ମାଘୁଆଣି ମେଘ

ମାଘୁଆଣି  ମେଘ

ଖରାଦିନିଆ ଅଝଟ ବର୍ଷାର  ବେଶୀ  ଉତ୍ପାତ  ଆଜିକାଲି  ମାର୍ଚ୍ଚ  ମାସରେ। ଅବଶ୍ୟ ଗ୍ରୀଷ୍ମ  ଆସି  ଯେତେବେଳେ  ବସନ୍ତକୁ  ସମ୍ପୂର୍ଣ୍ଣ  ରୂପେ  କବ୍ଜା  କରିସାରିଲେଣି, ସେଠି ଆଉ କିଛି ବି ନୂଆ ନୁହେଁ, ସବୁ  ଦେହସୁହା ହେଇଗଲାଣି । ନଈ, ପୋଖରୀ  ଆଉ  ଆମ  ଗାଁ  ପଥରକଟା  କୂଅ, ସବୁ ଫେବୃଆରୀରୁ  ଶୁଖିକି  ଠୋ’  ଠା’  ଫାଟିଲେଣି । ତେଣୁ  ଏ  ଦୁରଦୁରିଆ  ଦିପହରିଆ  ନିର୍ଘାତ  ବର୍ଷାର  ବି  ବିଶେଷ  ମହତ୍ତ୍ୱ  ରହିଛି ।  ରଜ  ଆସିବାକୁ ଅନେକ ଦୂର ବାଟ ଅଛି । ମଝିରେ ପୁଣି  ଏପ୍ରିଲ, ମେ ଆଉ ଜୁନ ମାସ । ମୌସୁମୀ ଆସିବ, କୂଳ ଛୁଇଁବ, ଦେହ ମନ ସବୁ ଛୁଇଁ ଓଦା କରିଯିବା, ସେ ସ୍ୱପ୍ନଟି ଏବେ ପାଇଁ ପେଡ଼ିରେ ବନ୍ଧା ହେଇକି ଅଛି ।

 ଖାଲି  ଯାହା  ଭରସା  ଏଇ  ମାଘୁଆଣି  ମେଘକୁ । ମାଘ ମେଲାଣି ନେଇସାରିଥିବ, ପଉଷ  ସରିଆସୁଥିବ,  ଫଗୁଣ  ଟହଲ  ମାରି  ଯାଉଥିବ । ଚୈତ୍ର ଗାଁ ଗୋହିରି ଠି’ ହେଇଥିବ । ରବିର  ତେଜ  ଟିକେ  ଟିକେ  ବଢ଼ୁଥିବ । ଆଈ ମୋର କହେ, ଠିକ  ସେଇ  ସମୟକୁ,  ଏଇ  ମାଘୁଆଣି  ମେଘ  ଆଗକାଳରେ  କାଳେ  ସାତ  ଦିନ  ସାତ  ରାତି  ଅନ୍ଧାର  କରି  ରଖୁଥିଲା । ଶୀତ  ଦିନେ ଧାନ  କଟା  ପରେ  ଯୋଉ ରବି  ଫସଲ  ବିଲ  କିଆରୀରେ  ଚାଷ  ହୁଏ, ଖାସ କରି ଏଇ ବିରି, ମୁଗ ସବୁ, ଏ  ମାଘୁଆଣି  ମେଘ  କାଳେ  ତାକୁ  ସବୁ ଜିଅନ୍ତା  ରଖେ । ମୌସୁମୀ  ଆସିବା  ଆଗରୁ  ଏଇ  ମାଘୁଆଣି  ପ୍ରଜାକୂଳକୁ  ଘଣ୍ଟ  ଘୋଡେଇ  ରଖେ । ଥାଏ  ଥାଏ , ମଝି  ମଝିରେ ବରଷି ଯାଏ  । ଲୋକେ  ହାଏ  କରନ୍ତି । ହେଲେ  ଏବେ  ତାର  ରଙ୍ଗ  ରୂପ  ସବୁ  ବଦଳିଗଲାଣି । ଦିନେ  ଅଧେ  ଆସୁଛି , ଦୁର-ଦୁର  କରି  ବର୍ଷି  ଯାଉଛି । ପୁଣି  ଯୋଉ  ଖରା  କୁ  ସେଇ  ଖରା । ତୁଚ୍ଛା ଫସଲ ଯାକ ବିରି ମୁଗ ସବୁ ଗଜା ମାରିଯାଉଛି, ନା ଖାଇ ହେବ ନା ବିକିଲେ ଦି ପଇସା ମିଳିବ । ମେହନତ ସବୁ ସେଇ ପାଣି ସୁଅରେ ପତର ।

 ଆଜିକାଲି ପତ୍ରଝଡ଼ା ସମୟ । ସବୁ ବଡ ବଡ ଗଛରୁ ପତ୍ର ଝଡି ଚାରିଆଡେ ଗଦା ହେଇଛି । ଆମ୍ବ, ପଣସ କଥା ଅଲଗା ।  ତାଙ୍କର ଏଇନେ ପୁରିଲା ପୁରିଲା ଦିହ, ପତର ଫଳ ସବୁ ବୋଝେଇ ହେଇଛି । ଜାମୁ କୋଳି, ଶାଳ ଆଦି ଗଛରେ ନୂଆ ନୂଆ କଅଁଳ ପତ୍ର । ଶାଳ ଫୁଲରେ ଜଙ୍ଗଲ ସାରା ମହକି ଉଠୁଛି । ଥୁଣ୍ଟା ମହୁଲ ଗଛ  ଗୁଡ଼ାକରେ ମହୁଲ ସବୁ ପାକଳ ହେବାକୁ ତଥାପି ଅପେକ୍ଷାରେ ଅଛନ୍ତି । ଧୁ ଧୁ ଖରାକୁ ସବୁଆଡେ କୁଢ଼ କୁଢ଼ ଶୁଖିଲା  ପତ୍ର । ଖଣ୍ଡେ ଅଂଗାରରେ ପୁରା ଜଙ୍ଗଲ ଜଳି ଯାଉଛି । ନିଅଁ ସାଙ୍ଗକୁ ପ୍ରଚୁର ବାଆ । ସେଥିକୁ ଖାଲି ଯାହା ଦଇବ ସାହା  ।

ହେଇ  ସେଦିନ  ଦେଖିଲନି  ସେ  ଯେଉଁ  ବନରକ୍ଷୀ  ସିମିଳିପାଳରୁ  ଭିଡିଓ ବନେଇ ସବୁ  ସାମାଜିକ   ଗଣମାଧ୍ୟମରେ  ଗଦଗଦ  ହେଇ  ଖୁସି  ଗୁଡା  ଅଜାଡି  ପକେଇଥିଲା  । ହଁ  ମଁ , ଅଦିନିଆ  ବର୍ଷାଟେ   ହେଲାଯେ , ଶିମିଳିପାଳ  ଜଙ୍ଗଲ  ତ  ଭିଜିଲା  ଯେ  ଭିଜିଲା , ସେ  ବନରକ୍ଷୀ  ପୁରା ବର୍ଷାରେ  ଭିଜି  ଭିଜି  ଖୁସିରେ  ଆତ୍ମହରା  ହେଇଗଲା । କମ  କଷ୍ଟ କି  ଦିନ  ରାତି  ଜଙ୍ଗଲ  ସାରା  ବୁଲି  ନିଆଁ  ପଛରେ  ଗୋଡ଼େଇବା, ତାକୁ  ଧରିବା  ଆଉ  ଆଇତି କରିବା । ତା  ଉପରେ  ପୁଣି  ତୁମେ  ଏଠି  ଲିଭେଇଲା  ବେଳକୁ  ପବନ  ସାଙ୍ଗେ  ସାଙ୍ଗ  ହୋଇ  ଝୁଲ  ଖଣ୍ଡେ  ଆଉ  ଠା  ରେ  ତା  ଉତ୍ପାତ  ଆରମ୍ଭ  କରି ଦେଇଥିବ  ଖଣ୍ଡେ  ବାଟରେ  । ହାଁ  ହାଁ  କହୁ  କହୁ  ମାଡି  ଯାଉଥିବ  ହେଁ  ଦୂର  ବାଟ  ଯାଏଁ  ନିଆଁ । ଉହୁଁ , ଛୁଟିଫୁଟି  କିଛି  ନାହିଁ, ଜଙ୍ଗଲରେ  ନିଆଁ  ନ  ଲିଭିଲା  ଯାଏଁ  ଖାଇବା  ଶୋଇବା  କିଛି  ନାହିଁ । ଉପରୁ  ଅର୍ଡର  ଅଛି । ନିଅଁ  ଆୟତ୍ତ  ନ  ହେଲା  ଯାଏଁ  ଥୟ  ନାହିଁ । ଏ କଣ ଏମିତି ସେମିତି ନିଆଁ କି, ଏ ପରା ବିଧାନସଭା ହୁଲସ୍ତୁଲ କରୁଥିବା ନିଆଁ !

 ଏମିତିରେ  ସନ୍ତୁଳି  ହେଲା  ବେଳକୁ  ଆକାଶରୁ  ଘୋ-ଘୋ  ପାଣି  ଝରିଗଲାନି  ଯେ  ଆମ  ବନରକ୍ଷୀ   ଭାଇ  ଆଖିରୁ  ଖୁସିର ଝରଣାଟେ   ବହିଗଲା । ଆହା, ଏଥର  ଆପେ  ଲିଭିଯିବ  ନିଆଁ । ବଞ୍ଚିଯିବେ  ଗଛଲତା , ବଞ୍ଚିଯିବେ  ଗଛଲତାରେ  ଘର  କରିଥିବା  ଆଶ୍ରିତ  ମାନେ। ଆଉ  ଧାଇଁବାକୁ  ପଡ଼ିବନି  ନିଆଁ  ପଛରେ  ଦିନରାତି । ବଡ  ହାକିମ  ହୁଏତ  ଛୁଟି ବି  ମଂଜୁର  କରିଦେବେ  ଦିନାକେତେ । ଘରଣୀର  ଆଖିର  ଅତଳ  ଗହୀରରେ  ବୁଡ଼ିଯିବାକୁ  ମିଳିଯିବ  ଆଉ  ଗୋଟେ  ମଉକା । କୂଅ, ଗଡିଆ ଭରିଯିବ ପାଣିରେ । ଆଗକୁ  ପୁରା  ଦମରେ  ଖରାଦିନ  ଆସୁଛି , ଜଳକଷ୍ଟ  ଟିକେ  କମିଯିବ । ଲୋକେ  ପାଣି  ଢୋକେ  ପିଇ  ଥକା  ମାରିବେ ।

 ଅକ୍ଷିତୃତୀୟାକୁ ମେଘର ଦେଖା  ନ  ଥାଏ  ହେଲେ  ଏ  ପାଣିପାଗ  କି  ରଙ୍ଗ  ବଦଳାଉଛି  କେଜାଣି  ହୋଲି  ପର କୁ ପର ଦିନେ ଛଡା ଦିନେ ନାଦି  ଯାଉଛି । ଗାଁ  ଦାଣ୍ଡକୁ ମେଲା  ପିଣ୍ଡାରେ  ବସି  ଗପୁଥିଲେ  ସନିଆ  ଆଉ  ସୁକୁରା ।  ଦିହେଁ  ଯାକ  ଆଉ  କାହା  ବିଲ  ଧରିଛନ୍ତି  ଏ  ସନ  ଚାଷ  କରିବାକୁ । ଭାଗ  ଛିଡ଼ିଛି   ୫୦  ୫୦  ରେ । ହେଲେ  ଅମଳ  କାଇଁ  ଯେ  ୫୦  ଦେବେ? ଦେଲେ  ପୁଣି  ଖାଇ  ପିଇ  ବରଷ ଯାକ   ଛୁଆପିଲା  ଘେନି  ଚଳିବେ  କେମନ୍ତ ? ସେଥିରେ  ପୁଣି  ମିଲ ମାଲିକର   ଦାଉ!  ବସ୍ତାକୁ  ୨୫ ସିଏ  କାଟିବ । ସରକାର  ୧୮୦୦  ଦେଲେ  ସିଏ  ୧୨୦୦ରେ  ନବ । ଖରାଟିଆ  ପନିପରିବା  ବି  ସବୁ  ଗଲା । ହୁଳ  ପଡିଲା  ଯେ,  ଜାଣିବୁ  କିଏ  ଗୋଟେ  ଧାରୁଆ  ଷ୍ଟିଲ  ଗିଲାସ  ନେଇ  ପତ୍ରକୋବିଗୁଡାକୁ   ବିଲରେ  କୁଟି  କୁଟି  ଛେତରା  କରିଦେଇଛି । ତାକୁ  ଆଉ  କିଣିବ  କିଏ  ନା  ଖାଇବ  କିଏ । ଏ  ଅଦିନିଆ  ମେଘ  ବଞ୍ଚି  ଥାଉ  ଥାଉ  ମାରିଦେବ  ଯାହା  ଜଣା  ପଡୁଛି ।

 ଏଣେ  ସହରତଳି  ବସ୍ତିରେ  (ସେଇଟା  ଗାଁରେ  ଯାଏନି  କି  ସହରରେ  ଗଣା  ହୁଏନି) ଥିବା  ଆଇସକ୍ରିମ  ବାଲାର  ବେପାରଟା   ଜମି  ଆସିଲାବେଳକୁ  ଏଇ  ନିଆଁଲଗା  ମେଘ  ଦାଉ  ସାଧୁଛି । କଳାହାଣ୍ଡିଆ ମେଘକୁ  ଦେଖି  ମୁହଁ  ମୋଡ଼ି  ଦେଲା ତା  ଘରଣୀ । ଏଥର  ପୁଣି  ବେପାର ମାନ୍ଦା । ଏମିତି  ଦି  ଚାରିଦିନ  ମେଘ ହେଲେ, ବରଫ ଫେକଟେରୀ  ବନ୍ଦ  ହେଇଯିବ  । ଦିନ ସାରା ସେ ଗାଁ ଠୁ ସହର ସବୁ ଗଳିକନ୍ଦି   ବୁଲେ । ଘର  ଦୁଆରେ , ଇସ୍କୁଲ  ଗେଟ  ବାହାରେ,  ଠିକ  ସେଇଠି  ଯୋଉଠି  ଛୋଟ  ପିଲାମାନଙ୍କର  ବେଶୀ ଯିବା ଆସିବା , ସେଇଠି ତା ବେପାରଟି  ଜମେ । ଖାସକରି  ଯେତେବେଳେ  ବାପା-ମା ଆଖପାଖରେ  ଥାନ୍ତି, ଆଇସକ୍ରିମବାଲାର  ଘଣ୍ଟିଟା  ବେଶୀ  ଜୋରରେ  ବାଜେ । ପିଲା  ବେଶୀ  ଜିଦ  କଲେ  ମାଡ଼ ଗୋଟେ   ଖାଇବ  ନ  ହେଲେ  ଗଳି ଦି ପଦ  ଶୁଣିବ  ନ  ହେଲେ  ଆଇସକ୍ରିମ  ଖାଇବ । ଆଇସକ୍ରିମ  ଖାଇବାର ଆଶାଟା ବେଶୀ । ଛୋଟ  ପିଲାଙ୍କ  ପାଇଁ  ବାପା-ମା  ବି  ଆଇସକ୍ରିମ  ଭଳି  ତରଳି  ଯାଆନ୍ତି । ଆଉ  କିଛି  ଟାଣୁଆ  ଥାନ୍ତି, ସହଜରେ  ପାକେଟ  ଖାଲି  କରନ୍ତିନି । ତାଙ୍କ  ପାଇଁ  ଘଣ୍ଟି   ଟିକେ  ବେଶୀ  ବଜେଇବାକୁ  ପଡେ । ହେଲେ  ଖରା  ଯେତେ  ଯେତେ  ବଢେ  ବେପାର  ସେତେ  ସେତେ  ଜମେ । ଚିକିମିକିଆ  ନୋଟ  ଦେଖିଲେ  ଚକ  ଚକ  ଟାଣୁଆ  ଖରାଧାସ  ଦେହରେ  ବାଜେନି   କି  ମନରେ  ବି  ବାଜେନି । ଗରମରେ ଯେତେ  ହଟହଟା  ହେଲେବି  ଆଇସକ୍ରିମ  ଗୋଟେ  ନିଜେ  ଖାଇଦେବାକୁ  ହାତ  ଯାଏନି । ସେଇ  ବୋତଲ  ପାଣି  ଥଣ୍ଡା  ଥାଉ  କି  ଗରମ , ସେଇଥିରେ  ଦିନ  ଯାକର  ବୁଲାବୁଲି  ସରିଯାଏ । ଗାଁ  ସାରା  ପଛେ  ହାହାକାର ପଡିଥାଉ , ତା  ଘରଣୀ  କିନ୍ତୁ  ନିଈତି ଅମେଘୁଆ  ପାଗ  ପାଇଁ  ମାନସିକ  କରେ , ଖରା  ଟିକେ  ବଢେଇବା  ପାଇଁ  କେତେ  ଦିଅଁ  ଦେବତା  ସୁମରଣା  କରୁଥାଏ । ହେଲେ  ଏ  ମେଘ  ମାଡି ଆସିଲେ , ସବୁ  ସରେ । ଆପେ  ଆପେ  ଚୁଲିରେ  ପାଣି  ପଶିଯାଏ।

 ସହରିଆ  ଜୀବନ  ଆଉ  ପ୍ରକାରେ । ଦିନି  ରାସ୍ତା  ଖୋଳା  ହୁଏ , ଦିନି  ରାସ୍ତା  ପୋତା  ହୁଏ । ଦିନି  ପାଣି ଜମୁଥାଏ , ଦିନି  ପାଣି  କଢ଼ାହୁଏ । ଏମିତି  ଖୋଲିବା  ଭରିବା  ଭିତରେ  ଜୀବନ  ଚାଲୁଥାଏ । ଦି  ପହରିଆ  ଅଦିନିଆ  ମେଘ  ପରସ୍ତେ   ମାଡି  ଆସିଲେ  ପାଖ  ଡେସ୍କର  ମିଶ୍ରବାବୁ  ଡାକ  ଛାଡ଼ନ୍ତି  ରାମୁକୁ, “ଆରେ  ରାମୁ  ଗଲୁ  ଦିଟା  ଗରମ ଗରମ  ଚା  ଆଉ  ପକୁଡି  ଟିକେ  ନେଇ  ଆସିବୁ । ଏ  ପାଗରେ  ଗରମ  ଗରମ  ଚା-ପକୁଡି  ଖୁବ  ଜମିବ । ନା  କଣ  କହୁଛନ୍ତି  ସିପ୍ରା  ମାଡାମ ?”। ଆଉ  ସିପ୍ରା  ଭାବୁଥାଏ  ଏଇଟା  ପୁଅର  ସ୍କୁଲରୁ  ଫେରିବା  ବେଳ । ସାଇକେଲ  ନେଇକି  ଯାଇଛି , ଛତା  ନାହିଁ  କି  ରେନକୋଟ   ନାହିଁ । ଫେରିଲା  ବେଳକୁ  ଓଦା  ହେଲେ  ଦେହ  ଖରାପ  ହେବ । ଦେହ ଖରାପ ହେଲେ ପୁଣି ପିଲାଟା ଯାହା କଷ୍ଟ ପାଇବ ତ ପାଇବ, ସେ ନିଜେ ମଧ୍ୟ ମାର୍ଚ୍ଚ ମାସ କାମ ଭିତରେ ହିନସ୍ତା ହେବ ।  ଆଉ  ଯଦି  ସ୍କୁଲ  ଡ୍ରେସ ଟା  କାଦୁଅ କରି ଆସିଥିବ ତ  କଥା  ସରିଲା , ଯାଉ  ଯାଉ  ତାକୁ  ପୁଣି  ଧୁଆଧୋଇ  କରି  ଶୁଖାଇବାକୁ  ପଡିବ । କାମ  ବଢ଼ିବ  ସିନା  ଛିଡ଼ିବ  ନାହିଁ । ବାଡ଼ି  ପଟେ  ତାରରେ  ଲୁଗା  ଶୁଖା  ହେଇଛି । ପଡିଶା ଘର ଆମ୍ବ ଗଛଟା ତା ବାଡ଼ି ପଟକୁ ଆଉଜି ଠିଆ ହେଇଛି । ସେଇ ଗଛରୁ  ଖସି  ପଡିଥିଲା  କଞ୍ଚା  ଆମ୍ବ  କେତେଟା । ସେ  ତାକୁ  ଯତ୍ନ  କରି  ଧୋଇଧାଇ   ସରୁ  ସରୁ  କାଟି  ଆମ୍ବୁଲ  କରିବ  ବୋଲି  କୁଲାରେ  ଶୁଖେଇ  ଦେଇ  ଆସିଛି । ଏଠି  ସହରରେ  ଟଙ୍କା  ଥିଲେ  ସବୁ  ମିଳେ  ହେଲେ  ନିଜ  ବାରି  ପନିପରିବାର  ମହକ  ଅଲଗା । ସେଇଥିପାଇଁ  ଟିକେ  ଲୋଭ  ଯାହା ।

 ସିପ୍ରା  ବ୍ୟସ୍ତ  ହୁଏ , ଘରେ  ତ  କେହି  ନାହିଁ  ଏ ଅବେଳଟାରେ  ତୋଳିକି  ରଖିବା  ପାଇଁ । ଯାଃ , ସେଗୁଡା   ପୁଣି  ଓଦା  ହେବ , ପୁଣି  ତାକୁ  ଶୁଖାଇବା  ଆଉ  ଗୋଟେ  ଝମେଲା । ହେଲେ  ସିପ୍ରା  ଭଲପାଏ  ବର୍ଷାକୁ , ବର୍ଷାର ଶୀତଳତାକୁ , ବର୍ଷାର  ଉଷ୍ଣତାକୁ , ବର୍ଷାର  ସ୍ପର୍ଶକୁ , ବର୍ଷାର  ଅସ୍ମିତାକୁ , ବର୍ଷାର  ରିମଝିମ  ଶବ୍ଦକୁ  ଆଉ  ବର୍ଷାର  ମିଠା  ମିଠା  ବାସ୍ନାକୁ  । ସେ  ଅଦିନିଆଁ  ହେଉ  କି  ସବୁଦିନିଆ,  ସିପ୍ରା  କିନ୍ତୁ  ସବୁବେଳେ  ଉବୁଟୁବୁ  ହୁଏ  ବର୍ଷାର  ପ୍ରେମରେ । ଆଗ  ଭଳି  ଆଉ  ଧାଇଁ  ଯାଏନା  ଓଦା  ହେବାକୁ  (ଆଉ  ତା  ଦେହରେ  ଯାଉନି ମେଘପାଣି, ବେମାର  ପଡିଯାଉଛି) ହେଲେ  ଚୁପଚାପ  ନିଜ  ଚୌକିରୁ  ଉଠି  ସେ  ଝର୍କା  ପାଖେ  ଠିଆ  ହୁଏ  ଆଉ  ଝର  ଝର  ଝରୁଥିବା  ବର୍ଷା  ସାଙ୍ଗେ  ସେ  ବି  ଝରିଯାଏ । ଅନେକ  ଗୁଡିଏ  ଦୀର୍ଘନିଶ୍ବାସ  ଏକା  ସାଙ୍ଗରେ  ପବନରେ  ମିଳେଇ  ଯାଏ । ମାଘୁଆଣି ମେଘ କିଛି ବେଳ ମିତ  ବସେ, ପୁଣି ମେଲାଣି ମାଗେ ।