ରାଧା
ଆଖି ଫେରେଇ ନେଲାପରେ ବି
ଦୃଶ୍ୟରେ ହିଁ ଅଳନ୍ଧୁ ପରି ଝୁଲିରହିଥାଏ ଦୃଷ୍ଟି।
ପାଦ ଫେରେଇ ଆଣୁ ଆଣୁ
ଝରଣା ପାଣିରେ
ଲୁଣ ହେଇ ମିଳାଇ ଯାଏ ରାଧାପାଦ,
ମିଳାଇ ଯାଏ ତଣ୍ଟି ସରିକି ଦେହ
ବଂଶୀ ସ୍ୱନରେ!
ପାଦ ଛନ୍ଦି,ମନ ବାନ୍ଧି
ବଂଶୀ ବଜେଇ ବଜେଇ ଫେରି ଯାଏ ଯିଏ
ସିଏ କୋଉ ଭାଙ୍ଗି ପାରେ କେବେ
ରାଧାର ଏ ତନ୍ମୟପଣ!
ତୁଚ୍ଛା ବାଉଁଶ ନଳୀରେ
ପବନ ହୋଇ ବୋହି
ପୃଥୀବିକୁ 'ଥ' କରିଦେବା ତ
ଗୋଟେ ବାହାନା
ଶ୍ୟାମ ଓଠରୁ କ୍ଷଣଟିଏ ଓହରି ଆସିବା
ଆରାଏନା ଯାହାକୁ ,
ଆରାଏନା
ମାଠିଆରେ ଢେଲା ମାରି
ଛାତି କଣା କରି ସାରିଥିବା ଶ୍ୟାମଠୁ ବିଚ୍ଛେଦ
ସିଏ କୋଉ ଭାଙ୍ଗିପାରେ ବଂଶୀ
ଛାଡିପାରେ ମୋହ!
ସମୁଦ୍ର ମନ୍ଥନ ବୁଝେନା ରାଧା
ଅମୃତ କହିଲେ କୃଷ୍ଣ ବୁଝେ ଯିଏ
ଅମୃତ କୁମ୍ଭରେ ବୁଡି ଯୁଦ୍ଧ ରଚୁଥିବା ଦାନବ
କି ଚିହ୍ନେ ସିଏ,ଚିହ୍ନେ ବି କଣ ଦେବତା ?
ସାଧି ଜାଣେ ପ୍ରେମ!
ଗାଈଗୋଠ କି ସିକାର ଲହୁଣୀ ଜଗିଲା ଭଳି
ଜଗି ଜାଣେ ଯାହା ହୃଦୟ!
ଆଙ୍ଗୁଳିରୁ ଖସି ଶୂନ୍ୟଚକ୍ରରେ
ଗଛ ପରି କଟି ଖଣ୍ଡ ଖଣ୍ଡ ହେଉଛି ତ
ହେଉଥାଉ ଶିଶୁପାଳ,
ଛଳବେଶି ମୁଖା ତଳେ ଚିରି
ଚୁନା ହେଉଯାଉ ପଛକେ ପୌଣ୍ଡ୍ରକ
ଓଠରେ ବଂଶୀ ହୋଇ ଲାଖିଥାଉ ରାଧା,
କେବଳ ରାଧା!
ମନର ଭରା ଯମୁନାରେ କୃଷ୍ଣପ୍ରେମର ମାଛଖେଳ ଯେବେ
ଆହା,ସାରାକାଳ ଘାଟ ଜଗି ବସିଥାଉ ରାଧା!