କମଳାକାନ୍ତ ମହାପାତ୍ରଙ୍କ ‘ଜନମରୁ ମରଣ’ ପଢ଼ିବାର ତିନୋଟି ଉପାୟ
କମଳା ଭାଇଙ୍କ କଥା, ଆପଣ କେବେ ଶୁଣିବା କଥା ନୁହେଁ । ଶୁଣିବେ ମାନେ ଫସିବେ । ଫସିବେ ବୋଇଲେ ଭଲ କରି ଫସିବେ । ଧରନ୍ତୁ ଆପଣଙ୍କର ଗୋଟିଏ ନୂଆ ଛପା କବିତାରେ କିରାସିନି ଷ୍ଟୋଭ୍ର କିଛି ବର୍ଣ୍ଣନା ଅଛି । ତାହାକୁ ଦେଖି ସେ କହିବେ, ‘ତମେ ଓଡ଼ିଶାର ଜନଜୀବନରେ କାଠଚୁଲିରୁ କିରାସିନି ଷ୍ଟୋଭ୍ର ପରିବର୍ତ୍ତନର ସମାଜତନ୍ତ୍ର ଉପରେ ବହିଟିଏ ଲେଖ ।’ କହି ସାରି ସେ ବିଷୟକ ମାଲମତା କିଛି ମଧ୍ୟ ଆପଣଙ୍କୁ ଯୋଗାଇଦେବେ । ଆଉ ଆପଣ ଗ୍ରନ୍ଥଟିକୁ ଲେଖନ୍ତୁ ବା ନ ଲେଖନ୍ତୁ, ଲେଖିବାର ଛଳନା ଅତ୍ୟନ୍ତ କରିବେ, ଆଉ ହିନସ୍ତା ହେବେ ।
ତାଙ୍କର ମୁଣ୍ଡଟି ଗୋଟିଏ ମଣିଷର ମୁଣ୍ଡ ନୁହେଁ - ତାହା ଏକ ରାକ୍ଷସର । ଏଣୁ ସେ ଭାବନ୍ତି ସମସ୍ତଙ୍କର ତାଙ୍କ ଭଳି ଉଦ୍ୟମ କରିବାର ବଳବୟସ ଅଛି । ଓଡ଼ିଆ ଭାଷାରେ ତାଙ୍କର ନିଜସ୍ୱ ଲେଖାଲେଖି ଓ ଅନୁବାଦ ପୁସ୍ତକ ଛଡ଼ା, ଇଂରାଜୀରେ ତାଙ୍କର ଏକତିରିଶଟି ବହି । ସେଥିରୁ ପଚିଶଟି ବହି ଓଡ଼ିଆରୁ ଇଂରାଜୀକୁ ଅନୁବାଦ; ଗୋଟିଏ ହେଲା କବି ଫୈଜ ଅହମଦ ଫୈଜଙ୍କର କବିତାର ଇଂରାଜୀକୁ ଅନୁବାଦ; ବାକି ପାଞ୍ଚଟିରୁ ଦୁଇଟି ଆୟକର ବିଭାଗ ଉପରେ ଇଂରାଜୀ ବହି; ଆଉ ଶେଷ ତିନୋଟି ହେଲା ଇଂରାଜୀ ଭାଷାରେ ଲିଖିତ କ୍ଷୁଦ୍ର କବିତାର ସଙ୍କଳନମାନ ।
ଓଡ଼ିଆ ଭାଷାରେ ତାଙ୍କର ଗଳ୍ପକଥନର ଚିହ୍ନରା ଗରାଖ ଅଛନ୍ତି । ବର୍ଷଣମୂଖର ସନ୍ଧ୍ୟାରେ ମଧ୍ୟ ତାଙ୍କୁ ନିଜ ଗପ ପଢ଼ିବାକୁ ଶୁଣିବାକୁ ଶହେ ଖଣ୍ଡେ ଲୋକ, ବିନା ରାତ୍ରଭୋଜନର ପ୍ରଲୋଭନରେ, ଏହି ଘୋର କଳିଯୁଗରେ, ଭୁବନେଶ୍ୱରରେ ଏକାଠି ହୋଇ ଯାଆନ୍ତି । ତାହା ପୁଣି ଭାରତୀୟ ରାଜସ୍ୱ ସେବାରୁ ଅବସର ନେବାର ପାଞ୍ଚ ବର୍ଷ ପରେ, ଚାକିରିରେ ଥିବା ସମୟରେ ନୁହେଁ ।
ମୋର କମଳା ଭାଇଙ୍କୁ ଜାଣିବାର ଦଶ ବରଷ ହେଲାଣି । ତାଙ୍କୁ ପ୍ରଥମେ ବୋଧେ ଭେଟିଥିଲି ୨୦୦୮ ମସିହାରେ, ସେ ଭୁବନେଶ୍ୱରରେ କାମ କରୁଥିବା ବେଳେ । ମୁଁ ସେତେବେଳେ ବାଙ୍ଗାଲୋରର ଗୋଟିଏ ଅନାମଧ୍ୟେୟ ପ୍ରତିଷ୍ଠାନରେ ଛାତ୍ର । ମୋତେ ବୟସ ୨୭ । ତାଙ୍କୁ ବୟସ ୫୬ । ଦେଖା ହୋଇଥିଲା ମୋର ଗୋଟିଏ ଅନୁବାଦ ବହି, ସେ ସମ୍ପୃକ୍ତ ଥିବା ପ୍ରକାଶନ ସଂସ୍ଥା ଗ୍ରାସରୁଟ୍ସ୍ ଛାପିବା ବିଷୟକୁ ନେଇ ।
ସେ ବହିଟିର ଅନୁବାଦ ଏ ପର୍ଯ୍ୟନ୍ତ ଏ ଅଧମ ଶେଷ କରି ପାରିଲା ନାହିଁ । ହେଲେ ଆମର ଆଳାପରେ ବୟସର ବ୍ୟବଧାନ ନ ଥିଲା, ନ ଥିଲା ମଧ୍ୟ କ୍ଷମତାର ଅପହଞ୍ଚ ଦୂରତାର କିଛି ବି ପରିଚିତି । ଆଲୋଚନାଟି ଥିଲା ଜଣେ ଅନୁବାଦକର ଆଉ ଜଣେ ଅନୁବାଦକ ସହ । ସମ୍ପର୍କଟିଏର ମଞ୍ଜି ବୁଣିବା ପାଇଁ ସେଇ ଅଧ ଘଣ୍ଟାକର ପରିଚିତି ଯଥେଷ୍ଟ ଥିଲା ।
ଅବଶ୍ୟ ବେଳେ ବେଳେ ଭାବିଲେ ଡର ଲାଗେ ଯେ, ଏହା ଭିତରେ ତାଙ୍କ ସହିତ ସମ୍ପର୍କଟି ପାକଳ ହେଇଚି ସିନା (ଅନ୍ତତଃ ମୋ ଆଡ଼ୁ, ମୋ ମୁଣ୍ଡ ଭିତରେ - ପ୍ରକୃତରେ ବାହାରେ ତାହାର ଯାହା ସ୍ଥିତି ଥାଉ ନା କାହିଁକି !), ହେଲେ ଦଶ ବର୍ଷ ବି ବିତି ଯାଇଛି । ତାଙ୍କୁ ପ୍ରଥମେ ଭେଟିଲା ବେଳେ ମୁଁ ଥିଲି ସତେଇଶ ବର୍ଷର ଟୋକା । ଏବେ, ଚାଳିଶ ବର୍ଷର ଦରବୁଢ଼ା, ମଧ୍ୟବୟସ୍କ ପୁରୁଷଟିଏ । ତାଙ୍କୁ ଭେଟିବା ପୂର୍ବରୁ ମୁଁ ତାଙ୍କୁ ଜାଣିଥିଲି ‘ଚୋର’ ଗଳ୍ପ ସଙ୍କଳନ ଆଉ ‘ଫଟୋ’ ଉପନ୍ୟାସିକାର ଲେଖକ ଭାବେ । ଏପରି ଜଣେ କଥାକାର ରୂପରେ, ଯିଏ ଲୋକମୁଖର ଭାଷାକୁ ତୋଳି ଆଣି ମନ ଭୁଲେଇଲା ଛଇରେ କଥନିକାର ପ୍ରାସାଦ ତିଆରନ୍ତି, ଆପଣଙ୍କ ଅଜାଣତରେ ।
ତାଙ୍କ କଳା, ତିଆରିଲା ଭଳି ଲାଗେନି । ତାଙ୍କ କଥାଜଗତର ଇମାରତର ଇଟାଗୁଡ଼ିକର ଯୋଡ଼େଇ ଆଦୌ ଦୁସେନି । ଅନେକ ଲୋକଙ୍କୁ ଏ ପରି କଥାଶିଳ୍ପ ନିର୍ମାଣ ଭଲ ଲାଗେ । ହେଲେ ମୋ ପାଇଁ ତାଙ୍କର ଏଇଟି ଗୋଟିଏ ଖୋଇ । କାରଣ ମୋ’ର ବ୍ୟକ୍ତିଗତ ୠଚି ହେଲା ନାଇପଲ କିମ୍ବା ଡେଭିଡ଼ ମିଚେଲଙ୍କ ପରି କଥକମାନଙ୍କର କାମ ପ୍ରତି, ଯେଉଁଠି କଥା-ଇମାରତର ଯୋଡ଼େଇ ଦୁଶିଲେ ବି, ମଣିଷ ଟାଣି ହୋଇଯାଏ ଆଗକୁ ଆଗକୁ, ପୃଷ୍ଠା ପରେ ପୃଷ୍ଠା । ଯେମିତି ବ୍ରିଟିଶ ମୂଳର ଭାରତୀୟ ସ୍ଥପତି ଲରି ବେକରଙ୍କର କୋଠାଗୁଡ଼ିକ, ଯାହା କେବଳ ପ୍ରାକୃତିକ ଦୁଶେ, ତାହା ନୁହେଁ; ବରଞ୍ଚ ଯଥାସମ୍ଭବ ଏକ ପ୍ରକୃତିସମ୍ମତ ଉପାୟରେ ତିଆରି ମଧ୍ୟ ହୋଇ ଥାଏ ।
କିନ୍ତୁ ତାଙ୍କର ସଦ୍ୟ ପ୍ରକାଶିତ ଅତ୍ମଜୀବନୀ ‘ଜନମରୁ ମରଣ’ର ଗଢ଼ଣ ମୋଟେ ତାଙ୍କର କଥାଶିଳ୍ପ ପରି ନୁହେଁ । ଉପରଠାଉରିଆ ଭାବରେ ପଢ଼ିଲେ କହିବାର ଛଟା (ଉର୍ଦ୍ଦୁ ଶାୟରିରେ ଯାହାକୁ ‘ଅନ୍ଦାଜେ-ବୟାଁ’ କହନ୍ତି) ଅନେକ ଲୋକଙ୍କୁ ତାଙ୍କ ଗପ ସହ ସମାନ ବୋଲି ଲାଗି ପାରେ । ହେଲେ ଗଢ଼ଣର ଢାଞ୍ଚାଟି ପୂରା ଅଲଗା । ଏଣୁ ମୋ’ ଭଳି ଜଣେ ପାଠକ ପାଇଁ, ତାଙ୍କ କଥାସାହିତ୍ୟ ଅପେକ୍ଷା, ତାଙ୍କ ଏଇ ଆତ୍ମଜୀବନୀଟି ଅଧିକ ଆକର୍ଷଣୀୟ । ତେଣୁ ପାଠକେ, ଯଦିଓ ଆପଣ କମଳାବାବୁଙ୍କର ଲେଖାଲେଖିର ଜଣେ ପୁରୁଣା, ଚିହ୍ନରା ଗ୍ରାହକ ହୋଇ ଥାଇ ପାରନ୍ତି, ତଥାପି, ଏଠାରେ ଆପଣଙ୍କୁ କିଛି ନୁସ୍ଖା ବତାଇବାର ଧୃଷ୍ଟତା କରୁଛି ।
‘ଜନମରୁ ମରଣ’କୁ ପଢ଼ିବାର ତିନୋଟି ଉପାୟ
ପ୍ରଥମ, ବହିଟିରୁ କିଛି ଗୁଢ଼ ଅର୍ଥ ବାହାର କରିବାର ଅଯଥା ଉତ୍ପାତ କରିବେ ନାହିଁ । ବହିଟିକୁ ‘ଉପରେ ଉପରେ’ ହିଁ ପଢ଼ିବାକୁ ଚେଷ୍ଟା କରନ୍ତୁ । ସେଇଥିରୁ ହିଁ ବହୁତ କିଛି ମିଳିଯିବ ।
ଦ୍ୱିତୀୟ, ଭୁବନେଶ୍ୱରସ୍ଥ ‘ଧଉଳି ବୁକ୍ସ’ ବହିଟିକୁ ୩୭୯ ପୃଷ୍ଠାରେ ଛାପିଛନ୍ତି । ଅକ୍ଷରର ଆକାର ଅପେକ୍ଷାକୃତ ଭାବରେ ଛୋଟ । ଅର୍ଥାତ୍, ପୁସ୍ତକଟି ପୃଥୁଳକାୟ । ହେଲେ ମାତ୍ର, ଏହାକୁ ଅତି କମରେ ଦୁଇ ଥର ପଢ଼ନ୍ତୁ । ଏ ଅଧମ ତ ଏବେ ଏହାକୁ ତୃତୀୟ ଥର ନିମନ୍ତେ ପଢ଼ୁଛି । ମୁଁ ବହିଟିକୁ ଯେବେ ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡର ନାରାୟଣୀ ବହି ଦୋକାନରେ ଦେଖିଲି, ନ କିଣି ରହି ପାରିଲି ନାହିଁ । ଭାଗ୍ୟ ଭଲ, କୌଣସି କାରଣ ଯୋଗୁଁ ପକେଟରେ ଟଙ୍କା ପାଞ୍ଚଛଅ ଶହ ଥିଲା । ନ ହେଲେ ଏ “ଆ’ବେ ସିଲୁ 'ଯା’ବେ ସିଲୁ” ପକେଟରେ ଟଙ୍କା ଶହେ ଥିଲେ, ନିଜକୁ “ବାବୁ ଶୈଳେନ୍ଦ୍ରରାମ” ବୋଲି ମନେ କରେ ।
ସାଙ୍ଗେସାଙ୍ଗେ ଛଅଶହ ପଚାଶ ଟଙ୍କାର ବହିଟିକୁ ରିହାତି ପରେ ପାଞ୍ଚ ଶହ କୋଡ଼ିଏ ଟଙ୍କା ଦେଇ ଧରିଲି । ଘରେ ରାତି ଖାଇବା ସହ ପଢ଼ା ଆରମ୍ଭ କରି ଅନିଦ୍ରା ହୋଇ ପଢ଼ିଲି ସକାଳ ପାଞ୍ଚ ଯାଏ । ସିନ୍ଦୁରା ଫାଟିଲାରୁ ଯାଇ ଶୋଇଲି । ତା’ ପରେ ଏଗାରଟାରେ ଉଠି, ଦିନର କାମ ଖଇଚା କରି, ରାତି ଖାଇବା ପର୍ଯ୍ୟନ୍ତ ପଢ଼ି ବହିଟିକୁ ସାରିଲି । ପ୍ରଥମ ଥର ପଢ଼ି ସାରି, ଆଉ ଥରେ ପଢ଼ିଲି ସମୀକ୍ଷାଟିଏ ଲେଖିବା ପାଇଁ । ଏବେ ତୃତୀୟ ଥର ପଢ଼ୁଛି..
ଛାଡ଼ନ୍ତୁ, ଏ ଲେଖାଟି 'ଜନମରୁ ମରଣ' ବିଷୟରେ । ମୋ’ର ପଠନ-ଇତିହାସ ସମ୍ବନ୍ଧୀୟ ନୁହେଁ । ଆପଣ ବହିଟିର ସମୀକ୍ଷା ନ କରୁ ଥିଲେ ମଧ୍ୟ ବହିଟିକୁ ନିରିଖେଇ କରି ଦୁଇ ଥର ପଢ଼ିଲେ ଲାଭ ନିଜର । ବହିଟିର ନୁହେଁ ନିଶ୍ଚୟ । କାରଣ ଏ ଘୋର କଳିର ଖରାପ ବନ୍ଧେଇ ଯୋଗୁଁ ଦୁଇ ତିନି ଥର ପଢ଼ିଲେ ସାଧା ବନ୍ଧେଇ ବହିଟିର ମେରୁଦଣ୍ଡ ଭାଙ୍ଗି ପୃଷ୍ଠା ଉଲୁରି ଯାଇ ପାରେ ।
ପ୍ରଥମ ଥର ପଢ଼ା ଶେଷରେ, ମୋ’ ପାଇଁ ବହିଟି ଥିଲା, ଜଣେ ଦୁଷ୍ଟ ବାଳକ କିପରି ଜଣେ ଦଣ୍ଠା ଅଥଚ ମନୁଆ ପ୍ରଶାସକରେ ପରିଣତ ହେଲା, ସେଇ ପ୍ରକ୍ରିୟାର ଜମାନବନ୍ଦୀଟିଏ । ଦ୍ୱିତୀୟ ଥର ପଢ଼ାରେ ଜଣେ ବ୍ୟକ୍ତିର ବିବର୍ତ୍ତନର ଦୃଶ୍ୟଗୁଡ଼ିକର ପ୍ରେକ୍ଷ୍ୟାପଟରେ ଦୁଶିଗଲା ଅନେକ ସାମାଜିକ ପ୍ରକ୍ରିୟାର ଭଗ୍ନାଂଶ: ପଚାଶ ଦଶକରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳର ସରକାରୀ ସ୍କୁଲରେ ଆଦିବାସୀ ଓ ଅଣ-ଆଦିବାସୀ ଛାତ୍ରଙ୍କ ସମ୍ପର୍କ; ଷାଠିଏ ଦଶକରେ ରେଭେନ୍ସାର ହଷ୍ଟେଲ ଜୀବନ; ଜଣେ ଉଚ୍ଚପଦସ୍ତ ଅଥଚ ଖୋଲାଆଖିଆ ଦପ୍ତରୀଙ୍କ ଦୃଷ୍ଟିରେ ରାଜସ୍ୱ ସେବାର କାର୍ଯ୍ୟାଳୟଗୁଡ଼ିର ସଂସ୍କୃତି; ସ୍ୱାଧୀନତା ପରପରର ଓଡ଼ିଶାରେ ଜଣେ ଉଚ୍ଚଜାତିର ପିଲାର ପଠନ-ଇତିହାସ; ଏମିତି ଅନେକ କିଛି ।
ତୃତୀୟ, ବହିଟିକୁ ପଢ଼ିଲା ବେଳେ ନିଜକୁ ଟିକେ ଆରାମଦାୟକ ପରିସ୍ଥିତିରେ ରଖନ୍ତୁ । ଉଷୁମ ମହୁଲି କିମ୍ବା ଚିକ୍କଣ ହ୍ୱିସ୍କିର ବ୍ୟବସ୍ଥା ନ ହୋଇ ପାରିଲେ, ଗବଗବ ହୋଇ ଫୁଟିଥିବା କଂସାଏ ପାଣିରେ, କପେ ଜଳରେ ଦୁଇ-ତିନୋଟି ନୀଳଗିରି ଚାହାପତ୍ର ହିସାବରେ ପକାଇ, ଥାଳିରେ ଢାଙ୍କି, ତିନି ମିନିଟ ଛାଡ଼ି ଦିଅନ୍ତୁ । ତାହା ପରେ ସେଥିରେ ସାତ-ଆଠ ଚାମଚ ଶିମିଳିପାଳ ମହୁ ପକାନ୍ତୁ । ଘାଣ୍ଟନ୍ତୁ । ଏବେ ଏହି ଚାହାକୁ ଫ୍ଲାସ୍କରେ ପୁରାଇ ରଖନ୍ତୁ । ପ୍ରତି ଅଧ୍ୟାୟ ପାଇଁ ଅଧ କପ ଲେଖାଏଁ ଚାହା ଦରକାର ହେବ । ବାଜେ ଏଲିଡ଼ି ଆଲୁଅରେ ନ ପଢ଼ି, ପୁରୁଣାକାଳିଆ ହଳଦିଆ ଆଲୁଅ ଦେଉଥିବା ଫିଲାମେଣ୍ଟ ଆଲୁଅ ଯୋଗାଡ଼ କରି ସେଥିରେ ବହିଟି ପଢ଼ି ପାରିଲେ ଆହୁରି ଭଲ ।
ଇଏତ ଗଲା, ବହିଟିକୁ ପଢ଼ିବାର ଉପାୟ । ଏବେ, ମେହେରବାନ, କଦରଦାନ, ଆପଣଙ୍କ ଆଗରେ ରଖିବାର ଧୃଷ୍ଟତା କରୁଛି, ଏ ଅଧମ ‘ଜନମରୁ ମରଣ’ରୁ ଶିଖିଥିବା ବଞ୍ଚିବାର, ଚଳିବାର ଓ କାମ କରିବାର ତିନୋଟି ଉପାୟ ।
ପ୍ରଥମ ଶିଖିବାର କଥା ହେଲା ଓଡ଼ିଆ ଭାଷାର ବ୍ୟବହାର । ଆପଣ କେତେ ଦିନ ତଳେ ‘ଜ୍ଞାନପିଶାଚ’, ‘ମଲାବଟୁଆ’, ‘ନରିଆଣୀ’, ‘ଗମାତ’, ‘ଛୋବ’, ‘ଡଗା’, ‘କାହିଲ’, ‘ଡୁଙ୍ଗିବା’, ‘ଆଡ଼ନୟନ’ ଇତ୍ୟାଦି ଶବ୍ଦଗୁଡ଼ିକୁ ଏକ ଓଡ଼ିଆ ଲେଖାରେ ଭେଟିଥିଲେ କୁହନ୍ତୁ ? ‘ଜନମରୁ ମରଣ’ରେ ଏପରି ସୁନ୍ଦର, ଅଥଚ ବ୍ୟବହାର ଅଭାବରୁ ମଲାଶେଯରେ ସୁକୁସୁକୁ ହେଉଥିବା, ଶବଦମାନଙ୍କୁ ବାହାବେଦୀ ପାଖରେ ଛିଞ୍ଚାଡ଼ି ହେଇଥିବା ଖଇ ପରି ପାଇବେ ।
ହେଲେ ଶବ୍ଦଗୁଡ଼ିକ ଅତ୍ରତତ୍ର ଅଳସୁଆମିରେ ବିଞ୍ଚି ଦିଆ ହୋଇ ନାହିଁ । ପ୍ରାୟତଃ ସେଗୁଡ଼ିକର ବ୍ୟବହାର ଭଲ କବିତାରେ ଶବ୍ଦଖଞ୍ଜାଣ ଭଳି ଅବ୍ୟଶ୍ୟମ୍ଭାବି । ସେହି ପରି କମଳା ବାବୁ ଅପାଚାର (ବ୍ୟାଡ଼ ଫେଥ), ଉପରିସ୍ଥ (ସିନିଅର) ଆଦି ଅନେକ ଶବ୍ଦଗୁଡ଼ିକୁ ତାଙ୍କର ବହୁଳବ୍ୟବହୃତ ଇଂରାଜୀ ରୂପ ଜାଗାରେ ବ୍ୟବହାର କରିଛନ୍ତି । ଆଉ ଏହି ବ୍ୟବହାରରୁ ଆମେ ଶିଖିବା ଯେ, ଘସରା ଶବ୍ଦସଂସାର ବାହାରେ, ଇଂରାଜୀ ଆଦୌ ବ୍ୟବହାର ନ କରି, କିମ୍ବା ଯଥାଶକ୍ତି ସର୍ବନିମ୍ମ ଇସ୍ତମାଲ କରି, କିପରି ଆମେ ଆମ ସମସାମୟିକ ଜୀବନର ଚିତ୍ର ଓଡ଼ିଆ ଭାଷାରେ ଆଙ୍କି ପାରିବା ।
ଦ୍ୱିତୀୟ ଶିଖିବାର କଥା ହେଲା, ଦାମ୍ପତ୍ୟ ଜୀବନର ଏକ ଅଲଗା କାଟ । ବାହାଘର ପୂର୍ବରୁ କମଳା ବାବୁ ଓ ତାଙ୍କ ସେବର ପ୍ରେମିକା (ପର ସମୟର ପତ୍ନୀ) ଲୀଳାବତୀ ଦେବୀ ଗୋଟିଏ ସରଳ ଚୁକ୍ତି କରିଥିଲେ । ତାହା ହେଲା, ପିଲାଛୁଆ କରିବେ ନାହିଁ, ସମ୍ପତ୍ତିବାଡ଼ି ଆବୋରିବେ ନାହିଁ ଏବଂ ପରସ୍ପର ଉପରେ ଆର୍ଥିକ ଦୃଷ୍ଟିରୁ ନିର୍ଭର ନରହି, ସ୍ୱାଧୀନ ଭାବରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସହଜୀବନ କଟାଇବେ ।
ଆତ୍ମଜୀବନୀରୁ ଓ କମଳା ଭାଇଙ୍କ ସହ କଥାବାର୍ତ୍ତାରୁ ଯାହା ଜଣା ପଡ଼େ, ଏହି ନିଷ୍ପତ୍ତିକୁ ନେଇ ଅନୁତାପ କରିବାର ପରିସ୍ଥିତି କେବେ ସୃଷ୍ଟି ହୋଇ ନାହିଁ । ବରଞ୍ଚ, ଏପରି ବୁଝାମଣା ସୃଷ୍ଟି କରିଛି ପାରିବାରିକ ଜୀବନରେ ଏକ ସାବଲୀଳତା, ଯାହା ଲେଖାଲେଖି, ପଢ଼ାପଢ଼ି, ସିନେମା ଓ ସୌହାର୍ଦ୍ଦ୍ୟ ପାଇଁ ତ ପ୍ରଚୁର ସୁଯୋଗ ତିଆରିଛି, ତାହା ସହ ଏକ ସଚ୍ଚୋଟ ଅଥଚ ବେପରୁଆ ସ୍ୱାଧୀନ କର୍ମଜୀବନର ସମ୍ଭାବନା ସୃଷ୍ଟି କରିଛି ଉଭୟଙ୍କ ପାଇଁ ।
‘ଜନମରୁ ମରଣ’ରୁ ଶିଖିବା ଯୋଗ୍ୟ ତୃତୀୟ କଥା ହେଲା, ଭଲ ଲାଗୁଥିବା ଜିନିଷର ବ୍ୟବହାର । କଟକର ପ୍ୟାରୀମୋହନ ଏକାଡେମିରେ ସପ୍ତମ ଶ୍ରେଣୀ ପଢ଼ିଲା ବେଳେ କମଳାବାବୁ ରହୁ ଥାଆନ୍ତି ବଙ୍ଗାଳି ସାହିର ‘ରାମକୃଷ୍ଣ କଟେଜ’ ଛାତ୍ରାବାସରେ । ସେଇ ପାଖରେ ଥାଆନ୍ତି ପରିବାରର ପୁରୁଣା ଘର ମାଲିକ, ଗୁଡ଼ିଆ ବନମାଳି ଦାଦା ।
ସନ୍ଧ୍ୟା ବେଳେ ନିଦ ଲାଗିଲେ ଛାତ୍ର କମଳାକାନ୍ତ ଦଉଡ଼ନ୍ତି ଦାଦାଙ୍କ ପାଖକୁ, ଆଉ ମିଳେ କଅଁଳ ଶାଗୁଆ ଶାଳପତ୍ର ଦନାରେ ଶୁଭ୍ର, ତଟକା, ରସଗୋଲାଟିଏ । ମିଠାଟି ହାତକୁ ଆସିଲେ ପ୍ରଥମେ ନିମିଷେ ଖଣ୍ଡେ ତାହାକୁ ନୀରିକ୍ଷଣ କରାଯାଏ । ନୟନତୃପ୍ତ ହୋଇ ସାରିଲା ପରେ, ବିଶି ଆଙ୍ଗୁଠି ସାହାଯ୍ୟରେ ଟିକିଏ ଟିକିଏ ଶିରାର ରସାସ୍ୱାଦନ ହୁଏ । ଏଥିରେ ଲାଗେ ଘଡ଼ିଏ ସରିକି ସମୟ ।
ତାହା ପରେ ରସଗୋଲାଟିକୁ ନଖରେ ଟିକିଏ ଟିକିଏ ଛିଡ଼ାଇ, ଆହୁରି ଘଡ଼ିଏ ଖଣ୍ଡିଏ ଖିଆଯାଏ । ତାହା ପରେ ଦନାଟିର ଖଡ଼ିକାଗୁଡ଼ିକ ବାହାର କରି, ଶାଳପତ୍ରଟିକୁ ଚାଟି ଫୋପଡ଼ାଯାଏ । ସେତେବେଳକୁ ବାଜି ସାରି ଥାଏ ରାତି ଆଠ । ତାହା ପରେ ମଶାରି ପକାଇ ନିଦ୍ରାଦେବୀଙ୍କର ଆବାହନ କରାହୁଏ । ଯଦି ସବୁ ଭଲ ଲାଗୁଥିବା ଜିନିଷର ଏମିତି ବ୍ୟବହାର କରା ଯାଆନ୍ତା, ତାହା ହେଲେ ଅଭାବ ବୋଲି ଜିନିଷଟି ଆଉ ଦୁନିଆରେ ରହନ୍ତା ନାହିଁ ।
ଭଲ ରସଗୋଲା ଖାଇବାର ଉପାୟ ଯାହା, ଭଲ ବହି ପଢ଼ିବାର ବାଟ ମଧ୍ୟ ସେଇଆହିଁ । ‘ଜନମରୁ ମରଣ’କୁ ଟାଉକା ହୋଇ, ଏକା ଥରେ ଗିଳି ପକାନ୍ତୁ ନାହିଁ । ଅଧ୍ୟାୟେ ଅଧ୍ୟାୟେ ପଢ଼ନ୍ତୁ । କିଛି ପୃଷ୍ଟା ପଢ଼ି, ଖୋଜେ ବୁଲି ଆସନ୍ତୁ, କି ଗିରିଜା ଦେବୀଙ୍କର ଚଇତିଟିଏ ଶୁଣନ୍ତୁ । ତାହା ପରେ ପୁଣି ବହିଟିକୁ ଲେଉଟି ଆସନ୍ତୁ । ୱାଶିଂଟନ୍ରେ ଟ୍ରମ୍ପ୍ଜୀ ଓ ନୂଆଦିଲ୍ଲୀରେ ମୋଦିଜୀ ରାଜୁତି କରୁଥିବା ସତ୍ତ୍ୱେ ଦୁନିଆ ସୁନ୍ଦର ଲାଗିବ । କାରଣ ଜୀବନ ଲମ୍ବା, ଗପ ଅସରନ୍ତି ।
ବହି : କମଳାକାନ୍ତ ମହାପାତ୍ର । ୨୦୧୭ । ‘ଜନମରୁ ମରଣ’ । ଭୁବନେଶ୍ୱର : ଧଉଳି ବୁକ୍ସ୍ । ୬୫୦ ଟଙ୍କା ।
(ଲେଖାଟି ଶୈଳେନ ରାଉତରାୟଙ୍କ ବ୍ଲଗ ଆଳୁକୁଚି ମାଳୁକୁଚିରୁ ଧାର ଅଣାଯାଇଛି । )