ଆଜି ନୁହଁ ଆଉଦିନେ
ଦିନ ଆସିବ ମୁଁ ତମକୁ କ୍ଷମା କରିଦେଇପାରିବି
ଘୁରୁଥିବା ଗ୍ଲୋବ୍ ର କୋଉ ଗୋଟେ ବିନ୍ଦୁ ଉପରେ
ଆଙ୍ଗୁଠି ଟିପ ଥୋଇ ମୁଁ କହିବି
(ଝରକା ଆଡ଼େ ଅନେଇ, ବଡ଼ ପାଟିରେ),
'ଜାଣେ ତମେ ଏଇଠି ଅଛ, ଅଥଚ ମୋର
ଆଉ ସ୍ପୃହା ନାହିଁ ଏଠିକାର ପାଣିପାଗ ଜାଣିବାକୁ'
ଏବଂ ହୁଏତ ଫୋପାଡ଼ି ଦେବି ଗ୍ଲୋବ୍ ଟି ଝରକା ବାଟ ଦେଇ
ଦୃଶ୍ୟଟିକୁ ଆଉଟିକେ ନାଟକୀୟ କରିବା ପାଇଁ।
ହେଲେ ସେଦିନ ଆସିବା ଯାଏଁ ତ ପବନ ଏମିତି ବହିବ,
ସେଦିନ ଆସିବା ଯାଏଁ ଲୋକେ ନାଲି ସେଇ ଫୁଲଟିକି
ଗୋଲାପ ବୋଲି ହିଁ ଡାକିବେ, ସେଦିନ ଆସିବା ଯାଏଁ
ତ ଆକାଶରେ ପହଁରିବ ମେଘ
ଯେମିତି କେଉଁଠି ବି କିଛି ବି ଭାଙ୍ଗିଯାଇନାହିଁ,
ଯେମିତି କେଉଁଠି ବି କିଛି ବି ରହିଯାଇନାହିଁ
ଅଧା...
ମୁଁ ଅବଶ୍ୟ ମଝିରେ ମଝିରେ ଆସି ସ୍ୱପ୍ନରେ ତମର
ଆଶ୍ୱାସନା ଦେଇଯାଉଥିବି, 'ବ୍ୟସ୍ତ ନାହିଁ, ଦିନ ଆସିବ
ମୁଁ ତମକୁ କ୍ଷମା କରିଦେଇପାରିବି।' ହେଲେ
ଦିନମାନଙ୍କର କି ଅବା ଭରସା!
କିଏ କହିବ ସେ ଦିନଟି ମୋ ଅଜାଣତରେ
ମୁଁ ଶୋଇଥିଲାବେଳେ, ବାହାରି ମୋ ଜୀବନରୁ
ଚାଲିଯାଇନଥିବ କୁଆଡ଼େ ବୋଲି।
ଏତେ ଚିହ୍ନା-ପରିଚୟ ଥାଇ,
ତମେ ବି ତ ଚାଲିଗଲ ପୁଣି!