ଜୀବନ ସୂକ୍ତ

ଜୀବନ ସୂକ୍ତ

ଏ ସମୁଦ୍ର ଆମର, ସବୁ ଢେଉ ଓ ଶାମୁକା

ଅବୋଲକରା ପବନ ଓ ଦୂର ଦୂର ଯାଏ ସରୁନଥିବା ଏ ଜଳଦର୍ପଣ

ବାରମ୍ବାର ଢେଉ ହୋଇ ବେଳାଭୂମିରେ ଭାଙ୍ଗିଯିବାର ଏ ନିଶା, ଆମର

 

ଆମର ଏ ଜଙ୍ଗଲ ଓ ଶାଳବଣ

ଆମର ଏ ଜଳପ୍ରପାତ ଓ ରକ୍ତରେ ଗୀତ ଗାଉଥିବା ଝରଣା

 

ଆମର ଏ ପୃଥିବୀ ଓ ଏ ପୃଥିବୀର ଦୁଃଖ

ଯୁଦ୍ଧରେ ପୋଡୁଥିବା ଏ ପୃଥିବୀର ଘା

ଜ୍ବରରେ କମ୍ପୁଥିବା ମାଟିର ନୁଖୁରା ଦେହ

ଶ୍ଵାସରୁଦ୍ଧ ମଣିଷର ବଞ୍ଚିରହିବାର ବ୍ୟାକୁଳତା

ସବୁକିଛି ଆମର

 

ତୋ ଆଗରେ ଆଣ୍ଠୁ ମାଡି ମୁଁ ବସିଛି

ଓ ତୋର ପାପୁଲିରେ ଅର୍ପି ଦେଉଛି ମୋର ପୃଥିବୀ

ତୁ ଯେମିତି ବଢେଇ ପାରୁ ତୋର ଶାବକମାନଙ୍କୁ

ସେମିତି ତୁ ଇ ବଞ୍ଚେଇ ରଖିବୁ ମୋର ପୃଥିବୀକୁ

ତୋର ଟଣା ଟଣା ଆଖିର ଲହଡି ଭାଙ୍ଗୁଥିବା ମମତା

ବଞ୍ଚାଇ ଦେବ ବସୁଧାକୁ

 

, ଜଗତ ଯାକର ପୀଡା ପୋଛିଦେବାକୁ ତୋର ସ୍ନେହରେ

, ପୋଡାଘାର ଜ୍ଵଳନକୁ ଲିଭେଇଦେବାକୁ ତୋର ପାପୁଲିରେ

, ତୋର ଆକାଶ ପରି ଛାତିରେ ଲୁଚେଇ ଦେବାକୁ ଆମର ଦୁଃଖ

, ତୋର ମାନିନୀ ମୁହଁରେ ବିମ୍ବିତ କରିବାକୁ

ସାରା ଜଗତର ଜୀବନ

 

ଭୟ ଓ ନୀରବତାର ଏ ବିବର୍ଣ୍ଣ ସମୟ

ତୁ କାଳର ଈଶ୍ଵରୀ

ତୋର କବିତାରେ ସଞ୍ଜୀବନୀର ସକାଳ ନେଇ

ମହାକାଇ ଦେ ଏ ପୃଥିବୀକୁ

ଏ ପୃଥିବୀରେ କେବଳ ତୋର ସ୍ଵାକ୍ଷର ରହୁ ଢେଉକା ପରି

 

ସବୁ ଦୁଃଖ ଓ ଯନ୍ତ୍ରଣା ଆମର

ସବୁ ଗାଳି ଓ ଗମାତ ଆମର

ସବୁ ମରଣ ମୁହଁରେ ଘାସ ପରିକା କେରାଏ ବୋଲି ଜୀବନ, ଆମର

 

ତୋର ପ୍ରେମ ଇ ଏକମାତ୍ର ଉପାୟ

ଏ ପୃଥିବୀକୁ ବଞ୍ଚାଇ ରଖିବାର ।  

.......