ହା ଜିନଙ୍କ କବିତା :କଥା କହିବାର ବାଗ

ହା ଜିନଙ୍କ କବିତା :କଥା କହିବାର ବାଗ

ହା ଜିନ, ଚୀନର କବି ଯିଏ ଚୀନକୁ ଫେରି ନାହାନ୍ତି ଅନେକ ବର୍ଷ ଧରି । ପୃଥିବୀର କୋଟି କୋଟି ଭୂମିହରା ମଣିଷମାନଙ୍କ ଭିତରେ ହା ଜିନ ଆଉ ଜଣେ ଦେଶ-ହରା ମଣିଷ । ୨୧, ଫେବୃଆରି , ୧୯୫୬ରେ, ତାଙ୍କର ଜନ୍ମ ଚୀନରେ । ଚାଇନିଜରେ ତାଙ୍କ ନାଁ ଜୁଫେଇ ଜିନ । ଚୀନରେ ସେ ପାଠ ପଢିଲେ । କିଛି ଦିନ ଚୀନର ସେନାବାହିନୀରେ କାମ କଲେ । ଅଶି ଦଶକରେ ସେ ଆମେରିକା ଆସିଲେ ଇଂରାଜୀ ସାହିତ୍ୟରେ ଗବେଷଣା କରିବା ପାଇଁ । ଏଜରା ପାଉଣ୍ଡ , ଟିଏସ ଇଲିୟଟ, ଅଡେନ ଏବଂ ୟିଟ୍ସଙ୍କ କବିତାରେ ଚୀନର ସାଂସ୍କୃତିକ ଚିତ୍ର ଖୋଜିବାକୁ ସେ ଆମେରିକା ଆସିଥିଲେ । ଆମେରିକାରୁ ରହି ସେ ଦେଖିଲେ ତାଙ୍କ ନିଜ ଦେଶର ରକ୍ତାକ୍ତ ଚେହେରା । ୧୯୮୯ର ବର୍ବର “ତିଆନାନମେନନ ହତ୍ୟାକାଣ୍ଡ” ତାଙ୍କ କବି ମନକୁ ରକ୍ତାକ୍ତ କରିଥିଲା । ଚୀନ ସେନାବାହିନୀ ତିଆନାନମେନନ ଛକରେ ହଜାର ହଜାର ପ୍ରତିବାଦକାରୀ ଛାତ୍ରଙ୍କୁ ହତ୍ୟା କରିଥିଲେ । ଚୀନ କମ୍ୟୁନିଷ୍ଟ ପାର୍ଟିର ଏକଛତ୍ରବାଦୀ ଶାସନକୁ ବିରୋଧ କରି ହା ଜିନ ଆଉ ଦେଶକୁ ଫେରି ନାହାନ୍ତି ।

ସେ ଆମେରିକାରେ ରହି ଉଭୟ ଚାଇନିଜ ଓ ଇଂରାଜୀ ଭାଷାରେ କବିତା ତଥା ଉପନ୍ୟାସ ଲେଖିଛନ୍ତି । ସମକାଳର କବିତାରେ ହା ଜିନ ଅତ୍ୟନ୍ତ ପ୍ରଭାବଶାଳୀ କବି । ୧୯୯୦ରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା ବହି “ବିଟ୍ଵିନ ସାଇଲେନ୍ସେସ” । ଆଲୋଚକଙ୍କ ଭାଷାରେ ହା ଜିନ ଆମେରିକାରେ ରହନ୍ତି, ଇଂରାଜୀରେ ଲେଖନ୍ତି, ହେଲେ ତାଙ୍କ କବିତାରେ ଚୀନ ଇ ଥାଏ । ନିଜ ଦେଶରୁ ନିର୍ବାସିତ ହୋଇ ଜୀବନ ବଞ୍ଚିବାର ବିକଳ ଅନୁଭବକୁ ସେ ନିରନ୍ତର ତାଙ୍କ କବିତାରେ କହି ଚାଲିଥାନ୍ତି ।       

କଥା କହିବାର ବାଗ

ଆମେ ବେଦନାର କଥା କହିବାକୁ ଭଲ ପାଉଥିଲୁ

ଆମର ପତ୍ରିକା ଓ ଚିଠି ସବୁ

ଭରପୂର ଥିଲେ

ହରେଇବାର ପୀଡା, ଅଭିଯୋଗ ଏବଂ ଦୁଃଖରେ

ସତକୁ ସତ ଦୁଃଖ ନଥିଲେ ବି

ଥମୁ ନ ଥିଲା ଆମର ବିଳାପ

ଯଦିଓ ଆମେ ବି ଭଲ ପାଉଥିଲୁ

ଗୋଟେ ବିପର୍ୟସ୍ତ ଚେହେରାର ମାଧୁରୀକୁ ।

 

ତା ପରେ ଦୁଃଖ କହିବା ଆମର କେବେ ବି ସରୁ ନ ଥିଲା

ଅସତର୍କ ଭାବରେ ଆମ ଭିତରକୁ ଆସୁଥିଲା

କେତେ ଯେ କେତେ ଦୁଃଖ ।

 

ଆମର ପରିଶ୍ରମ ବୃଥା ହେଉଥିଲା

ଆମର ଭଲପାଇବା ବେକାର ଯାଉଥିଲା

ଘର ଉଜୁଡି ଯାଉଥିଲା

ସଂସାର ଭାଙ୍ଗୁଥିଲା

ବନ୍ଧୁତା ଫାଟି ଯାଉଥିଲା

ନିତିଦିନର ଜଞ୍ଜାଳ ଆଗରେ

ଚିରି ଯାଉଥିଲା ଆମର ଅଭିଳାଷ ।

ଗୋଟେ ସୁସ୍ପଷ୍ଟ ଚିତ୍କାର ଲାଗି

ଆମ କଣ୍ଠରେ ସବୁବେଳେ ଧାଡି ବାନ୍ଧି

ଅପେକ୍ଷା କରୁଥିଲେ ଶବ୍ଦମାନେ ।

 

ଜୀବନ ଲାଗୁଥିଲା ଗୋଟେ ଅସରନ୍ତି ଦୁଃଖର ନଦୀ

ଦୁଃଖ ଇ ଥିଲା ଜୀବନର ଏକମାତ୍ର ଅମୃତ ଧାରା ।

 

ଆମର ଭୂମି ହରାଇ ସାରିଲା ପରେ

ଓ ଆମେ ଆମର ଭାଷାକୁ ଛାଡିଦେଲା ପରେ

ଆମେ ଦୁଃଖ ବିଷୟରେ କହିବା ବନ୍ଦ କରିଦେଲୁ

ଆମ ଚେହେରା ଝଲମଲ ଦିଶିଲା ହସରେ ।

 

ଆମେ ଆମର ବିପର୍ଯୟ ଆଗରେ ବେଶ ହସିଲୁ ।

ଆମକୁ ସବୁ କିଛି ସୁନ୍ଦର ଲାଗିଲା

 ଏପରିକି କରକାପାତରେ ଉଜୁଡି ଯାଇଥିବା ଷ୍ଟ୍ର ବେରି କ୍ଷେତ ବି

ସୁନ୍ଦର ଦିଶିଲା ଆମ ଆଖିକୁ ।

ମୂଳ ରଚନା - ହା ଜିନ 

ଅନୁବାଦ - କେଦାର ମିଶ୍ର