ମୋଦୀଙ୍କ ଟେଲିଫୋନ ଓ କର୍ଣ୍ଣାଟକ ନାଟକ

ମୋଦୀଙ୍କ ଟେଲିଫୋନ ଓ କର୍ଣ୍ଣାଟକ ନାଟକ

ଭାରତୀୟ ଗଣମାଧ୍ୟମର ଗୋଟିଏ କଥା ବୁଝି ହୁଏନାହିଁ। ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ମଧ୍ୟ ଗଣମାଧ୍ୟମରେ ବାଜିପାରୁଛି କେମିତି? ଦୁଇ ଜଣ ରାଜନେତା ପରସ୍ପର ସହ ଟେଲିଫୋନରେ କଥା ହେବା ବି କଣ ଏକ ବିଶେଷ ଖବର? ଦୁଇ ଜଣ ରାଷ୍ଟ୍ର ମୁଖ୍ୟ ହୁଏତ ଟେଲିଫୋନରେ କଥା ହେବାର କିଛି ଗୁରୁତ୍ବ ରହିଛି। ହେଲେ ଜଣେ ବିଜେପି ନେତାଙ୍କୁ ପ୍ରଧାନମନ୍ତ୍ରୀ ଫୋନ କରିବା ଏକ ବିଶେଷ ଖବର ହେବ କାହିଁକି? ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କ ଦଳର ଜଣେ ନେତା କଥା ହେଉଛନ୍ତି ଓ ସେଟା ପୁରା ଗଣମାଧ୍ୟମରେ ପ୍ରସାରିତ ହେଉଛି- ଏହା ନାଟକ ନୁହେଁ ତ ଆଉ କ'?

ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ମଧ୍ୟ ନରେନ୍ଦ୍ର ମୋଦୀଙ୍କର ଏମିତି ଏକ ଟେଲିଫୋନ ଚର୍ଚ୍ଚା ବେଶ ଭାଇରାଲ୍ ହୋଇଥିଲା। ଏବେ କର୍ଣାଟକ ନିର୍ବାଚନ ପୂର୍ବରୁ ସେଠାକାର ପୁରୁଣା ସଂଘ ନେତା କେ ଈଶ୍ବରାପ୍ପାଙ୍କୁ ମୋଦୀ ଫୋନ କରି କଥା ହେବାର ସିଧାସଳଖ ଚିତ୍ର ଏଏନଆଇ ଜରିଆରେ ଆମେ ଦେଖୁଛୁ। ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ କଲ୍ କୁ ଏକ ବଡ଼ ଖବର ଭାବରେ ଉପସ୍ଥାପନ କରାଯାଉଛି।

ତେବେ ପ୍ରଧାନମନ୍ତ୍ରୀ ଈଶ୍ଵରାପ୍ପାଙ୍କୁ ଫୋନ କରିବେ ବୋଲି ସାମ୍ବାଦିକମାନଙ୍କୁ ଆଗରୁ ସୂଚନା ଦିଆଯାଇଥିଲା ନିଶ୍ଚୟ ନଚେତ ପ୍ରଧାନମନ୍ତ୍ରୀଙ୍କ କଥା ଭାରତ ସାରା ଲୋକ ଶୁଣିଲେ କେମିତି ? ବ୍ୟକ୍ତିଗତ ସ୍ତରରେ ଟେଲିଫୋନ ଟ୍ୟାପିଙ୍ଗ ଏକ ଅପରାଧ ହେଲେ ଐ ଅପରାଧ ଏବେ ରାଜନୈତିକ ନାଟକବାଜି କିମ୍ବା ସାମ୍ବାଦିକତାର ସର୍କସ ପାଲଟି ଯାଇଛି । ଯଦି ପ୍ରଧାନମତ୍ରୀ ତାଙ୍କ ଦଳର କର୍ମୀଙ୍କ ସହ କଥା ହେବାକୁ ସିଧାସଳଖ ପରିବେଷଣ କରା ଯାଇପାରୁଛି, ତା ହେଲେ ଗୋପନୀୟତା ବୋଲି ଆଉ କିଛି ଅଛି କି ?

ଏହି ପ୍ରସଙ୍ଗରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠିବ ପ୍ରଧାନମନ୍ତ୍ରୀ କାହା ସାଙ୍ଗରେ କଥା ହେଉଛନ୍ତି ? କେ ଈଶ୍ଵରାପ୍ପା ବିଜେପି ସରକାରରେ ମନ୍ତ୍ରୀ ଥିଲେ  ୪୦% କମିଶନ ମାଗିବା ଅଭିଯୋଗରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରା ଯାଇଥିଲା ଏହି ଅଭିଯୋଗ ଆଣିଥିବା କର୍ଣ୍ଣାଟକ ସରକାରଙ୍କର ଜଣେ କର୍ମଚାରୀ ଏହି ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ ପରବର୍ତ୍ତୀ ସମୟରେ ନିଜ ରାଜାନୀତିକୁ ବଞ୍ଚାଇବାକୁ ଈଶ୍ଵରାପ୍ପା ନିୟମିତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରି ଆସୁଥିଲେ ତଥାପି ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ବିଜେପି ଟିକେଟ ଦେଇନାହିଁ

ଟିକେଟ ପାଇନଥିବା ବହୁ ବିଜେପି ନେତା କର୍ଣ୍ଣାଟକ ବିଜେପି ଛାଡି ଚାଲି ଯାଉଥିବାରୁ, ପ୍ରଧାନମନ୍ତ୍ରୀ ମୋଦୀ ଏବେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ଅଭିଯାନ ଆରମ୍ଭ କରିଛନ୍ତି ସେଇ କ୍ରମରେ ଜଣେ ଜଣାଶୁଣା ଭ୍ରଷ୍ଟ ରାଜନେତାଙ୍କୁ ପ୍ରଧାନମନ୍ତ୍ରୀ ଫୋନ ଲଗାଇ ତାଙ୍କ ସହ କଥା ହେବାର ଘଟଣାକୁ ଏକ ଖବର ଭାବରେ ଉପସ୍ଥାପନ କରିଛନ୍ତି

କିଛିଦିନ ତଳେ ଜାମ୍ମୁ –କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଥିଲେ ଯେ ମୋଦୀଙ୍କର ଦୁର୍ନୀତିଖୋର ଲୋକଙ୍କ ପ୍ରତି ବିଶେଷ ଅନାଦର ନାହିଁ ବିଜେପିକୁ ସୁହାଉଥିବା ଓ ମୋଦୀଙ୍କୁ ସମର୍ଥନ ଦେଉଥିବା ଯେ କୌଣସି ଭ୍ରଷ୍ଟ ରାଜନେତା ଓ କର୍ପୋରେଟଙ୍କ ସହିତ ତାଙ୍କର ସମ୍ପର୍କ ଉତ୍ତମ ରହିଆସିଛି ଈଶ୍ଵରାପ୍ପାଙ୍କୁ ଫୋନ କରି ମୋଦୀ ପ୍ରମାଣିତ କରି ଦେଇଛନ୍ତି ଯେ ସେ “ନ ଖାଉଙ୍ଗା-ନ ଖାନେ ଦୁଙ୍ଗା” ସ୍ଲୋଗାନକୁ ସେ କେବଠୁ ଭୁଲି ସାରିଛନ୍ତି