ବିଶୁଦ୍ଧ ନାଟକ

ବିଶୁଦ୍ଧ ନାଟକ

କରିଥିଲେ ଜଣେ ବେଶି ଜ୍ଞାନାର୍ଜନ
ସେତିକି ତ ନୁହେ ସବୁ
ତୁଂଡରୁ ବଚନ ଫିଟିବା ପୂର୍ବରୁ
ଏ କଥା ତ ଥରେ ଭାବୁଁ

' ବେଶି ' ଆଉ ' ସବୁ ' ମଧ୍ୟରେ ରହିଛି
ଯେତେ ଯେଉଁ ପ୍ରଭେଦ
ତାହା କରଂତିନି ଏଠି ବହୁ ଲୋକ
କେବେ ଥରେ ହୃଦ୍‌ବୋଧ

ବକ୍ତା ଯେତେ ବି ଜାଣିଥାଆଂତି
ଶ୍ରୋତା ତହିଁରୁ ବେଶି
ଜାଣଂତି ବୋଲି ଆଭାସ ପାଇ ବି
ସଭାରେ ରହଂତି ବସି

' ମୁଖ୍ୟ ବକ୍ତା ' ନାମେ ବିଦିତ ହେଲେ ଯେ
କହିବାକୁ ହୁଏ ବେଶି
ଏହି ପ୍ରଥା ପାଳି ବକ୍ତା କି ଶ୍ରୋତା 
କେହି ହୁଅଂତିନି ଖୁସି

ବକ୍ତାଏ ଟପିଲେ ଧାର୍ଯ ବେଳ-ସୀମା
ଶ୍ରୋତାଏ ମାରଂତି ତାଳି
ମଂଚାସୀନ ଜନ ପ୍ରାୟତଃ ବୁଝଂତି
ଏହାକୁ ପ୍ରଶଂସା ବୋଲି

ମଥାରେ ପଗଡ଼ି, କାଂଧରେ ଗାମୁଛା
ହାତରେ ସମ୍ମାନପତ୍ର
ହୋଇ ବିଭୂଷିତ ମନୋନୀତଗଣ
ଉଠାଂତି ଆଲୋକଚିତ୍ର

କାନର ଭୋକ କମିଯିବା ପରେ 
ଉଦର କରେ ଗର୍ଜନ
ଆୟୋଜକ ସହ ଅତିଥି ଏକାଠି
କରଂତି ସମୂହ ଭୋଜନ

ଆୟୋଜନକାରୀ ଯାହା ବି କହଂତି
ତାହା ହିଁ କରଂତି ଲୋକ
' ସଭା ' ନାମେ ଯାହା ହୁଏ ପ୍ରଚାରିତ
ତାହା ବିଶୁଦ୍ଧ ' ନାଟକ '