ସଂସଦ ଆଗରେ ଠିଆ ହୋଇଥିବା ପିଲାଙ୍କ ସହିତ

ସଂସଦ ଆଗରେ ଠିଆ ହୋଇଥିବା ପିଲାଙ୍କ ସହିତ

ରାସ୍ତାରେ ମାଡ ଖାଉଥିବା

ଏ ପିଲାମାନେ

 ଆମର, କେବଳ ଆମର

 

ରାସ୍ତାରେ ଆମର ପିଲାମାନଙ୍କୁ

ଲାଠିରେ ପିଟୁଥିବା

ଲୁହାବୁହା ଗ୍ୟାସରେ

ଲହୁଲୁହାଣ କରୁଥିବା ପୁଲିସ ବି ଆମର

 

ଏ ଲାଠି କିଣା ହୋଇଛି ଆମର ପଇସାରେ

 ଆମର ପିଲାଙ୍କୁ ପିଟିବା ପାଇଁ ।

 

ଏ ବନ୍ଧୁକ, ଏ ଲୁହାବୁହା ବାମ୍ଫ, ଏ ସଡକ, ଏ ସଂସଦ

ଏ ସଂସଦର ମହାମହିମମାନେ

ସମସ୍ତେ ଆମର  

 

ଆମକୁ ନେଇ ଆମ ଲୋକଙ୍କର କେତେ ଡର ?

ଆମ ଉପରେ ଆମ ଲୋକଙ୍କର

ଏ କି ଜଘନ୍ୟ ପ୍ରହାର ?

 

ସଂସଦ ଭିତରେ ବସିଥିବା ମହାମହିମ

ଓ ତାଙ୍କର ଭାଟମାନେ କହୁଛନ୍ତି

ଆମେ ଚୁପ ରହିବା ହିଁ ଏକମାତ୍ର ସର୍ତ୍ତ

ଦେଶପ୍ରେମର

 

ଆମେ ଚୁପ ରହିବାକୁ ବାଧ୍ୟ ସବୁବେଳେ

ଆମେ ଚୁପ ରହିବୁ ଅନ୍ଧାର ଆଗରେ

ଚୁପ ରହିବୁ ରକ୍ତପାତ ଓ କଷଣ ଆଗରେ

ଆମେ ଚୁପ ରହିବୁ ଯେତେବେଳେ ଆମର ଲୋକ

ମରିଯାଉଥିବେ ଅମ୍ଳଜାନର ଅଭାବରେ

ଆମେ ଚୁପ ରହିବୁ

ଆମର ନଦୀ ସବୁ ଭରିଗଲା ପରେ ବି

ଆମର କଙ୍କାଳ ଓ ଖପୁରୀରେ

 

ଆମେ ଚୁପ ରହିବୁ

ଦଳାଚକଟାରେ ମରିଗଲାପରେ ବି

କୁମ୍ଭମେଳାରେ, ରଥଯାତ୍ରାରେ, ରେଳଷ୍ଟେସନ, ଡାକ୍ତରଖାନାରେ

ଆମେ ଚୁପ ରହିବୁ

ଆମର ଟଙ୍କା କାଗଜର ଟୁକୁରା ହେଇଗଲା ପରେ

ଆମେ ଚୁପ ରହିବୁ ଆମର ସବୁ ଅଧିକାର

ଲିଭିଯାଉଥିବ ଯେବେ କ୍ରମାନ୍ଵୟରେ   

 

ଆମର ପିଲାମାନେ

ଆତ୍ମହତ୍ୟା କରୁଥିବେ ନିରାଶାରେ

ବଜାରରେ ନିଲାମ ହେଉଥିବ ଆମ ପିଲାଙ୍କ

ଭାଗ୍ୟ ଓ ଭବିଷ୍ୟତ

ଆମର ପିଲାମାନଙ୍କ ଶବ ଉପରେ

ଆୟୋଜନ ହେଉଥିବ

ବିଜୟ ଉତ୍ସବ

 

ଆମ ଭିତରୁ କିଛି ଲୋକ

ତଥାପି ଭାଟ ହୋଇ

ଠିଆ ହୋଇଥିବେ ଦରବାରରେ

ଆମ ପିଲାଙ୍କ ଲହୁଲୁହାଣ ପିଠିକୁ ଦେଖି ସେମାନେ

ତଥାପି କରୁଥିବେ ଅଟ୍ଟହାସ

ସେମାନଙ୍କୁ ଡର ଲାଗୁଥିବ ଯେ

କାଳେ କେତେବେଳେ ଖସିଯାଇପାରେ

ସିଂହାସନ ଓ ରାଜମୁକୁଟ

 

ଆମର ପିଲାମାନେ ରାସ୍ତାରୁ

ହୁଏତ ଫେରି ନ ପାରନ୍ତି ଘରକୁ

ସେମାନେ ପହଞ୍ଚିପାରିବେ ନାଇଁ ସଂସଦରେ

ସେମାନଙ୍କ ଭିତରୁ କେହି କେହି ଯିବେ

ଜେଲଖାନା, ଡାକ୍ତରଖାନା ବା କବରଖାନା

ସେମାନଙ୍କ ବିରୋଧରେ ଲାଗୁଥିବ

ସବୁଠୁ ବର୍ବର ଦଫା

ଅସରପା ବୋଲି

ସେମାନଙ୍କୁ ମାରିଦେବାର ଆଦେଶ

ହୁଏତ କେହି ବି କେଉଁଠି ଶୁଣେଇଦେପାରେ

 

ଆଜି ଆଉ କିଛି କରିବାର ନାଇଁ

ମୋତେ ଖାଲି ଠିଆ ହେବାର ଅଛି

ମୋ ପିଲାମାନଙ୍କ ସହିତ

ରାସ୍ତାରେ , ସଂସଦ ଆଗରେ ।

 

ମୁଁ ମୋ ପିଲାମାନଙ୍କୁ

ଛାଡି ଦେବିନାହିଁ  ଏକୁଟିଆ

ଲାଠି, ଗୁଳି ଓ ବର୍ବରତା ଆଗରେ