ସ୍କୁଲ ଗେଟ୍ ପୂର୍ବରୁ
ସ୍କୁଲର ଗେଟ୍ ଏଯାଏଁ
ସକାଳର କୁହୁଡ଼ିରେ ଅଧା ଅଦୃଶ୍ୟ,
କିନ୍ତୁ ବହିର ପୃଷ୍ଠାଗୁଡ଼ିକରେ
ଭୁଲ ବନାନର ବୁଲା ଗୋରୁମାନେ
ରାତିସାରା ଫସଲ ନଷ୍ଟକରିସାରିଛନ୍ତି,
ଶବ୍ଦମାନଂକ ମୁହଁରେ
କାଳି ନୁହେଁ,
ମିଛର କଳା ଧୂଆଁ,
‘କ’ ନିଜ ଛାଇକୁ ଚିହ୍ନିପାରୁନାହିଁ,
‘ଣ’ ନିଜର ଜନ୍ମପତ୍ରିକା ଖୋଜୁଛି,
ସ୍ୱରବର୍ଣ୍ଣମାନେ
ଅନାଥ ପକ୍ଷୀ ପରି
ନୀଡ ହରାଇ ବୁଲୁଛନ୍ତି,
ଶିଶୁଟି
ଏଯାଏଁ ଗେଟ୍ ଡେଇଁନାହିଁ,
କିନ୍ତୁ ତା’ ହାତରେ
ସତ୍ୟର ପ୍ରଦୀପ ନୁହେଁ,
ଭୁଲର ଅଙ୍ଗାର ଗୁଂଜି ଦିଆଯାଇଛି,
ସେ ଯେତେବେଳେ
ପ୍ରଥମ ଶବ୍ଦ ଲେଖିବ,
ଶବ୍ଦଟି
ଦର୍ପଣରେ ନିଜେ ନିଜକୁ ଚିହ୍ନିବନାହିଁ,
ସେ ଯେତେବେଳେ
ପ୍ରଥମ ସତ୍ୟ କହିବ,
ସତ୍ୟଟି ମଧ୍ୟ
ଭୁଲ ବନାନର ଜାମା ପିନ୍ଧି
ନିଜ ଠିକଣା ହରାଇବ,
ଆଜି ବହିରେ
ଶବ୍ଦର ମୃତ୍ୟୁ,
କାଲି ଭାଷାର ଶ୍ମଶାନ,
ଭାଷା
କେବଳ ଶବ୍ଦର ଘର ନୁହେଁ
ସେ ଏକ ନଦୀ,
ଉତ୍ପତ୍ତିସ୍ଥଳରୁ ବିଷ ମିଶିଗଲେ
ସମୁଦ୍ର ପର୍ଯ୍ୟନ୍ତ
ପାଣିର ଗୁଣ ବଦଳିଯାଏ,
ଭୁଲ ଶବ୍ଦମାନେ ମଧ୍ୟ
ଏବେ ଆଉ ଲଜ୍ଜିତ ନୁହଁନ୍ତି,
ସେମାନେ ବିଚ୍ ରାସ୍ତାରେ
ନିଜ ଛିଣ୍ଡା ବ୍ୟାଗ୍ ଛିଣ୍ଡା ଚପଲ ପିନ୍ଧି
ଦମ୍ଭରେ ଚାଲୁଛନ୍ତି ସ୍କୁଲ ଦିଗରେ,
ଅଭିଧାନଟି
ଏକ ବୃଦ୍ଧ ବରଗଛ
ଚଉକି ଉପରେ ବସିଛି କେବଳ,
ତା‘ ପତ୍ରମାନଙ୍କ ଭିତରେ
ସଠିକ୍ ଶବ୍ଦର ପକ୍ଷୀମାନେ
ଭୟରେ ପର ଜାକି ଲୁଚିଛନ୍ତି।
ମୋବାଇଲ ପରଦାରେ
ଶବ୍ଦମାନେ ଫାଷ୍ଟଫୁଡ୍
ପରି ବିକ୍ରି ହେଉଛନ୍ତି,
ସ୍ୱାଦ ଅଦ୍ଭୂତ
ପୋଷଣ ଶୂନ୍ୟ,
ଯଦି ଭାଷାର ମୁହଁରେ
ପ୍ରତିଦିନ କାଳି ବୋଳାଯାଏ
ଯଦି ଶବ୍ଦର ମେରୁଦଣ୍ଡକୁ
ଅବହେଳାର ହାତୁଡ଼ିରେ
ଭାଙ୍ଗି ଦିଆଯାଏ,
ତେବେ ଅଭିଧାନର ବଗିଚାରେ
ଫୁଲ ନୁହେଁ,
ଜନ୍ମ ନେବ କଣ୍ଟା,
ଭୁଲ ବନାନ
ସତ୍ୟର ଦରଜାର
ଠିକ୍ ଚାବି ନ ହେଉ,
ସମୟ
ଭୁଲ ରାସ୍ତାରେ ନ ଚାଲୁ,
କାରଣ ସମୟର ପାଦତଳେ
ଇତିହାସର ଧୂଳି ଲାଗିଥାଏ,
ଏବଂ ଏକମାତ୍ର ଭୁଲ ଶବ୍ଦ
କେବେ କେବେ
ଗୋଟିଏ ଯୁଗର ଅର୍ଥକୁ
ଖାଇଯାଏ କାଠପୋକ ପରି,
ହେ ମଣିଷ,
ତୁମେ
ପାହାଡ଼କୁ ନଦୀ କହିପାର,
ନଦୀକୁ ଆକାଶ ଲେଖିପାର,
କିନ୍ତୁ ଭାଷାର ମୁହଁକୁ
ଏମିତି ବିକୃତ କରନାହିଁ,
ଆସନ୍ତା ପିଢ଼ି
ନିଜ ମାଆଙ୍କ ନାମ ପଢ଼ିବା ବେଳେ
ଥଥମମ ନହେଉ।
ଦିନେ
‘ପ୍ରେମ’ ଶବ୍ଦଟି ନିଜ ଦେହରୁ
ଗୋଟିଏ ମାତ୍ରା ହରାଇଦେବ,
ଏବଂ ଏକ ଆହତ ହରିଣୀ ପରି
ଜଙ୍ଗଲ ଭିତରେ
ନିଜ ଉଚ୍ଚାରଣ ଖୋଜିବ,
ବିଦ୍ୟାଳୟର କଳାପଟାରେ
ଚକର ଧୂଳି ନୁହେଁ,
ମୃତ ବ୍ୟାକରଣର ଅସ୍ଥିଭସ୍ମ
ଉଡ଼ିବ,
ଶବ୍ଦମାନେ ରକ୍ତରେ ଭିଜା
ପୂର୍ବଜଙ୍କ ପାଦଚିହ୍ନ,
ସେମାନେ ଜାତିର ଆଇନାରେ
ଝଲସୁଥିବା ମୁହଁ,
ଭୁଲ ବନାନର ଭବିଷ୍ୟତ
ଭୁଲର ଉତ୍ସବ ନୁହେଁ,
ଯେତେବେଳେ ଶବ୍ଦର ଧର୍ମ
ବଜାରରେ ନିଲାମ ହୁଏ,
ଯେତେବେଳେ ଅର୍ଥର ରାଜସିଂହାସନରେ
ଅଜ୍ଞତା ନିଜ ପତାକା ପୋତେ,
ଯେତେବେଳେ ଭାଷାର ନଦୀ
ନିଜ ଉତ୍ସକୁ ଭୁଲିଯାଏ,
ସେତେବେଳେ
ଅଭିଧାନର ନିର୍ବାସିତ ପୃଷ୍ଠାରୁ
ବିଦ୍ରୋହୀ ଶବ୍ଦମାନେ ଓଲ୍ହାନ୍ତି
ରାଜରାସ୍ତାକୁ,
ସେମାନେ
ବ୍ୟାକରଣର ଶୁଖିଲା ଶିରା ଧମନୀରେ
ସଜ ରକ୍ତ ଭରନ୍ତି,
ମିଥ୍ୟା ବନାନର ଦୁର୍ଗ ଉପରେ
କଳା ଝଡ
ପରି ଚଢ଼ିଯାନ୍ତି,
ଏବଂ ଦିନେ
ସଠିକ୍ ଶବ୍ଦମାନେ
ମୁକ୍ତ ଲୋକଙ୍କ ପରି
ପୁଣି ଦଖଲ କରନ୍ତି
ନିଜ ହରାଇଥିବା ମାତୃଭୂମି।