ୍ୱୈତ ପ୍ରସ୍ଥାନ ପଥ (Dual Exit Routes): ବିଲ୍ଡିଂରେ ଅନ୍ତତଃ ପକ୍ଷେ ଦୁଇଟି ଓସାରିଆ, ପୃଥକ ଏବଂ ସମ୍ପୂର୍ଣ୍ଣ ଭାବେ ବାଧାମୁକ୍ତ (unobstructed) ଶିଢି କିମ୍ବା ବାହାରିବା ଦ୍ୱାର ଅଛି କି ନାହିଁ ଯାଞ୍ଚ କରନ୍ତୁ।
6.ଛାତର କବାଟଟି ଖୋଲା ଅଛି କି ନାହିଁ ଏବଂ ଜରୁରୀକାଳୀନ ପରିସ୍ଥିତିରେ ତାହା ସୁରକ୍ଷା ପଥ ଭାବେ ବ୍ୟବହାର କରାଯାଇପାରିବ କି ନାହିଁ ନିଶ୍ଚିତ କରି, ଉପରକୁ ଯାଇ ଦେଖନ୍ତୁ।
7.ପ୍ରତ୍ୟେକ ମହଲାରେ ସର୍ଭିସିଂ ହୋଇଥିବା, ବୈଧତା ଅବଧି ଥିବା ଅଗ୍ନିନିର୍ବାପକ ଯନ୍ତ୍ର ସହିତ କାର୍ଯ୍ୟକ୍ଷମ ୱାଟର ହୋସ୍ ରୀଲ୍ (ପାଣି ପାଇପ୍) ଅଛି କି ନାହିଁ ଧ୍ୟାନ ଦିଅନ୍ତୁ (Functional Extinguishers & Hoses)।
8.Illuminated Emergency Signs ବା ଆଲୋକିତ ଜରୁରୀକାଳୀନ ପଟି/ସଙ୍କେତ - ବ୍ୟାଟେରୀ ଚାଳିତ କିମ୍ବା ଅନ୍ଧାରରେ ଚମକୁଥିବା "EXIT" (ପ୍ରସ୍ଥାନ) ସଙ୍କେତ ବୋର୍ଡ/ ପଟି ଅଛି କି ନାହିଁ ନିଶ୍ଚିତ କରନ୍ତୁ, ଯାହାଫଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇଗଲେ ବି ଧୂଆଁ ଭିତରେ ଏହା ଛାତ୍ରଛାତ୍ରୀମାନଙ୍କୁ ବାଟ ଦେଖାଇବାରେ ସାହାଯ୍ୟ କରିବ।
9.ବିଲ୍ଡିଂର ବାହାର ପାଖରେ ଲୁହା କିମ୍ବା ଷ୍ଟିଲ୍ର ଜରୁରୀକାଳୀନ ଅଗ୍ନି ନିରାପତ୍ତା ସିଡ଼ି (External Fire Escapes) ସଂଯୁକ୍ତ ହୋଇଛି କି ନାହିଁ ତାହା ଦେଖନ୍ତୁ।
10.ନିୟମ ଅନୁସାରେ କ୍ଲାସ୍-ରୁମ୍ ଭିତରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟୁନ ୧ ବର୍ଗ ମିଟରର ସ୍ଥାନ ରହିବା ଆବଶ୍ୟକ। ଶ୍ରେଣୀଗୃହ ଯେପରି ବିପଜ୍ଜନକ ଭାବେ ଅତ୍ୟଧିକ ଭିଡ଼ ନହୁଏ ଲକ୍ଷ୍ୟ ରଖନ୍ତୁ।
11.କେବଳ ବାୟୁ ଚଳାଚଳ (Ventilation) ପାଇଁ ନୁହେଁ ବରଂ ଜରୁରୀକାଳୀନ ପରିସ୍ଥିତି (ଗରମ କିମ୍ବା ବିଷାକ୍ତ ଗ୍ୟାସ୍ ନିର୍ଗତ)ରେ ମହଜୁଦ ଥିବା ଝରକା/ କାଚ ଝରକା ଖୋଲୁଛି କି ନାହିଁ ନା’ ସେଗୁଡ଼ିକ ସିଲ୍ଡ ଯାଞ୍ଚ କରନ୍ତୁ ।
12.ବିଦ୍ୟୁତ ଟ୍ରାନ୍ସଫର୍ମର, ଜେନେରେଟର ଏବଂ ବଡ଼ ଇନଭର୍ଟର ବ୍ୟାଟେରୀଗୁଡ଼ିକ ଯେପରି ପିଲାମାନଙ୍କ ବସିବା ସ୍ଥାନ ଏବଂ ମୁଖ୍ୟ ସିଡ଼ିଠାରୁ ଦୂରରେ ସୁରକ୍ଷିତ ଭାବେ ଅଲଗା କରି ରଖାଯାଇଛି, ତାହା ନିଶ୍ଚିତ କରନ୍ତୁ।
13.ବିଲ୍ଡିଂ କିମ୍ବା ଶ୍ରେଣୀଗୃହର ସାଜସଜ୍ଜା (Interiors) ପାଇଁ ଯେପରି ଜଲଦି ନିଆଁ ଧରୁଥିବା ପ୍ଲାଷ୍ଟିକ କିମ୍ବା ପ୍ଲାଇଉଡ୍ର ବ୍ୟବହାର ହୋଇନଥାଏ ନିଶ୍ଚିତ କରନ୍ତୁ।
14.ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ କାର୍ଯ୍ୟକ୍ଷମ, ପୃଥକ୍, ସଫା (hygienic) ଶୌଚାଳୟ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ।
15.ସେଣ୍ଟର ପରିସର ମଧ୍ୟରେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ଉପଲବ୍ଧ ରହିଛି କି ନାହିଁ ଦେଖନ୍ତୁ।
16.ସେଣ୍ଟରର first-aid kit ଅଛି କି ନାହିଁ ଏବଂ ଜରୁରୀକାଳୀନ ଚିକିତ୍ସା ପାଇଁ ନିକଟସ୍ଥ କୌଣସି ହସ୍ପିଟାଲ୍ ସହ ସେମାନଙ୍କର valid ଚୁକ୍ତି/ଯୋଗାଯୋଗ ବ୍ୟବସ୍ଥା ଅଛି କି ନାହିଁ ତାହା ନିଶ୍ଚିତ କରନ୍ତୁ।
17.କୌଣସି ଜରୁରୀକାଳୀନ/ ଗଣ୍ଡଗୋଳ ପରିସ୍ଥିତି କିମ୍ବା ଅନଧିକୃତ ପ୍ରବେଶକୁ ରୋକିବା ପାଇଁ ସେଣ୍ଟରରେ ସିସିଟିଭି ଏବଂ ସୁରକ୍ଷା କର୍ମୀ ବ୍ୟବସ୍ଥା ରହିଛି କି ନାହିଁ ଯାଞ୍ଚ କରନ୍ତୁ। ସିସିଟିଭି କାର୍ଯ୍ୟକ୍ଷମ ଅଛି କି ନାହିଁ ଏବଂ ଏହା ଦ୍ୱାରା ସକ୍ରିୟ ଭାବେ ନଜର ରଖାଯାଉଛି କି ନାହିଁ ତାହା ଯାଞ୍ଚ କରନ୍ତୁ।
ହୁଏତ କୌଣସି ଦୁର୍ଘଟଣା କିମ୍ବା ପ୍ରାକୃତିକ ଦୁର୍ବିପାକକୁ ଏଡାଇବା ଆମ ହାତରେ ନଥାଇ ପାରେ କିନ୍ତୁ ସଜାଗ ରହିବା ଆମ ହାତରେ ରହିଛି।