ଫେରିବା ରାସ୍ତାରେ

ଫେରିବା ରାସ୍ତାରେ

ଝରକାରୁ ବାହାରକୁ ଚାହିଁଛି ଅନୁଭବ । ରାସ୍ତାରେ ଲୋକଙ୍କ ଗହଳି, ଯିବା ଆସିବା । ଦୃଷ୍ଟିକୁ ନିଜ ପାଖ ପରିସରରେ ଖେଳାଇ ଦେଲା । ତା’ ଆପାର୍ଟମେଣ୍ଟର ବେସମେଣ୍ଟରେ ଜୀବନ କେତେ ରଙ୍ଗିନ୍ ମନେ ହଉଛି । ପିଲାଛୁଆ ଧରି କିଛି ବାପା, ମା’ ଖୁସି ଗପରେ ମସ୍‌ଗୁଲ । ରୋଲ୍‌ର ସ୍କେଟିଙ୍ଗରେ ସାଇଁ ସାଇଁ ଭାସୁଛନ୍ତି କିଛି ଦଶ/ବାର ବର୍ଷର ପୁଅ ଝିଅମାନେ । ଶୁକ୍ରବାର ରାତି, ସଫ୍ଟୱେର ପ୍ରଫେସନାଲ୍‌ସ୍ ପ୍ରାୟ ରହନ୍ତି ଏଇ ଆପାର୍ଟମେଣ୍ଟରେ । ସପ୍ତାହର ଏହି ଦିନଟି ସେମାନଙ୍କ ପାଇଁ କିଛି ଉତ୍ସବରୁ କମ୍ ନୁହଁ, ଶୁକ୍ରବାର ଅଫିସ୍‌ରୁ ଫେରିବା ପରେ ନିଜ କଥା ଓ ନିଜ ପରିବାର କଥା ସେମାନେ ଭାବିବା ପାଇଁ ଦେଖିବା ପାଇଁ ସମୟ ପାଆନ୍ତି । ସୋମବାର ଠାରୁ ଶୁକ୍ରବାର ସେମାନେ କ୍ରିତଦାସ । ସେମାନେ ଭେଣ୍ଡର ପାଖରେ କ୍ରିତଦାସ । ଘଣାରେ ତେଲ ବାହାର କରିବା ପାଇଁ ଗାଈ ଗୋରୁ ବା ମଣିଷମାନେ ଯେମିତି ଘୂରୁଥାଆନ୍ତି ନିଜକୁ ଚିପୁଡ଼ି ଚାଲିଥାଆନ୍ତି, ଏଇମାନେ ବି ସେମିତି ଉଚ୍ଚ ଶିକ୍ଷିତ ଅସହାୟ ଜାନବର ଆଠ ଘଣ୍ଟା ଅଫିସ୍ । ତା ପରେ ବି ଦରକାର ପଡ଼େ ଆଉ ଦୁଇ, ତିନି ଘଣ୍ଟା ଅଫିସ୍‌ରେ । ପୁଣି ଘରକୁ ଫେରିବା ପରେ ବି ମୁଣ୍ଡରୁ ୱାର୍କ ପ୍ରେସର ଯାଏନି । ଲାପଟପ୍ ଖୋଲି ଆଗାମି କାଲି ଥିବା ଜୀବନ ଯୁଦ୍ଧ ପାଇଁ ନିଜକୁ ସଜ କରିନିଏ ଅନୁଭବ । ଦୈନିକ ୧୨/୧୫ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କିଏ କରେ? ମୁଲିଆ, ମଜବୁରମାନଙ୍କର ଅବଶ୍ୟ ସମୟସୀମା ରହିଛି । କିନ୍ତୁ କେବଳ କ’ଣ ଅନୁଭବ? ତା ଭଳି ବିଚରା ପ୍ରାଣୀ ବହୁତ ଅଛନ୍ତି । ଏମାନଙ୍କ ଭୁଲ ହେଲା, ଏମାନେ ବହୁତ ଭଲ ପଢ଼ନ୍ତି, ଜୀବନ ସାରା ପଢ଼ୁଥାଆନ୍ତି । ପଢ଼ନ୍ତି ଓ କୋର୍ଡ୍ ଲେଖନ୍ତି । ମାସିକ ବେତନ ଛଅ ଅଙ୍କରେ ଆସେ କିନ୍ତୁ ସେ ଧନକୁ ନିଜ ଉପରେ ଖର୍ଚ୍ଚ କରିବା ପାଇଁ ସମୟ କାହିଁ? ଖାଦ୍ୟ, ପୋଷାକ-ସବୁଥିରେ ସାଲିସ୍ । ମସ୍ତିଷ୍କର ପ୍ରତିଟି ସ୍ନାୟୁରେ ଯେମିତି ରହିପାଇଛି କାମ.... କାମ.... ଅଫିସ୍‌...... କୋଡ଼...... ମ୍ୟାନେଜର...... କ୍ଲାଏଣ୍ଟ ।


ପାଠ ପଢ଼ିବା ସମୟରେ ‘ଗୁଡ଼ବୟ’ ଥପ୍ପା ବାଜିଥିବା ଅନୁଭବ ଚାକିରି ପରେ କିଛି ଦିନ ସ୍ୱଚ୍ଛନ୍ଦ ଜୀବନ ଓ ନିଜ ବୟସକୁ ଉପଭୋଗ କରିବା ପାଇଁ ଚାହିଁଥିଲା । ବାପାଙ୍କ ସ୍ୱଳ୍ପ ବେତନରେ ଅନୁଭବ କେବେ ସୁଯୋଗ ପାଇ ନଥିଲା କିଛି ଆବଶ୍ୟକତା ଠାରୁ ଅଧିକ କରିବା ପାଇଁ । ନିଜ ଇଚ୍ଛାମାନଙ୍କୁ ଯେମିତି ବାନ୍ଧି ଗଣ୍ଠିଲି ପକାଇ ଦେଇଥିଲା । ଏତେ ବର୍ଷର ପରିଶ୍ରମ ଆଇ.ଟି ଇଂଞ୍ଜିନିୟରିଂ ପରେ ସେ ପାଇଛି ଚାକିରି । କେବେ ଭାବି ନଥିବା ଅଙ୍କରେ ମାସିକ ବେତନ । ବ୍ୟାଙ୍କ ବ୍ୟାଲେନ୍ସ ଦେଖି ସେ ଅତିମାତ୍ରାରେ ଖୁସି ଥିଲା ।


ଗଳଚକ୍ୟରେ ଭସାଇ ଦେଇଥିଲା ନିଜକୁ । ଦାମି ପୋଷାକ, ତାରକା ହୋଟେଲ ଓ ନୁଆ କରି ତା’ ଜୀବନରେ ଆସିଥିଲା ସ୍ୱପ୍ନା ।
ସ୍ୱପ୍ନ ଭଳି ତା ଜୀବନରେ ଆସିଲା ସ୍ୱପ୍ନା । ସୁନ୍ଦର ଓ ଖୋଲା ସ୍ୱଭାବର ଝିଅଟି, ଅନୁଭବର ଚାକିରି ଥାଏ ଗୋଟିଏ ବଡ଼ ସହରରେ । ମଧ୍ୟବିତ୍ତ ପରିବାରର ସଞ୍ଜମ ବା ରୁଢ଼ିବାଦୀ ବିଚାରର ଚାଲି ଚଳଣ ସ୍ୱପ୍ନ ଜାଣେନି । ଏହି ସହରରେ କେହି କାହାର ହିସାବ ରଖେନି । ଏଠି ସବୁ ଖୋଲା କୋଉଠି କିଛି ଲଗାମ୍ କାହାକୁ ପସନ୍ଦ ନାହିଁ । ପିନ୍ଧାରେ ଖୋଲା, କଥାରେ ଖୋଲା । ବିଚାର ଧାରା ନିଶ୍ଚିତ ଖୋଲା, ଏଠି ସମସ୍ତେ ‘ମଡ଼ର୍ଣ୍ଣ’ ।


ଅନୁଭବ ବି ବେଶ୍ କିଛି ବର୍ଷ ମଡ଼ର୍ଣ୍ଣ ଲାଇଫ୍‌ର ମଜା ନେଲା । ସାଙ୍ଗ, ସାଥି, ମଉଜ ମଜଲିସ୍ ସାଥିରେ ସ୍ୱପ୍ନା । ଜୀବନଟା ଯେମିତି ଆକ୍ଷି ମିଟ୍‌କା ମାରି କହୁଛି “ମତେ ଧର” “ମତେ ଛୁଁ” ।ଜୀବନରେ ପ୍ରଥମ ଚାକିରି ଓ ପ୍ରଥମ ପ୍ରେମ ଭଳି ରୋମାଞ୍ଚ ଆଉ ମିଳେନି । ସ୍ୱପ୍ନା ସାଥିରେ ଖୁବ୍ ଉପଭୋଗ କରିଦେଲା ସୁନ୍ଦର ଦିନମାନ । ଅନୁଭବ ଭାବିଲା ସ୍ୱପ୍ନା ଉପରେ କେବଳ ତା’ର ଆଧିପତ୍ୟ । ସ୍ୱପ୍ନା ଚାହିଁଲା । ଅନୁଭବର ସମୟ ।


କିନ୍ତୁ ସେହି ସମୟ ହିଁ ଧିରେ ଧିରେ ଅନୁଭବ ହାତରୁ ଖସି, ଅଫିସ୍‌, କ୍ଳାଇଣ୍ଟ ଓ ଭେଣ୍ଡର ହାତରେ ରହିଗଲା । ଯେମିତି ହଠାତ୍ ସୁନ୍ଦର ସମୟ ସବୁ ଦୁରେଇ ଚାଲିଗଲା ଓ ସ୍ୱପ୍ନ ଭଳି ଆସିଥିବା ସ୍ୱପ୍ନା ବି ସ୍ୱପ୍ନ ହୋଇ ରହିଗଲା ।


ଏଠି ସମ୍ପର୍କର କୌଣସି ସ୍ଥାୟିତ୍ୱ ନଥାଏ । “ହାୟ ବେବି!! ୟୁ ଆର୍ ସୋ’ ସୁଇଟ୍‌” ରେ ସମ୍ପର୍କ ଆରମ୍ଭ ହୋଇ ବେଡ଼ରୁମ୍ ଯାଏଁ ଚାଲିଯାଏ । ‘ଲେଟସ୍ ବ୍ରେକ୍‌ଅପ୍‌’ରେ ଭାଙ୍ଗି ବି ଯାଏ । ମଡ଼ର୍ଣ୍ଣ ଲାଇଫ୍‌ରେ ସବୁ ‘ଇନଷ୍ଟାଣ୍ଟ’ କେବଳ ରହିଯାଏ ‘ଏକାକୀତ୍ୱ’ ।


ଅନୁଭବ ବର୍ତ୍ତମାନ ସେଇ ଏକାକିତ୍ୱର ଦାସ । ତା’ରି ହାତରେ ନିଜକୁ ଛାଡ଼ି ଦେଇଛି । କିଛି ବର୍ଷ ହେଲା ଘର ସାଥିରେ କିଛି ଖାସ ସମ୍ପର୍କ ନାହିଁ । ଘର ହାନି, ଲାଭ ବା କାହାର ଦେହ ଖରାପ କିଛି ପଚାରି ବୁଝେନି । ବାପା, ବୋଉ ବି ମାସରେ ଥରେ ଅଧେ ପଚାରି ବୁଝନ୍ତି କାରଣ ଅନୁଭବ ତା ‘ମଡ଼ର୍ଣ୍ଣ’ ଲାଇଫ୍ ରେ ବାପା ଓ ବୋଉଙ୍କ ପାଇଁ ସ୍ଥାନ ଟା ଠିକ୍ ନିରୁପଣ କରିପାରିନଥିଲା । ସେମାନେ ବି ପକ୍ଷିର ପର ଲାଗିବା ଜାଣିପାରୁଥିଲେ । ପାଠ ପଢ଼ା ପୁଅ ଚାକିରି ସେ, ବି ବାପାଙ୍କ ଠାରୁ ଢ଼େର ଅଧିକ ଦରମା ପାଇବା ଚାକିରି କଲେ ବାପାଙ୍କ ନଜରରେ ପୁଅ ଏତେ ବଡ଼ ହେଇ ଯାଏ ଯେ ବାପା ନିଜକୁ ନିଜେ ଛୋଟ ମଣନ୍ତି । ‘ଥାଉ ଏବେ କଲ୍ କରି ତାକୁ ହଇରାଣ କରନା, ସେ ଥକ୍କା ହେଇ ଅଫିସ୍‌ରୁ ଫେରି ଥିବ । ରହ, ଗୋଟିଏ ତ ଛୁଟି ପାଉଛି ହପ୍ତାରେ ସେଥିରେ ବି ତୁ ଆଡ଼ୁ ସାଡ଼ୁ ଗପିବୁ ।’ ଏମିତି କହି ତା ବୋଉଙ୍କୁ ଚୁପ୍ କରେଇ ଦିଅନ୍ତି । ସାଙ୍ଗ ସାଥି ପ୍ରାୟ କେହି ନାହାନ୍ତି । ଅନୁଭବର ଏହି ସହରରେ । ସ୍ୱପ୍ନା ସାଥିରେ ରହୁଥିଲା ଏଇ ଫ୍ଲାଟ୍‌ରେ । ସଥିରେ ଖାଇବା, ପିଇବା, ଶୋଇବା ଏମିତି କି ସ୍ୱପ୍ନା ଠାରୁ ତ ସ୍ମୋକିଙ୍ଗ ଶିଖିଲା ଅନୁଭବ ।


‘ଡ଼ଫର୍ ଭିତରକୁ ଟାଣ ଆରେ ଏଥର ପାଟି ବନ୍ଦ କରି...... ଆଃ...... ଦାଟସ୍ ହ୍ୱାଇ ଆଇ କଲଡ଼୍ ୟୁ ଡ଼ଫର୍‌...... ଅନୁଭବର କାଶ ଦେଖି କହିଥିଲା ସ୍ୱପ୍ନା । ଜୀବନର ପ୍ରଥମ ସ୍ମୋକିଙ୍ଗର ନିଆରା ସ୍ମୃତି ।


କାନ୍ଥଘଣ୍ଟାକୁ ଚାହିଁଲା ଅନୁଭବ ୨/୩ ପେଗ୍ ରୁ ସାତ ଆଠ ପେଗ୍ ହେଲାଣି, ଧିରେ ଧିରେ ପିଆ ବଢ଼ୁଛି ତା’ର । ସେ ନିଜେ ଚାହିଁଲେ ବି କମ୍ କରିପାରୁନି । ଜୀବନରେ ଆଉ ଖୁସି ନାହିଁ । ପାଠ ପଢ଼ିବା ଦିନରୁ ଅନୁଭବ ଏୟା ହିଁ ତ ଚାହିଁଥିଲା । ଭଲ ଚାକିରି, ଦରମା, ବଡ଼ ସହର... ସବୁ ତ ଅଛି । ତଥାପି ନିଜ ଭିତରେ କିଛି ଯେମିତି ବାକି ରହି ଯାଉଛି ।


ରାତି ଦୁଇଟାରେ ସହରର କୋଳାହଳ କିଛି ଥମି ଆସିଛି । ଆକାଶରେ ଚିକ୍‌ମିକ୍ ପଦାର୍ଥମାନେ ତା ଉପରେ ଯୋର ହସୁଛନ୍ତି । ଘର ଭିତରକୁ ଚାହିଁଲେ ଅନ୍ଧାର ହତ ଗୋଡ ହଲେଇ ମାଡ଼ି ଆସୁଛି । ଘଣ୍ଟାର ଟିକ୍ ଟିକ୍‌କୁ ଶୁଣିଲା । ଆଉ କିଛି ଜୀବନ୍ତ ସ୍ୱର ସେ ଖୋଜୁଥିଲା । କିଛି ଦିନ ହେଲା ଅନ୍ଧାର ଭଲ ଲାଗୁଛି ତା’କୁ । କିନ୍ତୁ ଆଜି ସେ ଆକ୍ତାମାକ୍ତା ହୋଇ ପଡ଼ିଲାଣି । ଅନ୍ଧାର ଭିତରେ ତା ପିଲାବେଳ ମୁହଁ ବାରମ୍ବାର ସାମ୍ନାକୁ ଆସୁଛି । ‘ବୋଉର ବାପା ଖାଇବୁ ଆ ଡାକ ଶୁଭୁଛିି’ । ସ୍ୱପ୍ନାର ସ୍ପର୍ଶ ଦେହକୁ ଛୁଉଁଛି ।


ଏତେ ପି ବା ପରେ ବି ନିଦ ଆସୁନି ।


ଲାଇଟ୍ ଅନ୍ କରି ଟିଭି ସୁଇଚ୍ ପାଖକୁ ହାତ ନେଇଛି ଗୋଟେ କାର୍ଡ଼ ପାଇଲା ସୁରେଶ । ସୁରେଶ ଦେଇଥିଲା । ‘ଫିଲିଙ୍ଗ ସ୍ୟାଡ଼୍‌, କଲ ମି’, ଲେଖା କାର୍ଡ଼ ଟି ।
ଏହି ଦରଦର ଭାଷା ବୁଝିଛି ଅନୁଭବ । ବଡ଼ ସହରରେ ସବୁ ମିଳେ । ତଥାପି ସେ ଚାହିଁଲା କଲ କରିବା ପାଇଁ । ଇନ୍‌ଷ୍ଟାଣ୍ଟ ସହରରେ ଇନ୍‌ଷ୍ଟାଣ୍ଡ ସର୍ଭିସ୍ । ଖୁବ୍ କମ୍ ସମୟରେ ଝିଅଟିଏ ଆସି ଦସ୍ତଖତ ଦେଲା ।


ଅନୁଭବ କିଂକର୍ତ୍ତବ୍ୟ ବିମୁଢ଼ ହୋଇ ଡ଼ୋର ଖୋଲି ତାକୁ ଭିତରକୁ ଆସିବାକୁ ଦେଲା । ସାହାସ୍ୟ ବଦନରେ ମେକ୍‌ଅପ୍‌ରେ ପୋତି ହୋଇ ଆସିଥିବା ଝିଅଟି ହ୍ୟଣ୍ଡସେକ୍ କଲା ।


‘ହାୟ, ସୋନି ହିୟର,’
‘ହାୟ!!! ବାସ୍ ଏତିକି ପାଟିରୁ ବାହାରି ପାରିଲା । ଟାଇମ୍‌, ରେଟ୍‌, ଘଣ୍ଟା ପ୍ରତି ଚାର୍ଜ ସବୁ କହି ଚାଲିଥିଲା । ଝିଅଟି ଅନୁଭବ ଚିଲ୍ଡ ଏସିରେ ବି ଝାଳରେ ଲଟ୍‌ପଟ୍ ।
ଓ.କେ.....!
ଓ ଓ.... କେ!!
ଏମିତି ଶବ୍ଦ ମଧ୍ୟରେ ନିଜ ମାନସିକ ସ୍ତରକୁ ନିଜ ଅଧିନକୁ ଆଣିବା ଅଜଥା ଚେଷ୍ଟା କରୁଥାଏ । ଅନୁଭବ ।
କିନ୍ତୁ ଖୁସି ଯେ କେହି ଜଣେ ତା ସହିତ ଅଛି ।
ରେଟ୍ ଫାଇନ୍‌ାଲ ହେଲା, ସକାଳ ୭ ଯାଏଁ ସେ ଝିଅ ରହିବ ।
ବର୍ତ୍ତମାନ ଅନୁଭବର ଦେହ ଉପରେ ଅଧିକାର ସହିତ ହାତ ବୁଲେଇ ଆଣିଲା ସୋନି ।
‘ଡୁ ୟୁ ନିଡ୍ ଏ ଡ୍ରିଙ୍କ୍‌’?
ଅନୁଭବ ପଚାରିଲା, ଯେତେବେଳେ ଝିଅଟିର ଓଠ ତା, ଓଠକୁ ଛୁଇଁବାକୁ ଯାଉଥିଲା । ‘ଓଃ ଇୟେସ୍‌’ । ଖୁସିରେ କହିଲା ସୋନି । ପେଗ୍ ତିଆରିରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରି ଭାବିଲା, ଏଇଟା ତ କିଛି ଖରାପ୍ ନୁହଁ । ମନ ଭଳି ଦେହର ମଧ୍ୟ କିଛି ଆବଶ୍ୟକତା ରହିଛି ।
ସ୍ୱପ୍ନା ଖୁବ୍ ମନେ ପଡ଼ିଲା । ସୋନି କୁ ପେଗ୍ ଟି ଧରାଇ କିଛି ସମୟ ଚାହିଁଲା ଅନୁଭବ ତା’କୁ ।
କିନ୍ତୁ ଇୟେ କ’ଣ? ବେକରୁ ତଳକୁ ଚାହିଁ ପାରୁନି । ସୋନି ଭିତରେ ସ୍ୱପ୍ନାକୁ ସେ ପାଉନି । ଅପରିଚିତା ସେ । 
ବ୍ୟତିବ୍ୟସ୍ତରେ ଅନୁଭବ ଟଏଲେଟ୍ ଚାଲିଗଲା । ନିଜକୁ ପ୍ରସ୍ତୁତ କରିବା ପାଇଁ କିଛି ସମୟ ଚାହୁଁଥିଲା ସେ । କିଛି ସେକ୍ସି ଭିଡ଼ିଓ ଦେଖିବାକୁ ଚେଷ୍ଟା କଲା । ଭକ୍ ଭକ୍ ବାନ୍ତି ଉଠେଇଲା । “ପୁଣି ନିଜକୁ ସଜାଗ କଲା । ନିଜ ଭିତରେ ନିଜକୁ କହିଲା”, କମ୍ ଅନ୍‌, ୟୁ ଆର୍ ଏ ମ୍ୟାନ୍‌” ।


ବାହାରକୁ ଆସି ଅନୁଭବ ମ୍ୟାନ୍ ଭଳି ହେବା ସାହସ ନେଇ ଗଲା ସୋନି ପାଖକୁ । ପେଗ୍ ପରେ ପେଗ୍ ପି’ ସୋନି ଉତ୍‌ଶୃଙ୍ଖଳ ହୋଇ ଅନୁଭବ ଗଳାରେ ବାହୁ ଛନ୍ଦି ନାଚିବାକୁ ଲାଗିଲା । ପୋଷାକ ନାଁରେ ସ୍ୱଳ୍ପ କପଡ଼ା ଦେହରେ ଅଛି ।


କେଜାଣି କାହିଁ ଅନୁଭବକୁ କାନ୍ଦ ମାଡ଼ିଲା ବୋଉର ପଣତ ତଳେ ଶୋଇବାକୁ ଇଚ୍ଛା ହେଲା । ବାପାଙ୍କଠାରୁ ଗାଳି ଶୁଣିବାକୁ ଇଚ୍ଛା ହେଲା । ନିଜକୁ ସେ ଥାପଡ ଥାପଡ ବାଡ଼େଇ ଚାଲିଲା । 


ରାତିର ଅନ୍ଧାର ଦୁର ହେଇ ସୂର୍ଯ୍ୟ ସୁନେଲି ଆଭା ବିଛାଡ଼ି ଆସିଲେଣି ।


ଅନୁଭବର କାନ୍ଦ ଓ କୋହ ମିଶା ସ୍ୱର ଦୂର ଯାଏଁ ଶୁଭୁଥାଏ, ବୋଉ ବାପା ମୁଁ ଏଠି ଏକୁଟିଆ । ତମେ ମାନେ କେବେ ଆସିବ? ଟିକଟ୍ ପଠଉଚି ।
ଚଢ଼େଇ ଗୋଟେ ରାବ ଦେଇ ଉଡ଼ି ଯାଉଥାଏ ।