ବୈଶାଖୁ ଭୁଏ
ନଥିବା ଲୋକର ପାଦଚିହ୍ନ
ଅନୁସରଣ କରିକରି ମୁଁ ଚାଲିଛି।
ଯେଉଁମାନେ ଥିଲେ
ତାଙ୍କର ପାଦଚିହ୍ନର ଆକୃତି ଗଢ଼େ ଇତିହାସ,
ମୁଁ ଗଢ଼େ ନଥିବା ଲୋକର।
ନଥିବା ଲୋକମାନେ ଇତିହାସ ଗଢ଼ନ୍ତି
ସଭ୍ୟତା ସେମାନଙ୍କୁ ଅନୁସରଣ କରେ।
ବୈଶାଖୁ ଭୁଏ ନଥିଲା
ଥିଲେ ରାମା, ଦାମା, ଲାମା
ବନରେ ବାସ କରୁଥିଲେ ଭାଲୁ ଓ ମାଙ୍କଡ଼ମାନେ
ମଣିଷମାନେ ରହୁଥିଲେ ରାଜଧାନୀରେ।
ମଣିଷମାନେ କେବେ ହୁଏତ
ମାଙ୍କଡ଼ ଓ ଭାଲୁଥିଲେ
ବା ଭାଲୁ ଓ ମାଙ୍କଡ଼ମାନେ
କେବେ ମଣିଷ ହେଲେ
ଖୋଜେ ଇତିହାସ,
ଗଣେ ନାହିଁ ପାଦଚିହ୍ନ। ମୁଁ ଗଣେ।
ଗଣନା ମୋର ଭୁଲ୍ ହୋଇଯାଏ ବାରମ୍ବାର
ଯେଉଁଠି ସରେ ରାଜରାସ୍ତା
ତା' ଆଗକୁ କେତେ କେତେ ଖୁରାଚିହ୍ନ
କେଉଁଟା ରାଜାର
କେଉଁଟା ବୈଶାଖୁ ଭୁଏର
ମୁଁ ଜାଣି ପାରେନା।