ଜୀବନ ସୂକ୍ତ
ଏ ସମୁଦ୍ର ଆମର, ସବୁ ଢେଉ ଓ ଶାମୁକା
ଅବୋଲକରା ପବନ ଓ ଦୂର ଦୂର ଯାଏ ସରୁନଥିବା ଏ ଜଳଦର୍ପଣ
ବାରମ୍ବାର ଢେଉ ହୋଇ ବେଳାଭୂମିରେ ଭାଙ୍ଗିଯିବାର ଏ ନିଶା, ଆମର।
ଆମର ଏ ଜଙ୍ଗଲ ଓ ଶାଳବଣ।
ଆମର ଏ ଜଳପ୍ରପାତ ଓ ରକ୍ତରେ ଗୀତ ଗାଉଥିବା ଝରଣା।
ଆମର ଏ ପୃଥିବୀ ଓ ଏ ପୃଥିବୀର ଦୁଃଖ
ଯୁଦ୍ଧରେ ପୋଡୁଥିବା ଏ ପୃଥିବୀର ଘା
ଜ୍ବରରେ କମ୍ପୁଥିବା ମାଟିର ନୁଖୁରା ଦେହ
ଶ୍ଵାସରୁଦ୍ଧ ମଣିଷର ବଞ୍ଚିରହିବାର ବ୍ୟାକୁଳତା
ସବୁକିଛି ଆମର।
ତୋ ଆଗରେ ଆଣ୍ଠୁ ମାଡି ମୁଁ ବସିଛି
ଓ ତୋର ପାପୁଲିରେ ଅର୍ପି ଦେଉଛି ମୋର ପୃଥିବୀ
ତୁ ଯେମିତି ବଢେଇ ପାରୁ ତୋର ଶାବକମାନଙ୍କୁ
ସେମିତି ତୁ ଇ ବଞ୍ଚେଇ ରଖିବୁ ମୋର ପୃଥିବୀକୁ
ତୋର ଟଣା ଟଣା ଆଖିର ଲହଡି ଭାଙ୍ଗୁଥିବା ମମତା
ବଞ୍ଚାଇ ଦେବ ବସୁଧାକୁ ।
ଆ, ଜଗତ ଯାକର ପୀଡା ପୋଛିଦେବାକୁ ତୋର ସ୍ନେହରେ
ଆ, ପୋଡାଘା’ର ଜ୍ଵଳନକୁ ଲିଭେଇଦେବାକୁ ତୋର ପାପୁଲିରେ
ଆ, ତୋର ଆକାଶ ପରି ଛାତିରେ ଲୁଚେଇ ଦେବାକୁ ଆମର ଦୁଃଖ
ଆ, ତୋର ମାନିନୀ ମୁହଁରେ ବିମ୍ବିତ କରିବାକୁ
ସାରା ଜଗତର ଜୀବନ।
ଭୟ ଓ ନୀରବତାର ଏ ବିବର୍ଣ୍ଣ ସମୟ
ତୁ କାଳର ଈଶ୍ଵରୀ
ତୋର କବିତାରେ ସଞ୍ଜୀବନୀର ସକାଳ ନେଇ
ମହାକାଇ ଦେ’ ଏ ପୃଥିବୀକୁ
ଏ ପୃଥିବୀରେ କେବଳ ତୋର ସ୍ଵାକ୍ଷର ରହୁ ଢେଉକା ପରି।
ସବୁ ଦୁଃଖ ଓ ଯନ୍ତ୍ରଣା ଆମର
ସବୁ ଗାଳି ଓ ଗମାତ ଆମର
ସବୁ ମରଣ ମୁହଁରେ ଘାସ ପରିକା କେରାଏ ବୋଲି ଜୀବନ, ଆମର ।
ତୋର ପ୍ରେମ ଇ ଏକମାତ୍ର ଉପାୟ
ଏ ପୃଥିବୀକୁ ବଞ୍ଚାଇ ରଖିବାର ।
.......