ହା ଜିନଙ୍କ କବିତା :କଥା କହିବାର ବାଗ

ହା ଜିନଙ୍କ କବିତା :କଥା କହିବାର ବାଗ

ହା ଜିନ, ଚୀନର କବି ଯିଏ ଚୀନକୁ ଫେରି ନାହାନ୍ତି ଅନେକ ବର୍ଷ ଧରି ପୃଥିବୀର କୋଟି କୋଟି ଭୂମିହରା ମଣିଷମାନଙ୍କ ଭିତରେ ହା ଜିନ ଆଉ ଜଣେ ଦେଶ-ହରା ମଣିଷ ୨୧, ଫେବୃଆରି , ୧୯୫୬ରେ, ତାଙ୍କର ଜନ୍ମ ଚୀନରେ ଚାଇନିଜରେ ତାଙ୍କ ନାଁ ଜୁଫେଇ ଜିନ ଚୀନରେ ସେ ପାଠ ପଢିଲେ କିଛି ଦିନ ଚୀନର ସେନାବାହିନୀରେ କାମ କଲେ ଅଶି ଦଶକରେ ସେ ଆମେରିକା ଆସିଲେ ଇଂରାଜୀ ସାହିତ୍ୟରେ ଗବେଷଣା କରିବା ପାଇଁ ଏଜରା ପାଉଣ୍ଡ , ଟିଏସ ଇଲିୟଟ, ଅଡେନ ଏବଂ ୟିଟ୍ସଙ୍କ କବିତାରେ ଚୀନର ସାଂସ୍କୃତିକ ଚିତ୍ର ଖୋଜିବାକୁ ସେ ଆମେରିକା ଆସିଥିଲେ ଆମେରିକାରୁ ରହି ସେ ଦେଖିଲେ ତାଙ୍କ ନିଜ ଦେଶର ରକ୍ତାକ୍ତ ଚେହେରା ୧୯୮୯ର ବର୍ବର ତିଆନାନମେନନ ହତ୍ୟାକାଣ୍ଡ ତାଙ୍କ କବି ମନକୁ ରକ୍ତାକ୍ତ କରିଥିଲା ଚୀନ ସେନାବାହିନୀ ତିଆନାନମେନନ ଛକରେ ହଜାର ହଜାର ପ୍ରତିବାଦକାରୀ ଛାତ୍ରଙ୍କୁ ହତ୍ୟା କରିଥିଲେ ଚୀନ କମ୍ୟୁନିଷ୍ଟ ପାର୍ଟିର ଏକଛତ୍ରବାଦୀ ଶାସନକୁ ବିରୋଧ କରି ହା ଜିନ ଆଉ ଦେଶକୁ ଫେରି ନାହାନ୍ତି

ସେ ଆମେରିକାରେ ରହି ଉଭୟ ଚାଇନିଜ ଇଂରାଜୀ ଭାଷାରେ କବିତା ତଥା ଉପନ୍ୟାସ ଲେଖିଛନ୍ତି ସମକାଳର କବିତାରେ ହା ଜିନ ଅତ୍ୟନ୍ତ ପ୍ରଭାବଶାଳୀ କବି ୧୯୯୦ରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା ବହି ବିଟ୍ଵିନ ସାଇଲେନ୍ସେସ ଆଲୋଚକଙ୍କ ଭାଷାରେ ହା ଜିନ ଆମେରିକାରେ ରହନ୍ତି, ଇଂରାଜୀରେ ଲେଖନ୍ତି, ହେଲେ ତାଙ୍କ କବିତାରେ ଚୀନ ଥାଏ ନିଜ ଦେଶରୁ ନିର୍ବାସିତ ହୋଇ ଜୀବନ ବଞ୍ଚିବାର ବିକଳ ଅନୁଭବକୁ ସେ ନିରନ୍ତର ତାଙ୍କ କବିତାରେ କହି ଚାଲିଥାନ୍ତି        

କଥା କହିବାର ବାଗ

ଆମେ ବେଦନାର କଥା କହିବାକୁ ଭଲ ପାଉଥିଲୁ

ଆମର ପତ୍ରିକା ଚିଠି ସବୁ

ଭରପୂର ଥିଲେ

ହରେଇବାର ପୀଡା, ଅଭିଯୋଗ ଏବଂ ଦୁଃଖରେ

ସତକୁ ସତ ଦୁଃଖ ନଥିଲେ ବି

ଥମୁ ଥିଲା ଆମର ବିଳାପ

ଯଦିଓ ଆମେ ବି ଭଲ ପାଉଥିଲୁ

ଗୋଟେ ବିପର୍ୟସ୍ତ ଚେହେରାର ମାଧୁରୀକୁ

 

ତା ପରେ ଦୁଃଖ କହିବା ଆମର କେବେ ବି ସରୁ ଥିଲା

ଅସତର୍କ ଭାବରେ ଆମ ଭିତରକୁ ଆସୁଥିଲା

କେତେ ଯେ କେତେ ଦୁଃଖ

 

ଆମର ପରିଶ୍ରମ ବୃଥା ହେଉଥିଲା

ଆମର ଭଲପାଇବା ବେକାର ଯାଉଥିଲା

ଘର ଉଜୁଡି ଯାଉଥିଲା

ସଂସାର ଭାଙ୍ଗୁଥିଲା

ବନ୍ଧୁତା ଫାଟି ଯାଉଥିଲା

ନିତିଦିନର ଜଞ୍ଜାଳ ଆଗରେ

ଚିରି ଯାଉଥିଲା ଆମର ଅଭିଳାଷ

ଗୋଟେ ସୁସ୍ପଷ୍ଟ ଚିତ୍କାର ଲାଗି

ଆମ କଣ୍ଠରେ ସବୁବେଳେ ଧାଡି ବାନ୍ଧି

ଅପେକ୍ଷା କରୁଥିଲେ ଶବ୍ଦମାନେ

 

ଜୀବନ ଲାଗୁଥିଲା ଗୋଟେ ଅସରନ୍ତି ଦୁଃଖର ନଦୀ

ଦୁଃଖ ଥିଲା ଜୀବନର ଏକମାତ୍ର ଅମୃତ ଧାରା

 

ଆମର ଭୂମି ହରାଇ ସାରିଲା ପରେ

ଆମେ ଆମର ଭାଷାକୁ ଛାଡିଦେଲା ପରେ

ଆମେ ଦୁଃଖ ବିଷୟରେ କହିବା ବନ୍ଦ କରିଦେଲୁ

ଆମ ଚେହେରା ଝଲମଲ ଦିଶିଲା ହସରେ

 

ଆମେ ଆମର ବିପର୍ଯୟ ଆଗରେ ବେଶ ହସିଲୁ

ଆମକୁ ସବୁ କିଛି ସୁନ୍ଦର ଲାଗିଲା

 ଏପରିକି କରକାପାତରେ ଉଜୁଡି ଯାଇଥିବା ଷ୍ଟ୍ର ବେରି କ୍ଷେତ ବି

ସୁନ୍ଦର ଦିଶିଲା ଆମ ଆଖିକୁ

ମୂଳ ରଚନା - ହା ଜିନ 

ଅନୁବାଦ - କେଦାର ମିଶ୍ର